ଗୋଧୂଳିର ଉପରାନ୍ତେ
ସହରଟା ହୋଇଯାଏ ଶାନ୍ତ
ଶୂନଶାନ ପିଚୁଢଳା ଲମ୍ବା ଲମ୍ବା
ଶବ୍ଦ ହୀନ ରାସ୍ତା ସବୁ ଆଲୋକିତ ହେଇଯାଏ
ରାସ୍ତା କଡ଼ ବିଜୁଳି ଖୁଣ୍ଟର ଧପ୍ ଧପ୍ ଆଲୁଅରେ...
କାଁ ଭାଁ ଯାନ ବାହନର
ଆତଯାତରେ ଆଲୋକିତ ରାସ୍ତା
ରାସ୍ତାକଡ଼ ବୃକ୍ଷ କୋରଡ଼ରୁ
ଉଲ୍ଲୂକର କର୍କଶ ଡାକରେ
ଭାଙ୍ଗେ ସହରର ସହରୀ ନିସ୍ତବ୍ଧତା...
ସମୟଟା ଯେମିତି
ଅଟକି ଯାଏ କିଛି କ୍ଷଣ
ସହରୀ ମଣିଷଟା ପାଇଁ
ତନ୍ଦ୍ରାୟିତ ମଧ୍ୟେ ମାପି ଚାଲେ
ଆତ୍ମ ଚିନ୍ତନର ନିଭୃତ ପରିସୀମା...
ନିଶବ୍ଦ ରାତ୍ରିର ଆଲିଙ୍ଗନରେ
ପ୍ରକୃତି ଦତ୍ତ ନୀରବତାକୁ ସାଉଁଟି
ଫେରି ଯାଉଥିବା ମଣିଷ ପୁଣି ଦେଖେ
ଫେରିବା ବାଟରେ ଭବିଷ୍ୟତ ପାଇଁ
ଦେଖିବାକୁ ଅସୁମାରୀ ସୁନେଲି ସପନ...
ତାରା ଖଚିତ ଆକାଶକୁ ଚାହିଁ
ଯନ୍ତ୍ରବତ ସହରି ମଣିଷଟି
କଡ଼ ଲେଉଟାଇ ମିଠା ମିଠା ସ୍ୱପ୍ନରେ
ବିଭୋରିତ ହୋଇଯାଏ
ସହରଟା ଶୋଇଗଲା ପରେ...
ସହରଟା ଶୋଇଯାଏ ସତ
ପୁଣି ଆପଣାଏ
ଏକ ଅର୍ବାଚିନ କଠୋର ସତ୍ୟତା
କରେ ସ୍ୱାଗତ ସକାଳକୁ
ଦେଖିବାକୁ ନୂତନ ସୂର୍ଯ୍ୟର ପ୍ରକାଶ...
ମନୋଜ କୁମାର ଭୋଇ
ପ୍ରତିଷ୍ଠାତା, ଟିକାବାଲି ସାହିତ୍ୟ ସଂସଦ,
ଟିକାବାଲି, କନ୍ଧମାଳ - ୭୬୨୦୧୦
ଦୂରଭାଷ - ୯୩୩୭୨୦୧୩୦୨
Comments