top of page

Find On Web

108 results found with an empty search

  • ଗ୍ରେଟାଙ୍କ ମୁହଁ

    ଆମ ପଥୁରିଆ ସାହିରେ ଅନେକ ଲୋକ ପଥର, ଖଡି ବା କାଠରେ ମୂର୍ତ୍ତି ତିଆରି କରନ୍ତି l ସେଇ ମୂର୍ତ୍ତିକୁ ସନ୍ଧ୍ୟାରେ ବିକି ଯାହା ଟଙ୍କା ମିଳେ ସେଥିରେ ତାଙ୍କର ପେଟ ପୋଷନ୍ତି l ଆମ ସାହିର ଅନେକ କାରିଗରଙ୍କର ମୂର୍ତ୍ତି ଭାରତ ଆଉ ବିଦେଶରେ ବି ପ୍ରଶଂସା ପତ୍ର ପାଇଥିଲା l ବିନ ମହାରଣା ବୋଲି ଜଣେ କାରିଗର ତାଙ୍କ ମୂର୍ତ୍ତିରେ ଲୋକଙ୍କ ମନ ଭିତରର ଭାବକୁ ଫୁଟାଇ ପାରୁଥିଲେ ବୋଲି ତାଙ୍କୁ ଅନେକ ଲୋକ ସମ୍ମାନ ଦେଉଥିଲେ, ବିଶେଷ କରି ଭାରତ ବାହାରେ ଥିବା ଦେଶର ଲୋକ ମାନଙ୍କ ପାଖରେ ସିଏ ପରିଚିତ ହୋଇଥିଲେ l ଦେଶ ବିଦେଶରେ ଜଣାଶୁଣା ମୂର୍ତ୍ତି ତିଆରି କରିବା ଲୋକ ଥିଲେ l ସେ ପଥର ମୂର୍ତ୍ତି ରେ ଜାଦୁ ଭରି ତାକୁ ଜୀବନ ଦେଇ ପାରନ୍ତି ବୋଲି ସମସ୍ତେ କହନ୍ତି l ଲୋକମାନେ କହନ୍ତି ସିଏ ଯେ କୌଣସି ମୂର୍ତ୍ତିଟି ଗଢିଲା ବେଳେ ସେ ମୂର୍ତ୍ତିଟିର ମୁଁହରେ ମଣିଷ ମନ ଭିତରର ଚରିତ୍ର ଫୁଟାଇ ପାରନ୍ତି l ତାଙ୍କ କାରିଗରୀ କାମର ସଫଳତା ରହିଥିଲା ବିଭିନ୍ନ ମୂର୍ତ୍ତିର ମୁହଁ ଆଉ ଭାବକୁ ପ୍ରତିମାରେ ପ୍ରକାଶ କରିବାରେ । ସେଥିପାଇଁ ସିଏ ବିଦେଶରେ ବହୁତ ସମ୍ମାନ ପାଇଥିଲେ l ସେ ସମୟରେ ଅନେକ ବିଦେଶୀ ଲୋକ ବିନ ମହାରଣାଙ୍କ ମୂର୍ତ୍ତି ନେବା ପାଇଁ ଆମ ସାହିକୁ ଆସନ୍ତି l ମୁଁ ତାଙ୍କ କଥା ପିଲାଦିନେ ସାହିର ଅନ୍ୟ ଲୋକ ଆଉ ମୋ ବାପାଙ୍କ ଠାରୁ ଶୁଣିଥିଲି l ଥରେ ଜର୍ମାନୀରୁ ଜଣେ ସ୍ତ୍ରୀ ଲୋକ ଯାହାଙ୍କ ନାଁ ଗ୍ରେଟା ଥିଲା । ବିନ ମହାରଣାଙ୍କ ଦ୍ୱାରା ତିଆରି ମୂର୍ତ୍ତିଟିଏ ବିଦେଶରେ ଦେଖି ତାଙ୍କ ଠିକଣା ଯୋଗାଡ଼ କରି ଜଣେ ଟୁରିଷ୍ଟ ଗାଇଡଙ୍କ ସାଙ୍ଗରେ ସିଧା ବିନ ମହାରଣାଙ୍କ ଘର ସାମ୍ନାରେ ରିକ୍ସାରେ ଆସି ପହଁଚିଲେ l ସାହିର ସବୁ ପିଲା ଆଉ ବଡ଼ମାନେ ଏଇ ତୋଫା ଗୋରା ରଙ୍ଗର ଡ୍ରେସ୍ ପିନ୍ଧା ସ୍ତ୍ରୀ ଲୋକ ଜଣଙ୍କୁ ବାରମ୍ବାର ଆଖି ଖୋଲି ଅନାଉଥିଲେ l ଆମ ସାହିର ଗଳି ଛୋଟ ଥିବା ଯୋଗୁ ସେତେବେଳର ବଡ଼ ମୋଟର ଗାଡି ସାହି ଭିତରକୁ ଆସି ପାରୁ ନଥିଲା l ସ୍ତ୍ରୀ ଲୋକ ଜଣଙ୍କ ହାତରେ ଥିବା କାଗଜଟିରେ ବିନ ମହାରଣାଙ୍କ ନାମ ଆଉ ଠିକଣା ଥିଲା l ପଚାରି ବୁଝି ବିନ ମହାରଣାଙ୍କ ଘର ସାମନାରେ ରିକ୍ସାକୁ ଅଟକେଇଲେ l ବିନ ମହାରଣାଙ୍କ ସାଙ୍ଗେ କିଛି ସମୟ କଥା କହିଲା ବେଳେ କହିଲେ, "ଆପଣଙ୍କ ହାତ ଗଢା ପ୍ରତିମାରେ ଜୀବନ ଥାଏ, ମୋର ମୂର୍ତ୍ତିଟିଏ ତିଆରି କରିବାକୁ ଅନୁରୋଧ ରଖୁଛି । କିନ୍ତୁ ଏକଥା ମନେ ରଖନ୍ତୁ, ମୋର ମୂର୍ତ୍ତିର ମୁହଁରେ ମୋ ମନ ଭିତରେ ଥିବା ଦୟା ଆଉ ଦରଦ ଏଇ ଦୁଇଟି ଗୁଣକୁ ଦେଖାଇବାକୁ ହେବ ।” ଗ୍ରେଟା ଜଣେ ଜର୍ମାନ ଖୀରସ୍ତାନୀ ଧର୍ମର ଲୋକ ହେଲେବି ସିଏ ଅନେକ ଜୁଇସ୍ ଲୋକଙ୍କୁ ସାହାଯ୍ୟ କରିଥିଲେ ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନର ଏକଛତ୍ରବାଦୀ ଶାସକ ହିଟଲରଙ୍କ କଷଣରୁ ମୁକ୍ତି ପାଇ ଅନ୍ୟ ଦେଶକୁ ଯିବା ପାଇଁ l ତାଙ୍କ ଜୀବନକୁ ବିପଦରେ ରଖି ସେ ଏଇ କାମ ଅତି ସାଵଧାନର ସହିତ କରିଥିଲେ ଯୀଶୁଖ୍ରୀଷ୍ଟଙ୍କ ଉପରେ ଭରସା କରି l ସିଏ ନିଜେ ଖୀରସ୍ତାନୀ ଥିଲେ l କିଛି ସମୟ ବିନ ମହାରଣା ଗ୍ରେଟା ଙ୍କ ମୁଁହକୁ ଭଲଭାବେ ଅନେଇ ରହିଲେ l ଗୋଟିଏ ପେନସିଲ୍ ଆଉ କାଗଜ ଖଣ୍ଡେ ଖାତାରୁ ନେଇ କିଛି ଗାରେଇଲେ କାଗଜ ଉପରେ l ପରେ କହିଲେ ହୋଇଯିବ l ଗ୍ରେଟା ହସି ଦେଇ କହିଥିଲେ ଏବେ ତାଙ୍କର କାମ ପୁରା ହେବ l କଳା ଧଳାର ଫୋଟୋଟିଏ ଆଉ କିଛି ଟଙ୍କା ଦେଇ ଜର୍ମାନୀକୁ ଫେରି ଯାଇଥିଲେ l ପରେ ଜଣା ଗଲା ଗ୍ରେଟାଙ୍କ କାମ ବିଷୟରେ ଜାଣି ଜର୍ମାନୀରେ ନାଜ଼ୀ ମାନେ ତାଙ୍କୁ ବନ୍ଦୀ କରିଥିଲେ l ସିଏ ବନ୍ଦୀ ଘରେ ଶେଷ ନିଶ୍ୱାସ ନେଇଥିଲେ l ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ବିନ ମହାରଣା କାରୀଗରଙ୍କ ଦ୍ୱାରା ଗଢ଼ା ଗ୍ରେଟା ଙ୍କ ମୁହଁ ର ମୂର୍ତ୍ତି ହଲୋକାଷ୍ଟ ସଂଗ୍ରହାଳୟରେ ସ୍ଥାନ ପାଇଛି l ମୂର୍ତ୍ତିଟିର ତଳେ ଲେଖାହୋଇଛି 'ମୁଁହ ଅନେକ ପ୍ରସଙ୍ଗ ଓ ଗଳ୍ପ କହି ପାରେ, କେବଳ ଏହାକୁ ଦେଖିବାର ଦୃଷ୍ଟି ଆବଶ୍ୟକ ।‘ କଳାକାର : ବିନ ମହାରଣା, ପଥୁରିଆ ସାହି, ପୁରୀ । ଲୋକମାନେ ସେ ମୂର୍ତ୍ତିର ମୁହଁ ଦେଖି କହନ୍ତି, ମୂର୍ତ୍ତିର ଆଖିରେ ଅପରିମିତ ଦୟା ରହିଛି, କିନ୍ତୁ ତା ସହିତ ଗଭୀର ଦରଦର ଛାୟା ମଧ୍ୟ ଲୁଚି ରହିଥିବାର ଅନୁଭବ ହୁଏ l ସବୁଦିନ ପାଇଁ ଗ୍ରେଟା ଏକୁଟିଆ ରହିଥିଲେ ବିବାହ ନ କରି l ତାଙ୍କ କାମ ଯୀଶୁଖ୍ରୀଷ୍ଟଙ୍କର କାମ ଭାବେ ସେ ଭାବି ନେଇଥିଲେ l କିଛି ବର୍ଷ ପୂର୍ବେ ଆମେ ଭାରତକୁ ଯିବା ବାଟରେ ଜର୍ମାନୀରେ ରହି ସେ ଦେଶକୁ ଦେଖିଥିଲୁ l ହଲୋକାଷ୍ଟ ସଂଗ୍ରହାଳୟକୁ ଯାଇ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ମରିଥିବା ଅନେକ ଇହୁଦୀ ଲୋକଙ୍କର ଦୁଃଖଭରା ଜୀବନର ଇତିହାସ ବିଷୟରେ ଜାଣିବାକୁ ସୁଯୋଗ ମିଳିଥିଲା l ମୋ ଝିଅ ସେତେବେଳେ ନବମ କ୍ଲାସରେ ପଢୁଥିଲା l ତା'ର ଇତିହାସକୁ ଜାଣିବା ପାଇଁ ବହୁତ ମନ ଥାଏ l ତେଣୁ ସିଏ ସବୁ ମୂର୍ତ୍ତି ଙ୍କ ପାଖରେ ରହି ତାଙ୍କ ବିଷୟରେ ପଢୁଥାଏ l ହଠାତ୍ ସିଏ ଗୋଟିଏ କଣରେ ଥିବା ଗ୍ରେଟା ଙ୍କ ମୂର୍ତ୍ତିଟି ଦେଖି ମତେ ଜୋରରେ ଡାକିଲା, ଆଉ କହିଲା ମମି ଅଜାଙ୍କ ସାହିର ନାଁ ଲେଖା ହୋଇଛି ଦେଖ l ମୁଁ ଶୁଣି ନ ଶୁଣିଲା ପରି କହିଲି ଜଲ୍ଦି ଦେଖିବା ଶେଷ କର, ଆମର ଅନ୍ୟ ଜାଗାକୁ ଯିବାର ଅଛି l ଏଇଠି କଣ ପୁରା ଦିନ ସରିଯିବ l ତାପରେ ଯାଇ ଦେଖିଲି, ସତରେ ଆମ ସାହିର ନାଁ ଆଉ କାରୀଗର ବିନ ମହାରଣା ବୋଲି ମୂର୍ତ୍ତିର ତଳେ ଲେଖାଥିଲା l ମୂର୍ତ୍ତିରୁ ଗ୍ରେଟା ଙ୍କର ମୁହଁରେ ଦୟା ଆଉ ଦରଦର ଝଲକ ଦିଶୁଥିଲା l ମୁଁ ଦୁଇ ହାତରେ ଗ୍ରେଟାଙ୍କୁ ନମସ୍କାର କଲି ଆଉ ମୋ ପିଲା ଦୁହିଁଙ୍କୁ ବାପାଙ୍କ ଠାରୁ ବିନ ମହାରଣାଙ୍କ ବିଷୟରେ ଶୁଣିଥିବା କଥା କହିଲି l ମନେ ମନେ ଭାବିଲି କଳାକାର ସବୁବେଳେ ଅମର ହୋଇ ରହନ୍ତି ତାଙ୍କ‘ କଳା ପାଇଁ ଦେଶ ଆଉ ବିଦେଶରେ ଲୋକଙ୍କ ହୃଦୟରେ l

  • ଥୋଇଲି

    ମଧୁପୁର ଭାରି ବଡ଼ ଗାଆଁ ଟେ । ଗାଁରେ ପଧାନେଙ୍କର ଭାରି ଖାତିରି । ଦଶବାଟି ଜମି ଚାରିହଳ ବଳଦ ଶଗଡ଼ ନଙ୍ଗଳ ହଳିଆ ଚାକର ଆଉ କୋଉଥିରେ ତାଙ୍କର କମି ଯେ... ! ବଡ଼ପୁଅ ଦାଶରଥୀ ସାନପୁଅ ଭାଗିରଥୀ ଦୁହେଁ ଏବେ ବଡ଼ ହେଲେଣି । ଘରକୁ ଦୁଇ ବୋହୁ ବି ଆସିଲେଣି । ନାତି ନାତୁଣୀ ମାନଙ୍କ କୋଳାହଳରେ ଘର ଏବେ ପୁରି ଉଠୁଛି । ସବୁ ଠିକ୍ ଠାକ ଚାଲିଥିଲା । ହେଲେ ବିଧିର ବିଧାନକୁ କଣ ଏଡେଇ ଦିଆଯାଇପାରେ ? ବଡ଼ ବୋହୁକୁ ସାପ ଟେ କାମୁଡି ଦେଲା, ତାକୁ ଗୁଣିଆ ପାଖକୁ ନେଲେ, ହେଲେ ସିଏ ମରିଗଲା । ନୋକ ମାନେ କୁହାକୋହି ହଉଥିଲେ, ତାକୁ ସହର ଡାକତର ପାଖକୁ ନେଇଥେଲେ କାଳେ ବଞ୍ଚି ଯାଇଥାନ୍ତା । ସେ ଯା ହେଉ ବଡ଼ ବୋହୁ ଟା ମଲା, ଯାହା ଯେମିତି ଶୁଦ୍ଧଘରଟା ସରିଗଲା । ଛ'ମାସେରେ ବୋହୂର ବର୍ଷକିଆ କରି ପଧାନେ ବଡ଼ପୁଅକୁ ଆଉ ଗୋଟେ ବାହାକଲେ । ଏଇ ବୋହୂଟି ରୂପରେ ଯେମିତି ଗୁଣରେ ବି ସେମିତି । ସେନେହ ଆଦରରେ ଘଡିକରେ ସଭିଙ୍କୁ ଆପଣାର କରିନେବ ସତରେ । ଗୋରା ତକ ତକ ଚେହେରାକୁ ସେ ନାଲି ଲୁଗା ସାଥେ ନାଲି ସିନ୍ଦୁର ଟୋପାଟେ ନଗେଇ ଦେଲେ ସତରେ ପୁରା ତ ଦେବୀ ନେଖେ ଦୁଶୁଚି । ହେଲେ ମହାକାଳ ଫଳ ଭଳି ଏ ବୋହୁ ଭିତରେ ଏତେ କେଁ ଅଛି ବୋଲି କିଏ ଜାଣିଛି... ! ଏଇ ପଧାନେ ଯୋଉ ଦେହ ଦୁଃଖରେ ପଡି ଚାଲିଗଲେ, ସେଇଠୁ ତ କଥାଟା ଧରା ପଇଲା । ଏଇ ଶୁଦ୍ଧିକ୍ରିୟା ବେଳକୁ କଥାଟା ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲା ପରା । କିଏ ଜଣେ ବ୍ରାହ୍ମଣ, ନାହାକ ଦୁହିଁଙ୍କୁ ଚେଙ୍ଗିଦେଲା ପରା... ଏଇ ବୋହୁଟା ଗୋଟେ ଥୋଇଲୀ । ଆଗରୁ ଆଉ କାହାକୁ ବାହା ହେଇଥେଲା । ବାହାଘର ଚାରିମାସ ହେଉଥେଲା ନା କଣ ତା ସ୍ଵାମୀ ଟା ପାଣିରେ ବୁଡି ମରିଗଲା । କିଏ କହୁଛି ହାଣ୍ଡିଆ ପିଇଥିଲା, କିଏ କହୁଛି ମହୁଲି ପିଇଥିଲା ଆଉ କେତେ ନୋକ କହୁଶନ୍ତି ତାକୁ କୁଆଡେ ଠାକୁରାଣୀ ଚିପିଦେଲା । ସେଇଠୁ ଇଏ ତା ବୋପା ଘରକୁ ଆସି ଇଆଡ଼େ ପଧାନଙ୍କ ବଡ଼ ପୁଅକୁ ଦ୍ୱିତୀୟ ହେଇଛି । ଛି ଛି ଛି... ଏଗୁଡ଼ାକ ମୁହଁକୁ ଲାଜ ନାହିଁ ଲୋ । ଆଲୋ ଶୁଦ୍ଧଘର କଣ ହବ ଗାଁରେ, ସଭା ବସିଲା ଲୋ... ସମସ୍ତେ ହାଉ ହାଉ ହେଲେ, ଛି ଛାକର କଲେ, ଥୋଇଲୀ ହାତରୁ ପିଣ୍ଡପାଣି କିଏ ପାଇଛି ନାଁ ଏ ପଧାନେ ପାଇବେ ! ଯାହା ଯେମିତି ହେଲା ହେଲା ଦାଣ୍ଡରେ ନିଶାପ ବସିଲା । କୋଉଠୁ କେମିତି ଖବର ପାଇ ବଡ଼ ବୋହୂର ଭାଇ ପାଞ୍ଚକୋଷ ବାଟରୁ ପୁଲିସି ନେଇକି ଆସିଲା । ପୁଲିସିକି ଦେଖି ଧର୍ମ ଶାସ୍ତ୍ର ପୁରାଣ ପ୍ରଥା ପରମ୍ପରା ଚୋବୋଉଥିବା ନାହାକ, ବ୍ରାହ୍ମଣ ସବୁ ଚୁପ ହେଇଗଲେ । ସେ ଯାହାହେଉ, ଶୁଦ୍ଧିକ୍ରିୟା ତ ସରିଲା ହେଲେ ସମସ୍ତଙ୍କ ଗଞ୍ଜଣା ଠିକି ଠିକି ମାର ମାର ଭାରି ଅଡ଼ୁଆ ହେଉଥିଲା ଏଇ ବଡ଼ ବୋହୁ ପ୍ରତି । ସ୍ୱାମୀ ଦି'ଟା ବାହାହେଲେ ଛୁଆପିଲା ଦି'ଟା ଆଗରୁ ଅଛନ୍ତି ଚଳିଲା ହେଲେ ଇଏ ହେଲା ଥୋଇଲୀ । ୟାକୁ କୁଆଡେ ଦେଖିଲେ ଅଶୁଭ । ୟା ହାତରୁ ପିତୃ ପୁରୁଷ ପାଣି ପାଇବେନି ଲୋ ନୋକ କହୁଶନ୍ତି । ଦେଖୁନ ପଧାନେ କେତେ ଅର୍ଜିଥେଲେ ମଲାପରେ ପିଣ୍ଡ ଉଦକ ବାଢିବାକୁ ଏଇ ଥୋଇଲୀ ବୋହୁ ତାଙ୍କ ଭାଗ୍ୟରେ ଥିଲା ! ଆଲୋ ଯାଇଁଲୁଣି ଏତେ ଟାହି ଟାପରା ସହି ନପାରି ସେ ବୋହୁଟା କୁଆଡେ ପଳେଇଛି ଯେ, ଆଉ ତାର ଖୋଜ ଖବର ନାହିଁ । ଏ ଅଲାଜୁକ ବଡ଼ ପୁଅଟା ଏବେ... ଛି ଛି ଛି କେତେ ବା ବୟସ ହେଇଥେବ ୟାକୁ । ହଉ ଚାଲେ ଲୋ ଅପା ଗାଧୁଆ ତୁଠରେ ଘଡ଼ିଏ ହେଲାଣି । ଗପୁ ଗପୁ ବେଳ ଗଲାଣି ଚାଲେ ସିଆଡେ ସଞ୍ଜ ଗଡିଯିବ ଯେ... ତେମେ ସବୁ କଣ ଗପ ଶୁଣୁଥବ କିଲୋ ଚାଲ ତମ ଘରେ କଣ ସଞ୍ଜ ଦବନି କି ? ଆଜିକାଲି ପରଘର କଥା ଶୁଣିବାକୁ ସମସ୍ତି ଙ୍କର ଭାଆରି ଆଗରହ... ।

  • ଗୁରୁ ସନ୍ଦିପନୀ

    ମହାଭାରତର ନାୟକ ଶ୍ରୀକୃଷ୍ଣଙ୍କ ଶିକ୍ଷା ଗୁରୁ ଥିଲେ ସନ୍ଦିପନୀ ମୁନି । ମୁନି ସନ୍ଦିପନୀ ପିଲାଦିନେ ଗୁରୁ ଆଶ୍ରମରେ ଥିବା ସମୟରେ ସେ ଥିଲେ ତାଙ୍କ ଗୁରୁଙ୍କର ଜଣେ ଆଜ୍ଞାବହ ଶିଷ୍ୟ । ସେ ସଦାବେଳେ ତାଙ୍କ ଗୁରୁଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଗୁରୁଦେବ ଯେତେବେଳେ ଯେଉଁ ନିର୍ଦେଶ ଦେଉଥିଲେ, ସେଥିରେ ସନ୍ଦିପନୀ ଆଗପଛ କିଛି ବି ବିଚାର ନ କରି କାର୍ଯ୍ୟ କରିବାକୁ ଖୁବ୍ ଆଗ୍ରହର ସହିତ ଧାଇଁ ଯାଉଥିଲେ । ହେଲେ ତାଙ୍କର ଏପରି କାର୍ଯ୍ୟରେ ସହପାଠୀମାନେ ତାଙ୍କୁ ଖୁବ୍ ବିରୋଧ କରୁଥିଲେ । ମାତ୍ର ଗୁରୁ ସନ୍ଦିପନୀଙ୍କ କାର୍ଯ୍ୟରେ ଖୁବ୍ ଖୁସି ଥିଲେ । ଦିନକର କଥା । ସନ୍ଦିପନୀ ତାଙ୍କ ସାଙ୍ଗମାନଙ୍କ ସହ ମନ ଆନନ୍ଦରେ ଆଶ୍ରମକୁ ଫେରି ଆସୁଥିବାର ଦେଖି ଗୁରୁଦେବ ତାଙ୍କୁ ପାଖକୁ ଡାକି ଗୁପ୍ତରେ କହିଲେ, ବତ୍ସ ସନ୍ଦିପନୀ ! ତୁମେ ସେହି ପଡିଆରେ ଖେଳୁଥିବା ମୋର ପୁତ୍ରଟିକୁ ଆଣି ସେହି କୂଅ ଭିତରକୁ ଫିଙ୍ଗି ଦିଅ । ଗୁରୁଙ୍କ ଏଭଳି ଆଦେଶ ପାଇବା ମାତ୍ରକେ ସନ୍ଦିପନୀ ଆଉ କୌଣସି କଥାକୁ ଚିନ୍ତା ନକରି ସେହି ଖେଳୁଥିବା ପିଲାଟିକୁ ଉଠାଇ ଆଣି ତାକୁ କୂଅ ଭିତରକୁ ତୁରନ୍ତ ଫିଙ୍ଗି ଦେଲେ । ଏହା ଦେଖିବା ମାତ୍ରକେ ଅନ୍ୟ ଶିଷ୍ୟମାନେ ଧାଇଁ ଯାଇ ଗୁରୁ ପୁତ୍ରଙ୍କୁ କୂଅ ଭିତରୁ ଉଦ୍ଧାର କଲେ ଏବଂ ପରେ ପରେ ସବୁ ଶିଷ୍ୟମାନେ ମିଶି ସନ୍ଦିପନୀକୁ ନିସ୍ତୁକ ମାଡ ଦେଲେ । ହେଲେ ସନ୍ଦିପନୀ ମାଡ ଖାଇ ମଧ୍ୟ କୌଣସି ପ୍ରକାର ପାଟି ଫିଟାଇଲେ ନାହିଁ । ପୁଣି ସନ୍ଦିପନୀର ଏପରି ଅମାନୁଷିକ କାର୍ଯ୍ୟ ଦେଖି ମଧ୍ୟ ଗୁରୁଦେବ ନୀରବ ରହୁଥିବାର ଦେଖି ଶିଷ୍ୟମାନେ କେବଳ ଚିନ୍ତା କରିବାକୁ ଲାଗିଲେ । ଏମିତି କିଛିଦିନ ଅତିବାହିତ ହେବାପରେ ଆଶ୍ରମରେ ପୁଣି ଆଉ ଗୋଟିଏ ଘଟଣା ଘଟିବାର ଦେଖାଗଲା । ସେଦିନ ମଧ୍ୟ ଆଶ୍ରମର ଶିକ୍ଷାର୍ଥୀମାନେ ଯିଏ ଯାହାର କର୍ମ ଶେଷ କରି ଫେରି ଯାଉଥିବା ସମୟରେ ପୂର୍ବପରି ଗୁରୁଦେବ ସନ୍ଦିପନୀକୁ ଡାକି ସେମିତି ଗୁପ୍ତରେ କିଛି କହିଲେ । ସନ୍ଦିପନୀ ଗୁରୁଙ୍କ ପାଖରୁ ସେହି ଗୁପ୍ତ ନିର୍ଦେଶ ପାଇବା ପରେ ଯାଇ ଗୁରୁ ଆଶ୍ରମରେ ନିଆଁ ଲଗାଇ ଦେଲେ । ଆଶ୍ରମ ଘରଗୁଡିକ ନିଆଁ ଲାଗି ହୁ ହୁ ହୋଇ ଜଳି ଉଠୁଥିବାର ଦେଖି କାର୍ଯ୍ୟରତ ଶିଷ୍ୟମାନେ ଧାଇଁ ଆସି ନିଆଁ ଲିଭାଇ ପକାଇଲେ ଏବଂ ସନ୍ଦିପନୀଙ୍କୁ ମାଡ ଦେବା ସଙ୍ଗେ ସଙ୍ଗେ କହିଲେ କି ଗୁରୁ ଗୃହରେ ନିଆଁ ଲଗାଇ ସନ୍ଦିପନୀ ମହାପାପ ଅର୍ଜନ କରିଛି । ସେତେବେଳେ ସାଙ୍ଗ ସାଥିମାନେ ଯାହା କହିଲେ ବି ସନ୍ଦିପନୀ ସେଥିରେ ଆଦୌ ଗୁରୁତ୍ୱ ଦେଉ ନଥିଲେ । କାରଣ ସେ ଜାଣୁଥିଲେ ଯେ ସେ ଯାହା ବି କରିଛନ୍ତି ସବୁ ଠିକ୍ ଅଛି । କାରଣ ସେ ନିଜେ ତ କିଛି ବି କରି ନାହାଁନ୍ତି । ସବୁକିଛି ଗୁରୁଙ୍କ ଆଦେଶରେ ସେ ସମ୍ପନ୍ନ କରିଛନ୍ତି । ଆଉ ସେ ଆଶ୍ରମରେ ସନ୍ଦିପନୀଙ୍କ ଦ୍ୱାରା ଏପରି କାର୍ଯ୍ୟ ବାରମ୍ବାର ଘଟୁଥିବା ବେଳେ ଗୁରୁଦେବ ନୀରବ ରହୁଥିବା କାରଣରୁ ଶିଷ୍ୟମାନେ ବି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ । ସମୟ ଆସିଲା ଯେତେବେଳେ କି ସନ୍ଦିପନୀଙ୍କର ବିଦ୍ୟାଶିକ୍ଷା ଶେଷ ହେଲା । ସେ ତାଙ୍କ ସାଥୀମାନଙ୍କ ସହ ପାରମ୍ପରିକ ରୀତିରେ ଆଶ୍ରମରୁ ବିଦାୟ ନେଇ ଗୃହାଭିମୁଖୀ ହେଲେ । ଏମିତି କିଛି କାଳ ଅତିବାହିତ ହେବା ପରେ ଦିନେ ସେ ନିଜ ଘରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ ଜାଣିବାକୁ ପାଇଲେ କି ତାଙ୍କର ଗୁରୁଦେବ ଖୁବ୍ ଅସୁସ୍ଥ ଅଛନ୍ତି । ସେ ଆଉ ଅଧିକ କାଳ ବଞ୍ଚିବେ କି ନାହିଁ, ତାହା ଆଉ ମୋଟେ ବି କହି ହେବ ନାହିଁ । ଗୁରୁଦେବଙ୍କର ଅନ୍ତିମ କାଳ ବୋଲି ଜାଣି ତାଙ୍କର ଶିଷ୍ୟମାନେ ଯିଏ ଯେଉଁଠି ଥିଲେ, ସେମାନେ ଗୁରୁଦେବଙ୍କୁ ଶେଷ ଦର୍ଶନ କରିବାକୁ ଆସି ପହଁଚିଲେ । ଠିକ୍ ସେମିତି ସନ୍ଦିପନୀ ମଧ୍ୟ ଆସି ଗୁରୁଙ୍କ ପାଖରେ ପହଁଚିଲେ । ଶିଷ୍ୟମାନେ ତାଙ୍କ ଗୁରୁଙ୍କ ପାଖରୁ ଆଶୀର୍ବାଦ ସହ ତାଙ୍କ ବ୍ୟବହୃତ ପଦାର୍ଥମାନ ଗୋଟିଏ ଗୋଟିଏ ନେଇ ସେ ଆଶ୍ରମରୁ ବିଦାୟ ନେଲେ । କିନ୍ତୁ, ‘ସନ୍ଦିପନୀ ତ ସେମିତି ଗୁରୁଦେବଙ୍କ ରହିଥିବା କୋଠରୀର ଏକ କୋଣରେ ଦୁଃଖିତ ମନରେ ବସିଥାଆନ୍ତି ।’ ଗୁରୁଦେବ ତ ତାଙ୍କୁ ବହୁ ପୂର୍ବରୁ ଦେଖି ମଧ୍ୟ କିଛି ବି କହୁ ନଥିଲେ । ମାତ୍ର ସମସ୍ତେ ସେଠାରୁ ଚାଲିଯିବା ପରେ ଗୁରୁଦେବ ସନ୍ଦିପନୀଙ୍କୁ ପାଖକୁ ଡାକି କହିଲେ, ‘ପୁତ୍ର ! ମୁଁ ଆଉ ତୁମକୁ କ’ଣ ବା ଦେବି? ତଥାପି, ମୁଁ ଜାଣିଛି ତୁମେ ହିଁ ହେଉଛ ମୋର ଏକାନ୍ତ ଆଦରର ଶିଷ୍ୟ । ତୁମେ ମୋର ଆଜ୍ଞା ଏପରି ପାଳନ କରିଛ ଯେ, ସେପରି ଅନ୍ୟ କୌଣସି ଶିଷ୍ୟ କାର୍ଯ୍ୟ କରି ପାରି ନାହାଁନ୍ତି ।’ ତେଣୁ ମୁଁ ଆଶୀର୍ବାଦ କରୁଛି ତୁମେ ଜୀବନରେ ଅନନ୍ତ ସୁଖର ଅଧିକାରୀ ହେବ । ଆଉ ତା’ରି ମଧ୍ୟରେ ଯେତେବେଳେ ସ୍ୱୟଂ ଭଗବାନ ଅବତାର ଗ୍ରହଣ କରି ଏ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିବେ, ସେତେବେଳେ ତୁମେ ହିଁ ତାଙ୍କର ଗୁରୁ ହୋଇ ଯଥାର୍ଥ ଦକ୍ଷିଣା ପାଇବ । ଏ କଥା ତୁମେ ସଦାବେଳେ ମନେ ରଖିବ ।’ ଗୁରୁଙ୍କ ମୁହଁରୁ ଏହି କଥା ଶୁଣିବା ପରେ ସେ ସନ୍ଦିପନୀ ତାଙ୍କ ଗୁରୁଦେବଙ୍କ ପାଦ ତଳେ ପଡି କେବଳ ଅଶ୍ରୁ ବୁହାଇବାକୁ ଲାଗିଲେ । ଗୁରୁଦେବ ସନ୍ଦିପନୀଙ୍କ ମୁଣ୍ଡରେ ହାତ ବୁଲାଇ ଦେଇ ସେଠାରୁ ବିଦାୟ ନେବାକୁ କହିଲେ । ଏତିକି ବେଳେ ଗୁରୁଦେବଙ୍କ ଓଠରେ ଚେନାଏ ହସ ଲାଖି ରହିଥିବା ବେଳେ ଶିଷ୍ୟ ସନ୍ଦିପନୀଙ୍କ ହୃଦୟରେ ପୂରି ରହିଥିଲା କେବଳ କୋହ ଆଉ କୋହ । କାରଣ ତାହା ହିଁ ଥିଲା ତାଙ୍କ ପାଇଁ ଦର୍ଶନ ଏବଂ ଅନ୍ତିମ ଆଶୀର୍ବାଦ । ପଶ୍ଚିମ ଆକାଶରେ ସୂର୍ଯ୍ୟଙ୍କ ବିଦାୟ ବେଳର ସୂଚନା ଏତିକି ବେଳେ ତଥା ସଂନ୍ଧ୍ୟାର ଇଙ୍ଗିତରେ ଦଳ ଦଳ ପକ୍ଷୀ ଉଡି ଯାଉଥିଲେ ନିଜସ୍ୱ ବସା ଆଡକୁ ।

  • ଚିତ୍ରାଣୀ ଚିଲିକା

    ଉତ୍କଳ ମାଟିର ଗର୍ବ ଗଉରବ ତୁ ଆଗୋ ରୂପସୀ ଚିଲିକା, ବୁକୁ ପରେ ତୋର ଅଧୀରା ଆତୁରା ସୁନୀଳ ତରଙ୍ଗ ମାଳିକା । କେରି କେରି ସୁନା କିରଣ ସୂରୁଜ ଯେବେ ବିଞ୍ଚି ଦିଏ ବୁକୁରେ, ରୂପା ପରି ଢେଉ ଚିକ୍ ଚିକ୍ କରେ ହୁଅଇ ଭରମ ମନରେ । କେତେ ଦ୍ଵୀପ, ପରବତ, ପ୍ରାକୃତିକ ଶରୀରେ ରଖିଛୁ ଧରି, ମା'କାଳିଜାଈ ପ୍ରତ୍ୟକ୍ଷ ଦେବତୀ ଉପମା ନାହିଁ ତାଙ୍କରି । ତୋ ନୀଳ ବୀଚିରେ ଭରା ଆବେଗରେ ନାବ ନାଚି ନାଚି ଚାଲେ, ଦୂରରୁ ଦୂରକୁ ଯାଉଥାଏ ଭାସି ମନେ ହୁଏ ଚିତ୍ର ତୁଲ୍ୟେ । ସାଗର ସମାନ ଜଳେ ଧରିଅଛୁ କେତେ ପ୍ରାଣୀର ଜୀବନ, ଲକ୍ଷ ବିହଙ୍ଗମ କରୁଥାନ୍ତି କେଳି ତୋ ଶରୀରେ ନିତ୍ୟ ଦିନ । ଶୀତ ସକାଳରେ ସୁଦୂର ଦେଶରୁ ବିଦେଶିନୀ ପକ୍ଷୀ ଆସି, ତୋ ବକ୍ଷରେ ଶୀତ ଛୁଟି କଟାଉଛି ସ୍ଵାଗତ କରୁ ତୁ ହସି । ସୂର୍ଯୋଦୟେ ଉଭା ବିଚିତ୍ର ବର୍ଣ୍ଣାଳୀ ଅରୁଣିମା ଅସ୍ତମିତେ, ତାକୁ ପ୍ରକାଶିବା କାହା ସାଧ୍ୟ ଅଛି ଭାଷା ପାଏ ନାହିଁ ସତେ ! ତୋର ଦରଶନେ ଆଶାୟୀ ନୟନ ବ୍ୟଥିତ ହୃଦୟ ଭାବ, ନିମିଷକେ ଦୁଃଖ ହୋଇଯାଏ ଦୂର ମନେ ଭରି ଅନୁରାଗ । କୋଟି ମନ ଜିଣା ରୂପକାନ୍ତି ତୋର ତୁଳନା କି ତା'ର ଅଛି ? କେତେ ଯେ ଭାବୁକ ଲେଖି ଦେଇଗଲେ ଇତିହାସ ତା'ର ସାକ୍ଷୀ । ସ୍ନିଗ୍ଧ ଉର୍ମି ମାଳା ଘନ ଶରୀରା ତୁ ଆକ୍ଷି ପାଏ ନାହିଁ ରାହା, ଶୀତଳ ସମୀରା ହୃଦ ରତ୍ନ ହାରା କେମିତି ଭୁଲିବି ଆହା ! ମୀନାକ୍ଷି ପାଢୀ ଚିକିଟୀ ପେଣ୍ଠ, ଗଞ୍ଜାମ

  • ନିଶାର୍ଦ୍ଧ ସହର

    ଗୋଧୂଳିର ଉପରାନ୍ତେ ସହରଟା ହୋଇଯାଏ ଶାନ୍ତ ଶୂନଶାନ ପିଚୁଢଳା ଲମ୍ବା ଲମ୍ବା ଶବ୍ଦ ହୀନ ରାସ୍ତା ସବୁ ଆଲୋକିତ ହେଇଯାଏ ରାସ୍ତା କଡ଼ ବିଜୁଳି ଖୁଣ୍ଟର ଧପ୍ ଧପ୍ ଆଲୁଅରେ... କାଁ ଭାଁ ଯାନ ବାହନର ଆତଯାତରେ ଆଲୋକିତ ରାସ୍ତା ରାସ୍ତାକଡ଼ ବୃକ୍ଷ କୋରଡ଼ରୁ ଉଲ୍ଲୂକର କର୍କଶ ଡାକରେ ଭାଙ୍ଗେ ସହରର ସହରୀ ନିସ୍ତବ୍ଧତା... ସମୟଟା ଯେମିତି ଅଟକି ଯାଏ କିଛି କ୍ଷଣ ସହରୀ ମଣିଷଟା ପାଇଁ ତନ୍ଦ୍ରାୟିତ ମଧ୍ୟେ ମାପି ଚାଲେ ଆତ୍ମ ଚିନ୍ତନର ନିଭୃତ ପରିସୀମା... ନିଶବ୍ଦ ରାତ୍ରିର ଆଲିଙ୍ଗନରେ ପ୍ରକୃତି ଦତ୍ତ ନୀରବତାକୁ ସାଉଁଟି ଫେରି ଯାଉଥିବା ମଣିଷ ପୁଣି ଦେଖେ ଫେରିବା ବାଟରେ ଭବିଷ୍ୟତ ପାଇଁ ଦେଖିବାକୁ ଅସୁମାରୀ ସୁନେଲି ସପନ... ତାରା ଖଚିତ ଆକାଶକୁ ଚାହିଁ ଯନ୍ତ୍ରବତ ସହରି ମଣିଷଟି କଡ଼ ଲେଉଟାଇ ମିଠା ମିଠା ସ୍ୱପ୍ନରେ ବିଭୋରିତ ହୋଇଯାଏ ସହରଟା ଶୋଇଗଲା ପରେ... ସହରଟା ଶୋଇଯାଏ ସତ ପୁଣି ଆପଣାଏ ଏକ ଅର୍ବାଚିନ କଠୋର ସତ୍ୟତା କରେ ସ୍ୱାଗତ ସକାଳକୁ ଦେଖିବାକୁ ନୂତନ ସୂର୍ଯ୍ୟର ପ୍ରକାଶ... ମନୋଜ କୁମାର ଭୋଇ ପ୍ରତିଷ୍ଠାତା, ଟିକାବାଲି ସାହିତ୍ୟ ସଂସଦ, ଟିକାବାଲି, କନ୍ଧମାଳ - ୭୬୨୦୧୦ ଦୂରଭାଷ - ୯୩୩୭୨୦୧୩୦୨

  • ମୃଗୁଣୀ ସ୍ତୁତି

    ରାମ ଯେ ରାମ ରାମ ନାମ ଶ୍ରୀରାମ ରାମ

  • ହୃଦୟ

    ଶେଷ ଇଛା ମୋର କହି ମୁଁ ଯାଉଛି କେବେ ଯଦି ଜୁଇ ଜଳେ ତୁମ ନାମ ଥିବ ଶ୍ମଶାନ ବୁକୁରେ ରାମନାମ ଅନ୍ତରାଳେ ॥ ହୃଦୟକୁ ତୁମ ନାଁ ରେ କଲି ମୁଁ ଶବ ବ୍ୟବଚ୍ଛେଦ ଘରେ ଚିରି ଦେଖିନେବ ପାପୁଲିରେ ଥୋଇ କେବେ ମରିଗଲା ପରେ ॥ ପରଖି ଦେଖିବ କଟା ଖଣ୍ଡଟାକୁ ତା' ଭିତରେ କେତେ ପ୍ରେମ ଶେଷ ଢ଼ୋକ ଢାଳି ବିଦାୟ କହିବ ଅଧରୁ ଚଳୁଏ ତୁମ ।। ନାସିକେଶ୍ଵର, କାକଟପୁର, ପୁରୀ ଦୂରଭାଷ - ୮୦୦୦୦୭୨୬୨୯

  • ଚନ୍ଦ୍ର ଅଭିଯାନ

    ଚକିତ ହୋଇଲା ଏ ସାରା ଜଗତ ଚନ୍ଦ୍ର ଅଭିଯାନ ହେଲା ସଫଳ ଭାରତ ରଚିଲା ନୂଆ ଇତିହାସ ଚନ୍ଦ୍ରଯାନ ୩ ଜ୍ଞାନ କୌଶଳ । ଆମ ଜହ୍ନମାମୁ ନୁହେଁ ଆଉ ଦୂର ଲାଗେ ସତେ ଆମ ନିକଟରେ ସ୍ୱାଧୀନତାର ଏ ଅମୃତ କାଳରେ ପହଞ୍ଚିଲେ ଚନ୍ଦ୍ର ପୃଷ୍ଠ ପରେ । ଉଡ଼ିଲା ତ୍ରିରଙ୍ଗା ଜହ୍ନ ରାଇଜରେ ବିଶ୍ଵ ଗୁରୁ ନାମ ସାର୍ଥକ ହେଲା ଓହ୍ଲାଇଲା ଯାନ ଦକ୍ଷିଣ ମେରୁରେ ସର୍ବ ପ୍ରଥମ ଏ ବିଶ୍ଵ ଦେଖିଲା । ଇସ୍ରୋ ବୈଜ୍ଞାନିକ କର୍ମଚାରୀ ଧନ୍ୟ ଯୋଗ୍ୟ ସନ୍ତାନ ଏ ଦେଶ ମାଟିର ତନୁ ମନ ତୁମ କରି ସମର୍ପଣ ନାମ ଉଚ୍ଚ କଲ ମା' ଭାରତ ର । ଅଗଷ୍ଟ ତେଇଶ ତେଇଶ ମସିହା ସ୍ୱର୍ଣ୍ଣାକ୍ଷରେ ଲେଖା ଇତିହାସେ ନବ ପରିଚୟ ବିଜ୍ଞାନ ଜଗତେ ଜୟ ମା ଭାରତ ବିଶ୍ୱ ଘୋଷେ । ନବୀନ ଉତ୍ସାହେ ଆଗେଇ ଚାଲିବା ରଖିବା ସୁନାମ ଦେଶ ମାଟିର ବନ୍ଧୁତା ସୂତ୍ରରେ କରିବା ଆବଦ୍ଧ ସାରା ବସୁଧା ଆମ ପରିବାର । ଆଠମଲ୍ଲିକ ରୋଡ଼, ବଇଣ୍ଡା, ଅନୁଗୋଳ ଦୂରଭାଷ - ୭୯୭୮୦୫୭୬୯୫

  • ଚନ୍ଦ୍ର ଏବେ ବେଶି ପାଖ

    ବୋଉର କୋଳରୁ ମାମୁଘର ସଦା ଲାଗୁଥାଏ ବେଶି ପାଖ, କାଖରୁ ଓହ୍ଲାଇ ହାତ ବଢ଼ାଇଲେ ଦୂରଲାଗେ ସେଇ ଦେଶ ।। ବୈଜ୍ଞାନିକ ଜ୍ଞାନ ସତ କରିଦେଲା ଇସ୍ରୋର ସଫଳ ଦେଖ, କରୋନା ବେଳରେ ଚିକିତ୍ସା ବିଜ୍ଞାନ ଟିକା ଫୁଟାଇଛି ହସ ।। ଆମେ ଭାଗ୍ୟବାନ ବିଜ୍ଞାନ ଯୁଗର ସନ୍ତାନ ବୋଲାଉ ଆମେ, ଦିବସ ଆରମ୍ଭୁ ବିଜ୍ଞାନ ସାଥିରେ ଚାଲୁଛୁ ସମୟ କ୍ରମେ ।। ଆଜିର ଲୋଡ଼ାରେ ଜ୍ଞାନକୁ ଖଟାଇ ଆଗକୁ ବଢ଼ଇ ଯିଏ, ତଥ୍ୟ ପାଖେ ରଖି ପ୍ରକଳ୍ପ କରଇ କୁନି ବୈଜ୍ଞାନିକ ସିଏ ।। ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଆଜି ରଚିଗଲା ଇତିହାସ, ତ୍ରିରଙ୍ଗା ଉଡିଲା ସେ ଦେଶ ଭୁଇଁରେ ନିଜର ଲାଗିଲା ଦେଶ ।। ନିରଳସ ଶ୍ରମ ସଫଳତା ଦିଏ ମନରେ ରଖ ବିଶ୍ୱାସ, ବାରମ୍ବାର କର ନ ହେବା କାମକୁ ଲଗାଇ ବୁଦ୍ଧି ଶକତ ।। ରଷ୍ଟ୍ରପାଇଁ କାମ ଯିଏ କରିଥାଏ ନିଜର କାମ ସାଥିରେ, ରଷ୍ଟ୍ରପୁରୁଷର ସମ୍ମାନ ଲଭଇ କରେ ମଥା ନତ ତା' ଠାରେ ।। ଚିକିଟୀ ଗଡ଼, ଗଞ୍ଜାମ ଦୂରଭାଷ - ୮୨୪୯୪୮୬୪୫୫

  • ଛାତ୍ର

    ହାଇସ୍କୁଲର ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଭିତରେ ଥିଲେ ପୂର୍ବତନ ପ୍ରଧାନଶିକ୍ଷକ ରମେଶ ସାର ଓ ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ଏମ. ଏଲ. ଏ. ସୁରେଶ ବାବୁ । ବକ୍ତାମାନେ ସେମାନଙ୍କ ଅଭିଭାଷଣରେ ରମେଶ ସାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସ୍କୁଲର ବହୁତ ପିଲା କିପରି ବଡ଼ମଣିଷ ହୋଇପାରିଛନ୍ତି ସେ ବିଷୟ ବର୍ଣ୍ଣନା କରିଥିଲେ । ଉପସ୍ଥିତ ଜନତାଙ୍କ କରତାଳିରେ ନିଜକୁ ଗର୍ବିତ ମନେ କରୁଥିଲେ ରମେଶ ସାର । ଶେଷରେ ସ୍ଥାନୀୟ ଏମ. ଏଲ. ଏ. ସୁରେଶ ବାବୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଠିକ୍ କଥା, ରମେଶ ସାର ବହୁତ ଭଲ ମଣିଷ ଏ ସ୍କୁଲରୁ ତିଆରି କରିଛନ୍ତି । ତଥାପି ସେ ତ ଭଗବାନ ନୁହନ୍ତି, କିଛି ଛାତ୍ର ବି ବେକାର, ବେରୋଜଗାର ରହିଯାଉଛନ୍ତି । ମୁଁ ସେମାନଙ୍କୁ ଆହ୍ୱାନ କରୁଛି । ସେମାନେ ମୋ ସହ ଆସନ୍ତୁ, ମୋ ଦଳରେ ଯୋଗ ଦିଅନ୍ତୁ । ସେମାନଙ୍କୁ ଜୀବନ, ଜୀବିକା ମୁଁ ଦେବି । ଦୁଇଗୁଣ କରତାଳିରେ ସଭାସ୍ଥଳ କମ୍ପି ଉଠୁଥିଲା । କ୍ଲାସର ସବା ପଛ ବେଞ୍ଚରେ ବସୁଥିବା ଓ ପ୍ରାୟ ପ୍ରତିଦିନ ତାଙ୍କ ଠାରୁ ବେତମାଡ ଖାଉଥିବା ସୁରିଆ ଓରଫ ସୁରେଶ ବାବୁଙ୍କ ଏହି କଥା ଶୁଣି ନିଜ ଅଜାଣତରେ ରମେଶ ସାର ବି ତାଳି ମାରି ଚାଲିଥିଲେ । ଯମୁନା ରୋଡ଼, ମାର୍କଣ୍ଡେଶ୍ଵର ସାହି, ପୁରୀ ଦୂରଭାଷ - ୯୮୬୧୧୯୧୩୮୦

  • ସନ୍ନ୍ୟାସୀ

    ପାଞ୍ଚ ବିକାରକୁ ପାଦରେ ଏଡେଇ ଶୁନ୍ୟତା ପିଇ ଯେ ହୁଅଇ ଖୁସି ଜୀବନ ଯୁଦ୍ଧରେ ହାରନ୍ତିନି କେବେ ସଦା ପୂଜ୍ୟ ସିଏ ଶୁଦ୍ଧ ସନ୍ନ୍ୟାସୀ । ତ୍ୟାଗର ସମ୍ରାଟ ନିଷ୍ଠାର ସେବକ ସ୍ୱଚ୍ଛ ନିର୍ମଳର ପ୍ରତିମାଟିଏ ଆଚରଣେ ସିଦ୍ଧ ହିମ ଶିଖର ସେ ବିଭୁ ପ୍ରେମେ ସଦା ବୀଣା ବଜାଏ । ସଂସାରୀ ନହୋଇ ସଂସାର ମଙ୍ଗଳେ ସାଜିଥାଏ ଦୀପ୍ତ ଅଲିଭା ଦୀପ ସଂସାରେ ସଭିଙ୍କୁ ଦୁଃଖଟେ ନ ଛୁଉଁ କରୁଥାଏ ସଦା ପ୍ରଭୁଙ୍କୁ ଜପ । ଦେହୀ ଅଭିମାନୀ ଅବିକାରୀ ଆତ୍ମା ନାସ୍ତିକର ଭାବ ନ ଥାଏ ମନେ ଜୀବଙ୍କ କାମନା ପୂରଣ ନିମନ୍ତେ ଧ୍ୟାନ କରୁଥାଏ ଶୁନ୍ୟ ପ୍ରାଙ୍ଗଣେ । ସମସ୍ୟା କ'ଣ ସେ ନ ରଖେ ହୃଦରେ ସମାଧାନର ସେ ଉଦ୍ୟାନ ମାଳୀ ସଫଳତା ମନ୍ତ୍ର ଦେଇ ସଭିଙ୍କୁ ସେ ମାରନ୍ତି ସଭିଙ୍କ ଖୁସିରେ ତାଳି । ନିଜ ଜୀବନକୁ ମଣନ୍ତି ସେ ତୁଚ୍ଛ ଅନ୍ୟ ପ୍ରାଣ ତାଙ୍କ ପାଇଁ ସର୍ବସ୍ୱ ସର୍ବ ଗୁଣ ଦେଖି ପ୍ରଶଂସା ଅରପି ଝୁରୁଥାଏ ପ୍ରତି କାଳ ଏ ବିଶ୍ୱ । ଆଦର୍ଶ ସନ୍ନ୍ୟାସୀ ପୂଜ୍ୟ ସବୁଠାରେ ତା ଠାରୁ ମହତ ଆଦର୍ଶ ଗୃହୀ ଦୁଃଖର ବନ୍ୟାରେ ଜୀବନ ଡଙ୍ଗାକୁ ସାବଧାନେ ପରା ନିଏ ସେ ବାହି ।

  • କୃଷ୍ଣ ସୁଦାମା

    ତମ ଶରଧାର ଖୁଦଭଜାକୁ ତ ମୁଁ ଅନେକ ଦିନରୁ ଚାହିଁଛି ସୁଦାମା କେହି କ'ଣ ଭୂଲିପାରେ ସେଇ ପିଲାଦିନ କଥା ଝୁରି ହେଉଛି ପରା ମୋର ଅନ୍ତର ଆଉ ଆତ୍ମା । ଅନେକ ଥର ତୁମ ଡାକ ମୋ ହୃଦୟକୁ ଛୁଇଁଛି ଟୋପା ଟୋପା ବର୍ଷା ବିନ୍ଦୁ ପରି ଲୁହବି ଝରିଛି, ତୁମେ କଷ୍ଟ ପାଇଲେ ମୁଁ କ'ଣ ନିଶ୍ଚିନ୍ତ ନିଦ୍ରାରେ ଶୋଇପାରିଛି ! ହେଲେ ତୁମ ଭଲପାଇବାର ଗଭୀରତା ଭିତରେ ବାରମ୍ବାର ହଜିବାକୁ କାହିଁକି କେଜାଣି ଖୁବ ଇଛା ହେଇଛି ମୁଁ ସେତେ ସେତେ ତୁମକୁ ଛୁଉଁଥିଲି ତୁମେ ଯେତେ ଯେତେ ମୋତେ ଖୋଜୁଥିଲ ଆହୁରି ବଢିଯାଉଥିଲା ମୋର ତୁମକୁ ପାଖରେ ପାଇବାର ଇଛା ମୋ ଆଖିର ଅଶ୍ରୁକୁ ତୁମେ ହୁଏତ ଦେଖିପାରୁ ନଥିଲ, ତୁମ ପାଦର ସ୍ପର୍ଶରେ ଏ ଦ୍ଵାରିକାପୁର ମୋର ଧନ୍ୟ ହେଇଯିବ ତା'ର ପ୍ରତିଟି ଧୂଳିକଣା ତୁମରି ଆଶ୍ଳେଷରେ ଚେଇଁ ଉଠିବ ଏଇକଥା ଭାବୁଥିଲି, ସେଇଥିପାଇଁ ତ ମୁଁ ତୁମକୁ ଧରାଦେଉ ନଥିଲି ! ତମର କ'ଣ ପିଲାଦିନ ଲୁଚକାଳି ଖେଳ କଥା ମନେନାହିଁ ମୋତେ ଛୁଇଁବାକୁ କେତେ ଦଉଡୁଥିଲ ଆଉ ତମେ ଥକିଗଲା ପରେ ମୁଁ ଆପେ ଆପେ ଧରା ଦେଉଥିଲି ଅନେକ ଥର ତୁମ ଖୁଦଭଜାର ବାସ୍ନାରେ ଏ ମନ ବିଭୋର ହେଇଛି ତମକୁ ପାଖରେ ପାଇବାକୁ କେତେ ଡହଳ ବିକଳ ହେଇଛି ସୁଦାମା ! ଆଜି ତମକୁ ହୃଦୟରେ ଜଡେଇ ଧରିବାରେ କେତେ ଯେ ତୃପ୍ତି.. ! କେତେ ଯେ ଶାନ୍ତି.. !! ଲାଗୁଛି ଯେମିତି ଅନନ୍ତ ଅପେକ୍ଷାର ଅନ୍ତ ଘଟିଛି ।।

bottom of page