କମଳୀ ବୁଝିଥିଲା ପ୍ରାଞ୍ଜଳ ପ୍ରେମର ପରିଭାଷା । ସ୍ୱାମୀ ରାଧୁଆର ପ୍ରମତ୍ତ ପ୍ରିତୀ -କିନ୍ତୁ ବୁଝିନଥିଲା ଜୀବନର ଜୁଆରଭଟ୍ଟା । ଏ ସବୁ ବୁଝିଲା ବେଳକୁ ଆଉ ତା'ର କିଛି ନଥିଲା । ରାଧୁଆ ତାକୁ ଛାଡି ଆରପାରିକୁ ଚାଲି ଯାଇଥିଲା । ଜୀବନକୁ ଟିକେ ନିରେଖି ବୁଝିବାକୁ ଚାରିମାସ ପୁଅ ଗୌତମକୁ ତାପାଖେ ଅମାନତ ରଖି ଦେଇଥିଲା ଜୀବନ ପରୀକ୍ଷାର ପ୍ରଶ୍ନପତ୍ର ପରି । ସବୁ ହରାଇଲା ପରେ କମଳୀ ପାଖେ କେବଳ ରହିଯାଇଥିଲା -ସେଇଟା ହେଉଛି ତା' ମନ । ସେଇ ମନକୁ ସେ ତ ଆଉ ବିପର୍ଯ୍ୟସ୍ତ କରିପାରିବନି, ଏମିତି ଛୋଟମୋଟ ଦୁଃଖ ଯନ୍ତ୍ରଣାରେ ।
ଗୌତମକୁ ବଡ଼ କରିବ... ମଣିଷ କରିବ...
ଏଇ ବିଦାୟ ଜିନିଷଟା କେମିତି ଭେଦିଭେଦି ଯାଏ କମଳୀର ସର୍ବାଙ୍ଗରେ ଆଉ ହୃଦୟରେ ଯେଉଁ ଗଭୀର ଦାଗ ଛାଡ଼ିଯାଏ, ସେଇଟା ରକ୍ତର ଲାଳିମାକୁ ବି ଫିକା କରିଦିଏ । କମଳୀ ମନରେ ଯାହା ଅବାଶିଷ୍ଟ ରହିଗଲା ସେଇଟା ହେଲା ଆଶା । ଆଶା ଆଲୋକ ଦେଖାଏ, ଆଶା ଚିରସ୍ଥାୟୀ...।
ଦିନ ଗଡ଼ିଚାଲେ। ଗୌତମ ବଡ଼ ହୁଏ । ବୋହୁ ଘରକୁ ଆସିଲେ କମଳୀର ଦୁଃଖଯିବ । ଦୁଃଖର ଦାବି ଯେ ବହୁତ । କେତେ ସହଜରେ ସମ୍ପର୍କ ଗୁଡିକ ଅକ୍ତିଆର ଆଉ ପରିତ୍ୟାଗ ସେ କରିପାରେ ଠିକ ପୁଅ ଗୌତମ ପରି ମଣିଷ ଗୁଡାକ ଭିତରେ । ନୀରବତା ହିଁ ହେଉଛି ସୁଖ ମନର ଚାବିକାଠି । ସବୁ ନୀରବତା ଶବ୍ଦ ହୀନ, ଅଥଚ ଅସମ୍ଭବ ତାର ବାଗ୍ନୀତା ।
ବନ୍ଧୁ ବାନ୍ଧବ ପ୍ରିୟ ପରିଜନ ସଭିଏଁ ଆଉଥରେ ବିବାହ ପ୍ରସ୍ତାବ ଦେଇଥିଲେ, ସ୍ୱୀକାର କରି ପାରିନଥିଲା କମଳୀ । ସେ ବୁଝିଥିଲା କିଛି ଦୁଃଖ କିଛି କଥା ସହ୍ୟ କରିଗଲେ ତାହା କିଛି ଦିନପରେ ବୋଧଗମ୍ୟ ହୁଏ । କେତେକେତେ ସମ୍ପର୍କ ଯୋଡିହେଲେ ଜଣେ ଗୋଟେ ସମ୍ପର୍କକୁ ଏମିତି ନଷ୍ଟ କରିଦେଇପାରେ, ସେକଥା କମଳୀ ଆଜି ମଧ୍ୟ ଜାଣିନି କି ବୁଝିନି । ସେ କିନ୍ତୁ ବୁଝିଛି ଯେଉଁ ଝରଣା ତଳକୁ ବୋହି ଆସିଛି, ସେ କଣ ଆଉ ଫେରିଯିବ ତାର ମୂଳ ଉତ୍ସକୁ? ସେ ଜାଣିଛି ତା' ଜୀବନ କେବଳ ବେଦନାର ଅଂଶଧନ । ଯାହା କାହାକୁ ବଣ୍ଟା ଯାଇପାରିବନି । ତା'ର ଜୀବନରେ ଅନ୍ୟ କୌଣସି ବିଶେଷ ପୁରୁଷର ଆବଶ୍ୟକତା ଆଉନାହିଁ । ରାଧୁଆ ଯେମିତି ଶେଷ ପୃଷ୍ଟାର ଶୀର୍ଷକ ତା'ର ।
ବିରଞ୍ଚି ନାରାୟଣ ମିଶ୍ର
ଭୁବନେଶ୍ୱର
ଗଳ୍ପଟି ସାର୍ ଭଲ ଲାଗିଲା