top of page

ଓଡ଼ିଆ ବୋହୁ

Writer: Anjana NandaAnjana Nanda

ଗେଲବସରର ଦିନ ସରିଗଲା

କନ୍ୟାରୁ ହୋଇଲି ବଧୂ

ପରକୁ ଆପଣା ସ୍ନେହେ ପ୍ରେମେ କଲି

ବରଷିଲା ଖାଲି ମଧୁ ।


ପ୍ରଭାତୁ ଉଠିଣ ଗୋମୟ ସିଞ୍ଚିଲି

ଦୁଆର ଅଗଣା ସାରା,

ମୁଖ ପ୍ରକ୍ଷାଳନ ଗୃହ ପରିଷ୍କାର

ଆସିବା ଆଗରୁ ଖରା ।


ଶୌଚାଦି କରମ ନିତ୍ୟ ପୂଜା ପାଠ

ସାରି ମୁଁ ଯତନ ଭରେ

ଶାଶୁ ଓ ଶ୍ଵଶୁର ପିତା ମାତା ମୋର

ଆଶୀର୍ବାଦ ଭିକ୍ଷା କରେ ।


ଧୀରେ ଧୀରେ ଯାଏ ରୋଷେଇ ଘରକୁ

ରାନ୍ଧଣାରେ ଦିଏ ମନ

ଜଳପାନ ଆଉ ମଧ୍ୟାହ୍ନ ଭୋଜନ

କରେ ସର୍ବ ଆୟୋଜନ ।


ଏହି ନିତ୍ୟ କର୍ମ ସବୁ ଦିନ ଥାଏ

ତା'ପରେ ଅନେକ ଅଛି

ବ୍ରତ ଉପବାସ ପିଠା ପଣା ଭୋଗ

ସବୁ କରେ କିଛି କିଛି ।


ପରିବାରଟିକୁ ସ୍ୱର୍ଗ କରିବାକୁ

ସବୁ ଦୁଃଖ ସହି ଯାଏ

କଟୁ କଥା କହି କାହାରି ମନରେ

ଅଶାନ୍ତି କେବେ ନ ଦିଏ ।


ରୋଗରେ ପଡିଲେ ମୋ ଘରେ କେହିବି

ରଖିଥାଏ ମୁଁ ନଜର

ସେବା ଶୁଶ୍ରୁଷାରେ ଉଣା କରେ ନାହିଁ

ଥାଏ ପଛେ ଉଜାଗର ।

ତଥାପି ଏତିକି ଯାହା ମୁଁ କରିଛି

କହିଦେଲି କହୁ କହୁ

ପସନ୍ଦ ଆସିଲେ କହିଦେବ ଥରେ

ମୁଁ ଓଡ଼ିଆ ଘରର ବୋହୁ

ମୁଁ ଓଡ଼ିଆ ଘରର ବୋହୁ ।


ଅଞ୍ଜନା ନନ୍ଦ

କେନ୍ଦୁଝର, ଓଡିଶା

コメント

5つ星のうち0と評価されています。
まだ評価がありません

評価を追加*
bottom of page