ଅନୁଭୂତି କଥା – ସରକାରୀ ବାବୁ – ଦେବୀ ପ୍ରସାଦ ଖଡ଼ିରତ୍ନ

ତର ତର ହୋଇ ପହଞ୍ଚି ଗଲି EPF ଅଫିସିରେ । କାଳେ କୋଉ କଥା । ଦି ଦିନ ହେଲା ଫେରିବାକୁ ପଡୁଛି । ଏତେବଡ ଲମ୍ବା ଲାଇନି ।ପୁଣି ଡେରିରେ ଆସିଲେ ଲାଇନି ନାହିଁ । ଠିକ ଟାଇମି ରେ ଯଦି ନମ୍ବର ନ ହେଲା ତାହେଲେ ପୁଣି ଆରଦିନକୁ ଅପେକ୍ଷା । ଆଉ ନୁହଁ.. । କାଲି ରାତିରେ ଯୋଜନା ପୂର୍ବକ ଜଲଦି ସବୁ କାମ ସାରି ପହଞ୍ଚି ଗଲି ଜାଗା ମୁଣ୍ଡରେ । କାଳେ ଡେରି ହୋଇଯିବ ଭାବି ଜଳଖିଆ ବି କରିନି , ପଳେଇ ଆସିଛି । ଅଳ୍ପ ଟିକେ କାମ । ଆଜ୍ଞାଙ୍କ ର ସନ୍ତକ ଟେ ସରିଗଲେ ମୋ କାମ ଶେଷ । ମୁଁ ପହଁଚିବା ବେଳକୁ ଭିତରେ ୪ ଜଣ ଲୋକଙ୍କ ଲାଇନି ଲାଗି ସାରିଥିଲା । ଯା ହେଉ ଠିକ ଟାଇମିରେ ପହଞ୍ଚି ଗଲି । ଆଜ୍ଞା ବି ଆସି ସାରିଥିଲେ । ପିଅନ ଟୋକା ଟା ହାଲ୍ଲା କରୁଥାଏ ‘ ଲାଇନି କର ଲାଇନି କର …’ ବୋଲି । ଲୋକମାନେ ବି ଆଜ୍ଞାଧିନ ଛାତ୍ର ଭଳି ଛିଡା ହୋଇ ଗଲେଣି ଲାଇନି ରେ । ଆଜ୍ଞା ଙ୍କର ଲାପଟପ, ଚଷମା ଆଉ ପେନ ବି ଟେବୁଲ ଉପରେ ଥୁଆ ହୋଇଥିଲା । ଏଇ ଭିତରେ ଘଣ୍ଟାଏ କେତେବେଳେ ହୋଇଗଲାଣି ଲୋକ ଗହଳିରେ ଜଣା ପଡୁନି । ଭୋକ ରେ ପେଟ ବି ଆଉଁଟି ପାଉଟି ହେଲାଣି । ଯାହାବି ହଉ କରିକି ଯିବି । ଲୋକ ମାନଙ୍କ ହାଉ ଯାଉ ରେ ଯାହା ବୁଝିଲି ଦି ଦିନ ହେଲା ଆଜ୍ଞା ଆସିନାହାନ୍ତି । ବୋଧେ ଛୁଟି ରେ ଥିଲେ । କେହି ଜଣେ ଚିଲେଇ ବାକୁ ଆରମ୍ଭ କଲେ , “ଏଠି କି ଫାର୍ଷ ଚାଲିଛି ??? ଦି ଦିନ ହେଲା ସେମିତି ଟେବୁଲ ଟା ରେ ସାର୍ ଙ୍କ ଚଷମା, ପେନ ଆଉ ଲାପଟପ ସେମିତି ଥୁଆ ହୋଇଛି ।” ଏ କଥାରୁ ଆଉ ବୁଝିବାକୁ କିଛି ବାକି ରହିଲା ନାହିଁ , ଯେ କାହିଁକି ଦି ଦିନ ହେଲା ଫେରିକି ଯାଉଛି । ଲାଇନି ରୁ ବାହାରି ଜଣେ ସରକାରୀ କର୍ମଚାରୀ ଙ୍କୁ ପଚାରିବାରୁ ମୋତେ ତାଗିତି କରି ସେ ସତ କଥାଟି କହିଦେଲେ । ସବୁ ବାବୁ ମାନେ ଏଇମିତି କରି ଥାଆନ୍ତି। ତାଙ୍କ ପିଅନ ମାନେ ଗୋଟେ ଚଷମା ବା ପେନ ବା ବ୍ୟାଗ ଟେ ଥୋଇ ଦେଇ ବାବୁ ଏଇ ପାଖରେ ଅଛନ୍ତି କହି ଭକୁଆ ବନୋଉ ଥାଆନ୍ତି …. ।

ଆମ ସରକାରୀ ବାବୁ ମାନେ ଏଇପରି । ହେଲେ ସମସ୍ତେ ସମାନ ନୁହନ୍ତି। କିଛି ଷ୍ଟାଫ କାମ ମନୋବୃତ୍ତି ନେଇ କାମ କରି ଥାଆନ୍ତି ।ଆଉ କିଛି ଦରମା ଟିକକୁ ଚାହିଁ ରହିଥାନ୍ତି । ଏହା କେବଳ ସରକାରୀ ସ୍ତର ରେ ନୁହେଁ । କେତେକ ବେସରକାରୀ ସ୍ତରରେ ବି ହୋଇ ଥାଏ । ଯଦ୍ୱାରା ସାଧାରଣ ଜନତା ଅସୁବିଧାରେ ପଡ଼ିଥାନ୍ତି । ତେଣୁ ବିନମ୍ର ଅନୁରୋଧ ଆମେ ଯେଉଁ ସ୍ତର ରେ ଥାଉଁ ନା କାହିଁକି ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବା ନିହାତି ଜରୁରୀ । କାରଣ ସମସ୍ତଙ୍କ ପାଇଁ ସମୟ ମୂଲ୍ୟବାନ । ପୁଣି କିଏ କେତେ ଦୂରରୁ ଆସିଥାଏ କାମ ଟିକକ କରିବାକୁ । ଯଦି ଏତିକି ମାତ୍ର ସହଯୋଗ ର ହାତ ବଢ଼େଇବା, ତେବେ ଆମ ଦେଶ ଏକ ମହାନ ଦେଶ ରେ ପରିଣତ ହୋଇପାରିବ ।


ସା/ପୋ-ଲୋଧାଚୁଆ ଜିଲ୍ଲା-ନୟାଗଡ

ମନ୍ତବ୍ୟ ରଖନ୍ତୁ: