ଜାଣେ ଯଶୋଧାରା
ମୁଁ ସେଦିନ ଚାଲିଆସିବା ପରେ
କ'ଣ ହେଇଥିବ ତୁମର ଅବସ୍ଥା
ସହିପାରିବନି ବୋଲି ତ
ଚାଲିଆସିଲି ନିରୋଳାରେ
ନିସ୍ତବ୍ଧ ରାତ୍ରିରେ
ଛନ୍ଦକ ସାଥୀରେ ।।
କ'ଣ କରିଥାନ୍ତି କୁହ
ମୁଁ ଥିଲି ନିରୂପାୟ
ସଂସାରର ଦୁଃଖ ଯନ୍ତ୍ରଣା ବେଦନା
ଆକ୍ତାମାକ୍ତା କରୁଥିଲା ମୋର ହୃଦୟ
ଟିକେବି ଛୁଇଁ ପାରୁନଥିଲା ମୋତେ
ରାଜକୀୟ ଭୋଗବିଳାସ
ଭାବୁଥିଲି ମୃତ୍ୟୁ ଯଦି ସତ୍ୟ
କାହିଁକି ଏ ଜୀବନ
ହଁ, ଯାହା ବୁଝି ପାରୁ ନଥିଲା
ତମ ଅଲିଅଳି ମନ।।
ସେଇ ନିର୍ବାଣ ଲକ୍ଷରେ
ମୋତେ ଛାଡିବାକୁ ହେଲା ସବୁକିଛି
ଖାଲି ତମକୁ ନୁହେଁ
ମୋତେ ପିତା ବୋଲି ଡାକିବାକୁ
ଅପେକ୍ଷା କରିଥିବା
ମୋର କଅଁଳ ସନ୍ତାନ
ଆଉ ମୋର ପିତା ମାତା
ଯାହାଙ୍କ ପାଇଁ ମୁଁ ଥିଲି ପ୍ରାଣ
ତମେ ଅନେକ୍ ଲୁହ ନିଗାଡିଥିବ
ମୋତେ ବି କହୁଥିବ ହୃଦୟହୀନ
କୁନି ପୁତ୍ର ରାହୁଳ ପ୍ରତି
ଅନ୍ଯାୟ କଲି ବୋଲି ଭାବୁଥିବ
ହେଲେ ମନ ବିବେକର ଯୁଦ୍ଧକୁ
ମୁଁ ଏଡେଇଗଲି
ଜନ୍ମ ଜନ୍ମର ଚେତନା ଜିତିଗଲା ଯଶୋଧାରା
ଛୁଇଁ ପାରିଲାନି ମୋତେ
ଏ ମରଣଶୀଳ ଜୀବନର
ସକଳ ସୌନ୍ଦର୍ଯ୍ୟ
କାମନା ବାସନା ମୋହ ଐଶ୍ୱର୍ଯ୍ୟ...
ଜାଣେ ତମେ କହିବ
ମୁଁ ବୁଝିପାରିଲିନି ତୁମର ପ୍ରେମ
ମା ଗୌତମୀଙ୍କ ବାତ୍ସଲ୍ୟ ମମତାର ମହାଦ୍ରୁମ
ସୁଝି ପାରିଲିନି ଶୁଦ୍ଧୋଦନଙ୍କର
ପିତୃତ୍ଵର ରୂଣ
ହେଲେ କେମିତି କହିବି ତୁମକୁ
ସବୁକିଛି ଲାଗୁଥିଲା ଯେମିତି
ନିରସ ମୂଲ୍ୟହୀନ
ଜାଣିଛ ! ଗୋଟିଏ ମୁହୂର୍ତ୍ତ
ବଦଳେଇ ଦିଏ ଦିନ
ବଦଳେଇ ଦିଏ ଜୀବନ
ଆଉ ସେ ମହାର୍ଘ ମୁହୂର୍ତ୍ତରେ
ମୋତେ ସବୁକିଛି ଲାଗୁଥିଲା ତୁଛ
ବଳବତ୍ତର ହେଲା ମୋ ଭିତରେ
ଜୀବନର ଚରମ ଲକ୍ଷ
ଜାଣିଥିଲି ତମେ ବୁଝିବ ଦିନେ
ମୋ ପଥର ଯାତ୍ରୀ ହେବ ନିଶ୍ଚେ
ତମେ କ'ଣ ଖୁସି ନୁହେଁ ଯଶୋଧାରା
ମୋ ବୁଦ୍ଧତ୍ବ ପ୍ରାପ୍ତିରେ !!
ଭାବୁଛି କ୍ଷମା କରିଦେଇଥିବ ମୋତେ
ବୁଝିଯାଇଥିବ ମୁଁ କହୁଥିବ କିଛି କଥା
"କରୁଣା ହିଁ ମାନବିକତାର
ପ୍ରଥମ ପରିଭାଷା
ଆଜି ହିଁ ଶ୍ରେୟସ୍କର
ଉନ୍ମେଷ କରିବାକୁ ଜୀବନର ଆଶା
ଦୁର୍ବଳତା ନୁହେଁ
ଅନ୍ତର ଭିତରେ ଜଳେଇ ରଖିବାକୁ ହେବ
ଆସକ୍ତି ବିନାଶର ଆଲୋକ ବର୍ତ୍ତିକା
ଏହାହିଁ ତ ଜୀବନ ତପସ୍ୟା ।।
Nice one