top of page

Find On Web

107 results found for ""

  • ମାଁ ମାଣିକେଶ୍ୱରୀ

    ଅଧିଶ୍ୱରୀ ଅଟୁ ତୁହି କଳାହାଣ୍ତି ତୋ ନାମେ ଉଡଇ ନେତ, ଆଦିଶକ୍ତି କାତ୍ଯାୟନୀ ଭଇରବୀ ନାମେ ପୁରପଲ୍ଲୀ ଖ୍ୟାତ ॥ ତୋଗୁଣ ଗାରିମା ସଙ୍ଗେ ତୋ ମହିମା ଚଉଦିଗେ ତୋର ଆଖି, ଦୁଃଖି, ରଙ୍କୀଙ୍କର ଅଟୁ ସହୋଦର ତୁ ଅଟୁ ଧବଳମୁଖି ॥ ତୁହି ମାହେଶ୍ୱରୀ ତୁହି ଲଙ୍କେଶ୍ୱରୀ ତୁହି ମହିଷାମର୍ଦ୍ଧିନୀ, ତୁହି ଶାକମ୍ବରୀ ତୁହି ଖମ୍ବେଶ୍ୱରୀ ତୁହି ଦୁଃଖ ନିବାରିଣୀ ॥ ତୁ ବିନ୍ଧ୍ୟବାସିନୀ ମନ୍ଦାର ମାଳିନୀ କେତେକେତେ ତୋର ରୂପ, ତୁହି ଠାବଦାତ୍ରୀ ତୁହି ରକ୍ଷାକର୍ତ୍ତ୍ରୀ ଅସମ୍ଭାଳ ତୋର କୋପ ॥ ହୁଳ ହୁଳି ନାଦ ଭେରୀ ତୁରୀ ବାଦ ରାଜରାସ୍ତେ କରୁ ନୃତ୍ୟ, ତୁହି କ୍ଷମାମୟୀ ତୁହି ରକ୍ଷାମୟୀ ଥରହର ସବୁ ଦୈତ୍ୟ ॥ ଆର୍ତ୍ତତ୍ରାଣ ଖୁର୍ଡିଆ ବଙ୍କିଆ, ବୀ.ମା.ପୁର, ସୋନପୁର

  • ଭାବୁଛ ନିଜକୁ ହିରୋ

    ନିଜର ବେଶ ଭୂଷା ଦେଖେଇ ଭାବୁଛ ନିଜକୁ ହିରୋ କିନ୍ତୁ ତୁମ ଭିତରେ ଦେଖିଲେ ଅଟ ତୁମେ ଜିରୋ । ଏକ ଝିଅକୁ ପଟେଇ ଗର୍ବିତ ରୋମିଓ ସାଜିଛ ନିଜ କୁ ନିଜେ କେତେ ଯେ ଗର୍ବିତ କରୁଅଛ । ପ୍ରେମ ଅଟଇ ନୁହେଁ ଜନ୍ମ ଜନ୍ମ ଜନ୍ମାନ୍ତର ପ୍ରେମିକା ବି ଦିନେ କହିବ ମୁ କିଏ ତୁମର । କେତେ ଠକିବ ଦୁଃଖରେ ଅଛି ଜଞ୍ଜାଳରେ ଅଛି କିନ୍ତୁ ପାଗଳ ପ୍ରେମିକ ତା ପାଇଁ କେତେ ଝୁରୁଛି । ଜାଣିନାହିଁ ତା ମନ ଭିତର ଭିତିରିଆ ପ୍ରକୃତି ଜାଣିଲେ ରହିପାରିବୁନି ପିଟିହେବୁ ନିଜ ଛାତି । ଦିନେ ଲାଗୁଥିଲା ତା କଥା ସବୁ ମହୁ ମିଠା କିନ୍ତୁ ଆଜି ବନେଇ ଦେଇଛି ଗୋଟେ ଚୋଠା । ସଞ୍ଜୟ ନାଏକ ରଏନଗୁଡା, କୋକସରା, କଳାହାଣ୍ଡି ମୋ-୮୨୬୦୪୩୮୨୭୩

  • ଖୋଜୁଛି ଅଠି ପହର

    ନାଁ ଅଟେ ଆପଣାର ନାଁ ଅଛି ଅଧିକାର, ନାଁ ଦେଇଛି ସିନ୍ଦୁର ନାଁ ଦିଶୁଛି ସୁନ୍ଦର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ଦେଲି ଉପହାର ନାଁ କଲି ଉପକାର, ନାଁ ଅଛି ଧନ ମୋର ନାଁ ଅଛି ମହଲ ମୋର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ହେବୁ ରାଣୀ ମୋର ନାଁ ହେବି ରାଜା ତୋର, ନାଁ ମୁହିଁ ସଂପର୍କର ନାଁ ମୁହିଁ ସୁଗୁଣର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ସାଥି ଜୀବନର ନାଁ ସାଥି ମରଣର, ନାଁ ସାଥି ବନ୍ଧୁତାର ନାଁ ସାଥି ବନ୍ଧନର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ସଂଧ୍ୟା ସପନର ନାଁ ରବି ସକାଳର, ନାଁ ରଙ୍ଗ ପୀରତିର ନାଁ ଫଗୁ ବସନ୍ତର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ତଥାପି ମନ ମୋର ଖୋଜୁଛି ଅଠି ପହର ॥ ଆର୍ତ୍ତତ୍ରାଣ ଖୁର୍ଡିଆ ବଙ୍କିଆ, ବୀ.ମା.ପୁର, ସୋନପୁର

  • ଭାସିଯା ଆମ କାଗଜ ଡ଼ଙ୍ଗା

    ଆକାଶରୁ ଝର ଝର ବହୁଛି ବରଷା ଧାର ଗାଆଁ ବଡ଼ଦାଣ୍ଡ ଆମ ଦିଶୁଛି କେଡେ ସୁନ୍ଦର । ବାସୁଛି ଧୂଳି ଚନ୍ଦନ ବହୁଛି ଥଣ୍ଡା ପବନ ମେଘୁଆ ପାଗଟି ଦେଖି ଖୁସି ହୋଇଯାଏ ମନ । ଲାଗୁଛି ଟିକେ ଶୀତୁଆ ମନ ହୁଏ ଅମାନିଆ ଭିଜିବାକୁ ପୁଣି ଥରେ ବରଷାରେ ହୋଇ ଠିଆ । ଟୁପୁରୁ ଟାପୁରୁ ମେଘ ଲାଗୁଅଛି ଅତି ବାଗ ତା' ସଙ୍ଗେ ଗରମ ମୁଡ଼ି ଏଇତ ଅଭୁଲା ପାଗ । ଶୀତଳ ପବନ ବାଜି ତନୁ ମନ ଯାଏ ଭିଜି ଅନେକ ଦିନ ଯେ ବିତି ଆସିଛି ଏ ଦିନ ଆଜି । ଆସିଛି ବରଷା ରାଣୀ ଆ ମୋର ସୁନା ଭଉଣୀ କାଗଜରେ କରି ଡ଼ଙ୍ଗା ଭସେଇବା ଦୁହେଁ ପୁଣି । କରିବିନି ମୁହିଁ କଳି ସେନେହକୁ ଦେବି ବୋଳି ଚାଲିଆ ପାଖକୁ ମୋର ନକରି ଅଝଟ ଅଳି । ଖବର କାଗଜ ଚିରି ଡ଼ଙ୍ଗା ଦେବି କେତେ କରି ଖେଳିବୁ ସରାଗେ ତୁହି ନିଜ ହାତରେ ତୋ ଧରି । ଭାଇ ଓ ଭଉଣୀ ମିଶି ନାଆ ଭସେଇଲୁ ହସି ଆମ ଦାଣ୍ଡ ପିଣ୍ଡାପରେ ପାଖାପାଖି ହୋଇ ବସି । ଭାସିଯାରେ ଡ଼ଙ୍ଗା ତୁହି ପାଣି ଯିବ ଯେଣେ ବହି କାହାକୁ ନଦେବୁ ଧରା କେଉଁଠି ନଯିବୁ ରହି । ଅମରନାଥ ବାରିକ୍ କୟାଁ, ମଙ୍ଗଳପୁର, ଯାଜପୁର ଦୂରଭାଷ - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

  • ଓଡ଼ିଆ ବୋହୁ

    ଗେଲବସରର ଦିନ ସରିଗଲା କନ୍ୟାରୁ ହୋଇଲି ବଧୂ ପରକୁ ଆପଣା ସ୍ନେହେ ପ୍ରେମେ କଲି ବରଷିଲା ଖାଲି ମଧୁ । ପ୍ରଭାତୁ ଉଠିଣ ଗୋମୟ ସିଞ୍ଚିଲି ଦୁଆର ଅଗଣା ସାରା, ମୁଖ ପ୍ରକ୍ଷାଳନ ଗୃହ ପରିଷ୍କାର ଆସିବା ଆଗରୁ ଖରା । ଶୌଚାଦି କରମ ନିତ୍ୟ ପୂଜା ପାଠ ସାରି ମୁଁ ଯତନ ଭରେ ଶାଶୁ ଓ ଶ୍ଵଶୁର ପିତା ମାତା ମୋର ଆଶୀର୍ବାଦ ଭିକ୍ଷା କରେ । ଧୀରେ ଧୀରେ ଯାଏ ରୋଷେଇ ଘରକୁ ରାନ୍ଧଣାରେ ଦିଏ ମନ ଜଳପାନ ଆଉ ମଧ୍ୟାହ୍ନ ଭୋଜନ କରେ ସର୍ବ ଆୟୋଜନ । ଏହି ନିତ୍ୟ କର୍ମ ସବୁ ଦିନ ଥାଏ ତା'ପରେ ଅନେକ ଅଛି ବ୍ରତ ଉପବାସ ପିଠା ପଣା ଭୋଗ ସବୁ କରେ କିଛି କିଛି । ପରିବାରଟିକୁ ସ୍ୱର୍ଗ କରିବାକୁ ସବୁ ଦୁଃଖ ସହି ଯାଏ କଟୁ କଥା କହି କାହାରି ମନରେ ଅଶାନ୍ତି କେବେ ନ ଦିଏ । ରୋଗରେ ପଡିଲେ ମୋ ଘରେ କେହିବି ରଖିଥାଏ ମୁଁ ନଜର ସେବା ଶୁଶ୍ରୁଷାରେ ଉଣା କରେ ନାହିଁ ଥାଏ ପଛେ ଉଜାଗର । ତଥାପି ଏତିକି ଯାହା ମୁଁ କରିଛି କହିଦେଲି କହୁ କହୁ ପସନ୍ଦ ଆସିଲେ କହିଦେବ ଥରେ ମୁଁ ଓଡ଼ିଆ ଘରର ବୋହୁ ମୁଁ ଓଡ଼ିଆ ଘରର ବୋହୁ । ଅଞ୍ଜନା ନନ୍ଦ କେନ୍ଦୁଝର, ଓଡିଶା

  • ସେ ଜାଳିବ ଆମେ ଜଳିବା

    ଆଜି ଜଙ୍ଗଲ ଜଳୁଛି ଦୁନିଆ ଦେଖୁଛି ଚକିତ ଆମେରିକାବାସୀ । ବେଳୁ ସାବଧାନ ନ ହୋଇପାରିଲେ ଜଳିବ ଆମରି ଛାତି ।। ଜଳି ଜଳି ବନ ବାରତା ଦେଉଛି ଅତିଷ୍ଠ ମଣିଷ ଗୁଣେ । ପଲିଥିନ ମୋହ ନ ଛାଡି ପାରିଲେ ଜଳିବା ଆସନ୍ତା ଦିନେ ।। ଦାଣ୍ଡ ବାରି ପକ୍କା ସିମେଣ୍ଟ ଶିଳା ରାସ୍ତା ସହାୟ ହେବେନି କେହି । ଗଛ କାଟିଅଛେ ପଡିଆ କରିଛେ ଜାଳିବ ସେପରି ସେଇ ।। ପାଦପ ଲଗାଅ ଯତନଟି ନିଅ ଲାଗିଥିବା ଜଙ୍ଗଲର । ଉପଯୁକ୍ତ ଯଜ୍ଞ ବିଶ୍ଵପାଇଁ ହେବ ପାଇବା ପ୍ରକୃତ ବର ।। ସମୁଦ୍ର ଜଗିବ ମାଟି ପାଣି ଥିବ ଜୀବ ଜଗତର ପାଇଁ । ଦେବତାଙ୍କ ସମ ସାନ୍ନିଧ୍ୟ ପାଇବା ଜୀବ ଥିବ ଯେତେଯାଇଁ ।। ଅଶାନ୍ତ ପୃଥିବୀ ଅଶାନ୍ତ ପ୍ରକୃତି ଅଶାନ୍ତି ମଣିଷ ଜାତି । ଜାଳି ପୋଡି ଦେବ ଭସାଇ ଚାଲିବ ଆସୁଛି ଏବେ ସମାପ୍ତି ।। ରଞ୍ଜନ କୁମାର ବ୍ରହ୍ମା ଚିକିଟୀ ଗଡ଼, ଗଞ୍ଜାମ ଦୂରଭାଷ - ୮୨୪୯୪୮୬୪୫୫

  • ବିଶ୍ଵ ବନ୍ଦିତା

    ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ମରତ ଭୁବନେ ଆଜି, ମାଆ ସରସ୍ଵତୀ କରିଛନ୍ତି ବିଜେ ବିଦ୍ୟା ଅଧିଷ୍ଠାତ୍ରୀ ସାଜି । ଶ୍ଵେତାମ୍ବରୀ ବୀଣା ବାଦିନୀ, ଆରୁଢ଼ା ହଂସ ପୃଷ୍ଠେ ସୁଶୋଭିତା, କମନୀୟ ରୂପ କାନ୍ତି ପଦ୍ମେସ୍ଥିତା ହସ୍ତେ ପୁସ୍ତକ ରଞ୍ଜିତା । ବକ୍ଷ ସ୍ଥଳେ ମୋତି ଝଲସାଏ ଜ୍ୟୋତି ବିଦ୍ୟା, ବୁଦ୍ଧିପ୍ରଦାୟିନୀ, ତବ ଦିବ୍ୟ ଜ୍ଞାନ ଲଭିଲେ, ହୋଇବେ ମହା ମୁର୍ଖ ମହା ଜ୍ଞାନୀ । ଘେନ ମୋ ପ୍ରଣତି ସାରଦା, ବରଦା ଭକ୍ତି ପ୍ରିୟା ମହାଶ୍ୱେତା, ସ୍ଥାବର, ଜଙ୍ଗମ, କୀଟ, ପ୍ରାଣୀ ନିତ୍ୟ ବିଶ୍ଵ ଭୁବନ ବନ୍ଦିତା । ମୀନାକ୍ଷି ପାଢ଼ୀ ଚିକିଟୀ ପେଣ୍ଠ, ଗଞ୍ଜାମ ଦୂରଭାଷ - ୯୭୭୬୫୪୫୦୦୧

  • ଆମେ ଠିକ୍ ତ ?

    ପାଶ୍ଚାତ୍ୟ ସଭ୍ୟତା ଅନ୍ଧାନୁକରଣେ ହେଉଅଛୁ ଦିଗଭ୍ରାନ୍ତ ଭ୍ରଷ୍ଟାଚାର ତଥା ବ୍ୟଭିଚାରେ ରହି ମନ ହୋଇଥାଏ ଶ୍ରାନ୍ତ । ନୀତି ବିହୀନତା ଅର୍ଥ ଲୋଲୁପତା କରିଛି ଆମକୁ ଗ୍ରାସ ଶୈଶବ ଯୌବନ ଦିଶାହୀନ ହୋଇ ହରାଉଛି ଶୁଭ୍ର ବାସ । ଆଧ୍ୟାତ୍ମିକ ଶିକ୍ଷା ବହୁ ଦୂରେ ରହି ହେଉଅଛି ଛଟପଟ ଶତ ଚେଷ୍ଟାକରି ଆମରି ସହିତ ହୋଇପାରୁନାହିଁ ଭେଟ । ସଦାଚାର ଭାଵ ପ୍ରୀତିର ବିଭବ ନହୁଏ ବୀଜ ବପନ ସତ୍ୟ ଓ ଅହିଂସା ବ୍ରାହ୍ମଚର୍ଯ୍ୟ ମାର୍ଗ ହେଉଛି ସାତ ସପନ । ମନୁଷ୍ୟ ଜୀବନ ବାସ୍ତବ ଲକ୍ଷ୍ୟରେ ନହୁଏ ମନୋନିବେଶ ଶୁଣିବାକୁ କ୍ଷଣେ ଅପ୍ରସ୍ତୁତ ସିଏ ଅକୃତ୍ରିମ ଉପଦେଶ । ଶାଶ୍ୱତ ସୁଖର ସନ୍ଧାନ ନିମନ୍ତେ ଯାଇ ସାଧନା ପଥରେ ଜୀବନରେ ଯୋଗ ଧର୍ମ ଆଚରିଲେ ଶୁଦ୍ଧତା ଆସେ ଚିତ୍ତରେ । ସଂସ୍କାର ସଂସ୍କୃତି ଆମ ପରମ୍ପରା ଅଟେ ସବୁଠୁ ମହାନ ଆମେ ଠିକ୍ ବୋଲି କହିବା କାହାକୁ ଦୂରେଇ ତା'ଠାରୁ ପୁଣ । କାହା ପ୍ରତି କ୍ରୋଧ ନିନ୍ଦା ପରଶିଲେ ନହୁଏ ଶୂନ୍ୟ ପୂରଣ ଭକ୍ତି ଓ ଜ୍ଞାନର ପରମ ବଇରି ଅଟେ କ୍ରୁର ହିଂସାପଣ । ଆଚାର ଅଟଇ ଶ୍ରେଷ୍ଠ ଉପଦେଶ ସତ୍ୟର ପରିଚାୟକ ସମୃଦ୍ଧିର ମୂଳ ମଙ୍ଗଳ ଦାୟକ ଶକ୍ତି ମୁକ୍ତି ପ୍ରଦାୟକ । ଅନିନ୍ଦିତ କର୍ମ କରିଣ ସରସେ ବହି କ୍ଷମାଶୀଳ ଗୁଣ ଉଚ୍ଚ ଆଦର୍ଶରେ ଆଗକୁ ବଢିଲେ ହେବ ନିଜ ମୂଲ୍ୟାୟନ । ଅନୁପମା ବିଶ୍ଵାଳ ସମ୍ବଲପୁର, ଓଡିଶା ଦୂରଭାଷ - ୭୯୭୮୫୬୮୩୨୨

  • ମୁଁ ଯେ ଚାହିଁଅଛି ଚଉବାହାକୁ

    ମୁଁ ଯେ ଚାହିଁଅଛି ଚଉବାହାକୁ ସେ ତ ଚଳାଏ ମୋ ଟିକି ନାଆକୁ ହୃଦେ ଧ୍ୟାୟୀ ପଦପଙ୍କଜକୁ ତା'ର ପାରି ହେବି ଭବ ସିନ୍ଧୁକୁ ॥୦॥ ହାତ ନାହିଁ ସିନା ଆହୁଲା ଚାଳୁଛି ପାଦ ନାହିଁ ସାରା ବ୍ରହ୍ମାଣ୍ଡ ବୁଲୁଛି ଯାହା ଦେଖେ ସବୁ ଅଟେ ତା'ର ଦାନ ଆନନ୍ଦେ ଭରଇ ମନକୁ ପାରି ହେବି ଭବ ସିନ୍ଧୁକୁ ॥୧॥ ଚକାଆଖି ଦୁଇ ନପଡ଼େ ପଲକ ଟାଣୁଥାଏ ପାଶେ ନୁହଇ ଚୁମ୍ବକ ରତ୍ନ ସିଂହାସନେ ଦେଖାଏ ଝଲକ ଭାବ ଯୋଡ଼ିଦେବି ଚକାବଇଠିରେ ପାରି ହେବି ଭବ ସିନ୍ଧୁକୁ ॥୨॥ ଏ ଦେହଟି ମୋର ନଉକା ତାହାର ନାବିକ ହୋଇ ସେ ନେଉ ଯେଉଁ କୂଳ ସେଇଟି ମୋହର ବୈକୁଣ୍ଠ ଭୁବନ ତେଜିବି କି ଅହମିକାକୁ ପାରି ହେବି ଭବ ସିନ୍ଧୁକୁ ॥୩॥ ରଙ୍ଗନାଥ ରଥ ବରଗଡ ବ୍ରିଟ କଲୋନୀ, ବୁବନେଶ୍ଵର ଦୂରଭାଷ - ୯୮୬୧୦୩୧୨୨୭

  • ଅନନ୍ୟ ଚିଲିକା

    ତୁ ଏକ ସୁଦୃଶ୍ୟ ସ୍ମାରକୀ ଚିଲିକା ମହନୀୟ ଅବଦାନ ଅନବଦ୍ୟ ସୃଷ୍ଟି ସୃଜିଛି ବିଧାତା ଦୃଶ୍ୟ ରମ୍ୟ ମନୋରମ ।। ବ୍ୟାପକ ତୋହର ସ୍ମୃତି ପରିଚୟ ଉତ୍କଳର ନୌବାଣିଜ୍ୟ ଉତ୍କଳ କମଳା ସୁଷମା ଭୂଷଣ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ।। ବିବିଧତା ଭରା ଜୀବଜନ୍ତୁ ବୃକ୍ଷ ଲତା, ଶୈବାଳ, କବକ ଜନ୍ମସ୍ଥଳୀ, ଅନୁପମା ତୁ ଅନନ୍ୟା, କମନୀୟ ରୂପକଳ୍ପ ।। ଉର୍ମି ଅଧିରା ସେ ଉଲ୍ଲାସେ ରୂପସୀ ଚିଲିକା ମୀନ‌ ନୟନା ଉତ୍କଳର ଶିରୀ ବଖାଣେ ଚତୁରୀ ଗୌରବମୟ ଗରିମା ।। ଅତୂଳ ସୌନ୍ଦର୍ଯ୍ୟ ଅଖିଳ ଭୁବନେ ଯେତେ ଦେଖୁଥିଲେ ତୋତେ ତେତେ ତୁ ସୁନ୍ଦର ଦେଖାଯାଉ ଥାଉ ଅପରୂପ ଚାରୁ ଚିତ୍ରେ ।। ପ୍ରକୃତ ବିଶ୍ଵେ କି ଏ ଛବି ସମ୍ଭବ କବି ନପାରନ୍ତି ଭାବି ମରାଳ-ମାଳିନୀ-ନୀଳାମ୍ବୁ-ଚିଲିକା ଦେଖି ତୋ'ର ସୌମ୍ୟ ଛବି ।। ଛବିଳ ଉତ୍କଳ ବିପୁଳ ଶୋଭାର ପାରିଜାତ ପୁଷ୍ପହାର ତନ୍ମଧ୍ୟେ ରୂପସୀ ଚିଲିକା ସୁନ୍ଦରୀ ଶୋଭା ପଦକ ପ୍ରକାର ।। ବିଶ୍ଵ ପର୍ଯ୍ୟଟନ ମଙ୍ଗଳାଯୋଡି ତୋ କୂଳେ ହୋଇ ଅବସ୍ଥିତ ପକ୍ଷୀଙ୍କ ଭୂସ୍ଵର୍ଗ ଭାବେ ଏ ଭୂତଳେ ହୋଇଅଛି ପରିଚିତ ।‌। କୂଳେ କଳରବେ ବିହଙ୍ଗ ସକଳେ ସାରସ ଦମ୍ପତି ମିଳି ଖେଳ‌ କଉତୁକ ଅନବଦ୍ୟ ରୂପ ପ୍ରତିଛବି ଉଠେ ଝଳି ।। ମରାଳ ମାଳିକା ନୀଳ ନଭ ରୂପା ତୁ କୋଟି ବିଶ୍ଵର ରାଣୀ କବି କଲମରେ ସୀମିତ ନୁହଇଁ ବିଷ୍ଣୁ ପ୍ରୀୟା ସୀମନ୍ତିନୀ ।। କୁମୁଦ ବାନ୍ଧବ ଜ୍ୟୋସ୍ନା ରସାପ୍ଲୁତେ କୁମୁଦିନୀ ହସ ଦୃଶ୍ୟ ପରିବ୍ରାଜକର ନବ ଅନୁଭବ ହୃଦୟେ ହୁଏ ପ୍ରକାଶ ।। ଅନେକ ରହସ୍ୟ ଗନ୍ତାଘର ତୁ'ତ ଇତିହାସ ମୂକସାକ୍ଷୀ ଚିଲିକା ରାଣୀଲୋ କାଙ୍କଣ ଶିଖରୀ ମହାର୍ଘ ତୋ କୋଟିନିଧି ।। କରିଛନ୍ତି ଲୀଳା ସ୍ଵଂୟ ଜଗନ୍ନାଥ ତୋ କୂଳେ ତୋହର ଜଳେ ବିଧର୍ମୀ ସଂଘାତେ ଅସହ୍ୟ ବିକଳେ ଶରଣ ଗଲେ ତୋ'କୋଳେ ।। ସ୍ଵଂୟ ଭଗବାନ ଶରଣ ଦାତ୍ରୀ ତୁ ମହିୟଷୀ ମାନଚିତ୍ର ଉତ୍କଳର ଭାଗ୍ୟ ଭାତହାଣ୍ଡି ବୋଲି ସର୍ବତ୍ର ତୋ'ନାମ ଖ୍ୟାତ ।। କାଳିଜାଈ ପରବତ ତୋ ଇଲାକା ଦେବୀ ଉପାସନା ପାଇଁ ଅଦ୍ଭୂତ ଐସ୍ଵର୍ଯ୍ୟ ଅକୁଣ୍ଠ ଆଶୀଷ ବିତରଇ ମହାମୟୀ ।। ସୂର୍ଯ୍ୟୋଦୟ ସୂର୍ଯ୍ୟ ଅସ୍ତକାଳୀନ ସେ ପ୍ରବାଳ ବରଣ ନୀର ସବୁଜ ବନାନୀ ପାହାଡ ଶୋଭିତ ଚିତ୍ରେ ନାହିଁ ପଟାନ୍ତର ।। ତୋ କୂଳରେ କାଞ୍ଚି ଅଭିଯାନ କଥା ମାଣିକ ପାଟଣା ଦହି କିମ୍ବଦନ୍ତୀ ନୁହେଁ ଏବେବି ବିଦିତ ବର୍ଣ୍ଣନା କରି ନୁହଇ ।। ତୋ କୂଳରେ ଦୟା ନଦୀର ପଠାରେ କଳିଙ୍ଗ ଯୁଦ୍ଧେ ଅଶୋକ ଧର୍ମାଶୋକ ନାମେ ପରିଚିତ ହେଲେ ଧଉଳି ତା'ର ସ୍ମାରକ ।। ପାଇକ କୁଳର ନିଗମ ଅଭେଦ୍ୟ ରଙ୍ଗଶାଳା ତୁ ଉନ୍ମନା ଗୌରବ ଶାଣିତ କରବାଳ ଶବ୍ଦେ ଅରାତି ହୋଇଛି ବଣା ।। ସହସ୍ର ତରଙ୍ଗେ ସହସ୍ର ନଉକା ଅଝାଲ ଉଢାଇ ଯେବେ ଗତିକରୁଥାଏ ଅଦୂରୁ ଦେଖିଲେ ଶୋଭାରେ ଅନ୍ତର ଦ୍ରବେ ।। ଖେଳେ ଶିଶୁମାର ସାଙ୍କୁଚ ମଗର ସହସ୍ର ଜଳଜ ଜୀବ ଧରି ରଖିଅଛୁ ଗରଭେ ଚିଲିକା ଅସମ୍ଭବେ ତୁ ସମ୍ଭବ ।। ତୋ'ଜଳେ ତୋ'କୂଳେ ପାହାଡ ପର୍ବତ ପୁର ପଲ୍ଲୀ କି ସହର ବନାନୀ ଆବର ନଦ, ନଦୀ, ଝର କିମ୍ବଦନ୍ତୀ ଗନ୍ତାଘର ।। ପାରିକୁଦ ଆଉ ମାଲୁଦ ଦ୍ଵୀପ ସେ ଚିଲିକା ମଝିରେ ଯାଇ ବସତି ବାନ୍ଧିଣ ରହିଛନ୍ତି ଜନେ ତୋ ପ୍ରେମରେ ମୁଗ୍ଧ ହୋଇ ।। ବିଶ୍ଵ ମାନଚିତ୍ରେ ସ୍ଵତନ୍ତ୍ର ତୋ'ଚିତ୍ର ଆକର୍ଷିତ କରିଥାଏ ଶୌର୍ଯ୍ୟ, ବୀର୍ଯ୍ୟ, ଚାରୁଚିତ୍ର ଏକତ୍ରିତ ହୋଇ ଯାହା ଶୋଭାପାଏ ।। ସାଗର ଭଗିନୀ ଗୋ ଚିଲିକାରାଣୀ ଉତ୍କଳ ଭୂଖଣ୍ଡ ଦେବୀ ଭୂବନ ବନ୍ଦିନୀ ବିଶ୍ଵ ବିନୋଦିନୀ ଅବର୍ଣ୍ଣନ ତୋର ଛବି ।। ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ - ୮୨୪୯୨୩୪୧୪୩

  • ଜୀବନ୍ତ ଦେବତା

    ଯିଏ ଦାନ କରେ ସେ ଦାତା । ଯିଏ ଦାତା ସେ ଦେବତା । ଜୀବଜନ୍ତୁ ଯାହାଠାରୁ ସର୍ବାଧିକ ଦାନ ଗ୍ରହଣ କରନ୍ତି ସେ ମାଟି ପାଣି ଓ ଉଦ୍ଭିଦ । ଚଳ ଜଗତ ଓ ଅଚଳ ଜଗତ ପରସ୍ପର ପରିପୂରକ । ଅଚଳ ଜଗତ କହିଲେ ଆମେ ବୃକ୍ଷଲତାକୁ ବୁଝିବା । ବୃକ୍ଷଲତା ବିନା ପ୍ରାଣୀ ବଞ୍ଚିବା ଅସମ୍ଭବ । ମଣିଷ ପଶୁପକ୍ଷୀଙ୍କ ଜୀବନ ଧାରଣ ପାଇଁ ଯାହା ଆବଶ୍ୟକ ସବୁକିଛି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବୃକ୍ଷଲତା ଆମକୁ ଦେଇଥାଏ । ଶ୍ୟାମଳ ସଘନ ବନଭୂମି ଶୋଭିତ ଆମ ଦେଶ ଭାରତ । ଆମ ଦେଶର ବଣଜଙ୍ଗଲରେ ଶାଳ, ଶମୀ, ପିଆଶାଳ, କୁସୁମ, ଶିଶୁ, ଆମ୍ବ, ପଣସ, ବର, ଅଶ୍ୱତ୍ଥ ଅସଂଖ୍ୟ ଲତା ଗୁଳ୍ମ ଦେଖାଯାଏ । ପୁରାଣ ଯୁଗରେ ମୁନିଋଷି ମାନେ ଆଶ୍ରମ ସ୍ଥାପନ କରି ରହୁଥିଲେ । ମଣିଷ ପ୍ରଥମେ ବଣ ଜଙ୍ଗଲରେ ରହୁଥିଲା । ବୃକ୍ଷ ତାକୁ ଖାଦ୍ୟ, ଆଶ୍ରୟ, ବସ୍ତ୍ର, ଔଷଧ ସବୁ ଯୋଗାଉଥିଲା । କ୍ରମେ ମଣିଷ ସଭ୍ୟ ହେଲା । ବିଜ୍ଞାନ ମଣିଷକୁ ଅନେକ ତଥ୍ୟ ଜଣାଇଲା । ମଣିଷ ବଣ ଜଙ୍ଗଲର ଆବଶ୍ୟକତା ଅନୁଭବ କଲା । ବୃକ୍ଷଠାରୁ ମଣିଷ କଣ କଣ ପାଏ ଆସନ୍ତୁ ଜାଣିବା । ସେବିତବ୍ୟୋ ମହାବୃକ୍ଷ ଫଳ ଛାୟା ସମନ୍ଵିତଃ ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ । ବୃକ୍ଷ କେବଳ ଫଳ ଦାନ କରେ ନାହିଁ । ଆମେ ତା'ଠାରୁ ଫଳ, ଫୁଲ, ପତ୍ର, କାଠ, ଛାୟା, ମୂର୍ତ୍ତିକା, ଜଳ, ବାୟୁ ଏବଂ ଆଶ୍ରୟ ତଥା ବିପର୍ଯ୍ୟୟରୁ ମଧ୍ୟ ରକ୍ଷା ପାଉ । ପ୍ରାଣୀମାନେ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣ କରନ୍ତି ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି । ବୃକ୍ଷ ଅଙ୍ଗାରକାମ୍ଳ ଗ୍ରହଣ କରେ ଅମ୍ଳଜାନ ଛାଡ଼ିଥାଏ । ଗୋଟିଏ ବୃହତ୍ ଗଛ ବର୍ଷକୁ ୧୦୦ କିଗ୍ରା ଅମ୍ଳଜାନ ଛାଡ଼ିଥାଏ ଓ ୨୦-୨୫ କିଗ୍ରା ଅଙ୍ଗାରକାମ୍ଳ ଶୋଷଣ କରେ । ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବାଷ୍ପର ସନ୍ତୁଳନ ରକ୍ଷା ହୁଏ । ବୃକ୍ଷ ଛାୟା ପ୍ରଦାନ କରେ, ଶୀତଳତା ଦାନ କରେ । ଫଳରେ ଉତ୍ତାପ ନିୟନ୍ତ୍ରଣରେ ରହେ । ମାଟି କ୍ଷୟ ରୋକିଥାଏ । ଯାହାଦ୍ଵାରା ମୂର୍ତ୍ତିକା ସଂରକ୍ଷଣ ହୁଏ । ପବନର ବେଗକୁ ବୃକ୍ଷ ଅଟକାଇଥାଏ । ବର୍ତ୍ତମାନ ଦେଖା ଯାଉଛି ଯେ ବଜ୍ରପାତ ରୋକିବା ପାଇଁ ତାଳଗଛ ସମର୍ଥ । ଚରକ ସଂହିତା ଅନୁସାରେ ଧରାରେ ଏପରି ବୃକ୍ଷ ନାହିଁ ଯାହାର ଔଷଧୀୟ ଗୁଣ ନାହିଁ । ନିମ, ବେଲ, ତୁଳସୀ, ପିଜୁଳି ବିଷୟରେ ସମସ୍ତେ ଜାଣନ୍ତି । ମହୁ, ଝୁଣା ମଧ୍ୟ ବୃକ୍ଷରୁ ମିଳେ । ବୃକ୍ଷ ମଣିଷ, ପଶୁପକ୍ଷୀ, କୀଟପତଙ୍ଗ ମାନଙ୍କୁ ମଧ୍ୟ ଆଶ୍ରୟ ଦିଏ । ଗ୍ରାମ ଦେବଦେବୀମାନେ ବୃକ୍ଷ ମୂଳରେ ପୂଜା ପାଆନ୍ତି । ମାଆ ତାରିଣୀ ଶାଳଗଛ ମୂଳେ ପୂଜିତା । ଭଗବାନ ବୁଦ୍ଧ ଅଶ୍ୱତ୍ଥ ବୃକ୍ଷମୂଳରେ ତପସ୍ୟା କରି ସିଦ୍ଧି ଲାଭ କଲେ ଓ ଶେଷରେ ନିର୍ବାଣ ପ୍ରାପ୍ତ ହେଲେ । ପ୍ରଭୁ ଜଗନ୍ନାଥ ଦାରୁ ଦେବତା ଅର୍ଥାତ ବୃକ୍ଷରାଜଙ୍କର ଅଂଶ ମଧ୍ୟ । ପୁରାଣ ଶାସ୍ତ୍ର ମାନଙ୍କରେ ବୃକ୍ଷଲତା ବଣଜଙ୍ଗଲକୁ ନେଇ ବିସ୍ତୃତ ବର୍ଣ୍ଣନା କରାଯାଇଛି । ସବୁଜ ବନାନୀ, କୁସୁମିତ ବନ ଉପବନ ଆମ କାବ୍ୟ କବିତାର ଆଧାର । ଅରଣ୍ୟର କାନ୍ତ କମନୀୟ ଶୋଭାଶ୍ରୀ କବି ଭାବୁକକୁ ଭାବିବାକୁ ଓ ଲେଖିବାକୁ ବାଧ୍ୟ କରେ । ଚିତ୍ରକର ମଧ୍ୟ ସୌନ୍ଦର୍ଯ୍ୟର ମନ୍ତ୍ର ଘନ ବାନରାଜିରୁ ଆହରଣ କରେ । ପ୍ରକୃତିର ଉଦାର ସୁନ୍ଦର ମଙ୍ଗଳମୟ ରୂପ ହେଉଛି ବୃକ୍ଷଲତା । ଶାସ୍ତ୍ର କହେ ବୃକ୍ଷ ନିଜର ପୁଷ୍ପରାଜି ଦ୍ଵାରା ଦେବତାଙ୍କୁ, ଫଳଦ୍ୱାରା ପିତୃ ପୁରୁଷଙ୍କୁ, ଛାୟା ଦାନ କରି ଅତିଥି ମାନଙ୍କୁ ତୃପ୍ତ କରେ । ସୁପୁତ୍ର ପିତାମାତା ମାନଙ୍କୁ ଜୀବନକାଳ ମଧ୍ୟରେ ସେବା ଯତ୍ନ ଓ ମୃତ୍ୟୁ ପରେ ପିଣ୍ଡଦାନ କଲା ପରି ବୃକ୍ଷ ପୁତ୍ର ଧର୍ମ ପାଳନ କରି ଇହ ଓ ପର କାଳରେ ସୁଖ ଶାନ୍ତି ପ୍ରଦାନ କରେ । ଜୀବନରେ ବୃକ୍ଷ ନିଜର ସର୍ବସ୍ଵ ଅନ୍ୟର ହିତ ପାଇଁ ଦାନ କରେ । ବାସ୍ତବରେ ବୃକ୍ଷଲତା ଆମ ପାଇଁ ଜୀବନ୍ତ ଦେବତା । ପରୋପକାରିତା, ସୌହାର୍ଦ୍ଦ୍ୟ ଓ ବିନମ୍ରତାର ପ୍ରତୀକ ଫଳ ଭାରରେ ବୃକ୍ଷଲତା ଆମମାନଙ୍କର ଆଦର୍ଶ ହେଉ । ଅଭୟ କୁଣ୍ଡ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆଭଙ୍ଗା, ତାଳଚେର, ଅନୁଗୋଳ ଦୂରଭାଷ - ୯୫୫୬୯୮୯୭୨୩

  • ସୁଖର ଅନୁସନ୍ଧାନରେ

    ନଟରାଜ ଓ ଅମିନେଶ ଦୁଇ ସାଙ୍ଗ । ନଟରାଜ ଆସ୍ତିକ, ଅମିନେଶ ନାସ୍ତିକ । ନଟରାଜ ବହୁ ଚେଷ୍ଟା କଲା ଅମିନେଶକୁ ଆସ୍ତିକ ହେବାକୁ । ସବୁ ବୃଥା ହେଲା । ଏମିତି ବି ଅମିନେଶ ଜଣେ ଭଲ ମଣିଷ । ନଟରାଜ ସବୁ ସମୟରେ ଈଶ୍ୱରଙ୍କ କଥା ଅମିନେଶକୁ କୁହେ । ସେ ସବୁ ଶୁଣେ କିନ୍ତୁ ନୀରବ ରୁହେ । ନଟରାଜ ଯେତେବେଳେ ଜାଣିଲା ଯେ ସେ ଯେତେଚେଷ୍ଟା କଲେ ବି ଅମିନେଶକୁ ଆସ୍ତିକ କରିପାରିବ ନାହିଁ, ସେ ଭାଙ୍ଗିପଡ଼ିଲା । ନାଟରାଜର ଅନେକ ସାଧୁସନ୍ଥଙ୍କ ସହ ଚିନ୍ହା ପରିଚୟ ଥିଲା । ଦିନେ ସେ ଅମିନେଶକୁ ସଙ୍ଗରେ ନେଇ ଜଣେ ସାଧୁଙ୍କ ନିକଟକୁ ଗଲା । ବହୁସମୟ ସାଧୁଙ୍କ ସହ କଥା ହୋଇ ଅମିନେଶ ବିଷୟରେ ସାଧୁଙ୍କୁ ସମସ୍ତ କଥା କହିଲା । ସାଧୁ ସମସ୍ତ କଥା ନଟରାଜ ଠାରୁ ଶୁଣିଲାପରେ ଅମିନେଶକୁ ବହୁ ସମୟ ଚାହିଁ ନୀରବ ରହିଲେ । କିଛିସମୟପରେ ନାଟରାଜକୁ କହିଲେ, ମୁଁ ତୁମ ସାଙ୍ଗଙ୍କୁ ଆସ୍ତିକ ହେବା ପାଇଁ ଚେଷ୍ଟା କରିବି । ଅମିନେଶକୁ ନମସ୍କାର କରି, ନାଟରାଜକୁ କହିଲେ ଆଉ କେବେ ସାଙ୍ଗଙ୍କୁ ଆଣି ଆସ । ସାଧୁଙ୍କର ଅମିନେଶକୁ ନମସ୍କାର କରିବା ଦେଖି ନଟରାଜ ଯେତିକି ଆଶ୍ଚର୍ଯ୍ୟ ହେଲା ତା'ଠାରୁ ଅଧିକ ଆଶ୍ଚର୍ଯ୍ୟ ହେଲା ଅନିମେଷ । ଦିନେ ଅମିନେଶ ଗାଁ ଛାଡି କୁଆଡେ ଚାଲିଗଲା । ତା ଘରଲୋକ ବନ୍ଧୁବାନ୍ଧବ ଅନେକ ଖୋଜିଲେ କିଛି ଲାଭ ହେଲାନାହିଁ । ନଟରାଜ ସବୁଠାରୁ ଅଧିକ ଖୋଜିଲା । ଅନେକ ବର୍ଷ ବି ଖୋଜିଲା ଅନିମେଷକୁ ପାଇଲା ନାହିଁ । ଏଇ ଭିତରେ କିଛି ବର୍ଷ ବିତିଯାଇଛି । ଧୀରେ ଧୀରେ ସମସ୍ତେ ଅନିମେଷକୁ ଭୁଲିଗଲେ କେବଳ ନାଟରାଜକୁ ଛାଡି । ଏମିତି ବି ଦିନ ଆସିଲା ନଟରାଜ ବି ଅନିମେଷକୁ ଭୁଲିଗଲା । ଦିନେ ପାଖ ଗାଁ କୁ ନଟରାଜ ଯାଇଥିଲା ତା ବ୍ୟବସାୟୀ ବନ୍ଧୁ ବିନୋଦ ସହ କିଛି କଥା ହେବାପାଇଁ । ଫେରିଲା ବାଟରେ ଅଚାନକ ବର୍ଷା ପବନ ମାଡି ଆସିଲା । ମୁଣ୍ଡ ଗୁଞ୍ଜିବା ପାଇଁ କିଛି ଜାଗା ନପାଇ ବହୁଦୂରରେ ଦେଖିଲା ଗୋଟେ ଚାଳଘର । ଶୀଘ୍ର ସେଠାରେ ପହଞ୍ଚି ଦୁଆର ଖଟ ଖଟ କରିଲା । ସାଧୁ ଜଣେ କବାଟ ଖୋଲି ଭିତରକୁ ଡାକିଲେ । ବର୍ଷା ପବନରେ ଚାରିଆଡ ଅନ୍ଧାର ଘୋଟି ଆସିଲାଣି । ସାଧୁ ପ୍ରଦୀପଟେ ଲଗାଇ ଆଣିଲେ । ଦୀପ ଆଲୁଅରେ ସାଧୁଙ୍କୁ ଦେଖି ତା ମନରେ ସନ୍ଦେହ ଆସିଲା । ସେ ସାଧୁଙ୍କୁ ପଚାରିଦେଲେ ଆପଣ ଅନିମେଷ...। ସାଧୁ କଣ୍ଠ ସ୍ୱରରୁ ଜାଣି କହିପକାଇଲେ ଆପଣ ନଟରାଜ... ହଁ ହଁ ମୁଁ ନଟରାଜ ତୁମେ ଅନିମେଷ ତ ! ଆଖିରୁ ଲୁହଧାର ବୋହିଗଲା ନାଟରାଜର । ପଚାରିଲେ ଅନିମେଷ ତୁ ଏତେଦିନ କୁଆଡେ ଚାଲିଗଲୁ ? ତୋ ଘର ଲୋକ ମୁଁ କେତେ ଖୋଜିଲୁ, ଅନେକ ବର୍ଷ ମୁଁ ତୋତେ ଖୋଜିଲି ନିରାଶ ହୋଇ ରହିଲି । ତୁ କହ ତୁ କୁଆଡେ ଚାଇଥିଲୁ, ଆଉ ଏଠି ଆସି କିପରି ରହିଲୁ ? ନଟରାଜ ତୋର ମନେ ଅଛି ଆମେ ଜଣେ ସାଧୁ ମହାରାଜଙ୍କ ପାଖକୁ ଯାଇଥିଲେ । ହଁ ହଁ ମୋର ମନେ ଅଛି ମୁଁ ପରା ତୋତେ ସଙ୍ଗରେ ନେଇ ଯାଇଥିଲି । ଆଉ ତୋର ମନେ ଅଛି ସେ ସାଧୁ ମହାରାଜ ମୋତେ ନମସ୍କାର କରିଥିଲେ । ହଁ ହଁ ମୋର ସବୁ ମନେଅଛି । ହେଲେ ତୁ କୁଆଡେ ଚାଲିଗଲୁ ? ଅନିମେଷ କହିଲା ସାଧୁ ମହାରାଜଙ୍କ ନମସ୍କାର ମୋତେ ଗାଁ ଛାଡି ହିମାଳୟ ନେଇଗଲା । ତା'ପରେ ସେଠାରେ ଅନେକ ଦିନ ସାଧୂସନ୍ଥଙ୍କ ଗହଣରେ ରହିଲା ପରେ ଜୀବନକୁ କିଛି ମାତ୍ରାରେ ବୁଝିପାରିଲି । ତା'ପରେ ମୁଁ ଏଠାକୁ ଆସି ଆଶ୍ରମ କରି ରହୁଛି । ଆଜି ମୁଁ ଯାହା ହୋଇଛି କେବଳ ତୋ ପାଇଁ । ମୁଁ ତୋ ନିକଟରେ ଋଣୀ । ନଟରାଜ କହିଲା ତୁ ଗାଁ କୁ ଫେରିଚାଲ । ତୋ ଘରେ ସମସ୍ତେ ଦୁଃଖରେ ଅଛନ୍ତି । ତୁ ଏଇ ବଣ ଜଙ୍ଗଲ ଘେରା ନିର୍ଜନ ଜାଗାରେ ରହି କଣ ସୁଖ ପାଇବୁ ? ଅନିମେଷ ହସିଦେଇ କହିଲା ସୁଖର ପରିଭାଷା କୌଣସି ସ୍ଥାନ କାଳ ପାତ୍ର ଉପରେ ନିର୍ଭର କରେନା । ତାହା ବ୍ୟକ୍ତି ଚେତନାରେ ସୃଷ୍ଟିର ଆରମ୍ଭରୁ ଈଶ୍ୱର ପ୍ରତ୍ୟକ ମଣିଷକୁ ଦେଇଛନ୍ତି । ମଣିଷ ତା ବୁଝିପାରେନା ତେଣୁ ସେ ସଦାବେଳେ କୁହେ I want peace. ଏତିକି ପାଇଁ ସେ ସାରାଜୀବନ ଅଶାନ୍ତିରେ ରୁହେ । ସୁଖ ହେଉବା ଶାନ୍ତି ହେଉ ଯାହା ତା ଭିତରେ ଅଛି ତା'କୁ ସେ ନିଜ ଅହଂକାରରେ ଭୁଲିଯାଏ । ଆଇ (I) ଅର୍ଥ ଅହଂକାର । Want ଅର୍ଥ ଦାବି ବା demand. ଯଦି I want କୁ ବାଦ ଦେବୁ କେବଳ peace (ଶାନ୍ତି) ହିଁ ରହିବ । ଶୁଣ ନଟରାଜ ଯାହା ଜୀବନରେ ଯେତିକି ଅପ୍ରାଶ୍ୟତ ସାଫଲ୍ୟ ଆସେ ତାହା ସମ୍ଭବ ହୋଇଥାଏ ବହୁ ଶକ୍ତିର ସମାହାର ଯୋଗେ, ଅଥଚ ଅହଂ ସମସ୍ତ ଶକ୍ତିର କୃତ୍ତିକୁ ଆତ୍ମସାତ କରିନିଏ । ସତ୍ୟର ଦୁଇଟି ଦିଗ । ପ୍ରଥମ- ଆମ ଦୃଷ୍ଟିରେ ଜଣେ ଯାହା ସେ ଆଧ୍ୟାତ୍ମିକ ଦୃଷ୍ଟିରୁ ତାହାଠୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ଦ୍ଵିତୀୟ - ଆଧ୍ୟାତ୍ମିକ ଆଲୋକ ଜଣଙ୍କ ସତ୍ତାର ଯେକୌଣସି ଅଂଶକୁ ଅବଲମ୍ବନ କରି ତା ଚେତନାକୁ ଉଦ୍ଭାସିତ କରିପାରେ । ଏପରିକି ଜଣକର ତଥାକଥିତ ବୁଦ୍ଧିହୀନତା ତା ପାଇଁ ଜ୍ଞାନର ପ୍ରବେଶ ପଥ ହୋଇପାରେ । ଭକ୍ତର ବ୍ୟକ୍ତିଗତ ବ୍ୟାକୁଳତା ଓ ବିଶ୍ୱାସ ହିଁ ଈଶ୍ୱରଙ୍କ ସହ ତା'ର ସମ୍ପର୍କର ସୂତ୍ର । ଈଶ୍ୱର ହିଁ ତେଣିକି ସେ ସମ୍ପର୍କର ସୁରକ୍ଷକ । ଆଶାକରୁଛି ତୁ ସୁଖର ସ୍ୱରୂପକୁ ଠିକ ରୂପେ ବୁଝିପାରିଥିବୁ । ସେଦିନ ରାତ୍ରୀ ନଟରାଜ ଅମିନେଶ ପାଖେ ରହି ତାପର ଦିନ ଗାଁ ଅଭିମୁଖେ ବାହାରି ଗଲା । ବାଟରେ ଚାଲୁ ଚାଲୁ ଭାବୁଥିଲା କିସ ପୁଣି ଦେଖା ନଯାଏ ବଞ୍ଚିଥିଲେ ଜୀବନେ । ବିରଞ୍ଚି ନାରାୟଣ ମିଶ୍ର ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା ଦୂରଭାଷ : ୯୪୩୯୦୧୧୦୬୩

bottom of page