କିଛିଦିନ ହସ୍ପିଟାଲର ଇଣ୍ଟେନସିଭ୍ ବିଭାଗରେ କାମ କରିବା ପରେ ମୁଁ ନିଶ୍ଚିତ କଲି ମୁଁ କିଛି ଭିନ୍ନ ପ୍ରକାର କାମ ନର୍ସିଙ୍ଗର ଅନ୍ୟ ବିଭାଗରେ କରିବି l ସବୁଦିନ ଲୋକଙ୍କର ଜୀବନ ମରଣ ସମସ୍ୟା ରୁ କିଛି ଦିନ ଛୁଟି ମିଳିବ ବୋଲି l ମୋ କଥାରେ ମୋର ମ୍ୟାନେଜର ସହମତ ହେଲେ ଆଉ ମତେ ଭିନ୍ନ ଜାଗାରେ କାମ ଖୋଜିବା ପାଇଁ ସାହାଯ୍ୟ ଦେଲେ ଆଉ ଉତ୍ସIହିତ କଲେ l ଘରେ ମୋର ସlନ ପୁଅ ଛୋଟ ଥିଲା l ତେଣୁ ମୁଁ ଭାବିଲି ରିହାଵ୍ ନର୍ସିଙ୍ଗରେ କାମ କରିବି l
ରିହାଵ ନର୍ସିଙ୍ଗ କାମରେ ନର୍ସ ମାନେ ସାଧାରଣତଃ ରୋଗୀ ମାନଙ୍କ ଘରକୁ ଯାଇ ତାଙ୍କ ସାଙ୍ଗରେ କାମ କରନ୍ତି l ଯେ କୌଣସି ଶଲ୍ୟ ଚିକିତ୍ସା ପରେ ରୋଗୀ ମାନଙ୍କୁ ଆମେରିକାରେ ଅତି ଅଳ୍ପଦିନ ପରେ ଘରକୁ ପଠାଇ ଦିଅନ୍ତି l କାରଣ ଆଜିକାଲି ନୂଆ ଗବେଷଣା ଦ୍ୱାରା ଜଣା ଯାଇଛି ରୋଗୀ ମାନେ ଘରେ ନିଜର ପ୍ରିୟ ଲୋକଙ୍କ ସାଙ୍ଗରେ ରହି ଜଲ୍ଦି ଭଲ ହୋଇ ପାରୁଛନ୍ତି l ରୋଗୀଟିର ଅସ୍ତ୍ର ଚିକିତ୍ସା ସରିଲା ପରେ ସିଏ ଘରକୁ ଯିବା ପାଇଁ ସକ୍ଷମ ହୋଇଯାଏ l ହସ୍ପିଟାଲରେ ବେଶି ସମୟ ରହିଲେ ଅନ୍ୟ ରୋଗୀ ମାନଙ୍କଠାରୁ ତାଙ୍କୁ ରୋଗ ସଂଚାର ହୋଇପାରେ l ତେଣୁ ରୋଗୀ ଘରକୁ ଗଲା ପରେ କିଛି ଦିନ ନର୍ସ ଆସି ରୋଗୀଙ୍କ ଘରେ ତାଙ୍କୁ ଆଉ ପରିବାରର ଲୋକଙ୍କୁ ଶିଖାଇ ଦିଅନ୍ତି କେମିତି ଯତ୍ନ ନେବାପାଇଁ l କେତେ ରୋଗୀ ମାନଙ୍କୁ ନୂଆ ଭାବରେ ଚଳିବାକୁ ହୁଏ l କିଛି ଉଦାହରଣ ହେଲା ପେଟର କର୍କଟ ରୋଗ ପରେ ବା ପ୍ରୋଷ୍ଟେଟ୍ ର କର୍କଟ ରୋଗ ପରେ ଅନେକ ଲୋକ କଲୋସ୍ଟୋମି ମୁଣା ଆଉ ମୂତ୍ର ନଳୀ ବ୍ୟବହାର କରନ୍ତି l ସେ ସବୁକୁ ଠିକ୍ ଭାବେ ବ୍ୟବହାର କରିବା ପାଇଁ କିଛି ଦିନ ନର୍ସ ମାନେ ରୋଗୀ ମାନଙ୍କୁ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଛାତ୍ର , ଛାତ୍ରୀଙ୍କୁ ଦେଖିଲା ପରି ପର୍ଯ୍ୟବେକ୍ଷଣ କରିବାକୁ ପଡେ l ସେମିତି ଅସୁବିଧା ହୁଏ ଯେତେବେଳେ ସ୍ତନ କର୍କଟ ରୋଗ ରେ ସ୍ତ୍ରୀ ଲୋକ ମାନଙ୍କର ସ୍ତନକୁ ସର୍ଜରୀ ଦ୍ୱାରା କଟା ହୋଇ ଯାଏ l କିଛି ସ୍ତ୍ରୀ ମାନେ ସର୍ଜରୀ ପରେ ନିଜକୁ ଅପୁରl ସ୍ତ୍ରୀ ବୋଲି ଭାବନ୍ତି ଆଉ ନିଜେ ନିଜର ଛାତି କୁ ଦେଖିବାକୁ ମଂଗନ୍ତିନି l ତାଙ୍କ ସ୍ୱାମୀ ମାନେ ବି ଏଇ ପରିସ୍ଥିତିରେ କିପରି ବ୍ୟବହାର କରିବେ ଜାଣି ପାରନ୍ତିନି l କିଛି ପୁରୁଷ ମାନେ ସମ୍ବେଦନଶୀଳ ହୁଅନ୍ତି l କିନ୍ତୁ ଅନେକ ପରିବାରରେ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଆସିଯାଏ l ଏଇ ସବୁ ପରିସ୍ଥିତିରେ ରିହାଵ ନର୍ସ ଙ୍କର ଅବଦାନ ଅତି ସୁକ୍ଷ୍ମ ଆଉ ଗୁରୁତ୍ୱପୂର୍ଣ l ହସ୍ପିଟାଲରେ ନର୍ସଙ୍କ କାମ ପରି ଶାରୀରିକ ପରିଶ୍ରମ କରିବାକୁ ହୁଏନି କିନ୍ତୁ ମାନସିକ କାମ ବହୁତ ଜଗି ରଖି କରିବାକୁ ହୁଏ l ନର୍ସିଙ୍ଗ ପାଠ ପଢିଲା ବେଳେ ମୋର ଏ ଦିଗରେ କାମ କରିବା ପାଇଁ ମନ ଥିଲା l ନୂଆ କାମ ଆରମ୍ଭ ବେଳେ ମୁଁ ଆଗ ରୋଗୀ ମାନଙ୍କର ରୋଗ ବିଷୟରେ ଡାକ୍ତର ମାନଙ୍କ ସାଙ୍ଗରେ ମିଶି କାମ ଆରମ୍ଭ କରିଥିଲି l କିଛି ବର୍ଷ ଡାକ୍ତରଖାନାରେ କାମ କଲା ପରେ ମୋର ରୋଗୀ ଆଉ ରୋଗ ବିଷୟରେ ଅନେକ ଅଭିଞ୍ଜତା ହୋଇଥିଲା l ତେଣୁ ରିହାଵ ନର୍ସ ଭାବେ କାମ କରିବା ମୋ ପାଇଁ ଠିକ୍ ବୋଲି ଭାବିନେଲି l
ଆମେରିକାରେ ନୂଆ କାମ ଆରମ୍ଭ କରିବା ପୂର୍ବରୁ କିଛି ତାଲିମ୍ ନେବାକୁ ହୁଏ l ସେଥିପାଇଁ ମୁଁ କଲେଜ ରେ ଯାଇ ନାଁ ଲେଖେଇଲି l ପ୍ରବେଶ ପାଇଁ ଦରଖାସ୍ତ ଦେଲା ବେଳେ ମତେ ପଚରା ଗଲା ରିହାଵ ନର୍ସ ହେବl ପାଇଁ କାହିଁକି ଏବେ ଆଗ୍ରହ କଲି ବୋଲି ? ମତେ ଏ ଦେଶରେ ଏଇ ପ୍ରଶ୍ନ ପଚାରିବାର ପ୍ରଣାଳୀ ଭଲ ଲାଗେ l କାମ ବା ପଢିବା ପୂର୍ବରୁ ସେମାନେ ଜାଣିବାକୁ ଚାହାନ୍ତି ଆମର ସେ କାମ ବା ପଢା ପାଇଁ ଆବେଗ ଅଛି ନା ନାହିଁ ? ମୁଁ ଉତ୍ତର ରେ କହିଥିଲି , ମୋର ସବୁବେଳେ ରୋଗୀ ଲୋକଙ୍କ ଘରକୁ ଯାଇ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରିବା ପାଇଁ ଇଚ୍ଛା ଥିଲା l ଭାରତରେ ଆମେ ସମ୍ପ୍ରସାରିତ ପରିବାରରେ ବଡ଼ ହୋଇଥିବା ଯୋଗୁ ମୁଁ ସମସ୍ତଙ୍କ ସାଙ୍ଗେ ମିଶି ଚଳିବାକୁ ଭଲ ପାଏ ରୋଗ ବା ସୁସ୍ଥ ସମୟରେ l ସେଥି ପାଇଁ ହସ୍ପିଟାଲ କିଛି ବର୍ଷ କାମ କଲା ପରେ ମୁଁ ରିହାଵ୍ ନର୍ସ ହେବ ପାଇଁ ଇଚ୍ଛା କଲି, ଯେଉଁଠି ମୁଁ ରୋଗୀଙ୍କର ପରିବାର ସହିତ ମିଶି ତାଙ୍କୁ ସୁସ୍ଥ ହେବା କାମ କରି ପାରିବି l
ମାସକ ଭିତରେ ମତେ ରିହାଵ୍ ନର୍ସିଙ୍ଗ ପାଇଁ ପ୍ରମାଣପତ୍ର ମିଳିଗଲା l ତାପରେ ମୁଁ ଆମ ଘର ପାଖରେ ଥିବା ହସ୍ପିଟାଲରେ ମୋର ନାଁ କାମ ପାଇଁ ଦେଲି l ମୋର ଅନୁଭୂତି ଆଉ ଡିଗ୍ରୀ ଦେଖି ହସ୍ପିଟାଲ୍ ମ୍ୟାନେଜର ଖୁସିରେ କହିଲେ , "ହଁ ତୁମ ପରି ସମ୍ବେଦନ ଶକ୍ତି ଥିବା ପୁର୍ଣ ବିକଶିତ ନର୍ସ ଙ୍କୁ ପାଇ ରୋଗୀମାନେ ଶୀଘ୍ର ସୁସ୍ଥ ହେବେ ଆଉ ବହୁତ ଉପକୃତ ହେବେ" l ତାଙ୍କ କଥା ଶୁଣି ମୁଁ ଖୁସିରେ କହିଲି ହଁ , ମୋର ସେଇ କଥା ମନରେ ଅଛି l ତା ଛଡା ମୋର ସାନ ପୁଅ ଛୋଟ ଅଛି l " ମୁଁ ଚାହୁଁନି ତାକୁ ଛାଡି ଦୂରରେ କାମ ନେବାକୁ " l ରିହାଵ୍ ନର୍ସିଙ୍ଗ ରେ ନିଜର ସମୟ ନର୍ସ ମାନେ ଚୟନ କରି ପାରନ୍ତି କାରଣ ରୋଗୀ ମାନେ ସୁସ୍ଥ ହୋଇ ହସପିଟାଲରୁ ଘରକୁ ଆସି ଥାଆନ୍ତି l ତାଙ୍କର କେବଳ କିଛି ସାହାଯ୍ୟ ଦରକାର ହୁଏ ନର୍ସ ମାନଙ୍କ ଠାରୁ ଯାହା ଦ୍ୱାରା ସେମାନେ ନୂଆ ପରିସ୍ଥିତିକୁ ଆରେଇ ନେଇ ତାଙ୍କର ପୂର୍ବ ପରି ବା ଚଳି ପାରିବେ l
ମତେ ପ୍ରଥମ କାମ ମିଳିଥିଲା ଆମ ଶହର ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ପରିବାରରେ ଯେଉଁଠି ରୋଗୀ ଘରକୁ କଲୋସ୍ଟୋମୀ ବ୍ୟାଗ ସହିତ ଯାଇଥିଲେ l ତାଙ୍କ ନାଁ ଜନ୍ ଥିଲା l ସେ ତାଙ୍କ ସ୍ତ୍ରୀ କରେନ୍ ଙ୍କ ସାଙ୍ଗରେ ରହୁଥିଲେ l ଜନ୍ ଙ୍କର ପ୍ରଚଣ୍ଡ ଆର୍ଥ୍ରାଇଟିସ୍ ରୋଗ ଥିବା ଯୋଗୁ ସିଏ କଲୋସ୍ଟୋମୀ ବ୍ୟାଗ ର ଯତ୍ନ ନେବାରେ ତାଙ୍କ ସ୍ତ୍ରୀ କରେନ୍ ଙ୍କ ସାହାଯ୍ୟ ନେଉଥିଲେ l ତେଣୁ ସେମାନଙ୍କୁ କିପରି ନିଜ କାମ ନିଜେ ସୁଚାରୁ ଭାବେ କରି ପାରିବେ ସେଇ କଥା ଶିଖାଇବା ଥିଲା ମୋର କାମ ! କାମଟି ଦେବା ପୂର୍ବରୁ ମତେ କୁହାଗଲା ଯେ କାମଟି ସହଜ ବୋଲି ଜଣା ଗଲେବି ତିନୋଟି ନର୍ସ ରୋଗୀଙ୍କ ଘରକୁ ଯାଇ ତାଙ୍କୁ କଲୋସ୍ଟୋମି ମୁଣି ବଦଳେଇବା କାମ ଠିକଣା ଭାବରେ ଶିଖାଇ ପାରି ନାହାନ୍ତି l ତେଣୁ ମତେ କାମ ଶିଖେଇବା ସାଙ୍ଗରେ ରୋଗୀର ଶିଖିବାରେ କଣ ଅସୁବିଧା ସେଇଟା ଜାଣିବା ନିଶ୍ଚିତ ଭାବେ ଜରୁରୀ l ମୁଁ ସବୁ କଥା ନୋଟ୍ ରେ ଲେଖିଲି ଆଉ ମନେ ମନେ ଭାବିଲି କି ପ୍ରକାର ଅସୁବିଧା ଯୋଗୁ ତିନି ଜଣ ନର୍ସ କାମଟିକୁ ଏ ପର୍ଯ୍ୟନ୍ତ ଜନ୍ ଙ୍କୁ ଶିଖାଇବାରେ ସଫଳ ହୋଇ ପlରି ନାହାନ୍ତି ?
ମୁଁ ଠିକଣା ସମୟରେ ଗାଡି ନେଇ ରୋଗୀଙ୍କ ଘରେ ପହଁଚି ଗଲି l ଆଗରୁ ଫୋନ୍ ଦ୍ୱାରା ଜଣାଇ ଦେଇଥିଲି ମୁଁ ତାଙ୍କ ଘରେ ପହଁଚିବାର ସମୟ l ରାସ୍ତା ସାରା ଭାବୁ ଥାଏ କିପରି ସୁଚାରୁ ଭାବେ ମୁଁ ରୋଗୀକୁ ବୁଝାଇ ପାରିବି କଲୋସ୍ଟୋମୀର ଯତ୍ନ ନେବା l ତାହେଲେ ସେମାନେ ବାରମ୍ବାର ହସ୍ପିଟାଲ ନର୍ସଙ୍କୁ ଡାକିବେ ନାହିଁ ସାହାଯ୍ୟ ପାଇଁ l ମୁଁ ଜାଣିବାରେ ଅନେକ ନର୍ସ ଜନ୍ ଙ୍କ ଘରକୁ ଏଇ କାମଟି ପାଇଁ ଆଗରୁ ଯାଇ ଥିଲେବି ସେମାନେ ଏ ଯାଏଁ ତାଙ୍କୁ ଠିକଣା ଭାବେ କଲୋସ୍ଟୋମୀ ମୁଣି ବଦଳି କରିବା ଶିଖାଇ ପlରି ନାହାନ୍ତି l କିପରି ମୁଁ ମୋ କାମଟି କରିବାରେ ସଫଳ ହୋଇ ପାରିବି ସେଇ କଥା ମନରେ ଭାବି ମୁଁ ଗାଡି ନେଇ ଜନ୍ ଆଉ କରେନ୍ ଙ୍କ ଘର ପାଖେ ପହଁଚି ଗାଡିକୁ ରାସ୍ତା ରେ ପାର୍କ କଲି l
ଦୁଆର ଘଣ୍ଟି ବାଜିଲା ପରେ ଜଣେ ବୟସ୍କ ସ୍ତ୍ରୀ ଲୋକ ଆସି ଦୁଆର ଖୋଲି ମତେ ଘର ଭିତରକୁ ରାସ୍ତା ଦେଖେଇଲେ l ସିଏ କରେନ୍ ବୋଲି ନିଜର ପରିଚୟ ମତେ ଦେଲେ l ବସିବା ଘର ସୋଫା ଉପରେ ମୁଁ ଜନ୍ ଙ୍କୁ ଦେଖିଲି ଅନେକ ବିଲ୍ ର ଲଫାପା ସହିତ l ମତେ ଦେଖି ସିଏ ଖୁସି ହୋଇ କହିଲେ , "ଆମେ ତୁମ ଅପେକ୍ଷାରେ ଥିଲୁ " l ମୁଁ ହସି ଦେଇ ତାଙ୍କ ପାଖରେ ଥିବା ସୋଫା ଚୌକିରେ ବସି ପଡିଲି ଆଉ ମୋର ନର୍ସିଙ୍ଗ ବ୍ୟାଗ୍ ରୁ ବିଭିନ୍ନ ସରଞ୍ଜାମ କାଢ଼ିଲି l ମତେ ଜୋରରେ ଜନ୍ କହିଲେ ବାଥରୁମ୍ ରେ କଲୋସ୍ଟୋମି ବ୍ୟାଗ୍ ବଦଳି କାମ ହେବ ବୋଲି l ମୁଁ ତାଙ୍କୁ ଜବାବ ଦେଲି ନିଶ୍ଚୟ , କିନ୍ତୁ ପ୍ରଣାଳୀର ସବୁ ପାହାଚ କୁ ଆଜି ଭଲରେ ଗୋଟି ଗୋଟି କରି ଥରେ ଭଲ କରି ଦେଖି ନେଲେ କଲୋସ୍ଟୋମି ବ୍ୟାଗ୍ ବାଥରୁମ୍ ରେ ବଦଳାଇବା ପାଇଁ ସୁବିଧା ହେବ l ମୋ କଥା ଶୁଣି କରେନ୍ ଆଉ ଜନ୍ ହସି ଦେଇ ମୋ ସାଙ୍ଗେ ସହମତ ହେଲେ l ମୁଁ କଲୋସ୍ଟୋମିବ୍ୟାଗ ର ଠିପି , ମୁଣା ଦେଖେଇଲାବେଳେ ଦେଖିଲି କରେନ୍ ବାରମ୍ବାର ତାଙ୍କ କାନରେ ଲାଗିଥିବା ଶୁଣିବା ଯନ୍ତ୍ରଟିକୁ ଉପର ତଳ କରୁଛନ୍ତି l ମୁଁ ପଚାରିଲି କଣ ଅସୁବିଧା ଅଛିକି ? କରେନ୍ ମୁଣ୍ଡ ହଲାଇ କହିଲେ, ହଁ ଗତ ଦୁଇ ମାସରୁ କାନର ଶୁଣିବା ଯନ୍ତ୍ର ଢିଲା ଲାଗୁଚି l ମୁଁ ବେଶି କିଛି ନ ଭାବି ଦୁହିଁଙ୍କୁ କଲୋସ୍ଟୋମି ବ୍ୟାଗ୍ ବଦଳେଇବା ପ୍ରଣାଳୀ ବତେଇ ଦେଲି l ଆର୍ଥ୍ରାଟିସ୍ ଯୋଗୁ ଜନ୍ ଙ୍କ ଦ୍ୱାରା କଲୋସ୍ଟୋମିବ୍ୟାଗ ର ଠିପି ଖୋଲିବା ଆଉ ବନ୍ଦ କରିବା ସହଜ ନ ଥିଲା l ସେଥିପାଇଁ ତାଙ୍କୁ କରେନ୍ ଙ୍କ ସାହାଯ୍ୟ ନିଶ୍ଚିତ ଭାବେ ଦରକାର ହେଉଥିବ ବୋଲି ମୁଁ ଭାବି ନେଲି l
କୋନମତେ ମୁଁ ଛବି ଆଙ୍କି ଦୁହିଁଙ୍କୁ ଦେଖେଇଲି କିପରି ତଳ ଉପର ଠିପି ବନ୍ଦ କରିବାକୁ ହୁଏ ଆଉ ମଳକୁ ଶୌଚାଗାରରେ ଫୋପାଡିବାକୁ ହୁଏ l ତିନି ଥର କହିଲା ପରେ ବି ଜନ୍ ଆର୍ଥ୍ରାଟିସ ଯୋଗୁ ଠିକଣା ଭାବେ କଲୋସ୍ଟୋମି ମୁଣି ବନ୍ଦ କରି ପାରିଲେନି l କରେନ୍ ଙ୍କର କାନର ଯନ୍ତ୍ର ଠିକଣା ଭାବେ ଫିଟ୍ ହୋଇ ନଥିବାରୁ ସିଏ ମୋର ଅନୁଦେଶକୁ ଠିକଣା ଭାବେ ଶୁଣି ନ ପାରି ନିଜ ଇଚ୍ଛା ଅନୁସାରେ କଲୋସ୍ଟୋମି ମୁଣି କୁ ଖୋଲିବା ବା ବନ୍ଦ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁ ଥାଆନ୍ତି l ବର୍ତ୍ତମାନ ମୋର ମନରେ ଆସିଲା କାହିଁକି ସେମାନଙ୍କ ପାଖକୁ ତିନି ଥର ରିହାଵ ନର୍ସ ଆସିଲେବି ପ୍ଲାନ "ଏ " କଲୋସ୍ଟୋମି ମୁଣି ର ଯତ୍ନ ନେବା ଠିକ୍ ଭାବେ ସଫଳ ହୋଇ ପାରିନି l ମୁଁ ସେଠାରୁ ଆସିବା ବେଳେ ତାଙ୍କ ପାଇଁ ପ୍ଲାନ "ବି" କିପରି କରିବି ଭାବୁ ଥାଏ, ଯାହା ଦ୍ୱାରା ସେ କାମଟି ସଫଳ ହେବ l ମୋ ମନରେ ଗୋଟିଏ କଥା ଆସିଲା l ଭାବିଲି ଯଦି କରେନ୍ ଙ୍କର କାନର ଯନ୍ତ୍ରଟି ଠିକ୍ କରି ଦିଆ ଯାଇ ପାରିବ ତାହେଲେ ନର୍ସ ର ଅନୁଦେଶକୁ ସିଏ ଭଲରେ ଶୁଣିପାରିବେ ଆଉ ମନେ ରଖିବେ କିପରି କଲୋସ୍ଟୋମି ମୁଣି ବଦଳେଇବା , ସଫା କରିବା କାମଟି ଠିକ୍ ରେ ହୁଏ l ପରେ ଯେତେବେଳେ ଜନ୍ ଙ୍କୁ କଲୋସ୍ଟୋମି ମୁଣିକୁ ବଦଳେଇବାକୁ ଅବା ସଫା କରିବାକୁ ଦରକାର ପଡିବ କରେନ୍ ତାଙ୍କୁ ସାହାଯ୍ୟ କରି ପାରିବେ l ଏହା ଦ୍ୱାରା ଦୁହେଁ ମିଶି କଲୋସ୍ଟୋମି ମୁଣିର ଯତ୍ନ ନେବା କାମଟିକୁ ନିତି ସହଜରେ କରିପାରିବେ l
ସେଦିନ ସନ୍ଧ୍ୟାରେ ମୋର ଲିଖିତ ବିବରଣୀ ଦେଲାବେଳେ ମୁଁ ମୋର ବିବରଣୀରେ ଲେଖିଲି : ପ୍ରଥମେ କରେନ୍ ଙ୍କର ଶୁଣିବା ଯନ୍ତ୍ର କୁ ଠିକ୍ କରା ଯାଉ l ତାପରେ ନର୍ସ ଯାଇ ଦୁହିଁଙ୍କୁ ଏକାଠି କଲୋସ୍ଟୋମି ବ୍ୟାଗ୍ ବଦଳେଇବାକୁ ଶିଖେଇବ l ମୋ ରିପୋର୍ଟ ଦେଖି ମ୍ୟାନେଜର ମତେ କାରଣ ପଚାରିଥିଲେ ଆଉ ଆଶ୍ଚର୍ଯ୍ୟ ହେଲେ l କିନ୍ତୁ ମୋର ପ୍ରସ୍ତାବ ଉପରେ ବିଶ୍ୱାସ ରଖି ଆଗକୁ କାମ କରିବାକୁ ରାଜି ହେଲେ l ମୁଁ କରେନ୍ ଙ୍କର କାନ ଯନ୍ତ୍ରର ସମାଯୋଜନ ପାଇଁ ବନ୍ଦୋବସ୍ତ କରିଦେଲି l ଏଠାରେ ନର୍ସ ମାନେ ରୋଗୀର ପୁରା ଯତ୍ନ ନିଅନ୍ତି ସେମାନେ ପୂର୍ବପରି ନିଜ କାମ କରିବା ପର୍ଯ୍ୟନ୍ତ l
ପ୍ରାୟ ଦଶ ଦିନ ପରେ ମୋର ଜନ୍ ଙ୍କ ଘରକୁ ଯିବା ପାଇଁ ହେଲା l ଏହା ଭିତରେ କରେନ୍ ଙ୍କର କାନର ଶୁଣିବା ଯନ୍ତ୍ର ଠିକ୍ କରା ଯାଇଥିଲା l ମୁଁ ତାଙ୍କ ସାଙ୍ଗେ ବସି କଥା ହେଲା ବେଳକୁ ଆକାଶ ,ପାତାଳ ର ଫର୍କ ଦେଖିଲି l ମୋର ସବୁ କଥା କରେନ୍ ଭଲରେ ଶୁଣି ପାରୁଥିଲେ l ସିଏ ବାରମ୍ବାର ମତେ ଥାଙ୍କୟୁ ବୋଲି କହି ଚାଲିଥିଲେ ଆଉ କାନ ଯନ୍ତ୍ରକୁ ଦେଖାଉଥିଲେ ମତେ l ମୁଁ ମନେ ମନେ ଖୁସି ହୋଇ ଭାବୁ ଥିଲି ଏଥର କାମଟି ସଫଳ ହେବ ନିଶ୍ଚୟ l କାରଣ ମୁଁ କଲୋସ୍ଟୋମି ମୁଣା ବଦଳି କରିବାର ପ୍ରକ୍ରିୟାକୁ ବୁଝାଇଲା ବେଳେ ଦୁହିଁଙ୍କ ମୁହଁରେ ହସ ଥିଲା ଆଉ ବୁଝିପାରିବାର ସ୍ୱିକୃତି ଥିଲା l ପରେ ଜନ୍, କରେନ୍ ଆଉ ମୁଁ ସବୁ ସରଞ୍ଜାମ ନେଇ କଲୋସ୍ଟୋମି ମୁଣି ବଦଳାଇବା କାମଟି କରିବା ପାଇଁ ବାଥରୁମ୍ କୁ ଗଲୁ l ଯା ହେଉ ତିନି ଜଣ ଯାକ ସେଇ ବାଥ୍ ରୁମ୍ ଠିଆ ହୋଇ ପାରିଲୁ l ସ୍ଟୁଲ୍ ଉପରେ ସଫା ତଉଲିଆ ରଖି ମୁଁ ସବୁ ସରଞ୍ଜାମ ରଖିଲି l ଦରକାର ବେଳେ କରେନ୍ ଜନ୍ ଙ୍କୁ ସାହାଯ୍ୟ କରି ପାରିଲେ l ବାରମ୍ବାର କରେନ୍ ମତେ ତାଙ୍କ କାନକୁ ଦେଖେଇ କହୁ ଥାଆନ୍ତି, "ମତେ ସବୁ ଭଲ ଭାବେ ଶୁଣା ଯାଉଛି ନର୍ସ ଚନ୍ଦ୍ରା" l ମୁଁ ମୁଣ୍ଡକୁ ଟୁଙ୍ଗାରି ତାଙ୍କ କୃତଞ୍ଜତାକୁ ଗ୍ରହଣ କଲି l ସବୁ କାମ ସରିଲା ପରେ କରେନ୍ ମତେ କଫି ପିଇ ଯିବା ପାଇଁ ଅନୁରୋଧ ରଖିଲେ l ମୁଁ ମନା ନ କରି ବସିଗଲି କିଛି କଥା ହେବା ପାଇଁ ତାଙ୍କ ସାଙ୍ଗେ l
କରେନ୍ ଜର୍ମାନ ଦେଶରୁ ଆମେରିକା ଆସିଥିଲେ ଆଉ ମୁଁ ଭାରତ ର ଓଡିଶାରୁ ଆମେରିକା ଯାଇଥିଲି l ଦୁହେଁ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଆପଣେଇ ଥିଲୁ l ଗରମ କଫିର ବାମ୍ଫକୁ ଅନେଇ ରହିଲାବେଳେ ଆମ ଦୁହିଁଙ୍କ ମନରେ ଅନେକ ପୁରୁଣା ସ୍ମୃତି ଆସିଥିଲା l କିଛି ଛାଡିଆସିଥିବା ପରିବାରର ଶଦଶ୍ୟ ଆଉ ସାଙ୍ଗ ସାଥୀଙ୍କ କଥା ଦୋହରାଇ , ଦୋହରାଇ ମୋର ମନେ ପଡୁଥିଲା l ତାପରେ ଦେଖିଲି ଘଣ୍ଟା କଣ୍ଟା ରେ ଆଲାର୍ମ ବାଜିଲା, ମତେ ଆଉ କିଛି ରୋଗୀଙ୍କୁ ଦେଖିବାକୁ ହେବ କହି ମୁଁ ଉଠିଲି l ଆସିଲା ବେଳେ କରେନ୍ କହିଲେ ଚନ୍ଦ୍ରା, ତୁମେ ଜଣେ ଭଲ ଝିଅ ଆଉ ଅତି କାର୍ଯ୍ୟଦକ୍ଷ ନର୍ସ l ତାଙ୍କ ଆଖିରୁ ଲୁହ ଟୋପା ଦୁଇଟି ଗାଲରେ ପଡିବାର ମୁଁ ଦେଖିଲି l ମୁଁ ସବୁ ଜିନିଷ ମୋ ନର୍ସିଙ୍ଗ ବ୍ୟାଗରେ ଏକାଠି କରି ରଖିଲା ବେଳେ କହିଲି, ଭଲ ନର୍ସ ହେବା ପାଇଁ ଶପଥ ନେଇଥିଲି ନର୍ସିଂ କଲେଜରୁ ଗ୍ରାଜୁଏଟ୍ ହେଲା ବେଳେ, କିନ୍ତୁ ଭଲ ଝିଅ ହେଲି କି ନାହିଁ ଜାଣିନି, କାରଣ ମୋର ମା ମୁଁ ଛୋଟ ଥିଲା ବେଳେ ଦୁନିଆରୁ ଚାଲି ଯାଇଥିଲେ ଆଉ ବାପା ନାହାନ୍ତି ଏବେ l କିଏ ମତେ କହିବ ମୁଁ ଭଲ ଝିଅ ବୋଲି , ତେବେ ତୁମେ କହିଲ ଆଉ ମୁଁ ଶୁଣିଲି, ସେତିକି ମୋ ପାଇଁ ଯଥେଷ୍ଟ l ମୁଁ ଜାଣିଥିଲି କରେନ୍ ଙ୍କର କିଛି ପିଲା ନ ଥିଲେ ଚାର୍ଟରୁ l
ରିହାଵନର୍ସ ମାନେ ରୋଗୀ ଆଉ ରୋଗୀର ଚିକିତ୍ସା ଭିତରେ ସେତୁ ବନ୍ଧ ହୋଇ ରୋଗୀ ର ସୁସ୍ଥ ହେବାରେ ସାହାଯ୍ୟ କରି ପାରନ୍ତି l ସେ ଦିନ ଫେରିଲା ବେଳେ ମୁଁ ନିଜେ ଖୁସି ହେଲି ଯେ ମୁଁ ରିହାଵ ନର୍ସ କାମଟି ନେଇ ଜନ୍ ଙ୍କୁ ସାହାଯ୍ୟ କରିବା କାମରେ ସଫଳ ହେଲି l
ଚନ୍ଦ୍ରା ମିଶ୍ର
ଫିଲାଡେଲ୍ଫିଆ, ଯୁକ୍ତରାଷ୍ଟ୍ର ଆମେରିକା
ଆପଣଙ୍କ ଅନୁଭୂତିରୁ ଲେଖାଟି ପଢି ବହୁତ୍ ଭଲ ଲାଗିଲା