top of page

କଥା ଏତିକି - ତୃତୀୟ ଭାଗ

Writer's picture: Biranchi Narayan MishraBiranchi Narayan Mishra

ଚିତ୍ରଲେଖା ସ୍ୱାମାଜୀଙ୍କୁ ମୁଣ୍ଡିଆ ମାରି ପ୍ରଶ୍ନ କଲା । ସ୍ୱାମୀଜୀ ସବୁ କଣ ମୋରି ଦୋଷ । ଶ୍ରାବଣୀ ଯେପରି ବ୍ୟବହାର କରୁଛି ଗୋଟେ ମା ହୋଇ କେମିତି ସହିବି । ତା'ପାଇଁ ମୁଁ କଣ ନକରିଛି ! ସୁଖଦବା କଥା ଛାଡ଼ନ୍ତୁ, ପ୍ରତିମୁହର୍ତ୍ତରେ ମୋତେ ଦୁଃଖ ଦେଇ ଚାଲିଛି । ମୋ କଷ୍ଟ କଣ ସବୁ ବୃଥା ।


ସ୍ୱାମୀଜୀ : ଚିତ୍ରଲେଖା ତିନିଦିନ ହେଲା କେବଳ ତୁମର ଦୁଃଖ ଶୁଣିଆସୁଛି । ତୁମ ଜୀବନ ବିଷୟରେ କିଛି ଜାଣିଲି ନାହିଁ ।


ଚିତ୍ରଲେଖା ଆଖିରୁ ଦୁଇଧାର ଲୁହ ଗଡ଼ିଗଲା । କାନିରେ ଲୁହ ପୋଛି, ତାଜୀବନ କଥା ଆରମ୍ଭ କଲା...।


ପୁରୀ ଜ଼ିଲ୍ଲା ଅସ୍ତରଙ୍ଗ ସମୁଦ୍ରକୁଳ ନିକଟ ଏକ ଆଖ୍ୟାତ ପଲ୍ଲୀ ଗ୍ରାମରେ ନିମ୍ନମଧ୍ୟବିତ ପରିବାରରେ ମୋର ଜନ୍ମ । ଆମେ ତିନି ଭଉଣୀ, ମା ଓ ବାପାଙ୍କୁ ନେଇ ଆମର ଛୋଟ ପରିବାର । ବାପା ଗାଁ ପାଖ ଏକ ଚିଙ୍ଗୁଡ଼ି କମ୍ପାନୀରେ ଚୌକିଦାର ଚାକିରୀ କରନ୍ତି । ମା ପରଘରେ କାମକରେ । ତିନିଭଉଣୀଙ୍କ ଭିତରେ ମୁଁ ବଡ଼ । ଆମେ ତିନି ଭଉଣୀ ଭଲ ପାଠ ପଢ଼ୁଥିଲୁ । ବିଶେଷକରି ମୁଁ ଦୁଇ ଭଉଣୀଙ୍କ ଠାରୁ ଭଲ ପଢ଼ୁଥିଲି । ବାପା ମା ଆମ ପାଠପଢ଼ାରେ ସେମାନଙ୍କର ସମସ୍ତ କଷ୍ଟାର୍ଜିତ ରୋଜଗାର ଖର୍ଚ୍ଚ କରିବାରେ କୁଣ୍ଠାବୋଧ କରୁନଥିଲେ । ଦୁଃଖକଷ୍ଟେ ଜୀବନ ଆମର ବିତିଯାଉଥିଲା । ଆମ ଗାଁ ର ସତ୍ୟକାମ ଭାରି ଭଲପିଲା ଥିଲା । ଭଲ ବି ପଢୁଥିଲା । ସେ ଯେଉଁଦିନ ଗାଁ ପାଖ ସହରରେ ଚାକିରୀ ପାଇଲା ସାରା ଗାଁ ଲୋକ ଖୁସିରେ ଆତ୍ମହରା ହୋଇ ପଡିଥିଲେ, ସବୁଠୁ ବେଶୀ ଖୁସି ହୋଇଥିଲା ମୋ ମାଆ ।


ଦିନେ ରାତିରେ ମାଆ ବାପାଙ୍କୁ କହୁଥିଲା : ହେଇଟି ଶୁଣୁଚ ଚିତ୍ରଲେଖାକୁ ଏକୋଇଶି ପୁରି ବାଇଶି ଚାଲିଲାଣି ଆମର ଯୋଉ ଅବସ୍ଥା ଝିଅ ବୋଝକୁ କେତେଦିନ ଆମେ ସମ୍ଭାଳି ପାରିବା । ହାତକୁ ଦୁଇହାତ କରିଦେଲେ ଝିଅ ଜଂଜାଳରୁ ଟିକେ ହାଲକା ହୋଇଯିବା, ପଛକୁ ପଛ ଏ ସାନଦୁଇଟା । ତାଙ୍କ କଥା ମୁଁ ଭାବିପାରୁନି । ସତ୍ୟକାମ ଭାରି ଭଲପିଲା ସରକାରୀ ଚାକିରୀ କଲାଣି ତୁମେ ତା ବାପାଙ୍କୁ ଚିତ୍ରଲେଖା ପାଇଁ ପ୍ରସ୍ତାବ ଦଉନ ।


ବାପା କହୁଥିଲେ : ବହୁତ ଭଲ ପ୍ରସ୍ତାବ ଯେ...

ଯେ କଣ ବଢିଲା ପୁଅ ଝିଅ ଘରେ ଥିଲେ ପ୍ରସ୍ତାବ ଦେବାଟା କଣ ଭୁଲ କଥା। ମାଆ କହିଲା ।

ଦିନେ ମାଆ କଥା ମାନି ବାପା ମୋ ପ୍ରସ୍ତାବ ସତ୍ୟକାମ ବାପାଙ୍କୁ କହିଲେ । ଡେରି ଟିକେ ହେଲା ସିନା ସତ୍ୟକାମ ବାପା ରାଜି ହେଲେ । ସର୍ତ୍ତ ରହିଲା ମୋଟର ସାଇକେଲ, ଘଣ୍ଟା, ସୁନାମୁଦି, ଚେନ ଜୋଇଁକୁ ବାପା ଦେବେ । ବାପାଙ୍କର ହୋସ ଉଡ଼ିଗଲା । ମାଆ କହିଲା ହଁ ଦିଆହେବ ।


ବାପା - କେମିତି

ମାଆ - ତୁମେ over time କରିବ। ଆଉ ଦଶ ଘର ମୁଁ ଅଧିକା କାମ କରିବି ।


ମୋ ବାହାଘର ସୁରୁଖୁରୁରେ ହୋଇଗଲା । ସର୍ତ୍ତର ଦୁଇଟିକୁ ଛାଡି । ବାପାଙ୍କ ଗୁହାରୀ ମଞ୍ଜୁର ହୋଇଥିଲା ଦୁଇମାସର ମହଲତ ବିନିମୟରେ ସତ୍ୟକାମ ବାପାଙ୍କ ମାନବିକତା ମୂଲ୍ୟବୋଧ ବିନିମୟରେ । ଏକ ସୁନାମୁଦି, ଦୁଇ ସୁନା ଚେନ ।


ତେଲିଙ୍ଗି ବାଇଦ ବାଜା, ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ଓ ସଭିଙ୍କ ଆନନ୍ଦ ଉଲ୍ଲାସ ଭିତରେ ମୋ ବାହାଘର ସରିଗଲା । ଝିଅ ବିଦାୟ ସମୟ ପାଖେଇ ଆସିଲା । ସାତସମୁଦ୍ରର ଲୁହ ମୋ ଆଖିରେ । ବାପା ମାଆଙ୍କ ମୁହଁକୁ ମୁଁ ଚାହିଁ ପାରିନଥିଲି । ଓଢଣାକୁ ଟାଣିଦେଉଥିଲି । ବାପା ମୋ ମୁହଁ ଦେଖିବାକୁ କେତେ ବିକଳ ହଉଥିଲେ ତା ଜାଣିବି ଓଢଣାକୁ ଜୋରରେ ଧରିଥିଲି । ଜାଣିଥିଲି ଥରେ ଓଢଣା ଛାଡିଦେଲେ ଲୁହର ବନ୍ୟାରେ... କଣ ଗୋଟେ ହୋଇଯିବ । ବାପାଙ୍କର ବାରମ୍ବାର ମୋ ମୁହଁ ଦେଖିବା ଓ ଓଢଣା ଭିତରେ ମୋ ମୁହଁକୁ ଲୁଚାଇ ରଖିବାର ଚେଷ୍ଟାରେ ଉପସ୍ଥିତି ସବୁ ଲୋକମାନେ କଥା ହେଉଥିଲେ ସତରେ ବାପ ମାଆ କି ସଂସ୍କାର ଶିଖାଇଛନ୍ତି । ଶେଷକୁ ମୁଁ ହାରିଗଲି । ବାପା ମୋ ମୁହଁ ଦେଖିଦେଲେ । କୁଆଡେ ଗଲା ସେ ସାତସମୁଦ୍ରର ଲୁହ ମୋ ଆଖିରୁ !!! ସତେକଣ ଦଧୀଚି ମୁନି ଗୋଟିଏ ଚଳୁରେ ଶୋଷି ନେଇଗଲେ । ବାପାଙ୍କ ମୁହଁକୁ ନିରେଖି ଦେଖିଲି । ମୋର ସବୁ ଲୁହ ସବୁ କାନ୍ଦ କୁଆଡେ ଉଭେଇ ଗଲା । କେମିତି ମୁଁ ଶୂନ୍ୟଗର୍ଭା ହୋଇଗଲି । ମୋ ଆଖିରେ ନାଚିଗଲା ବାପା ମାଆଙ୍କ ନିରୀହ ମୁହଁ । ମୋ ସୁଖ ନିଲାମ ହୋଇଗଲା, ବାପାଙ୍କ over time ଓ ମାଆର ଦଶଘର ବାସି ପାଇଟିରେ ।


ସବାରୀ ଭିତରେ ଅର୍ଦ୍ଧ ଚେତନ ଅବସ୍ଥାରେ ଶାଶୁଘରକୁ ଗଲି । ଭୋ ଭୋ କାନ୍ଦି ସ୍ୱାମୀଜୀଙ୍କ ଗୋଡ଼ତଳେ ମୁଣ୍ଡ ପିଟିବାକୁ ଲାଗିଲା ଚିତ୍ରଲେଖା । ମୋ ସୁଖସଂସାର ବେଶୀଦିନ ରହିଲାନି ସ୍ୱାମୀଜୀ... ମୁଁ ମୋ ଜୀବନ କଥା ଆଜି କହିପାରିବିନି । ମୋତେ କ୍ଷମା କରିବେ । କାଲି କହିବି । [କ୍ରମଶଃ...]


ବିରଞ୍ଚି ନାରାୟଣ ମିଶ୍ର

ଭୁବନେଶ୍ୱର

Comments

Rated 0 out of 5 stars.
No ratings yet

Add a rating
bottom of page