Find On Web
49 items found for ""
- ବେଶୀ କିଛି ଚାହେଁନା
ବେଶୀ କିଛି ଚାହେଁନା ଏ କୁସୁମରୁ ଚାହେଁ ଟିକେ ପୁଲକ । ସେ ପୁଲକେ ଖେଳିଯିବ ଦୁନିଆରେ ହସ ଖୁସି ଅନେକ ।।୧।। ବେଶୀ କିଛି ଚାହେଁନା ଏ ପ୍ରଦୀପରୁ ଚାହେଁ ଟିକେ ଆଲୋକ । ସେ ଅଲୋକେ ଲିଭିଜିବ କାଳରାତି ଅନ୍ଧାରର ମୁଲକ ।।୨।। ବେଶୀ କିଛି ଚାହେଁନା ଏ ଗଛ ଠାରୁ ଚାହେଁ ଛାଇ ଟିକକ । ସେ ଛାଇରେ ଦୂର ହେବ ଖରା ତାତି ବସିଯିବ ପଥିକ ।।୩।। ବେଶୀ କିଛି ଚାହେଁନା ମୋ ହୃଦୟରୁ ଚାହେଁ ଟିକେ ଚମକ । ସେ ଚମକେ ପାଲଟିବ ପ୍ରତି ପ୍ରାଣ ସାହସର ପ୍ରତୀକ ।।୪।। ବେଶୀ କିଛି ଚାହେଁନା ଏ ମାଟିଠାରୁ ଚାହେଁ ପ୍ରେମ ଏତକ । ସେ ପ୍ରେମରେ ରହିବନି ରାଗ ଋଷା ଅଶାନ୍ତିର ଧମକ ।।୫।। ବେଶୀ କିଛି ଚାହେଁନା ଏ ପବନରୁ ଚାହେଁ ହେବି ଗାୟକ । ସେ ସ୍ୱରରେ ଫେରିଯିବ କେତେ ସ୍ମୃତି ଭିଜିଯିବ ପଲକ ।।୬।। ବେଶୀ କିଛି ଚାହେଁନା ଏ ମଣିଷଠୁ ଚାହେଁ ଟିକେ ବିବେକ । ଅଜ୍ଞାନକୁ ଜୟ କରି ସାଜିବ ସେ ବିଜୟର ଘୋଟକ ।।୭।। ରୁଦ୍ରରୂପା ବ୍ରହ୍ମା, ଦଶମ ଶ୍ରେଣୀ ଚିକିଟୀ ଗଡ଼, ଗଞ୍ଜାମ
- ଶିଶୁର ଭବିଷ୍ୟତ ଗଠନରେ ମାଆର ଭୂମିକା
ଅଧିକ ଓ ଉତ୍ତମ ଫସଲ ପାଇଁ ଯେମିତି ଉତ୍କୃଷ୍ଟ ବିହନ ଓ ଉପଯୋଗୀ ଖତ, ସାର ଆବଶ୍ୟକ ସେହିପରି ସଂସ୍କାରୀ ଓ ସମାଜ ଉପଯୋଗୀ ନାଗରିକ ଗଠନ ପାଇଁ ଦାୟିତ୍ୱବାନ ମାଆଟିଏ ନିହାତି ଆବଶ୍ୟକ । ଗୋଟିଏ ଶିଶୁପାଇଁ ପ୍ରଥମ ଗୁରୁ ସହ ସର୍ବାଙ୍ଗୀନ ଉନ୍ନତିର ସାଥିଟିଏ ତା'ର ମାଆ ହିଁ ହୋଇଥାନ୍ତି । ଏଣୁ ଗୋଟିଏ ମାଆଙ୍କର ପ୍ରଥମ ଭୂମିକା ହେଲା ନିଜ ଶିଶୁଠାରେ ଥିବା ପ୍ରତିଭାକୁ ଚିହ୍ନଟ କରିବା ଓ ସେହି ପ୍ରତିଭାର ବିକାଶ ପାଇଁ ଆବଶ୍ୟକ ପରିବେଶ ଓ ସୁଯୋଗଟିଏ ପ୍ରଦାନ କରିବା । ସାଧରଣତଃ ଗୋଟିଏ ଶିଶୁ ତା' ପରିବାରରୁ ସବୁକିଛି ଶିଖିଥାଏ । ପୁଣି ସେଠାରେ ଅଧିକରୁ ଅଧିକ ସମୟ ତା ମାଆ ସହିତ ବିତାଇଥାଏ । ପ୍ରଥମେ ଶିଶୁକୁ ପୁଷ୍ଟିସାର ଖାଦ୍ୟ, ତା'ପରେ ଉତ୍ତମ ଶିକ୍ଷା ଓ ଶୃଙ୍ଖଳା, ବଳିଷ୍ଠ ବ୍ୟବହାର ତା' ମାଆ ହିଁ ଯୋଗାଇଥାଆନ୍ତି । ଶିଶୁଟି ପରବର୍ତ୍ତୀ ସମୟରେ ଯେ କୌଣସି କ୍ଷେତ୍ରରେ କାର୍ଯ୍ୟକଲେ ସେ ନିଜ ବାପା ମାଆ ଦେଇଥିବା ସଂସ୍କାର ଓ ଶିକ୍ଷାକୁ ପ୍ରତିପାଦନ କରିଥାଏ । ନିଜର ଶିଶୁ ଯେପରି (ସାଧାରଣ, ପ୍ରତିଭାବାନ, ଦିବ୍ୟାଙ୍ଗ) ହେଲେ ମଧ୍ୟ ଗୋଟିଏ ମାଆ ତା'କୁ ସର୍ବୋତ୍ତମ ବୋଲି ଗ୍ରହଣ କରିବା ଉଚିତ । ତାକୁ ଅନ୍ୟ ଶିଶୁ ସହପାଠୀଙ୍କ ସହ ତୁଳନା ନ କରି ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କଲେ ତା' ର ଅଭିବୃଦ୍ଧି ଘଟିପାରିବ । ସେ ଆତ୍ମବିଶ୍ୱାସୀ ହୋଇ ଶ୍ରେଷ୍ଠତା ପ୍ରତିପାଦନ କରିପାରିବ । ସେ ନିଜକୁ ସକ୍ଷମ ଭାବି ପାରିବ । ବର୍ତ୍ତମାନ ସମୟରେ ଦିନଚର୍ଯ୍ୟା, ଖାଦ୍ୟ ଗ୍ରହଣ ଶୈଳୀ, ସାମାଜିକ ଚଳଣି, ଏପରିକି ସବୁ କ୍ଷେତ୍ରରେ ଶିଶୁ ମାଆକୁ ଅନୁକରଣ କରିଥାଏ । ତେଣୁ ମାଆଟିଏ ଯେତେ ପୂର୍ଣାଙ୍ଗ ଓ ତ୍ରୁଟିଶୂନ୍ୟ ହେବେ ଶିଶୁକୁ ସେତେ ଆଦର୍ଶ ଓ ଶୃଙ୍ଖଳିତ କରିପାରିବେ । ଯେପରି ଉତ୍କୃଷ୍ଟ ଚାରାଟିଏ ପରବର୍ତ୍ତୀ ସମୟରେ ପରିବେଶକୁ ଦେଇଥିବା ଅବଦାନ ଅକଥନୀୟ ଓ ଅତୁଳନୀୟ ସେହିପରି ଉତ୍ତମଶିଶୁ ସମାଜପାଇଁ ବରଦାନ । ସମାଜକୁ ଉତ୍ତମ ଶିଶୁ ପ୍ରଦାନର ମାଧ୍ୟମ ହେଲେ ମାଆ । ନିଜ ଶିଶୁକୁ ଶାରୀରିକ, ମାନସିକ ବିକାଶ ସହ ତା'ର ଆଚରଣ ଓ ବ୍ୟବହାରରେ ଅଭିବୃଦ୍ଧି ଘଟାଇ ଉନ୍ନତ ଓ ବିକଶିତ ସମାଜ ତିଆରି କରିବାରେ ମାଆଙ୍କର ଭୂମିକା ଅବର୍ଣ୍ଣନୀୟ । ଜଣେ ପୂର୍ଣାଙ୍ଗ ମାଆ ଉତ୍ତମ ନାଗରିକ ପାଇଁ ମାଆ, ଗୁରୁ ଓ ସର୍ବଦା ଭଲ ବନ୍ଧୁଟିଏ । ମିନତି କୁମାରୀ ପାଠୀ, CRCC କରବାଲୁଆ କ୍ଲଷ୍ଟର, ଚିକିଟୀ NAC, ଗଞ୍ଜାମ ଫୋନ୍ ନଂ - 7978365313
- ମୋତେ ଭୂଲ୍ ବୁଝିବନି ଯଶୋଧାରା
ଜାଣେ ଯଶୋଧାରା ମୁଁ ସେଦିନ ଚାଲିଆସିବା ପରେ କ'ଣ ହେଇଥିବ ତୁମର ଅବସ୍ଥା ସହିପାରିବନି ବୋଲି ତ ଚାଲିଆସିଲି ନିରୋଳାରେ ନିସ୍ତବ୍ଧ ରାତ୍ରିରେ ଛନ୍ଦକ ସାଥୀରେ ।। କ'ଣ କରିଥାନ୍ତି କୁହ ମୁଁ ଥିଲି ନିରୂପାୟ ସଂସାରର ଦୁଃଖ ଯନ୍ତ୍ରଣା ବେଦନା ଆକ୍ତାମାକ୍ତା କରୁଥିଲା ମୋର ହୃଦୟ ଟିକେବି ଛୁଇଁ ପାରୁନଥିଲା ମୋତେ ରାଜକୀୟ ଭୋଗବିଳାସ ଭାବୁଥିଲି ମୃତ୍ୟୁ ଯଦି ସତ୍ୟ କାହିଁକି ଏ ଜୀବନ ହଁ, ଯାହା ବୁଝି ପାରୁ ନଥିଲା ତମ ଅଲିଅଳି ମନ।। ସେଇ ନିର୍ବାଣ ଲକ୍ଷରେ ମୋତେ ଛାଡିବାକୁ ହେଲା ସବୁକିଛି ଖାଲି ତମକୁ ନୁହେଁ ମୋତେ ପିତା ବୋଲି ଡାକିବାକୁ ଅପେକ୍ଷା କରିଥିବା ମୋର କଅଁଳ ସନ୍ତାନ ଆଉ ମୋର ପିତା ମାତା ଯାହାଙ୍କ ପାଇଁ ମୁଁ ଥିଲି ପ୍ରାଣ ତମେ ଅନେକ୍ ଲୁହ ନିଗାଡିଥିବ ମୋତେ ବି କହୁଥିବ ହୃଦୟହୀନ କୁନି ପୁତ୍ର ରାହୁଳ ପ୍ରତି ଅନ୍ଯାୟ କଲି ବୋଲି ଭାବୁଥିବ ହେଲେ ମନ ବିବେକର ଯୁଦ୍ଧକୁ ମୁଁ ଏଡେଇଗଲି ଜନ୍ମ ଜନ୍ମର ଚେତନା ଜିତିଗଲା ଯଶୋଧାରା ଛୁଇଁ ପାରିଲାନି ମୋତେ ଏ ମରଣଶୀଳ ଜୀବନର ସକଳ ସୌନ୍ଦର୍ଯ୍ୟ କାମନା ବାସନା ମୋହ ଐଶ୍ୱର୍ଯ୍ୟ... ଜାଣେ ତମେ କହିବ ମୁଁ ବୁଝିପାରିଲିନି ତୁମର ପ୍ରେମ ମା ଗୌତମୀଙ୍କ ବାତ୍ସଲ୍ୟ ମମତାର ମହାଦ୍ରୁମ ସୁଝି ପାରିଲିନି ଶୁଦ୍ଧୋଦନଙ୍କର ପିତୃତ୍ଵର ରୂଣ ହେଲେ କେମିତି କହିବି ତୁମକୁ ସବୁକିଛି ଲାଗୁଥିଲା ଯେମିତି ନିରସ ମୂଲ୍ୟହୀନ ଜାଣିଛ ! ଗୋଟିଏ ମୁହୂର୍ତ୍ତ ବଦଳେଇ ଦିଏ ଦିନ ବଦଳେଇ ଦିଏ ଜୀବନ ଆଉ ସେ ମହାର୍ଘ ମୁହୂର୍ତ୍ତରେ ମୋତେ ସବୁକିଛି ଲାଗୁଥିଲା ତୁଛ ବଳବତ୍ତର ହେଲା ମୋ ଭିତରେ ଜୀବନର ଚରମ ଲକ୍ଷ ଜାଣିଥିଲି ତମେ ବୁଝିବ ଦିନେ ମୋ ପଥର ଯାତ୍ରୀ ହେବ ନିଶ୍ଚେ ତମେ କ'ଣ ଖୁସି ନୁହେଁ ଯଶୋଧାରା ମୋ ବୁଦ୍ଧତ୍ବ ପ୍ରାପ୍ତିରେ !! ଭାବୁଛି କ୍ଷମା କରିଦେଇଥିବ ମୋତେ ବୁଝିଯାଇଥିବ ମୁଁ କହୁଥିବ କିଛି କଥା "କରୁଣା ହିଁ ମାନବିକତାର ପ୍ରଥମ ପରିଭାଷା ଆଜି ହିଁ ଶ୍ରେୟସ୍କର ଉନ୍ମେଷ କରିବାକୁ ଜୀବନର ଆଶା ଦୁର୍ବଳତା ନୁହେଁ ଅନ୍ତର ଭିତରେ ଜଳେଇ ରଖିବାକୁ ହେବ ଆସକ୍ତି ବିନାଶର ଆଲୋକ ବର୍ତ୍ତିକା ଏହାହିଁ ତ ଜୀବନ ତପସ୍ୟା ।।
- ତମସୋ ମା ଜ୍ୟୋତିର୍ଗମୟ
ମାଲିକର ବାହୁବନ୍ଧନରେ ଶ୍ଵାନ ଶାବକର ନିରୀହ ଚାହାଣି ସୂଚାଇ ଦେଉଛି..... ହେ ମୋର ରକ୍ଷାକର୍ତ୍ତା, ପ୍ରାଣକର୍ତ୍ତା ପ୍ରଭୁ ସ୍ୱାମୀ ମୋର । ଅନ୍ଧକାରରୁ ବାହାରି ଆସି ଆଲୋକର ଆଶୀର୍ବାଦ ନିଅ । କେତେଦିନ ଅନ୍ଧକାରରେ ବୁଡ଼ି ରହିଥିବ । ଦିନେ ଖୁଵ ନିକଟରେ ଥିବା ଆଲୋକ ନିଶ୍ଚିହ୍ନ ହୋଇଯିବ ଅନ୍ଧକାର ଛାୟାରେ। ଗଭୀର ଆତ୍ମବିଶ୍ୱାସ ତୁମର ଭ୍ରମାତ୍ମକ ହୋଇଯିବ। ମୁଁ ବଡ଼ ହୋଇଯିବି । ପଶୁ ସୁଲଭତା ମୋର ଜାଗ୍ରତ ହେବ। ସେତେବେଳେ ଏ ସ୍ନେହ ତୁମର ରହିବ ତ....???? ନରହିଲେ ଯନ୍ତ୍ରଣା ମୁଁ ପାଇବି। -ତୁମ ଭଲପାଇବା ଟା କଣ ସତରେ ସତ୍ୟ ? -ହଁ ସତ୍ୟ...... -ଶ୍ମଶାନ ସତ୍ୟ ଵୋଲି ସେ କଣ ମନ୍ଦିରରେ ସ୍ଥାନ ପାଇବ କି ? ତୁମେ ଯେପର୍ଯ୍ୟନ୍ତ ଏମିତି ଗଭୀର ନିଦ୍ରାରେ ଥିବ ତୁମ ସବୁ ଭଲପାଇବା ତମସାଛନ୍ନ ହୋଇ ରହିଥିବ। ଏପରି ଭଲପାଇବା ତୁମ ଦୁଃଖର କାରଣ ହେବ। ବିରଞ୍ଚି ନାରାୟଣ ମିଶ୍ର ଭୁବନେଶ୍ୱର
- କଥା ଏତିକି - ପ୍ରଥମ ଭାଗ
କୁଣିଆ ମଇତ୍ରରେ ଘର ଉଛୁଳି ପଡୁଛି । ଚିତ୍ରଲେଖା ମନରେ ସୁଖ ନାହିଁ । ଶ୍ରାବଣୀର ଏପର୍ଯ୍ୟନ୍ତ ଦେଖାନାହିଁ । ସମସ୍ତେ ପଚାରୁଛନ୍ତି ଶ୍ରାବଣୀ କଥା । କି ଉତ୍ତର ଦେବ ଚିତ୍ରଲେଖା । ନା କହିପାରୁଛି ନା କାନ୍ଦିପାରୁଛି । ସତରେ କଣ ଶ୍ରାବଣୀର ଅନୁପସ୍ଥିତ ଚିତ୍ରଲେଖାକୁ ଦୁଃଖ ଦେଉଛି ? ନା.... ଚିତ୍ରଲେଖା ଭାବନାର ଉପସ୍ଥିତ ହିଁ ତାକୁ ଦୁଃଖ ଦେଉଛି । [କ୍ରମଶଃ...] ବିରଞ୍ଚି ନାରାୟଣ ମିଶ୍ର ଭୁବନେଶ୍ୱର
- ଦୁଇ ଦିନିଆଁ ଜୀବନ୍
ଜୀବନ୍ ଆଏତ ପାଏନ୍ ଫୁଟକା ମୁନୁଷ୍ ଭରମେଁ କେତେ, ଜନମ୍ ଥିଲେ ତ ମରନ୍ ଟେ ଅଛେ ପରଭୁ ହେଲେ ବି ସତେ । ବନ୍ଧୁ ବାନ୍ଧବ କୁଟୁମ୍ ବାଟୁମ୍ ସବୁତ ଆଏ ବେକାର୍ , ପରାନ୍ ଛାଡଲେ ଅଛୁଆଁ କହେବେ କରବେ ଛିଛିକାର୍ । ମଶାନର୍ ଜୁଏ ସଜା ହେଇଥିବା ଖଇ ଝିଂଟି ନେବେ ବୁହି, ଜନମ୍ ମରନ୍ ଦୁଇଟା ଜିନିଷ୍ ଦୁନିଆଁରେ ସତ୍ ଭାଇ । କିଏ କହୁଥିବା ବନେ ଲୁକ୍ ଥିଲା କିଏ ଦେଉଥିବା ଗାଲି, କିଏ କାନ୍ଦୁଥିବା ଗୁଲ୍ ଗୁଲା ହେଇ କିଏ ମାରୁଥିବା ତାଲି । ଜିଇଁ ଥିବା ଯାଏ ଜପ ରାମ୍ ନାମ୍ ଜୀବନ୍ ଟା ହେବା ସାର୍ , ମୁନୁଷ୍ ଜୀବନ୍ ତ ଦୁଇ ଦିନିଆଁ ଛାଡ୍ ଲୁଭ୍ ଅହଁକାର୍ ।
- ବଧୁବେଶ
ସ୍ମୃତି ଆଉ ଭାବନାର ନଈ କୂଳେ କୂଳେ ଝରି ଝରି ଯାଉଥିଲା ନିରାଶାର ବାଲି ଶୂନସାନ ନଈପଠା ନିଃଶବ୍ଦ ସେ କାଶତଣ୍ଡୀ ବଣ ରହି ରହି ବାଜୁଥିଲା ବିରହ ବାଂଶୁରୀ ବସିଥିଲି ଏକା ଏକା ଚାହିଁରହି ତୁମର ସେ ଫେରିବା ବାଟକୁ ସେବେଳେ ଫେରିଲ ତୁମେ ପ୍ରୀତିଫୁଲ ହାତେ ଧରି ଛିନ୍ନ କରି ଦୁନିଆଁର ସବୁ ବନ୍ଧନକୁ ଟିକି ଟିକି ଓଠ ମେଲି କହିଥିଲ ଦେଖ ପ୍ରିୟ ତୁମପାଇଁ ହସ୍ତ ପଦୁ ଖୋଲିଛି ମୁଁ ଅନାବନା ସମ୍ପର୍କର ବେଡି ଯା ବଦଳେ ପିନ୍ଧିଅଛି ବ୍ୟଥାର ପାଉଁଜି ଆଉ ବେଦନାର ଚୁଡି ଲଗାଇଛି ମଥାରେ ମୋ କଳଙ୍କ ସିନ୍ଦୁର କୋହ ମୋର ଛାତିର ଭୂଷଣ ପୁଣି ଲୁହକୁ କରିଛି ଦେଖ ନୟନରେ କଜ୍ଵଳର ଗାର ଦେହ ଢାଙ୍କି ଅଛି ଦେଖ ଯନ୍ତ୍ରଣାର ରେଶମୀ ଶାଢୀରେ ପାଦ ଆଉ ହାତର ଆଙ୍ଗୁଠି ସଜାଇଛି ଜ୍ଵାଳାର ଝୁଣ୍ଟିଆ ଆଉ ହତାଶା ମୁଦିରେ ବାକି ଯାହା ରହିଗଲା ଦେଖି ତୁମେ ଖଞ୍ଜି ଦିଅ ନିଜ ହାତେ ମୋହରି ଦେହରେ ବଧୁ ବେଶ କରି ନେଇ ବସାଅ ଗୋ ମତେ ନେଇ ବୟସର ଫୁଲ ବିଛଣାରେ ତୁମକଥା ଶୁଣି ଯେବେ ମଥାରେ ଟାଣିଲି ତୁମ ଦୁଃଖର ଓଢଣା ପୁଣି ମୋ ଦେହର ରକତକୁ କଲି ତୁମ ପାଦରେ ଅଳତା ଚାହିଁ ମତେ ହସିଦେଲ ମୋ ଛାତିରେ ଢଳି ପଡି ନରମ କଣ୍ଠେ କହିଲ ଜୀବନ ଦୀପରେ ଆମେ ବିଶ୍ଵାସର ଘିଅ ଢାଳି ଜନ୍ମ ଜନ୍ମାନ୍ତର ପାଇଁ ଜାଳୁଥିବା ପ୍ରେମର ସଳିତା
- କଥା ଏତିକି - ତୃତୀୟ ଭାଗ
ଚିତ୍ରଲେଖା ସ୍ୱାମାଜୀଙ୍କୁ ମୁଣ୍ଡିଆ ମାରି ପ୍ରଶ୍ନ କଲା । ସ୍ୱାମୀଜୀ ସବୁ କଣ ମୋରି ଦୋଷ । ଶ୍ରାବଣୀ ଯେପରି ବ୍ୟବହାର କରୁଛି ଗୋଟେ ମା ହୋଇ କେମିତି ସହିବି । ତା'ପାଇଁ ମୁଁ କଣ ନକରିଛି ! ସୁଖଦବା କଥା ଛାଡ଼ନ୍ତୁ, ପ୍ରତିମୁହର୍ତ୍ତରେ ମୋତେ ଦୁଃଖ ଦେଇ ଚାଲିଛି । ମୋ କଷ୍ଟ କଣ ସବୁ ବୃଥା । ସ୍ୱାମୀଜୀ : ଚିତ୍ରଲେଖା ତିନିଦିନ ହେଲା କେବଳ ତୁମର ଦୁଃଖ ଶୁଣିଆସୁଛି । ତୁମ ଜୀବନ ବିଷୟରେ କିଛି ଜାଣିଲି ନାହିଁ । ଚିତ୍ରଲେଖା ଆଖିରୁ ଦୁଇଧାର ଲୁହ ଗଡ଼ିଗଲା । କାନିରେ ଲୁହ ପୋଛି, ତାଜୀବନ କଥା ଆରମ୍ଭ କଲା...। ପୁରୀ ଜ଼ିଲ୍ଲା ଅସ୍ତରଙ୍ଗ ସମୁଦ୍ରକୁଳ ନିକଟ ଏକ ଆଖ୍ୟାତ ପଲ୍ଲୀ ଗ୍ରାମରେ ନିମ୍ନମଧ୍ୟବିତ ପରିବାରରେ ମୋର ଜନ୍ମ । ଆମେ ତିନି ଭଉଣୀ, ମା ଓ ବାପାଙ୍କୁ ନେଇ ଆମର ଛୋଟ ପରିବାର । ବାପା ଗାଁ ପାଖ ଏକ ଚିଙ୍ଗୁଡ଼ି କମ୍ପାନୀରେ ଚୌକିଦାର ଚାକିରୀ କରନ୍ତି । ମା ପରଘରେ କାମକରେ । ତିନିଭଉଣୀଙ୍କ ଭିତରେ ମୁଁ ବଡ଼ । ଆମେ ତିନି ଭଉଣୀ ଭଲ ପାଠ ପଢ଼ୁଥିଲୁ । ବିଶେଷକରି ମୁଁ ଦୁଇ ଭଉଣୀଙ୍କ ଠାରୁ ଭଲ ପଢ଼ୁଥିଲି । ବାପା ମା ଆମ ପାଠପଢ଼ାରେ ସେମାନଙ୍କର ସମସ୍ତ କଷ୍ଟାର୍ଜିତ ରୋଜଗାର ଖର୍ଚ୍ଚ କରିବାରେ କୁଣ୍ଠାବୋଧ କରୁନଥିଲେ । ଦୁଃଖକଷ୍ଟେ ଜୀବନ ଆମର ବିତିଯାଉଥିଲା । ଆମ ଗାଁ ର ସତ୍ୟକାମ ଭାରି ଭଲପିଲା ଥିଲା । ଭଲ ବି ପଢୁଥିଲା । ସେ ଯେଉଁଦିନ ଗାଁ ପାଖ ସହରରେ ଚାକିରୀ ପାଇଲା ସାରା ଗାଁ ଲୋକ ଖୁସିରେ ଆତ୍ମହରା ହୋଇ ପଡିଥିଲେ, ସବୁଠୁ ବେଶୀ ଖୁସି ହୋଇଥିଲା ମୋ ମାଆ । ଦିନେ ରାତିରେ ମାଆ ବାପାଙ୍କୁ କହୁଥିଲା : ହେଇଟି ଶୁଣୁଚ ଚିତ୍ରଲେଖାକୁ ଏକୋଇଶି ପୁରି ବାଇଶି ଚାଲିଲାଣି ଆମର ଯୋଉ ଅବସ୍ଥା ଝିଅ ବୋଝକୁ କେତେଦିନ ଆମେ ସମ୍ଭାଳି ପାରିବା । ହାତକୁ ଦୁଇହାତ କରିଦେଲେ ଝିଅ ଜଂଜାଳରୁ ଟିକେ ହାଲକା ହୋଇଯିବା, ପଛକୁ ପଛ ଏ ସାନଦୁଇଟା । ତାଙ୍କ କଥା ମୁଁ ଭାବିପାରୁନି । ସତ୍ୟକାମ ଭାରି ଭଲପିଲା ସରକାରୀ ଚାକିରୀ କଲାଣି ତୁମେ ତା ବାପାଙ୍କୁ ଚିତ୍ରଲେଖା ପାଇଁ ପ୍ରସ୍ତାବ ଦଉନ । ବାପା କହୁଥିଲେ : ବହୁତ ଭଲ ପ୍ରସ୍ତାବ ଯେ... ଯେ କଣ ବଢିଲା ପୁଅ ଝିଅ ଘରେ ଥିଲେ ପ୍ରସ୍ତାବ ଦେବାଟା କଣ ଭୁଲ କଥା। ମାଆ କହିଲା । ଦିନେ ମାଆ କଥା ମାନି ବାପା ମୋ ପ୍ରସ୍ତାବ ସତ୍ୟକାମ ବାପାଙ୍କୁ କହିଲେ । ଡେରି ଟିକେ ହେଲା ସିନା ସତ୍ୟକାମ ବାପା ରାଜି ହେଲେ । ସର୍ତ୍ତ ରହିଲା ମୋଟର ସାଇକେଲ, ଘଣ୍ଟା, ସୁନାମୁଦି, ଚେନ ଜୋଇଁକୁ ବାପା ଦେବେ । ବାପାଙ୍କର ହୋସ ଉଡ଼ିଗଲା । ମାଆ କହିଲା ହଁ ଦିଆହେବ । ବାପା - କେମିତି ମାଆ - ତୁମେ over time କରିବ। ଆଉ ଦଶ ଘର ମୁଁ ଅଧିକା କାମ କରିବି । ମୋ ବାହାଘର ସୁରୁଖୁରୁରେ ହୋଇଗଲା । ସର୍ତ୍ତର ଦୁଇଟିକୁ ଛାଡି । ବାପାଙ୍କ ଗୁହାରୀ ମଞ୍ଜୁର ହୋଇଥିଲା ଦୁଇମାସର ମହଲତ ବିନିମୟରେ ସତ୍ୟକାମ ବାପାଙ୍କ ମାନବିକତା ମୂଲ୍ୟବୋଧ ବିନିମୟରେ । ଏକ ସୁନାମୁଦି, ଦୁଇ ସୁନା ଚେନ । ତେଲିଙ୍ଗି ବାଇଦ ବାଜା, ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣ ଓ ସଭିଙ୍କ ଆନନ୍ଦ ଉଲ୍ଲାସ ଭିତରେ ମୋ ବାହାଘର ସରିଗଲା । ଝିଅ ବିଦାୟ ସମୟ ପାଖେଇ ଆସିଲା । ସାତସମୁଦ୍ରର ଲୁହ ମୋ ଆଖିରେ । ବାପା ମାଆଙ୍କ ମୁହଁକୁ ମୁଁ ଚାହିଁ ପାରିନଥିଲି । ଓଢଣାକୁ ଟାଣିଦେଉଥିଲି । ବାପା ମୋ ମୁହଁ ଦେଖିବାକୁ କେତେ ବିକଳ ହଉଥିଲେ ତା ଜାଣିବି ଓଢଣାକୁ ଜୋରରେ ଧରିଥିଲି । ଜାଣିଥିଲି ଥରେ ଓଢଣା ଛାଡିଦେଲେ ଲୁହର ବନ୍ୟାରେ... କଣ ଗୋଟେ ହୋଇଯିବ । ବାପାଙ୍କର ବାରମ୍ବାର ମୋ ମୁହଁ ଦେଖିବା ଓ ଓଢଣା ଭିତରେ ମୋ ମୁହଁକୁ ଲୁଚାଇ ରଖିବାର ଚେଷ୍ଟାରେ ଉପସ୍ଥିତି ସବୁ ଲୋକମାନେ କଥା ହେଉଥିଲେ ସତରେ ବାପ ମାଆ କି ସଂସ୍କାର ଶିଖାଇଛନ୍ତି । ଶେଷକୁ ମୁଁ ହାରିଗଲି । ବାପା ମୋ ମୁହଁ ଦେଖିଦେଲେ । କୁଆଡେ ଗଲା ସେ ସାତସମୁଦ୍ରର ଲୁହ ମୋ ଆଖିରୁ !!! ସତେକଣ ଦଧୀଚି ମୁନି ଗୋଟିଏ ଚଳୁରେ ଶୋଷି ନେଇଗଲେ । ବାପାଙ୍କ ମୁହଁକୁ ନିରେଖି ଦେଖିଲି । ମୋର ସବୁ ଲୁହ ସବୁ କାନ୍ଦ କୁଆଡେ ଉଭେଇ ଗଲା । କେମିତି ମୁଁ ଶୂନ୍ୟଗର୍ଭା ହୋଇଗଲି । ମୋ ଆଖିରେ ନାଚିଗଲା ବାପା ମାଆଙ୍କ ନିରୀହ ମୁହଁ । ମୋ ସୁଖ ନିଲାମ ହୋଇଗଲା, ବାପାଙ୍କ over time ଓ ମାଆର ଦଶଘର ବାସି ପାଇଟିରେ । ସବାରୀ ଭିତରେ ଅର୍ଦ୍ଧ ଚେତନ ଅବସ୍ଥାରେ ଶାଶୁଘରକୁ ଗଲି । ଭୋ ଭୋ କାନ୍ଦି ସ୍ୱାମୀଜୀଙ୍କ ଗୋଡ଼ତଳେ ମୁଣ୍ଡ ପିଟିବାକୁ ଲାଗିଲା ଚିତ୍ରଲେଖା । ମୋ ସୁଖସଂସାର ବେଶୀଦିନ ରହିଲାନି ସ୍ୱାମୀଜୀ... ମୁଁ ମୋ ଜୀବନ କଥା ଆଜି କହିପାରିବିନି । ମୋତେ କ୍ଷମା କରିବେ । କାଲି କହିବି । [କ୍ରମଶଃ...] ବିରଞ୍ଚି ନାରାୟଣ ମିଶ୍ର ଭୁବନେଶ୍ୱର
- କଥା ଏତିକି - ଦ୍ଵିତୀୟ ଭାଗ
ଗୋଟିଏ କଥା ଚିତ୍ରଲେଖା ମନରେ ବାରମ୍ବାର ପ୍ରତିଧ୍ୱନିତ ହେଉଛି । ଶ୍ରାବଣୀର ଅନୁପସ୍ଥିତି ଦୁଃଖର କାରଣ ନୁହେଁ । ମୋ ଭାବନାର ଉପସ୍ଥିତି ଦୁଃଖର କାରଣ । ତେବେ ଭାବନାର ଉପସ୍ଥିତିକୁ କିପରି ଏଡାଇ ହେବ । ପ୍ରଶ୍ନ ରଖିଲା ସ୍ୱାମୀଜୀଙ୍କ ଆଗେ ଚିତ୍ରଲେଖା । ସ୍ୱାମୀଜୀଙ୍କ ଉତ୍ତର - ଭାବନା ଏଡାଇବା ଅସମ୍ଭବ । ଚିତ୍ରଲେଖା - ତେବେ ମୁଁ ବଞ୍ଚିବି କିପରି ? ସ୍ୱାମୀଜୀ - ଭାବନାକୁ ଏଡାଇଦେଲେ ଏ ପୃଥିବୀ ସ୍ଥାଣୁ ହୋଇଯିବ । ତୁମେ ମୋ ପାଖକୁ କେମିତି ଆସିଛ ? ଚିତ୍ରଲେଖା - ମୋ କାରରେ । ସ୍ୱାମୀଜୀ - ଭାବନା ନଥିଲେ କାର ପ୍ରସ୍ତୁତି ହୋଇ ପାରିନଥାନ୍ତା । ପୃଥିବୀରେ ରହିବା, ଖାଇବା, ପିନ୍ଧିବା, ଗମନାଗମନ, ଶିକ୍ଷା ଓ ମନୋରଞ୍ଜନ ସୃଷ୍ଟି ପଛର ମୂଳ ରହସ୍ୟ କେବଳ ଭାବନା । ଚିତ୍ରଲେଖା - ତାହେଲେ ଭାବନା କିପରି ଦୁଃଖର କାରଣ ? ସ୍ୱାମୀଜୀ - ଭାବନା ଯେତେବେଳେ କାମନାରେ ରୂପାନ୍ତରିତ ହୋଇଯାଏ ସେତେବେଳେ ଏହା ଦୁଃଖର କାରଣ ହୋଇଯାଏ । ଚିତ୍ରଲେଖା - ଭାବନା କିପରି କାମନାରେ ପରିଣତ ହୁଏ ? ସ୍ୱାମୀଜୀ - ଭାବନା ଯେତେବେଳେ ମୁଁ ଓ ମୋର ହୋଇଯାଏ ସେତେବେଳେ ଏହା କାମନାରେ ପରିଣତ ହୁଏ । ମନରେ କାମନା ଦୀର୍ଘ ଦିନ ବସା ବାନ୍ଧିଲେ ଏହା ଧୀରେ ଧୀରେ ତୁମ ଚରିତ୍ର ହୋଇ ସବୁସମୟରେ ତୁମକୁ ଦୁଃଖ ଦିଏ । ଏବେ କୁହ ତୁମ ଦୁଃଖର ଜନନୀ କିଏ ? ଶ୍ରାବଣୀ ନା ତୁମେ । ଏତିକି କହି ସ୍ୱାମୀଜୀ ଆଶ୍ରମର ଭିତର କୋଠରୀକୁ ଚାଲିଗଲେ । [କ୍ରମଶଃ...] ବିରଞ୍ଚି ନାରାୟଣ ମିଶ୍ର ଭୁବନେଶ୍ୱର
- ବାଇକ
କାର୍ତ୍ତିକ ମାସ... ପୁଅ, ଚାଲୁନୁ ଟିକେ ପୁରୀ ଯାଇ କାଳିଆକୁ ଦର୍ଶନ କରି ଆସିବା... ସନ୍ଧ୍ୟାରେ ଘରକୁ ପଶୁ ପଶୁ ବାପା ମୋର ଏମିତି କିଛି ଗୁଡିଏ କଥା ମୋତେ କହିଲେ । ମୁଁ କହିଲି ହଉ ଠିକ ଅଛି ଆସନ୍ତା କାଲି ସୋମବାର, ଆମେ ବାପ ପୁଅ ମିଶି ବାଇକ ରେ ପୁରୀ ଯିବା । ମୋ କଥା ଶୁଣି ବାପାଙ୍କ ଆନନ୍ଦ କହିଲେ ନସରେ । ସକାଳୁ ସକାଳୁ ବାପା ଗାଧୁଆ ପାଧୁଆ ସାରି ଠାକୁର ପୂଜା କରିଲେଣି । ଆଉ କିଛି ସମୟପରେ ଆମେ ମିଶି ପୁରୀ ଯିବୁ ଜଗନ୍ନାଥ ଦର୍ଶନ କରିବାକୁ । ମୁଁ ମଧ୍ୟ ମୋର ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇଗଲି ପୁରୀ ଅଭିମୁଖେ ଯାତ୍ରା କରିବା ପାଇଁ । ମୋର ହୋଣ୍ଡା ସାଇନ ବାଇକଟିକୁ ଟିକେ ପୋଛାପୋଛି କରିବା ପରେ ମୋ ବାପା ମୋ ବାଇକରେ ଫୁଲପାଣି ଦେଇ ପୂଜା କରିଦେଲେ । ଏମିତିରେ ସବୁଦିନ ମୋର ଦୁଇଟି ଯାକ ବାଇକକୁ ମୋ ବାପା ସଦାବେଳେ ସକାଳୁ ଫୁଲପାଣି ଦେଇ ପୂଜା କରିଥାନ୍ତି । ଯେତେବେଳେ ମୋ ବାଇକ ଦୁଇଟି ସକାଳୁ ସକାଳୁ ମୋ ବାପା ପୂଜା କରନ୍ତି, ମନେ ମନେ ବହୁତ ଗର୍ବ ଅନୁଭବ କରନ୍ତି । ଆଉ ଡେରି ନକରି ବାହାରି ପଡିଲୁ ପୁରୀ ଅଭିମୁଖେ । ମୋ ବାପା ମୋ ପଛରେ ବାଇକରେ ବସିଥାନ୍ତି । ପ୍ରାୟତଃ ଆମେ ଚନ୍ଦନପୁର ପାଖାପାଖି ହୋଇ ଗଲୁଣି । ମୋତେ ଏମିତି କିଛି ଅନୁଭବ ହେଲାକି, ମୋ ବାପା ଗୁମୁରି ଗୁମୁରି କାନ୍ଦୁଛନ୍ତି । ବାଇକର ଗତିକୁ ଧୀର କରି ରଖିବାକୁ ଚେଷ୍ଟା କଲି । ତାପରେ ବାଇକଟିକୁ ଷ୍ଟାର୍ଟ ବନ୍ଦ କରି ଠିଆ ହୋଇଗଲି । ବାପା ପଚାରିଲେ... - ପୁଅ ଏଠି କାହିଁକି ଗାଡି ରଖିଲୁ ? ମୁଁ କିଛି ନ କହି ମୋ ଆଖି ଦୁଇଟି ବାପାଙ୍କର ମୁହଁକୁ ଦେଖିବାକୁ ଚେଷ୍ଟା କରୁଥିଲା । ମୁଁ ଯେତେବେଳେ ମୋ ବାପାଙ୍କ ମୁହଁକୁ ଦେଖୁଥିଲି, ଠିକ ସେହି ସମୟରେ ମୋ ବାପାଙ୍କ ଆଖିରୁ ଲୁହ ଗୁଡିକ ଅମାନିଆ ହୋଇ ତଳେ ପଡିଯାଉଥିଲା । ବାପାଙ୍କର ଏଇ କାନ୍ଦ କାନ୍ଦ ମୁହଁଟି ଦେଖିବାକୁ ଆଦୌ ଭଲ ଲାଗୁ ନଥିଲା ମତେ । ମୁଁ ବାଧ୍ୟହୋଇ ବାପାଙ୍କୁ କାନ୍ଦିବାର କାରଣଟି ପଚାରିବାକୁ ଉଦ୍ୟତ ହୁଅନ୍ତେ... ବାପା ମୋତେ କହିଲେ, - ନାଇଁରେ... ତୋ ପିଲାଦିନ କଥା ଟିକେ ମନେ ପଡିଗଲା ତ... ଆପେ ଆପେ ମୋ ଆଖିରୁ ଟିକେ ଲୁହ ଜକେଇ ଆସିଲା... ମୋ ପିଲାଦିନ କଥା ମନେ ପକାଇ ମୋ ବାପା କାନ୍ଦୁଛନ୍ତି... ! ମତେ କାହିଁ ଏସବୁ ଟିକେ ଅବୁଝା ଲାଗୁଥିଲା । ମୁଁ ବାପାଙ୍କୁ ପଚାରିଲି, "ବାପା ମୁଁ ଏମିତି କଣ କରିଥିଲି ଯେ.. ଆପଣ ମୋ ପିଲାଦିନ କଥା ମନେ ପକାଇ କାନ୍ଦୁଛନ୍ତି ? ମତେ ସତ କୁହ ବାପା... କଣ ଏମିତି ଘଟିଥିଲା କି ମୋ ପିଲାଦିନେ ??" ଆଖିରୁ ଲୁହ ପୋଛି ଦୀର୍ଘ ନିଶ୍ୱାସ ଛାଡି ସେଇ ସ୍ମୃତି ଭିତରେ ସାଉଁଟୁଥିବା ଘଟଣାଟି ବାପା ଗପି ଚାଲିଲେ... ତୁ ସେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲୁ, ଆଉ ଆମ ପରିବାର ବି ବହୁତ ଅଭାବ ଅନାଟନ ମଧ୍ୟରେ ଗତି କରୁଥାଏ । ଏମିତିକି ଖୁସିରେ ଦୁଇ ଓଳି ମଧ୍ୟ ପେଟପୁରା ଖାଇବାକୁ ମିଳୁ ନ ଥାଏ । ମୁଁ ପାଞ୍ଜି ବସ୍ତାନିଟିକୁ ଧରି ପାଦରେ ଚାଲି ଚାଲି ଗାଁ ସାରା ବୁଲୁଥାଏ । ମୋ ଜେଜମାନଙ୍କ ଦୁଆରୁ ଯାହା ଦି ପଇସା ରୋଜଗାର କରେ, ସେଥିରେ ଦୁଃଖେ ସୁଖେ ଆମେ ଚଳିଯାଉ । ଏସବୁ ଦେଖି ତୋ କକେଇ... ମାନେ... ମୋ ସାନଭାଇ ଗୋଟିଏ ଏଭୋନ ସାଇକେଲଟିଏ ମୋ ଯିବା ଆସିବା ପାଇଁ ଦେଇଥିଲା । ସେହି ସାଇକେଲଟିକୁ ମୁଁ ବହୁତ ଯତ୍ନର ସହ ରଖିଥାଏ । କାରଣ ସାଇକେଲଟିଏ କିଣିବା ମୋ ପକ୍ଷରେ ବହୁତ କଷ୍ଟ ସାଧ୍ୟ ଥିଲା । ତେଣୁ ମୋ ସାନଭାଇ ମୋତେ ଦେଉଥିବା ସାଇକେଲଟିକୁ ମୁଁ ଖୁବ ଯତ୍ନ ସହକାରେ ରଖୁଥିଲି । ଦିନକର କଥା... ତୁ ସେଇ ସାଇକେଲଟିକୁ ନେଇ ଆମ ଗାଁ ଗୋପୀ ବଳିଆରସିଂହ ପୋଖରୀକୁ ଗାଧୋଇବାକୁ ଯାଇଥିଲୁ । ହେଲେ ଏତେ ସମୟ ହେଲା ଗଲୁଣି, ତୁ ଗାଧୋଇ ନଫେରିବାରୁ, ମୁଁ ବିରକ୍ତ ହୋଇ ସେଇ ପୋଖରୀକୂଳକୁ ତୋ ପାଖକୁ ଗଲି । ଦେଖିଲି, ତୁ ସେଠି ବସି କାନ୍ଦୁଛୁ । ମୁଁ ସେତେବେଳେ ତୋ ଉପରେ ଭୀଷଣ ଜୋରରେ ରାଗିଥାଏ । ଏତେ ସମୟ ଡେରି ହୋଇଥିବା ଯୋଗୁଁ, ତତେ କାନ୍ଦିବାର କାରଣ ପଚାରିଲି । ତୁ ଡରି ଯାଇ ମୋତେ ଉତ୍ତର ଦେଲୁ ଯେ, "ବାପା.. ସାଇକେଲ ଚାବିଟି କୁଆଡେ ହଜି ଗଲା... ଖୋଜି ଖୋଜି ପାଉନି... ।" ମୁଁ ତୋ ମୁହଁରୁ ଏକଥା ଶୁଣି ଆହୁରି ଭୀଷଣ ଜୋରରେ ରାଗିଯାଇ ତତେ ବାଡ଼େଇବା ଆରମ୍ଭ କରିଦେଇଥିଲି । କାରଣ ସାଇକେଲରେ ନୂଆ ଚାବିଟିଏ କିଣି ଲଗେଇବାର କ୍ଷମତା ମୋର ନଥିଲା । ତେଣୁ ରାଗରେ ତତେ ବହୁତ ପିଟିଲି । ତୁ ସେତେବେଳେ ବିକଳ ହୋଇ କେବଳ ଏତିକି କହୁଥିଲୁ ଯେ, "ବାପା ମୋତେ ଆଉ ମାର ନାହିଁ... ମୁଁ ଆଉ ସେ ସାଇକେଲ ଚଲେଇବି ନାହିଁ... ମୋତେ ଛାଡିଦିଅ ବାପା... ।" ତଥାପି ମୋର ରାଗର ମାତ୍ରା କମି ନଥାଏ । ତୁ ବିକଳ ରେ ସେ ବିଲ ଗହିର ଆଡେ ଦଉଡି ଚାଲି ଯାଉଥିଲୁ । ତଥାପି ମୁଁ ତୋ ପଛରେ ଗୋଡେଇ ଗୋଡେଇ ତତେ ବାଡେଇ ଚାଲିଥାଏ । ଶେଷରେ ମୋ ମାଡ଼ରେ ତୁ ଚର ଚର କରି ମୁତି ପକେଇଲୁ । ତଥାପି ମୋ ରାଗ ଶାନ୍ତ ହେଉ ନଥାଏ । ହଠାତ ଦେଖିଲି, ତୁ ଗୋଟିଏ ଜାଗାରେ ନିଶ୍ଚଳ ହୋଇ ପଡିଗଲୁ । ଆଉ କିଛି କଥାବାର୍ତ୍ତା ବି କରିଲୁନି । ଏ ସବୁ ଦେଖି ମୁଁ ଆଉ କେମିତି ସହିଥାନ୍ତି । ତତେ କାନ୍ଧରେ ବସେଇ ଘରକୁ ନେଇଆସିଲି । ସେତେବେଳେ ତୁ ଚେତାଶୂନ୍ୟ ହୋଇପଡିଥିଲୁ । ବୋଉ ଆଉ ମୁଁ ମିଶି ତତେ ଚେତା ଫେରେଇଲୁ । ଚେତା ଆସିବା ପରେ, ତୁ ଉଠି ବସିଲୁ ଆଉ ଆଖି ମିଟି ମିଟି କରି ଆମକୁ ଅନେଇଲୁ, ଆଉ କହିଲୁ ବାପା ମୋତେ ଆଉ ମାର ନାହିଁ । ମୁଁ ଆଉ କେବେ ସେ ସାଇକେଲ ଧରିବିନି, କି ଚଲେଇବି ନାହିଁ । ଆଉ ସେବେଠାରୁ ସେଇ ସାଇକେଲ ପ୍ରତି ତୋର ଖୁବ ଘୃଣା ଭାବ ଚାଲିଆସିଲା । ତୁ ଆଉ କେବେ ବି ସେ ସାଇକେଲକୁ ଛୁଇଁଲୁ ନାହିଁ । ହେଲେ, ଆଜି ତୋ ପରିଶ୍ରମ ବଳରେ ଯେଉଁ ବାଇକ କିଣିଛୁ... ମୁଁ ତୋ ପଛରେ ବସି ଆଜି ସବୁଆଡେ ଯାଇପାରୁଛି ତ.... ତୋର ସେଇ ପିଲାଦିନ କଥା ଗୁଡିକ ହଠାତ ମନେ ପଡିଗଲା... ହୃଦୟଟା ବେଦନାକ୍ତ ହେଇଗଲା... ଆଖିର ଲୁହ ଗୁଡାକ ଆଉ ଅଟକେଇ ପାରିଲିନି... । ବାପାଙ୍କ ମୁହଁରୁ ଏକଥା ଶୁଣି ଖୁସିରେ ମୋ ଆଖି ବି ଲୁହରେ ଜକେଇ ଆସିଲା । ବାପା ପୁଣି କହି ଚାଲିଲେ, "ମୁଁ ଚାହୁଁଥିଲି, ତୁ ମଣିଷ ଭଳି ମଣିଷଟିଏ ହୁଅ । ମୋ ଭଳି ଅଭାବ ଅନାଟନର ସଂସାର ଭିତରେ ତୁ ହନ୍ତସନ୍ତ ନହୁଅ । ମୋ ସ୍ଵପ୍ନକୁ ଆଜି ତୁ ସାକାର କରିପାରିଛୁ । ନିଜ ଗୋଡରେ ନିଜେ ଠିଆ ହୋଇ ଗୋଟିଏ ନୁହେଁ ଦୁଇ ଦୁଇଟା ବାଇକ କିଣିପାରିଛୁ । ନିଜେ ଖୁସିରେ ରହି ଆମକୁ ବି ଖୁସିରେ ରଖିପାରିଛୁ । ତୋ ଭଳି ପୁଅଟିଏ ପାଇ ମୁଁ ଧନ୍ୟ ହେଇ ଯାଇଛିରେ ଶିବ । ତୋ ଭଳି ପୁଅଟିଏ ସଂସାରରେ ସବୁ ବାପା ମାଆ ମାନଙ୍କୁ ମିଳୁଥାଉ । ବାପାଙ୍କଠୁ ଏସବୁ କଥା ଶୁଣି ଆନନ୍ଦରେ ମୋ ଆଖି ଲୁହରେ ଛଳ ଛଳ ହୋଇ ଯାଉଥାଏ । ବାପା ତାଙ୍କ କାନ୍ଧରେ ପକାଇଥିବା ସମ୍ବଲପୁରୀ ଗାମୁଛାଟିରେ ମୋ ଆକ୍ଷିର ଲୁହକୁ ପୋଛି ପକାଉଥାନ୍ତି । ଆଉ ଡେରି ନକରି ଜଗନ୍ନାଥ ଦର୍ଶନ ନିମନ୍ତେ ବାହାରି ପଡିଲୁ... । ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ : ୮୨୬୦୧୯୧୪୬୫
- ନମସ୍ତେ ପ୍ରଭୁ ଜଗନ୍ନାଥ
ନମସ୍ତେ ପ୍ରଭୁ ଜଗନ୍ନାଥ । ଅନାଥ ଲୋକଙ୍କର ନାଥ ।। ନମସ୍ତେ ପ୍ରଭୁ ବାସୁଦେବ । ଭକତ ଜନଙ୍କ ବାନ୍ଧବ ।। ନମସ୍ତେ ପ୍ରଭୁ ହୃଷୀକେଶ । ଭକତ ଜନଙ୍କ ବିଶ୍ୱାସ ।। ନମସ୍ତେ ପ୍ରଭୁ ବିଶ୍ୱରୂପୀ । ସକଳ ହୃଦେ ଅଛ ବ୍ୟାପି ।। ତୁ ସୃଷ୍ଟି ସ୍ଥତି ଲୟ କରୁ । ଆବର ଗର୍ଭରେ ସଂହରୁ ।। ଅଶେଷ କୋଟି ବସୁନ୍ଧରୀ । ତୋହର ଗର୍ଭେ ଛନ୍ତି ପୁରି ।। ଚଉଦ ଭୁବନେ ଯା କିଣା । ଏ ସର୍ବ ତୋହର ରଚନା ।। ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି । ତୋ ବିନୁ ଅନ୍ୟ ଗତି ନାହିଁ ।। ସୃଷ୍ଟି ତୋହର ଖେଳଘର । ଅଶେଷ ମାୟା ତୋ ଆବର ।। ତୋହର ନିଶ୍ୱାସ ମରୁତ । ଦେବେ ହୋଇଲେ ତହୁଁ ଜାତ ।। ତୁହିଟି ଅଗ୍ନି ଦେବ ଇନ୍ଦ୍ର । ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର ।। ଭୁଜରୁ ଅନନ୍ତ ମୂରତି । କଣ୍ଠରୁ ଜାତ ସରସ୍ୱତୀ ।। ସଦା ଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ।। ଅଶେଷ ତୋହର ମହିମା । କେ ଜାଣିପାରେ ଗୁଣସୀମା ।। ତୋ ନାମ କରୁଥିଲେ ଲୟ । କୋଟିଏ ଜନ୍ମ ପାପ କ୍ଷୟ ।। ନାମ ଘୋଷିଲେ ସର୍ବସିଦ୍ଧି । ଖଣ୍ଡଇ ରୋଗ ଶୋକ ଆଦି ।। ଆରତ ଭଞ୍ଜନ ତୋ ବାନା । ଆତଙ୍ଗ କାଳେ ବଜ୍ର ସେହ୍ନା ।। ହୋଇଲୁ ଦଶ ଅବତାର । ନାଶିଲୁ ଅବନୀର ଭାର । ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ।। ତୁ ଅଟୁ ଦରିଦ୍ରର ଧନ । ତୋ ପାଦେ ରହୁ ମୋର ମନ ।। ସତୀ ଯୁବତୀଙ୍କର ମନେ । ନିଜର ସ୍ୱାମୀ ଥାନ୍ତି ଯେହ୍ନେ ।। ସେହି ପ୍ରକାରେ ମୋର ମନ । ତୋ ପାଦେ ରହୁ ଭଗବାନ ।। କହଇ ଦାସ ଜଗନ୍ନାଥ । କମଳ ଚରଣକୁ ଆଶ ।। ଅତିବଡି ଜଗନ୍ନାଥ ଦାସ
- ନୀରବ ଝଡ
ନୀରବ ଯନ୍ତ୍ରଣା କହି ଯେ ହୁଏନା ଜଳାଏ ସାରା ଅନ୍ତର ନୀରବ ମଣିଷ ଦୁଃଖ କଷ୍ଟ ସହି ପାଲଟି ଯାଏ ପଥର । ନୀରବ ରହିଛି ବୋଲି ଯେ ତାହାକୁ ଭାବନି ନିର୍ଜୀବ ଟିଏ କେମିତି ଜୁଝୁଛି ନିଜ ସହ ନିଜେ ବୁଝିକି ପାରିବ କିଏ ? ନୀରବର ଝଡ ଭାଙ୍ଗେ ହୃଦ ବାଡ଼ ତରଳେ କଠିନ ଶିଳା ଦୁନିଆର କେତେ ସହି ଦୁଃଖ କଷ୍ଟ ସ୍ନାୟୁରେ ଉଠଇ ବିଳା । ରହିଛି ନୀରବ ବୋଲି ନ ଭାବିବ ପଥରରେ ଗଢ଼ା ଦେହ ନୀରବ ଯନ୍ତ୍ରଣା ଦୁଃଖର ଖଜଣା ମାପିହୁଏ ନାହିଁ କୋହ । ବରଣ କରିଛି ନିଜକୁ ହରେଇ ପିନ୍ଧିଛି ମୁକର ବସ୍ତ୍ର ଅସୁବିଧାର ଯେ ସମାଧାନ ବୋଲି ନୀରବ ବାଛିଚି ଅସ୍ତ୍ର । ଝରଣା ପରିକା ବହୁ ଥିବ କୋହ ଚିରିଦେଖ ତାର ଦେହ ଶକ୍ତ ଶରୀରରେ ନୀରବର ଝଡ଼ ଝରାଉ ଥିବ ଯେ ଲୁହ । ଡମ୍ବରୁର ତାଣ୍ଡବ ଶବ୍ଦ ତା ଦେହେ ଅହରହ ବାଜୁଥିବ ଦୁଃଖ, ଯାତ୍ରଣାରେ ରକ୍ତ କଣିକା ଯେ ଜଳ ରୂପ ନେଉଥିବ ।।