top of page

Find On Web

43 items found for ""

  • ମୋ ଦେଶ

    ଉତୁଙ୍ଗ ହିମାଳୟ ମସ୍ତକେ ଶୋଭିତ ଗଙ୍ଗା ଗୋଦାଵରୀ ହୃଦେ ସମାହିତ ସାଗର ନିଇତି କରେ ଚରଣ ବନ୍ଦନା ଦେବଭୂମି ଏତ ନାହିଁ ଏହାର ତୁଳନା ।।୧।। ଭିନ୍ନଭିନ୍ନ ଭାଷା ଭିନ୍ନଭିନ୍ନ ଭେକ ସର୍ବଧର୍ମର ସମନ୍ନୟେ ହୃଦୟ ଏକ କେମିତି ଭୂଲିବୁ ସେ ଅତୀତ ବିଶ୍ବବୀର ଏଠି ହେଲେ ନତ ମସ୍ତକ ।।୨।। ସାଧୁ ସନ୍ଥଙ୍କ ଏ ପବିତ୍ର ଭୂଇଁ ଶୁଣିଥିଲା ସୃଷ୍ଟିର ପ୍ରଥମ ଝଙ୍କାର ଆଦିକଵିଙ୍କ ରାମାୟଣ, ବେଦବ୍ୟାସ ମହାଭାରତ ଅମୂଲ୍ୟ ଗ୍ରନ୍ଥ ସେ ମାନବ ଜାତିର ।।୩।। ଯୁଗେ ଯୁଗେ ମାଆଟି ମୋର ସହିଛି କେତେ ଯାତନା ଦୁଇଶହ ବରଷର ବ୍ରିଟିଶ ଶାସନ ସେ ଦୁଃଖ ହୃଦୁ ଲିଭେନା ।।୪।। କେତେ ଝଡଝଞ୍ଜା କେତେ ସଂଗ୍ରାମେ ମିଳିଲା ସ୍ବାଧୀନତା ତ୍ୟାଗ ସଂଗ୍ରାମ ଵଳିଦାନର ଅଭୁଲା ଅମର ଗାଥା ।।୫।। ଦିକିଦିକି ଜଳୁଥିବା ପ୍ରଦୀପ ଶିଖା ହେଲା ଆଲୋକ ବର୍ତ୍ତିକା ତା ବାଜିଆ ତା ଭଗତ ତା ସୁବାଷ ଦେଖାଇଲେ ନୂଆ ଦିଶା ।।୬।। ଜୟୀ ରାଜଗୁରୁ, ସୁରେନ୍ଦ୍ର ସାଏ, ବୀର୍ସା ମୁଣ୍ଡା, ବକ୍ସି ଜଗବନ୍ଧୁ ବିଦ୍ୟାଧର ତା ଖୁଦିରାମ ତା ବୀର ବାଘାଯତୀନ କଥା ମନେ ପଡେ ଆଜିର ଦିନର ।।୭।। ସୁଜଳା ସୁଫଳା ଶସ୍ୟଶ୍ୟାମଳା ସୂର୍ଣ୍ଣଗର୍ଭା ମୋ ମୂଲକ ଲୁଟି ଚାଲିଲେ ଭାଙ୍ଗି ଚାଲିଲେ ଧ୍ବଂସ ସ୍ତୁପ ହେଲା ମୋ ଦେଶ ।।୮।। ଲାଲ ପଗଡି ଭାରିବୁଟ ତଳେ ଜୀବନ ଥିଲା ଦୁର୍ବିସହ ପରାଧୀନତାର ସେ ଦିନ ସ୍ମରଣେ ଆଖିରୁ ଝରେ ଲୋତକ ।।୯।। ପୁରେନା ପେଟ ଲୁଚେନା ଦେହ ଜମିଦାର ସାହୁକାରଙ୍କ ନାଟ ଫିରିଙ୍ଗଙ୍କ ଟୋଲି ଆଗରେ ହୁଗୁଳେ ସବୁ ଫାଟକ ।।୧୦।। କେତେ କେତେ ବୀର କେତେ ବୀରାଙ୍ଗନା ହସିହସି ଦେଲେ ପରାଣ ମାଟି ମାଆର ରଖିବାକୁ ଟେକ ନୂଆଁଇଲେ ନାହିଁ ଶୀର ।।୧୧।। ବିଦ୍ରୋହର ପ୍ରଜ୍ଜୋଳିତ ଶିଖା ପୁରପଲ୍ଲୀ କଲା ଆଛାଦିତ ପାଇକ ବିଦ୍ରୋହ,ସିପାହୀ ବିପ୍ଳବେ ଦିଶିଲା ତାହାର ଛାପ ।।୧୨।। ରକ୍ତର ଛିଟା ଆଜିବି ଦିଶେ କାନେ ବାଜେ ଆର୍ତ୍ତଚିତ୍କାର ଜାଲିଆନାଓ୍ବାଲା ବାଗ ହତ୍ୟା କାଣ୍ଡ ଇତିହାସର କଳଙ୍କିତ ସ୍ବାକ୍ଷର ।।୧୩।। ବର୍ବରତାର ଥିଲା ନମୁନା ଇରମ ଗୁଳିକାଣ୍ଡ ଏକୋଇଶ ଜଣ ହେଲେ ଶହୀଦ ରକ୍ତରେ ଭିଜିଲା ଦାଣ୍ଡ ।।୧୪।। ମହତପ୍ରାଣା ପରି ବେୱା ଫିରିଙ୍ଗଙ୍କ ଗୁଳିରେ ଶିକାର ନବ ଇତିହାସ ରଚିଲା ପବିତ୍ର ଉତ୍କଳ ଭୂଇଁର ।।୧୫।। ଗୋଟିଏ ନେତା ମହତ ଚିନ୍ତା ସଂଗ୍ରାମର ମୂଳ

  • ମୋ ଭାଷା ମୋ ମାଆ'ର କଥା

    ମୋ ଭାଷା କେଡେ ସୁନ୍ଦର କେଡେ ମଧୁରତା ହସ ଓଡିଶା ଭୂଖଣ୍ଡେ ହୋଇଣ ଜନମ କହି ଓଡ଼ିଆ ହୁଏ ଗର୍ବିତ ॥ ମାଆ ଠାରୁ ଶୁଣି ଶିଖିଛି ବିଦ୍ୟାଳୟ ଦେଇଛି ଶୁଦ୍ଧତା ଯେଉଁଠି ଥିଲେ ଯେମିତି ଥିଲେ ମୋ ପାଇଁ ଶ୍ରେଷ୍ଠ ମୋ ଭାଷା ।। କେତେ ଦୁର୍ଦ୍ଦିନ ଦେଖିଛି ମୋ ଭାଷା ଲଢିଛି ସଂକଟ ଘଡିରେ ତା ଫକୀର ତା ମଧୁସୁଦନ ଟେକ ରଖିଲେ ମହୀର ।। ଏପଟେ ବଙ୍ଗ ସେ ପଟେ ବିହାର ଆନ୍ଧ୍ର ଆସୁଥିଲା ମାଡି ଆଜିବି ବଙ୍ଗଭାଷା ଭାଷିଙ୍କ ସେ ଗୀର ମନେପଡିଲେ ହୃଦୟ ଯାଏ ଚିରି ।। ଧନ୍ୟ ମୋ ଜାତି ଲଢୁଆ ଜାତି ପାଦେ କରେ ଦଣ୍ଡଵତ ମୋ ଭାଷା ମୋ ମାଟିର ସୁରକ୍ଷା ପାଇଁ ସଭିଏଁ ସଦା ସମର୍ପିତ ।। କେତେକେଚେ ସାହିତ୍ୟ କାବ୍ୟ କବିତା ଛୁଇଁଛି ସଭିଙ୍କ ହୃଦ ଭଞ୍ଜ ସାହିତ୍ୟର ଅମଳିନ ଚିତ୍ର ଆଜିଵି ଶୁଭେ ତା ନିନାଦ ।। ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଶୁଦ୍ରମୁନିଙ୍କ ମହାଭାରତ ଭକ୍ତିରସଭରା ଜଗନ୍ନାଥ ଦାସ ଭାଗଵତ ଘରେଘରେ ସେ ପରିଚିତ ।। ଦୀନକୃଷ୍ଣଙ୍କ ରସ କଲ୍ଲୋଳ ଥରେ ଯିଏ କରିଛି ପାନ ସେ ରସର ଅମୃତ ପରସେ ଧନ୍ୟ ହୋଇଛି ତାର ଜୀବନ ।। ଗଙ୍ଗାଧରଙ୍କ ତପସ୍ବୀନି କାବ୍ୟ ରାଧାନାଥଙ୍କ ନନ୍ଦୀକେଶ୍ବରୀ ନାରୀ ଚରିତ୍ରର ଅମ୍ଳାନ ଚିତ୍ର ହୃଦକୁ ନେଇଛି କିଣି ॥ କେତେ କେତେ ରଥି ଭାଷା ବିଷାରଦ ମୋ ମାଟିର ଯୋଗ୍ୟ ପୁତା ସାରା ବିଶ୍ବରେ ପିଟିଛନ୍ତି ଡିଣ୍ଡିମ ସେପାଇଁ ମୋ ଭାଷା ଜଗତଜିତା ।। ଜମ୍ବେଶ୍ଵରପୁର, ବାଲେଶ୍ଵର ଦୁରଭାଷ - ୯୩୩୭୬୮୧୫୨୪

  • ରିହାଵ୍ - ନର୍ସିଙ୍ଗ ବିଭାଗରେ ମୋର ଅନୁଭବ

    କିଛିଦିନ ହସ୍ପିଟାଲର ଇଣ୍ଟେନସିଭ୍ ବିଭାଗରେ କାମ କରିବା ପରେ ମୁଁ ନିଶ୍ଚିତ କଲି ମୁଁ କିଛି ଭିନ୍ନ ପ୍ରକାର କାମ ନର୍ସିଙ୍ଗର ଅନ୍ୟ ବିଭାଗରେ କରିବି l ସବୁଦିନ ଲୋକଙ୍କର ଜୀବନ ମରଣ ସମସ୍ୟା ରୁ କିଛି ଦିନ ଛୁଟି ମିଳିବ ବୋଲି l ମୋ କଥାରେ ମୋର ମ୍ୟାନେଜର ସହମତ ହେଲେ ଆଉ ମତେ ଭିନ୍ନ ଜାଗାରେ କାମ ଖୋଜିବା ପାଇଁ ସାହାଯ୍ୟ ଦେଲେ ଆଉ ଉତ୍ସIହିତ କଲେ l ଘରେ ମୋର ସlନ ପୁଅ ଛୋଟ ଥିଲା l ତେଣୁ ମୁଁ ଭାବିଲି ରିହାଵ୍ ନର୍ସିଙ୍ଗରେ କାମ କରିବି l ରିହାଵ ନର୍ସିଙ୍ଗ କାମରେ ନର୍ସ ମାନେ ସାଧାରଣତଃ ରୋଗୀ ମାନଙ୍କ ଘରକୁ ଯାଇ ତାଙ୍କ ସାଙ୍ଗରେ କାମ କରନ୍ତି l ଯେ କୌଣସି ଶଲ୍ୟ ଚିକିତ୍ସା ପରେ ରୋଗୀ ମାନଙ୍କୁ ଆମେରିକାରେ ଅତି ଅଳ୍ପଦିନ ପରେ ଘରକୁ ପଠାଇ ଦିଅନ୍ତି l କାରଣ ଆଜିକାଲି ନୂଆ ଗବେଷଣା ଦ୍ୱାରା ଜଣା ଯାଇଛି ରୋଗୀ ମାନେ ଘରେ ନିଜର ପ୍ରିୟ ଲୋକଙ୍କ ସାଙ୍ଗରେ ରହି ଜଲ୍ଦି ଭଲ ହୋଇ ପାରୁଛନ୍ତି l ରୋଗୀଟିର ଅସ୍ତ୍ର ଚିକିତ୍ସା ସରିଲା ପରେ ସିଏ ଘରକୁ ଯିବା ପାଇଁ ସକ୍ଷମ ହୋଇଯାଏ l ହସ୍ପିଟାଲରେ ବେଶି ସମୟ ରହିଲେ ଅନ୍ୟ ରୋଗୀ ମାନଙ୍କଠାରୁ ତାଙ୍କୁ ରୋଗ ସଂଚାର ହୋଇପାରେ l ତେଣୁ ରୋଗୀ ଘରକୁ ଗଲା ପରେ କିଛି ଦିନ ନର୍ସ ଆସି ରୋଗୀଙ୍କ ଘରେ ତାଙ୍କୁ ଆଉ ପରିବାରର ଲୋକଙ୍କୁ ଶିଖାଇ ଦିଅନ୍ତି କେମିତି ଯତ୍ନ ନେବାପାଇଁ l କେତେ ରୋଗୀ ମାନଙ୍କୁ ନୂଆ ଭାବରେ ଚଳିବାକୁ ହୁଏ l କିଛି ଉଦାହରଣ ହେଲା ପେଟର କର୍କଟ ରୋଗ ପରେ ବା ପ୍ରୋଷ୍ଟେଟ୍ ର କର୍କଟ ରୋଗ ପରେ ଅନେକ ଲୋକ କଲୋସ୍ଟୋମି ମୁଣା ଆଉ ମୂତ୍ର ନଳୀ ବ୍ୟବହାର କରନ୍ତି l ସେ ସବୁକୁ ଠିକ୍ ଭାବେ ବ୍ୟବହାର କରିବା ପାଇଁ କିଛି ଦିନ ନର୍ସ ମାନେ ରୋଗୀ ମାନଙ୍କୁ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଛାତ୍ର , ଛାତ୍ରୀଙ୍କୁ ଦେଖିଲା ପରି ପର୍ଯ୍ୟବେକ୍ଷଣ କରିବାକୁ ପଡେ l ସେମିତି ଅସୁବିଧା ହୁଏ ଯେତେବେଳେ ସ୍ତନ କର୍କଟ ରୋଗ ରେ ସ୍ତ୍ରୀ ଲୋକ ମାନଙ୍କର ସ୍ତନକୁ ସର୍ଜରୀ ଦ୍ୱାରା କଟା ହୋଇ ଯାଏ l କିଛି ସ୍ତ୍ରୀ ମାନେ ସର୍ଜରୀ ପରେ ନିଜକୁ ଅପୁରl ସ୍ତ୍ରୀ ବୋଲି ଭାବନ୍ତି ଆଉ ନିଜେ ନିଜର ଛାତି କୁ ଦେଖିବାକୁ ମଂଗନ୍ତିନି l ତାଙ୍କ ସ୍ୱାମୀ ମାନେ ବି ଏଇ ପରିସ୍ଥିତିରେ କିପରି ବ୍ୟବହାର କରିବେ ଜାଣି ପାରନ୍ତିନି l କିଛି ପୁରୁଷ ମାନେ ସମ୍ବେଦନଶୀଳ ହୁଅନ୍ତି l କିନ୍ତୁ ଅନେକ ପରିବାରରେ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଆସିଯାଏ l ଏଇ ସବୁ ପରିସ୍ଥିତିରେ ରିହାଵ ନର୍ସ ଙ୍କର ଅବଦାନ ଅତି ସୁକ୍ଷ୍ମ ଆଉ ଗୁରୁତ୍ୱପୂର୍ଣ l ହସ୍ପିଟାଲରେ ନର୍ସଙ୍କ କାମ ପରି ଶାରୀରିକ ପରିଶ୍ରମ କରିବାକୁ ହୁଏନି କିନ୍ତୁ ମାନସିକ କାମ ବହୁତ ଜଗି ରଖି କରିବାକୁ ହୁଏ l ନର୍ସିଙ୍ଗ ପାଠ ପଢିଲା ବେଳେ ମୋର ଏ ଦିଗରେ କାମ କରିବା ପାଇଁ ମନ ଥିଲା l ନୂଆ କାମ ଆରମ୍ଭ ବେଳେ ମୁଁ ଆଗ ରୋଗୀ ମାନଙ୍କର ରୋଗ ବିଷୟରେ ଡାକ୍ତର ମାନଙ୍କ ସାଙ୍ଗରେ ମିଶି କାମ ଆରମ୍ଭ କରିଥିଲି l କିଛି ବର୍ଷ ଡାକ୍ତରଖାନାରେ କାମ କଲା ପରେ ମୋର ରୋଗୀ ଆଉ ରୋଗ ବିଷୟରେ ଅନେକ ଅଭିଞ୍ଜତା ହୋଇଥିଲା l ତେଣୁ ରିହାଵ ନର୍ସ ଭାବେ କାମ କରିବା ମୋ ପାଇଁ ଠିକ୍ ବୋଲି ଭାବିନେଲି l ଆମେରିକାରେ ନୂଆ କାମ ଆରମ୍ଭ କରିବା ପୂର୍ବରୁ କିଛି ତାଲିମ୍ ନେବାକୁ ହୁଏ l ସେଥିପାଇଁ ମୁଁ କଲେଜ ରେ ଯାଇ ନାଁ ଲେଖେଇଲି l ପ୍ରବେଶ ପାଇଁ ଦରଖାସ୍ତ ଦେଲା ବେଳେ ମତେ ପଚରା ଗଲା ରିହାଵ ନର୍ସ ହେବl ପାଇଁ କାହିଁକି ଏବେ ଆଗ୍ରହ କଲି ବୋଲି ? ମତେ ଏ ଦେଶରେ ଏଇ ପ୍ରଶ୍ନ ପଚାରିବାର ପ୍ରଣାଳୀ ଭଲ ଲାଗେ l କାମ ବା ପଢିବା ପୂର୍ବରୁ ସେମାନେ ଜାଣିବାକୁ ଚାହାନ୍ତି ଆମର ସେ କାମ ବା ପଢା ପାଇଁ ଆବେଗ ଅଛି ନା ନାହିଁ ? ମୁଁ ଉତ୍ତର ରେ କହିଥିଲି , ମୋର ସବୁବେଳେ ରୋଗୀ ଲୋକଙ୍କ ଘରକୁ ଯାଇ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରିବା ପାଇଁ ଇଚ୍ଛା ଥିଲା l ଭାରତରେ ଆମେ ସମ୍ପ୍ରସାରିତ ପରିବାରରେ ବଡ଼ ହୋଇଥିବା ଯୋଗୁ ମୁଁ ସମସ୍ତଙ୍କ ସାଙ୍ଗେ ମିଶି ଚଳିବାକୁ ଭଲ ପାଏ ରୋଗ ବା ସୁସ୍ଥ ସମୟରେ l ସେଥି ପାଇଁ ହସ୍ପିଟାଲ କିଛି ବର୍ଷ କାମ କଲା ପରେ ମୁଁ ରିହାଵ୍ ନର୍ସ ହେବ ପାଇଁ ଇଚ୍ଛା କଲି, ଯେଉଁଠି ମୁଁ ରୋଗୀଙ୍କର ପରିବାର ସହିତ ମିଶି ତାଙ୍କୁ ସୁସ୍ଥ ହେବା କାମ କରି ପାରିବି l ମାସକ ଭିତରେ ମତେ ରିହାଵ୍ ନର୍ସିଙ୍ଗ ପାଇଁ ପ୍ରମାଣପତ୍ର ମିଳିଗଲା l ତାପରେ ମୁଁ ଆମ ଘର ପାଖରେ ଥିବା ହସ୍ପିଟାଲରେ ମୋର ନାଁ କାମ ପାଇଁ ଦେଲି l ମୋର ଅନୁଭୂତି ଆଉ ଡିଗ୍ରୀ ଦେଖି ହସ୍ପିଟାଲ୍ ମ୍ୟାନେଜର ଖୁସିରେ କହିଲେ , "ହଁ ତୁମ ପରି ସମ୍ବେଦନ ଶକ୍ତି ଥିବା ପୁର୍ଣ ବିକଶିତ ନର୍ସ ଙ୍କୁ ପାଇ ରୋଗୀମାନେ ଶୀଘ୍ର ସୁସ୍ଥ ହେବେ ଆଉ ବହୁତ ଉପକୃତ ହେବେ" l ତାଙ୍କ କଥା ଶୁଣି ମୁଁ ଖୁସିରେ କହିଲି ହଁ , ମୋର ସେଇ କଥା ମନରେ ଅଛି l ତା ଛଡା ମୋର ସାନ ପୁଅ ଛୋଟ ଅଛି l " ମୁଁ ଚାହୁଁନି ତାକୁ ଛାଡି ଦୂରରେ କାମ ନେବାକୁ " l ରିହାଵ୍ ନର୍ସିଙ୍ଗ ରେ ନିଜର ସମୟ ନର୍ସ ମାନେ ଚୟନ କରି ପାରନ୍ତି କାରଣ ରୋଗୀ ମାନେ ସୁସ୍ଥ ହୋଇ ହସପିଟାଲରୁ ଘରକୁ ଆସି ଥାଆନ୍ତି l ତାଙ୍କର କେବଳ କିଛି ସାହାଯ୍ୟ ଦରକାର ହୁଏ ନର୍ସ ମାନଙ୍କ ଠାରୁ ଯାହା ଦ୍ୱାରା ସେମାନେ ନୂଆ ପରିସ୍ଥିତିକୁ ଆରେଇ ନେଇ ତାଙ୍କର ପୂର୍ବ ପରି ବା ଚଳି ପାରିବେ l ମତେ ପ୍ରଥମ କାମ ମିଳିଥିଲା ଆମ ଶହର ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ପରିବାରରେ ଯେଉଁଠି ରୋଗୀ ଘରକୁ କଲୋସ୍ଟୋମୀ ବ୍ୟାଗ ସହିତ ଯାଇଥିଲେ l ତାଙ୍କ ନାଁ ଜନ୍ ଥିଲା l ସେ ତାଙ୍କ ସ୍ତ୍ରୀ କରେନ୍ ଙ୍କ ସାଙ୍ଗରେ ରହୁଥିଲେ l ଜନ୍ ଙ୍କର ପ୍ରଚଣ୍ଡ ଆର୍ଥ୍ରାଇଟିସ୍ ରୋଗ ଥିବା ଯୋଗୁ ସିଏ କଲୋସ୍ଟୋମୀ ବ୍ୟାଗ ର ଯତ୍ନ ନେବାରେ ତାଙ୍କ ସ୍ତ୍ରୀ କରେନ୍ ଙ୍କ ସାହାଯ୍ୟ ନେଉଥିଲେ l ତେଣୁ ସେମାନଙ୍କୁ କିପରି ନିଜ କାମ ନିଜେ ସୁଚାରୁ ଭାବେ କରି ପାରିବେ ସେଇ କଥା ଶିଖାଇବା ଥିଲା ମୋର କାମ ! କାମଟି ଦେବା ପୂର୍ବରୁ ମତେ କୁହାଗଲା ଯେ କାମଟି ସହଜ ବୋଲି ଜଣା ଗଲେବି ତିନୋଟି ନର୍ସ ରୋଗୀଙ୍କ ଘରକୁ ଯାଇ ତାଙ୍କୁ କଲୋସ୍ଟୋମି ମୁଣି ବଦଳେଇବା କାମ ଠିକଣା ଭାବରେ ଶିଖାଇ ପାରି ନାହାନ୍ତି l ତେଣୁ ମତେ କାମ ଶିଖେଇବା ସାଙ୍ଗରେ ରୋଗୀର ଶିଖିବାରେ କଣ ଅସୁବିଧା ସେଇଟା ଜାଣିବା ନିଶ୍ଚିତ ଭାବେ ଜରୁରୀ l ମୁଁ ସବୁ କଥା ନୋଟ୍ ରେ ଲେଖିଲି ଆଉ ମନେ ମନେ ଭାବିଲି କି ପ୍ରକାର ଅସୁବିଧା ଯୋଗୁ ତିନି ଜଣ ନର୍ସ କାମଟିକୁ ଏ ପର୍ଯ୍ୟନ୍ତ ଜନ୍ ଙ୍କୁ ଶିଖାଇବାରେ ସଫଳ ହୋଇ ପlରି ନାହାନ୍ତି ? ମୁଁ ଠିକଣା ସମୟରେ ଗାଡି ନେଇ ରୋଗୀଙ୍କ ଘରେ ପହଁଚି ଗଲି l ଆଗରୁ ଫୋନ୍ ଦ୍ୱାରା ଜଣାଇ ଦେଇଥିଲି ମୁଁ ତାଙ୍କ ଘରେ ପହଁଚିବାର ସମୟ l ରାସ୍ତା ସାରା ଭାବୁ ଥାଏ କିପରି ସୁଚାରୁ ଭାବେ ମୁଁ ରୋଗୀକୁ ବୁଝାଇ ପାରିବି କଲୋସ୍ଟୋମୀର ଯତ୍ନ ନେବା l ତାହେଲେ ସେମାନେ ବାରମ୍ବାର ହସ୍ପିଟାଲ ନର୍ସଙ୍କୁ ଡାକିବେ ନାହିଁ ସାହାଯ୍ୟ ପାଇଁ l ମୁଁ ଜାଣିବାରେ ଅନେକ ନର୍ସ ଜନ୍ ଙ୍କ ଘରକୁ ଏଇ କାମଟି ପାଇଁ ଆଗରୁ ଯାଇ ଥିଲେବି ସେମାନେ ଏ ଯାଏଁ ତାଙ୍କୁ ଠିକଣା ଭାବେ କଲୋସ୍ଟୋମୀ ମୁଣି ବଦଳି କରିବା ଶିଖାଇ ପlରି ନାହାନ୍ତି l କିପରି ମୁଁ ମୋ କାମଟି କରିବାରେ ସଫଳ ହୋଇ ପାରିବି ସେଇ କଥା ମନରେ ଭାବି ମୁଁ ଗାଡି ନେଇ ଜନ୍ ଆଉ କରେନ୍ ଙ୍କ ଘର ପାଖେ ପହଁଚି ଗାଡିକୁ ରାସ୍ତା ରେ ପାର୍କ କଲି l ଦୁଆର ଘଣ୍ଟି ବାଜିଲା ପରେ ଜଣେ ବୟସ୍କ ସ୍ତ୍ରୀ ଲୋକ ଆସି ଦୁଆର ଖୋଲି ମତେ ଘର ଭିତରକୁ ରାସ୍ତା ଦେଖେଇଲେ l ସିଏ କରେନ୍ ବୋଲି ନିଜର ପରିଚୟ ମତେ ଦେଲେ l ବସିବା ଘର ସୋଫା ଉପରେ ମୁଁ ଜନ୍ ଙ୍କୁ ଦେଖିଲି ଅନେକ ବିଲ୍ ର ଲଫାପା ସହିତ l ମତେ ଦେଖି ସିଏ ଖୁସି ହୋଇ କହିଲେ , "ଆମେ ତୁମ ଅପେକ୍ଷାରେ ଥିଲୁ " l ମୁଁ ହସି ଦେଇ ତାଙ୍କ ପାଖରେ ଥିବା ସୋଫା ଚୌକିରେ ବସି ପଡିଲି ଆଉ ମୋର ନର୍ସିଙ୍ଗ ବ୍ୟାଗ୍ ରୁ ବିଭିନ୍ନ ସରଞ୍ଜାମ କାଢ଼ିଲି l ମତେ ଜୋରରେ ଜନ୍ କହିଲେ ବାଥରୁମ୍ ରେ କଲୋସ୍ଟୋମି ବ୍ୟାଗ୍ ବଦଳି କାମ ହେବ ବୋଲି l ମୁଁ ତାଙ୍କୁ ଜବାବ ଦେଲି ନିଶ୍ଚୟ , କିନ୍ତୁ ପ୍ରଣାଳୀର ସବୁ ପାହାଚ କୁ ଆଜି ଭଲରେ ଗୋଟି ଗୋଟି କରି ଥରେ ଭଲ କରି ଦେଖି ନେଲେ କଲୋସ୍ଟୋମି ବ୍ୟାଗ୍ ବାଥରୁମ୍ ରେ ବଦଳାଇବା ପାଇଁ ସୁବିଧା ହେବ l ମୋ କଥା ଶୁଣି କରେନ୍ ଆଉ ଜନ୍ ହସି ଦେଇ ମୋ ସାଙ୍ଗେ ସହମତ ହେଲେ l ମୁଁ କଲୋସ୍ଟୋମିବ୍ୟାଗ ର ଠିପି , ମୁଣା ଦେଖେଇଲାବେଳେ ଦେଖିଲି କରେନ୍ ବାରମ୍ବାର ତାଙ୍କ କାନରେ ଲାଗିଥିବା ଶୁଣିବା ଯନ୍ତ୍ରଟିକୁ ଉପର ତଳ କରୁଛନ୍ତି l ମୁଁ ପଚାରିଲି କଣ ଅସୁବିଧା ଅଛିକି ? କରେନ୍ ମୁଣ୍ଡ ହଲାଇ କହିଲେ, ହଁ ଗତ ଦୁଇ ମାସରୁ କାନର ଶୁଣିବା ଯନ୍ତ୍ର ଢିଲା ଲାଗୁଚି l ମୁଁ ବେଶି କିଛି ନ ଭାବି ଦୁହିଁଙ୍କୁ କଲୋସ୍ଟୋମି ବ୍ୟାଗ୍ ବଦଳେଇବା ପ୍ରଣାଳୀ ବତେଇ ଦେଲି l ଆର୍ଥ୍ରାଟିସ୍ ଯୋଗୁ ଜନ୍ ଙ୍କ ଦ୍ୱାରା କଲୋସ୍ଟୋମିବ୍ୟାଗ ର ଠିପି ଖୋଲିବା ଆଉ ବନ୍ଦ କରିବା ସହଜ ନ ଥିଲା l ସେଥିପାଇଁ ତାଙ୍କୁ କରେନ୍ ଙ୍କ ସାହାଯ୍ୟ ନିଶ୍ଚିତ ଭାବେ ଦରକାର ହେଉଥିବ ବୋଲି ମୁଁ ଭାବି ନେଲି l କୋନମତେ ମୁଁ ଛବି ଆଙ୍କି ଦୁହିଁଙ୍କୁ ଦେଖେଇଲି କିପରି ତଳ ଉପର ଠିପି ବନ୍ଦ କରିବାକୁ ହୁଏ ଆଉ ମଳକୁ ଶୌଚାଗାରରେ ଫୋପାଡିବାକୁ ହୁଏ l ତିନି ଥର କହିଲା ପରେ ବି ଜନ୍ ଆର୍ଥ୍ରାଟିସ ଯୋଗୁ ଠିକଣା ଭାବେ କଲୋସ୍ଟୋମି ମୁଣି ବନ୍ଦ କରି ପାରିଲେନି l କରେନ୍ ଙ୍କର କାନର ଯନ୍ତ୍ର ଠିକଣା ଭାବେ ଫିଟ୍ ହୋଇ ନଥିବାରୁ ସିଏ ମୋର ଅନୁଦେଶକୁ ଠିକଣା ଭାବେ ଶୁଣି ନ ପାରି ନିଜ ଇଚ୍ଛା ଅନୁସାରେ କଲୋସ୍ଟୋମି ମୁଣି କୁ ଖୋଲିବା ବା ବନ୍ଦ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁ ଥାଆନ୍ତି l ବର୍ତ୍ତମାନ ମୋର ମନରେ ଆସିଲା କାହିଁକି ସେମାନଙ୍କ ପାଖକୁ ତିନି ଥର ରିହାଵ ନର୍ସ ଆସିଲେବି ପ୍ଲାନ "ଏ " କଲୋସ୍ଟୋମି ମୁଣି ର ଯତ୍ନ ନେବା ଠିକ୍ ଭାବେ ସଫଳ ହୋଇ ପାରିନି l ମୁଁ ସେଠାରୁ ଆସିବା ବେଳେ ତାଙ୍କ ପାଇଁ ପ୍ଲାନ "ବି" କିପରି କରିବି ଭାବୁ ଥାଏ, ଯାହା ଦ୍ୱାରା ସେ କାମଟି ସଫଳ ହେବ l ମୋ ମନରେ ଗୋଟିଏ କଥା ଆସିଲା l ଭାବିଲି ଯଦି କରେନ୍ ଙ୍କର କାନର ଯନ୍ତ୍ରଟି ଠିକ୍ କରି ଦିଆ ଯାଇ ପାରିବ ତାହେଲେ ନର୍ସ ର ଅନୁଦେଶକୁ ସିଏ ଭଲରେ ଶୁଣିପାରିବେ ଆଉ ମନେ ରଖିବେ କିପରି କଲୋସ୍ଟୋମି ମୁଣି ବଦଳେଇବା , ସଫା କରିବା କାମଟି ଠିକ୍ ରେ ହୁଏ l ପରେ ଯେତେବେଳେ ଜନ୍ ଙ୍କୁ କଲୋସ୍ଟୋମି ମୁଣିକୁ ବଦଳେଇବାକୁ ଅବା ସଫା କରିବାକୁ ଦରକାର ପଡିବ କରେନ୍ ତାଙ୍କୁ ସାହାଯ୍ୟ କରି ପାରିବେ l ଏହା ଦ୍ୱାରା ଦୁହେଁ ମିଶି କଲୋସ୍ଟୋମି ମୁଣିର ଯତ୍ନ ନେବା କାମଟିକୁ ନିତି ସହଜରେ କରିପାରିବେ l ସେଦିନ ସନ୍ଧ୍ୟାରେ ମୋର ଲିଖିତ ବିବରଣୀ ଦେଲାବେଳେ ମୁଁ ମୋର ବିବରଣୀରେ ଲେଖିଲି : ପ୍ରଥମେ କରେନ୍ ଙ୍କର ଶୁଣିବା ଯନ୍ତ୍ର କୁ ଠିକ୍ କରା ଯାଉ l ତାପରେ ନର୍ସ ଯାଇ ଦୁହିଁଙ୍କୁ ଏକାଠି କଲୋସ୍ଟୋମି ବ୍ୟାଗ୍ ବଦଳେଇବାକୁ ଶିଖେଇବ l ମୋ ରିପୋର୍ଟ ଦେଖି ମ୍ୟାନେଜର ମତେ କାରଣ ପଚାରିଥିଲେ ଆଉ ଆଶ୍ଚର୍ଯ୍ୟ ହେଲେ l କିନ୍ତୁ ମୋର ପ୍ରସ୍ତାବ ଉପରେ ବିଶ୍ୱାସ ରଖି ଆଗକୁ କାମ କରିବାକୁ ରାଜି ହେଲେ l ମୁଁ କରେନ୍ ଙ୍କର କାନ ଯନ୍ତ୍ରର ସମାଯୋଜନ ପାଇଁ ବନ୍ଦୋବସ୍ତ କରିଦେଲି l ଏଠାରେ ନର୍ସ ମାନେ ରୋଗୀର ପୁରା ଯତ୍ନ ନିଅନ୍ତି ସେମାନେ ପୂର୍ବପରି ନିଜ କାମ କରିବା ପର୍ଯ୍ୟନ୍ତ l ପ୍ରାୟ ଦଶ ଦିନ ପରେ ମୋର ଜନ୍ ଙ୍କ ଘରକୁ ଯିବା ପାଇଁ ହେଲା l ଏହା ଭିତରେ କରେନ୍ ଙ୍କର କାନର ଶୁଣିବା ଯନ୍ତ୍ର ଠିକ୍ କରା ଯାଇଥିଲା l ମୁଁ ତାଙ୍କ ସାଙ୍ଗେ ବସି କଥା ହେଲା ବେଳକୁ ଆକାଶ ,ପାତାଳ ର ଫର୍କ ଦେଖିଲି l ମୋର ସବୁ କଥା କରେନ୍ ଭଲରେ ଶୁଣି ପାରୁଥିଲେ l ସିଏ ବାରମ୍ବାର ମତେ ଥାଙ୍କୟୁ ବୋଲି କହି ଚାଲିଥିଲେ ଆଉ କାନ ଯନ୍ତ୍ରକୁ ଦେଖାଉଥିଲେ ମତେ l ମୁଁ ମନେ ମନେ ଖୁସି ହୋଇ ଭାବୁ ଥିଲି ଏଥର କାମଟି ସଫଳ ହେବ ନିଶ୍ଚୟ l କାରଣ ମୁଁ କଲୋସ୍ଟୋମି ମୁଣା ବଦଳି କରିବାର ପ୍ରକ୍ରିୟାକୁ ବୁଝାଇଲା ବେଳେ ଦୁହିଁଙ୍କ ମୁହଁରେ ହସ ଥିଲା ଆଉ ବୁଝିପାରିବାର ସ୍ୱିକୃତି ଥିଲା l ପରେ ଜନ୍, କରେନ୍ ଆଉ ମୁଁ ସବୁ ସରଞ୍ଜାମ ନେଇ କଲୋସ୍ଟୋମି ମୁଣି ବଦଳାଇବା କାମଟି କରିବା ପାଇଁ ବାଥରୁମ୍ କୁ ଗଲୁ l ଯା ହେଉ ତିନି ଜଣ ଯାକ ସେଇ ବାଥ୍ ରୁମ୍ ଠିଆ ହୋଇ ପାରିଲୁ l ସ୍ଟୁଲ୍ ଉପରେ ସଫା ତଉଲିଆ ରଖି ମୁଁ ସବୁ ସରଞ୍ଜାମ ରଖିଲି l ଦରକାର ବେଳେ କରେନ୍ ଜନ୍ ଙ୍କୁ ସାହାଯ୍ୟ କରି ପାରିଲେ l ବାରମ୍ବାର କରେନ୍ ମତେ ତାଙ୍କ କାନକୁ ଦେଖେଇ କହୁ ଥାଆନ୍ତି, "ମତେ ସବୁ ଭଲ ଭାବେ ଶୁଣା ଯାଉଛି ନର୍ସ ଚନ୍ଦ୍ରା" l ମୁଁ ମୁଣ୍ଡକୁ ଟୁଙ୍ଗାରି ତାଙ୍କ କୃତଞ୍ଜତାକୁ ଗ୍ରହଣ କଲି l ସବୁ କାମ ସରିଲା ପରେ କରେନ୍ ମତେ କଫି ପିଇ ଯିବା ପାଇଁ ଅନୁରୋଧ ରଖିଲେ l ମୁଁ ମନା ନ କରି ବସିଗଲି କିଛି କଥା ହେବା ପାଇଁ ତାଙ୍କ ସାଙ୍ଗେ l କରେନ୍ ଜର୍ମାନ ଦେଶରୁ ଆମେରିକା ଆସିଥିଲେ ଆଉ ମୁଁ ଭାରତ ର ଓଡିଶାରୁ ଆମେରିକା ଯାଇଥିଲି l ଦୁହେଁ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଆପଣେଇ ଥିଲୁ l ଗରମ କଫିର ବାମ୍ଫକୁ ଅନେଇ ରହିଲାବେଳେ ଆମ ଦୁହିଁଙ୍କ ମନରେ ଅନେକ ପୁରୁଣା ସ୍ମୃତି ଆସିଥିଲା l କିଛି ଛାଡିଆସିଥିବା ପରିବାରର ଶଦଶ୍ୟ ଆଉ ସାଙ୍ଗ ସାଥୀଙ୍କ କଥା ଦୋହରାଇ , ଦୋହରାଇ ମୋର ମନେ ପଡୁଥିଲା l ତାପରେ ଦେଖିଲି ଘଣ୍ଟା କଣ୍ଟା ରେ ଆଲାର୍ମ ବାଜିଲା, ମତେ ଆଉ କିଛି ରୋଗୀଙ୍କୁ ଦେଖିବାକୁ ହେବ କହି ମୁଁ ଉଠିଲି l ଆସିଲା ବେଳେ କରେନ୍ କହିଲେ ଚନ୍ଦ୍ରା, ତୁମେ ଜଣେ ଭଲ ଝିଅ ଆଉ ଅତି କାର୍ଯ୍ୟଦକ୍ଷ ନର୍ସ l ତାଙ୍କ ଆଖିରୁ ଲୁହ ଟୋପା ଦୁଇଟି ଗାଲରେ ପଡିବାର ମୁଁ ଦେଖିଲି l ମୁଁ ସବୁ ଜିନିଷ ମୋ ନର୍ସିଙ୍ଗ ବ୍ୟାଗରେ ଏକାଠି କରି ରଖିଲା ବେଳେ କହିଲି, ଭଲ ନର୍ସ ହେବା ପାଇଁ ଶପଥ ନେଇଥିଲି ନର୍ସିଂ କଲେଜରୁ ଗ୍ରାଜୁଏଟ୍ ହେଲା ବେଳେ, କିନ୍ତୁ ଭଲ ଝିଅ ହେଲି କି ନାହିଁ ଜାଣିନି, କାରଣ ମୋର ମା ମୁଁ ଛୋଟ ଥିଲା ବେଳେ ଦୁନିଆରୁ ଚାଲି ଯାଇଥିଲେ ଆଉ ବାପା ନାହାନ୍ତି ଏବେ l କିଏ ମତେ କହିବ ମୁଁ ଭଲ ଝିଅ ବୋଲି , ତେବେ ତୁମେ କହିଲ ଆଉ ମୁଁ ଶୁଣିଲି, ସେତିକି ମୋ ପାଇଁ ଯଥେଷ୍ଟ l ମୁଁ ଜାଣିଥିଲି କରେନ୍ ଙ୍କର କିଛି ପିଲା ନ ଥିଲେ ଚାର୍ଟରୁ l ରିହାଵନର୍ସ ମାନେ ରୋଗୀ ଆଉ ରୋଗୀର ଚିକିତ୍ସା ଭିତରେ ସେତୁ ବନ୍ଧ ହୋଇ ରୋଗୀ ର ସୁସ୍ଥ ହେବାରେ ସାହାଯ୍ୟ କରି ପାରନ୍ତି l ସେ ଦିନ ଫେରିଲା ବେଳେ ମୁଁ ନିଜେ ଖୁସି ହେଲି ଯେ ମୁଁ ରିହାଵ ନର୍ସ କାମଟି ନେଇ ଜନ୍ ଙ୍କୁ ସାହାଯ୍ୟ କରିବା କାମରେ ସଫଳ ହେଲି l ଚନ୍ଦ୍ରା ମିଶ୍ର ଫିଲାଡେଲ୍ଫିଆ, ଯୁକ୍ତରାଷ୍ଟ୍ର ଆମେରିକା

  • ଅଟକି ଯାଇଥିବା ସମୟ

    କିଛି ଅଛି କିଛି ପୁଣି ନାହିଁ ସମୟ ଧାରରେ ପାଦ ଗଣୁଛି ଜୀବନ କେଉଁଠି ଅଟକି ଯାଉଛି ସରୁ ନ ଥିବା ଗୋଟେ ମୁହୂର୍ତ୍ତ ଲକ୍ଷେ ବାରଣ ସତ୍ତ୍ୱେ ଆକ୍ତାମାକ୍ତା କରୁଛି ମୋ ନିଶ୍ୱାସକୁ ଗୀତ ଭଳି ଦୂରରୁ ଶୁଭୁଛି ଶୂନ୍ୟତା ନିଶାଚର ପକ୍ଷୀଟି ଭଳି ସାରାରାତି ବସିଛି ମୁଁ ଅନ୍ଧାରୀ ଗୁହାରେ ନିଦ ନାହିଁ, ସ୍ୱପ୍ନ ନାହିଁ, ଇଚ୍ଛା ନାହିଁ କି ଆଶା ମଧ୍ୟ ନାହିଁ କେଜାଣି କାହା ପ୍ରତୀକ୍ଷାରେ ଜୀଇଁଛି ଜୀବନ ହସ କାନ୍ଦର ମୁହୂର୍ତ୍ତ ଟି ପରି ଛାୟାରେ ମୁଁ ଖୋଜିଛି ନିଜକୁ ଓ ନିଜ ପାଦତଳ ମାଟିକୁ କାରଣ, ଏଯାଏଁ ଅଛି ମୋ ମୁଣ୍ଡ ଉପରେ ଆକାଶର ଛତା କାଲି ଭଳି ତ ହସୁଛି ମୁଁ ଜାଣିନି କାହିଁକି, କେତେବେଳେ କେମିତି ବଦଳିଗଲି ମୁଁ କାନଭାସରେ ଚିତ୍ର ଆଙ୍କୁ ଆଙ୍କୁ ମୁଁ ନିଜେଇତ ପାଲଟିଗଲି ଏକ ସ୍ଥିର ଚିତ୍ର କେବଳ ଯା ପାଖେ ରହିଗଲା ମୋ' ଛଳଛଳ ହୃଦୟ ଶିଖାଇଛି ଯିଏ ମୋତେ ସତରେ କାନ୍ଦିବା ଆଉ ମିଛରେ ହସିବାର ଅଭିନୟ । ପଥୁରିଆ ସାହି, ପଣ୍ଡିତ ମଠ ନିକଟ, ପୁରୀ

  • କବି : ଗୋଟେ ମିଛୁଆର ନାଁ

    ସାହିତ୍ୟ ସମୁଦ୍ରକୂଳେ ସବୁଦିନ ବସେ ଗୋଟେ ଲୋକଟିଏ, ତତଲା ବାଲିଟା ତା' ପାଇଁ ତତଲା ନୁହେଁ, ତାକୁ ଲାଗେ ସେଇଟା ଜୀବନ ମୁଦ୍ରାର ଏକ ପାର୍ଶ୍ୱଟିଏ । ଘରୁ ଆସିଲା ବେଳେ ସେ ସାଥିରେ ଆଣେ କଂସାଏ ପଖାଳ ଆଉ ପିଆଜଟିଏ, ଯେବେ ପଚାରେ ତାକୁ ମୁଁ ତୁମେ କ'ଣ ଖାଉଛ? କବିତା ପଢ଼ିଲା ଭଳି ସ୍ୱରରେ ସେ କୁହେ, ହୁଏତ' ତୁମକୁ ଦେଖାଯାଇପାରେ ଆଉ କିଛି ହେଲେ! ମୋ ନଜରରେ ଥରେ ଦେଖି ବସ ଏ ତ' ସୁବର୍ଣ୍ଣର ଥାଳିରେ ବଢ଼ା, ଅମୃତ ଗୋଳା ଅନ୍ନ ସହ ସୁବାସିତ ବ୍ୟଞ୍ଜନଗୁଡ଼ା । ଖାଇସାରି; ସେ ପୁଣି ବସିଯାଏ ତା' ଚଟି ଖାତା ଆଉ କଲମଧରି, ଯଦିଓ ସେ ପାଗଳ ନୁହେଁ ତଥାପି; ତା' କଥାରୁ ବାରି ହୁଏ ସେ ମିଛକୁହେ ଭାରି । କୌତୁହଳକୁ ଚାପି ନ ପାରି ଯେବେ ଯାଇ ତାକୁ ପଚାରିଲି ତା'ର ଠିକଣା ଆଉ ନାଁ, ସେ ଉତ୍ତର ଦେଲା, ଯିଏ ରହୁଥାଏ ଯାଇ କଳ୍ପନାର ଗାଁ.. 'କବି' ସେଇ ମିଛୁଆର ନାଁ ।

  • ଭତ୍ତା ପଏସା

    ଭତ୍ତା ପାଏଲେ ଧଙ୍ଗ୍ରା ଧାଙ୍ଗ୍ରି ବୁଢାକେ ମାର୍ ଲେ ଲାତ୍ ବୁଢ଼ୀ ବିଚରିର୍ ଦିନ୍ ସର୍ ଲା ଯୁଗୀ ଯୁଗୀ କରି ବାଟ୍ । ଭୁକେମଲା ଲୋକ୍ ଭୁକେ ମରୁଛେ କିଏ ପଚାରେ ତାହାକେ ପଏସା ଥିଲେ ସରଗ୍ ଶଶୀ ଘର୍ ପାଖକେ ଆଶେ । ପଏସା ପତର୍ ଭିତରିଆ ସରି ବଢ଼େଇ ଦେଲେ ହାତ୍ ପଏସା ଖାଇ ଗୁସିଆଁ ରଜା ଡେଗେଇ ଦେଉଛେ ଘାଟ୍ । ଗାଁ ମୁର୍ ସେ ମାଖନୁ ଦଦା ଗାଡିଛେ କୁଡ଼ିଆ ଘର୍ ଆଏଲା ଗଲା ଲାଗେର୍ ଲେସେର୍ ରଖୁଚେ ସବକିର୍ ଖବର୍ । ବଲକ୍ କେ ଯାଇ ଧରାଲା କାଗଜ୍ ନି ମିଲୁଛେ ତାର୍ ପତା ବୁଢା ଲୋକ୍ ସବୁ ଦେଖୁଚେ ବାଟେ ଧାଙ୍ଗରେ ଛିନୁଛନ୍ ଭତ୍ତା । ପାନ୍ ଗୁଟକା ମୁହୁଁ ପୁଚକା ଛୁଟୁଛେ ଲାଲେ ଲାଲ୍ ହିରୋ ଲେଖେ ଦିହିଟା ତାକର୍ ରଙ୍ଗୀନ୍ ରଙ୍ଗୀନ୍ ବାଲ୍ । ମୁଡର୍ ବାଲ୍ କଲା ବିଟ୍ ବିଟ୍ ନୁହେଁ ପାଚି ତାଲ୍ ମେଛା ଗୁରୁପ୍ ଶାଢ଼ୀ ବତ୍ ରେ ପିନ୍ଧି ଭୁଆସେନ୍ ଛିନି ଯାଏସି ଭତ୍ତା । ବୁଟ୍ ସୁଟ୍ ସଙ୍ଗେ ମୁହେଁ ଚଷମା ଭେଣିଆ ମାଖିଛେ ଦିହେଁ ଅତର୍ ହଲିଝୁଲି ଛିନି ଯାଏସି ଭତ୍ତା ଧରି ହିରୋହୋଣ୍ଡା ପଲସର୍ । କାହାକେ କହେବ କିଏ ସୁନବା ମୂଲ୍ ତ ଆମର୍ ଦୁର୍ବଲ୍ ଧାଙ୍ଗରେ ପାଏଲେ ଭତ୍ତା ପଏସା ବୁଢାବୁଢ଼ୀ କଲବଲ୍ ।।

  • ଗୋକୁଳ

    ତୁଣ୍ଡକୁ ଅମୃତ ପାଦପକୁ ସାର ଚୁଲ୍ଲିକୁ ଜାଳେଣି ଯେ ଦେଉଛି । ଆଦରେ ତାହାକୁ ନ ପାଳିବା କିଆଁ ? ଘିଅ ଛେନା ସର ଯା'ଠୁ ପାଉଛି ? ଜୀବନ କାଳରେ ମାନବ ସେବାକୁ ସାର ଧର୍ମ ଭାବି ଧରି ରଖିଚି। ଶିଙ୍ଗରୁ କଣ୍ଢେଇ ଚମଡ଼ାରୁ ବାଦ୍ୟ ମଲା ପରେ ବି ଦେଇ ଯାଉଛି ।। ମଞ୍ଚପୁରେ ରହି କାମଧେନୁ ସମ ମନ କଥା ବୁଝି ଖୁସି ଦେଉଛି । ଜଗତର ହିତେ ଯାହାର ଆନନ୍ଦ ତା'କୁ ପ୍ରଣାମ ପୂଜା ମୁଁ କରୁଛି ।। ଦାଣ୍ଡ ଦୁଆରରେ ବନ୍ଧା ହେଲେ ସିଏ ଭୟ ବଳେ ରଡି ଛାଡି ଯାଉଛି । କହ୍ନେଇ ମନରେ ବଳ ଦିଏ ବୋଲି ନନ୍ଦ ଗୁହାଳ ଦାଣ୍ଡରେ ତୋଳିଛି ।। ବିଜ୍ଞାନ କହୁଛି ବାସ୍ତବ ଜୀବନ ଗୋକୁଳ ସମ୍ପଦେ ଦୃଶ୍ୟ ହେଉଛି । ଅନୁଭବୀଟିଏ ବଖାଣି ପାରିବେ ରାଜା ଦିଲୀପ ସମ ଯେ ସେବା କରିଛି ।। ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ ଚିକିଟୀ ଗଡ଼, ଗଂଜାମ ମୋ ନଂ - ୮୨୪୯୪୮୬୪୫୫

  • ବେଶୀ କିଛି ଚାହେଁନା

    ବେଶୀ କିଛି ଚାହେଁନା ଏ କୁସୁମରୁ ଚାହେଁ ଟିକେ ପୁଲକ । ସେ ପୁଲକେ ଖେଳିଯିବ ଦୁନିଆରେ ହସ ଖୁସି ଅନେକ ।।୧।। ବେଶୀ କିଛି ଚାହେଁନା ଏ ପ୍ରଦୀପରୁ ଚାହେଁ ଟିକେ ଆଲୋକ । ସେ ଅଲୋକେ ଲିଭିଜିବ କାଳରାତି ଅନ୍ଧାରର ମୁଲକ ।।୨।। ବେଶୀ କିଛି ଚାହେଁନା ଏ ଗଛ ଠାରୁ ଚାହେଁ ଛାଇ ଟିକକ । ସେ ଛାଇରେ ଦୂର ହେବ ଖରା ତାତି ବସିଯିବ ପଥିକ ।।୩।। ବେଶୀ କିଛି ଚାହେଁନା ମୋ ହୃଦୟରୁ ଚାହେଁ ଟିକେ ଚମକ । ସେ ଚମକେ ପାଲଟିବ ପ୍ରତି ପ୍ରାଣ ସାହସର ପ୍ରତୀକ ।।୪।। ବେଶୀ କିଛି ଚାହେଁନା ଏ ମାଟିଠାରୁ ଚାହେଁ ପ୍ରେମ ଏତକ । ସେ ପ୍ରେମରେ ରହିବନି ରାଗ ଋଷା ଅଶାନ୍ତିର ଧମକ ।।୫।। ବେଶୀ କିଛି ଚାହେଁନା ଏ ପବନରୁ ଚାହେଁ ହେବି ଗାୟକ । ସେ ସ୍ୱରରେ ଫେରିଯିବ କେତେ ସ୍ମୃତି ଭିଜିଯିବ ପଲକ ।।୬।। ବେଶୀ କିଛି ଚାହେଁନା ଏ ମଣିଷଠୁ ଚାହେଁ ଟିକେ ବିବେକ । ଅଜ୍ଞାନକୁ ଜୟ କରି ସାଜିବ ସେ ବିଜୟର ଘୋଟକ ।।୭।। ରୁଦ୍ରରୂପା ବ୍ରହ୍ମା, ଦଶମ ଶ୍ରେଣୀ ଚିକିଟୀ ଗଡ଼, ଗଞ୍ଜାମ

  • ଶିଶୁର ଭବିଷ୍ୟତ ଗଠନରେ ମାଆର ଭୂମିକା

    ଅଧିକ ଓ ଉତ୍ତମ ଫସଲ ପାଇଁ ଯେମିତି ଉତ୍କୃଷ୍ଟ ବିହନ ଓ ଉପଯୋଗୀ ଖତ, ସାର ଆବଶ୍ୟକ ସେହିପରି ସଂସ୍କାରୀ ଓ ସମାଜ ଉପଯୋଗୀ ନାଗରିକ ଗଠନ ପାଇଁ ଦାୟିତ୍ୱବାନ ମାଆଟିଏ ନିହାତି ଆବଶ୍ୟକ । ଗୋଟିଏ ଶିଶୁପାଇଁ ପ୍ରଥମ ଗୁରୁ ସହ ସର୍ବାଙ୍ଗୀନ ଉନ୍ନତିର ସାଥିଟିଏ ତା'ର ମାଆ ହିଁ ହୋଇଥାନ୍ତି । ଏଣୁ ଗୋଟିଏ ମାଆଙ୍କର ପ୍ରଥମ ଭୂମିକା ହେଲା ନିଜ ଶିଶୁଠାରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଓ ସେହି ପ୍ରତିଭାର ବିକାଶ ପାଇଁ ଆବଶ୍ୟକ ପରିବେଶ ଓ ସୁଯୋଗଟିଏ ପ୍ରଦାନ କରିବା । ସାଧରଣତଃ ଗୋଟିଏ ଶିଶୁ ତା' ପରିବାରରୁ ସବୁକିଛି ଶିଖିଥାଏ । ପୁଣି ସେଠାରେ ଅଧିକରୁ ଅଧିକ ସମୟ ତା ମାଆ ସହିତ ବିତାଇଥାଏ । ପ୍ରଥମେ ଶିଶୁକୁ ପୁଷ୍ଟିସାର ଖାଦ୍ୟ, ତା'ପରେ ଉତ୍ତମ ଶିକ୍ଷା ଓ ଶୃଙ୍ଖଳା, ବଳିଷ୍ଠ ବ୍ୟବହାର ତା' ମାଆ ହିଁ ଯୋଗାଇଥାଆନ୍ତି । ଶିଶୁଟି ପରବର୍ତ୍ତୀ ସମୟରେ ଯେ କୌଣସି କ୍ଷେତ୍ରରେ କାର୍ଯ୍ୟକଲେ ସେ ନିଜ ବାପା ମାଆ ଦେଇଥିବା ସଂସ୍କାର ଓ ଶିକ୍ଷାକୁ ପ୍ରତିପାଦନ କରିଥାଏ । ନିଜର ଶିଶୁ ଯେପରି (ସାଧାରଣ, ପ୍ରତିଭାବାନ, ଦିବ୍ୟାଙ୍ଗ) ହେଲେ ମଧ୍ୟ ଗୋଟିଏ ମାଆ ତା'କୁ ସର୍ବୋତ୍ତମ ବୋଲି ଗ୍ରହଣ କରିବା ଉଚିତ । ତାକୁ ଅନ୍ୟ ଶିଶୁ ସହପାଠୀଙ୍କ ସହ ତୁଳନା ନ କରି ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କଲେ ତା' ର ଅଭିବୃଦ୍ଧି ଘଟିପାରିବ । ସେ ଆତ୍ମବିଶ୍ୱାସୀ ହୋଇ ଶ୍ରେଷ୍ଠତା ପ୍ରତିପାଦନ କରିପାରିବ । ସେ ନିଜକୁ ସକ୍ଷମ ଭାବି ପାରିବ । ବର୍ତ୍ତମାନ ସମୟରେ ଦିନଚର୍ଯ୍ୟା, ଖାଦ୍ୟ ଗ୍ରହଣ ଶୈଳୀ, ସାମାଜିକ ଚଳଣି, ଏପରିକି ସବୁ କ୍ଷେତ୍ରରେ ଶିଶୁ ମାଆକୁ ଅନୁକରଣ କରିଥାଏ । ତେଣୁ ମାଆଟିଏ ଯେତେ ପୂର୍ଣାଙ୍ଗ ଓ ତ୍ରୁଟିଶୂନ୍ୟ ହେବେ ଶିଶୁକୁ ସେତେ ଆଦର୍ଶ ଓ ଶୃଙ୍ଖଳିତ କରିପାରିବେ । ଯେପରି ଉତ୍କୃଷ୍ଟ ଚାରାଟିଏ ପରବର୍ତ୍ତୀ ସମୟରେ ପରିବେଶକୁ ଦେଇଥିବା ଅବଦାନ ଅକଥନୀୟ ଓ ଅତୁଳନୀୟ ସେହିପରି ଉତ୍ତମଶିଶୁ ସମାଜପାଇଁ ବରଦାନ । ସମାଜକୁ ଉତ୍ତମ ଶିଶୁ ପ୍ରଦାନର ମାଧ୍ୟମ ହେଲେ ମାଆ । ନିଜ ଶିଶୁକୁ ଶାରୀରିକ, ମାନସିକ ବିକାଶ ସହ ତା'ର ଆଚରଣ ଓ ବ୍ୟବହାରରେ ଅଭିବୃଦ୍ଧି ଘଟାଇ ଉନ୍ନତ ଓ ବିକଶିତ ସମାଜ ତିଆରି କରିବାରେ ମାଆଙ୍କର ଭୂମିକା ଅବର୍ଣ୍ଣନୀୟ । ଜଣେ ପୂର୍ଣାଙ୍ଗ ମାଆ ଉତ୍ତମ ନାଗରିକ ପାଇଁ ମାଆ, ଗୁରୁ ଓ ସର୍ବଦା ଭଲ ବନ୍ଧୁଟିଏ । ମିନତି କୁମାରୀ ପାଠୀ, CRCC କରବାଲୁଆ କ୍ଲଷ୍ଟର, ଚିକିଟୀ NAC, ଗଞ୍ଜାମ ଫୋନ୍ ନଂ - 7978365313

  • ମୋତେ ଭୂଲ୍ ବୁଝିବନି ଯଶୋଧାରା

    ଜାଣେ ଯଶୋଧାରା ମୁଁ ସେଦିନ ଚାଲିଆସିବା ପରେ କ'ଣ ହେଇଥିବ ତୁମର ଅବସ୍ଥା ସହିପାରିବନି ବୋଲି ତ ଚାଲିଆସିଲି ନିରୋଳାରେ ନିସ୍ତବ୍ଧ ରାତ୍ରିରେ ଛନ୍ଦକ ସାଥୀରେ ।। କ'ଣ କରିଥାନ୍ତି କୁହ ମୁଁ ଥିଲି ନିରୂପାୟ ସଂସାରର ଦୁଃଖ ଯନ୍ତ୍ରଣା ବେଦନା ଆକ୍ତାମାକ୍ତା କରୁଥିଲା ମୋର ହୃଦୟ ଟିକେବି ଛୁଇଁ ପାରୁନଥିଲା ମୋତେ ରାଜକୀୟ ଭୋଗବିଳାସ ଭାବୁଥିଲି ମୃତ୍ୟୁ ଯଦି ସତ୍ୟ କାହିଁକି ଏ ଜୀବନ ହଁ, ଯାହା ବୁଝି ପାରୁ ନଥିଲା ତମ ଅଲିଅଳି ମନ।। ସେଇ ନିର୍ବାଣ ଲକ୍ଷରେ ମୋତେ ଛାଡିବାକୁ ହେଲା ସବୁକିଛି ଖାଲି ତମକୁ ନୁହେଁ ମୋତେ ପିତା ବୋଲି ଡାକିବାକୁ ଅପେକ୍ଷା କରିଥିବା ମୋର କଅଁଳ ସନ୍ତାନ ଆଉ ମୋର ପିତା ମାତା ଯାହାଙ୍କ ପାଇଁ ମୁଁ ଥିଲି ପ୍ରାଣ ତମେ ଅନେକ୍ ଲୁହ ନିଗାଡିଥିବ ମୋତେ ବି କହୁଥିବ ହୃଦୟହୀନ କୁନି ପୁତ୍ର ରାହୁଳ ପ୍ରତି ଅନ୍ଯାୟ କଲି ବୋଲି ଭାବୁଥିବ ହେଲେ ମନ ବିବେକର ଯୁଦ୍ଧକୁ ମୁଁ ଏଡେଇଗଲି ଜନ୍ମ ଜନ୍ମର ଚେତନା ଜିତିଗଲା ଯଶୋଧାରା ଛୁଇଁ ପାରିଲାନି ମୋତେ ଏ ମରଣଶୀଳ ଜୀବନର ସକଳ ସୌନ୍ଦର୍ଯ୍ୟ କାମନା ବାସନା ମୋହ ଐଶ୍ୱର୍ଯ୍ୟ... ଜାଣେ ତମେ କହିବ ମୁଁ ବୁଝିପାରିଲିନି ତୁମର ପ୍ରେମ ମା ଗୌତମୀଙ୍କ ବାତ୍ସଲ୍ୟ ମମତାର ମହାଦ୍ରୁମ ସୁଝି ପାରିଲିନି ଶୁଦ୍ଧୋଦନଙ୍କର ପିତୃତ୍ଵର ରୂଣ ହେଲେ କେମିତି କହିବି ତୁମକୁ ସବୁକିଛି ଲାଗୁଥିଲା ଯେମିତି ନିରସ ମୂଲ୍ୟହୀନ ଜାଣିଛ ! ଗୋଟିଏ ମୁହୂର୍ତ୍ତ ବଦଳେଇ ଦିଏ ଦିନ ବଦଳେଇ ଦିଏ ଜୀବନ ଆଉ ସେ ମହାର୍ଘ ମୁହୂର୍ତ୍ତରେ ମୋତେ ସବୁକିଛି ଲାଗୁଥିଲା ତୁଛ ବଳବତ୍ତର ହେଲା ମୋ ଭିତରେ ଜୀବନର ଚରମ ଲକ୍ଷ ଜାଣିଥିଲି ତମେ ବୁଝିବ ଦିନେ ମୋ ପଥର ଯାତ୍ରୀ ହେବ ନିଶ୍ଚେ ତମେ କ'ଣ ଖୁସି ନୁହେଁ ଯଶୋଧାରା ମୋ ବୁଦ୍ଧତ୍ବ ପ୍ରାପ୍ତିରେ !! ଭାବୁଛି କ୍ଷମା କରିଦେଇଥିବ ମୋତେ ବୁଝିଯାଇଥିବ ମୁଁ କହୁଥିବ କିଛି କଥା "କରୁଣା ହିଁ ମାନବିକତାର ପ୍ରଥମ ପରିଭାଷା ଆଜି ହିଁ ଶ୍ରେୟସ୍କର ଉନ୍ମେଷ କରିବାକୁ ଜୀବନର ଆଶା ଦୁର୍ବଳତା ନୁହେଁ ଅନ୍ତର ଭିତରେ ଜଳେଇ ରଖିବାକୁ ହେବ ଆସକ୍ତି ବିନାଶର ଆଲୋକ ବର୍ତ୍ତିକା ଏହାହିଁ ତ ଜୀବନ ତପସ୍ୟା ।।

  • ତମସୋ ମା ଜ୍ୟୋତିର୍ଗମୟ

    ମାଲିକର ବାହୁବନ୍ଧନରେ ଶ୍ଵାନ ଶାବକର ନିରୀହ ଚାହାଣି ସୂଚାଇ ଦେଉଛି..... ହେ ମୋର ରକ୍ଷାକର୍ତ୍ତା, ପ୍ରାଣକର୍ତ୍ତା ପ୍ରଭୁ ସ୍ୱାମୀ ମୋର । ଅନ୍ଧକାରରୁ ବାହାରି ଆସି ଆଲୋକର ଆଶୀର୍ବାଦ ନିଅ । କେତେଦିନ ଅନ୍ଧକାରରେ ବୁଡ଼ି ରହିଥିବ । ଦିନେ ଖୁଵ ନିକଟରେ ଥିବା ଆଲୋକ ନିଶ୍ଚିହ୍ନ ହୋଇଯିବ ଅନ୍ଧକାର ଛାୟାରେ। ଗଭୀର ଆତ୍ମବିଶ୍ୱାସ ତୁମର ଭ୍ରମାତ୍ମକ ହୋଇଯିବ। ମୁଁ ବଡ଼ ହୋଇଯିବି । ପଶୁ ସୁଲଭତା ମୋର ଜାଗ୍ରତ ହେବ। ସେତେବେଳେ ଏ ସ୍ନେହ ତୁମର ରହିବ ତ....???? ନରହିଲେ ଯନ୍ତ୍ରଣା ମୁଁ ପାଇବି। -ତୁମ ଭଲପାଇବା ଟା କଣ ସତରେ ସତ୍ୟ ? -ହଁ ସତ୍ୟ...... -ଶ୍ମଶାନ ସତ୍ୟ ଵୋଲି ସେ କଣ ମନ୍ଦିରରେ ସ୍ଥାନ ପାଇବ କି ? ତୁମେ ଯେପର୍ଯ୍ୟନ୍ତ ଏମିତି ଗଭୀର ନିଦ୍ରାରେ ଥିବ ତୁମ ସବୁ ଭଲପାଇବା ତମସାଛନ୍ନ ହୋଇ ରହିଥିବ। ଏପରି ଭଲପାଇବା ତୁମ ଦୁଃଖର କାରଣ ହେବ। ବିରଞ୍ଚି ନାରାୟଣ ମିଶ୍ର ଭୁବନେଶ୍ୱର

  • କଥା ଏତିକି - ପ୍ରଥମ ଭାଗ

    କୁଣିଆ ମଇତ୍ରରେ ଘର ଉଛୁଳି ପଡୁଛି । ଚିତ୍ରଲେଖା ମନରେ ସୁଖ ନାହିଁ । ଶ୍ରାବଣୀର ଏପର୍ଯ୍ୟନ୍ତ ଦେଖାନାହିଁ । ସମସ୍ତେ ପଚାରୁଛନ୍ତି ଶ୍ରାବଣୀ କଥା । କି ଉତ୍ତର ଦେବ ଚିତ୍ରଲେଖା । ନା କହିପାରୁଛି ନା କାନ୍ଦିପାରୁଛି । ସତରେ କଣ ଶ୍ରାବଣୀର ଅନୁପସ୍ଥିତ ଚିତ୍ରଲେଖାକୁ ଦୁଃଖ ଦେଉଛି ? ନା.... ଚିତ୍ରଲେଖା ଭାବନାର ଉପସ୍ଥିତ ହିଁ ତାକୁ ଦୁଃଖ ଦେଉଛି । [କ୍ରମଶଃ...] ବିରଞ୍ଚି ନାରାୟଣ ମିଶ୍ର ଭୁବନେଶ୍ୱର

bottom of page