ତମ ଶରଧାର ଖୁଦଭଜାକୁ ତ
ମୁଁ ଅନେକ ଦିନରୁ ଚାହିଁଛି ସୁଦାମା
କେହି କ'ଣ ଭୂଲିପାରେ
ସେଇ ପିଲାଦିନ କଥା
ଝୁରି ହେଉଛି ପରା
ମୋର ଅନ୍ତର ଆଉ ଆତ୍ମା ।
ଅନେକ ଥର ତୁମ ଡାକ
ମୋ ହୃଦୟକୁ ଛୁଇଁଛି
ଟୋପା ଟୋପା ବର୍ଷା ବିନ୍ଦୁ ପରି
ଲୁହବି ଝରିଛି,
ତୁମେ କଷ୍ଟ ପାଇଲେ
ମୁଁ କ'ଣ ନିଶ୍ଚିନ୍ତ ନିଦ୍ରାରେ ଶୋଇପାରିଛି !
ହେଲେ ତୁମ ଭଲପାଇବାର ଗଭୀରତା ଭିତରେ
ବାରମ୍ବାର ହଜିବାକୁ
କାହିଁକି କେଜାଣି ଖୁବ ଇଛା ହେଇଛି
ମୁଁ ସେତେ ସେତେ ତୁମକୁ ଛୁଉଁଥିଲି
ତୁମେ ଯେତେ ଯେତେ ମୋତେ ଖୋଜୁଥିଲ
ଆହୁରି ବଢିଯାଉଥିଲା ମୋର
ତୁମକୁ ପାଖରେ ପାଇବାର ଇଛା
ମୋ ଆଖିର ଅଶ୍ରୁକୁ
ତୁମେ ହୁଏତ ଦେଖିପାରୁ ନଥିଲ,
ତୁମ ପାଦର ସ୍ପର୍ଶରେ
ଏ ଦ୍ଵାରିକାପୁର ମୋର
ଧନ୍ୟ ହେଇଯିବ
ତା'ର ପ୍ରତିଟି ଧୂଳିକଣା
ତୁମରି ଆଶ୍ଳେଷରେ ଚେଇଁ ଉଠିବ
ଏଇକଥା ଭାବୁଥିଲି,
ସେଇଥିପାଇଁ ତ ମୁଁ ତୁମକୁ ଧରାଦେଉ ନଥିଲି !
ତମର କ'ଣ ପିଲାଦିନ
ଲୁଚକାଳି ଖେଳ କଥା ମନେନାହିଁ
ମୋତେ ଛୁଇଁବାକୁ କେତେ ଦଉଡୁଥିଲ
ଆଉ ତମେ ଥକିଗଲା ପରେ
ମୁଁ ଆପେ ଆପେ ଧରା ଦେଉଥିଲି
ଅନେକ ଥର
ତୁମ ଖୁଦଭଜାର ବାସ୍ନାରେ
ଏ ମନ ବିଭୋର ହେଇଛି
ତମକୁ ପାଖରେ ପାଇବାକୁ କେତେ
ଡହଳ ବିକଳ ହେଇଛି ସୁଦାମା !
ଆଜି ତମକୁ ହୃଦୟରେ ଜଡେଇ ଧରିବାରେ
କେତେ ଯେ ତୃପ୍ତି.. !
କେତେ ଯେ ଶାନ୍ତି.. !!
ଲାଗୁଛି ଯେମିତି ଅନନ୍ତ
ଅପେକ୍ଷାର ଅନ୍ତ ଘଟିଛି ।।
Comments