top of page

Find On Web

108 results found for ""

  • ସପନର ଆରପାରି ଗାଁ

    ଅତୀତଟା ଯେବେ ମନେପଡେ ମୋର ସ୍ମୃତି ହୋଇଯାଏ ତାଜା, ସ୍ଵପ୍ନ ଭଳି ଲାଗେ ବିଗତ ଦିନର ଲୁଚକାଳି ଖେଳ ମଜା ॥୧॥ ନଈ ଆରପାରି ଗାଆଁ ଥିଲା ମୋର କେତେ ଆପଣାର ସତେ, ସ୍ମରଣ କରିଲେ ବିଗତ ଦିନକୁ ଅତୀତ ଆକର୍ଷେ ମୋତେ ॥୨॥ ମୋ ବଉଳ ଘର ସେ ଗାଆଁ ରେ ତେଣୁ ଭିନ୍ନ ଏକ ଆକର୍ଷଣ, ଯେଉଁଠି ବିତିଛି ମୋ ବାଲ୍ୟଜୀବନ ଖେଳରେ ହୋଇ ମଗନ ॥୩॥ ପାହାଡ଼ ତଳର ନଈଧାରେ ସରୁ ପାଦ ଚଲା ନାଲି ରାସ୍ତା, ରାସ୍ତା ଆରପଟେ ବଉଳର ଘର ତା ପଛରେ ଆମ୍ବ ତୋଟା ॥୪॥ ସେ ଆମ୍ବ ତୋଟାରେ ରଜଦୋଳି ଖେଳେ ରଜ ପାନ ଖଣ୍ଡେ ଖାଇ, ଅତୀତ ହେଲେ ବି ସତେଜ ସେ ସ୍ମୃତି କେବେ ଭୁଲି ହେବ ନାହିଁ ॥୫॥ ସମୟ ସ୍ରୋତରେ ପିଲାଖେଳ ଛାଡ଼ି ଯେବେ ବଡ଼ ହେଲି ମୁହିଁ, କେମିତି ଜାଣିବି ବଉଳ ଠୁଁ ମୋତେ କିଏ ସେ ଦେବ ଦୂରେଇ ॥୬॥ ଧିରେ ଧିରେ ସ୍ମୃତି ଅପସରି ଯାଏ ଅତୀତ କାଳ ଗର୍ଭରେ, ଚଳଚ୍ଚିତ୍ର ପରି‌ ଭାସମାନ ହୁଏ ନିଦଭରା ସପନରେ ॥୭॥ ସପନର ଆର ପାରି ଗାଆଁ ଦେଖ ଡାକୁଛି ହାତ ଲମ୍ବାଇ, ସତେ ଅବା ତା'ର ପଣତକାନିରେ ରଖିବ ମୋତେ ଘୋଡ଼ାଇ ॥୮॥

  • କବିତା - ମୁଁ

    ଏ ଶୀତ ସହରର ଛାତି ତଳେ ଜଳେ ବେଦନାର ମରୁଭୁଇଁ, ନୀରବ ନଈର ରିକ୍ତ ନାଉରୀ ମୁଁ କୂଳ କଥା ଭାବେ ନାହିଁ ॥ କେନ୍ଦେରା ଶବଦେ ହଜିଯାଉଥିବା ମୁଁ ନିରାସକ୍ତ ଯୋଗୀଟିଏ, ସଂସାର ହାଟର ସୁଖ ଓ ଦୁଃଖରେ ମୋର ଅବା କିସ ଯାଏ ॥ ନିର୍ଧୂମ ଝାଞ୍ଜିର ଖରାବେଳ ସିଏ ମୁଁ ନିର୍ଜନ ନଈପଠା, ଭୋଦୁଅର ସିଏ ଅସରନ୍ତି ଗପ ମୁଁ ଯେ ଛଳ ଛଳ ନୀରବତା ॥ ପଥୁରିଆ ସାହି, ପଣ୍ଡିତ ମଠ ନିକଟ, ପୁରୀ

  • ଦରଜି ମଉସା

    ସପ୍ତମ ଶ୍ରେଣୀ ପାସ କଲାପରେ ବାପା ମତେ କହିଲେ ପୁଅରେ ଆଉ ପଢ଼ାପଢ଼ି ପ୍ରତି ଧ୍ୟାନ ନଦେଇ ନିଜ ବୃତ୍ତିକୁ ଆଦରି ନେ... ଜୀବନ ଟି ସୁଖମୟ ହେବ । ମୁଁ ବୁଝିଗଲି ଯେ, ବାପା ମତେ ଆଉ ଅଧିକ ପାଠ ପଢେଇବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଅବଶ୍ୟ ବାପାଙ୍କ କଥାଟି ପୂରା ଠିକ । କାରଣ ବାପା ଆଗରୁ କହି ସାରିଛନ୍ତି, "ନାଇଁରେ ପୁଅ ମୋର ତତେ ଆଉ ଅଧିକ ପଢେଇଲା ଭଳିଆ କ୍ଷମତା ନାହିଁ । କାହିଁକି ଅବା ଦୁଃଖ କରିବି ! ମୁଁ ତ ନିଜେ ଦେଖୁଛି, ମୋ ବାପାଙ୍କର ଅଭାବ ଅନଟନ ଦୁନିଆରେ ପ୍ରତିଦିନ ପେଟକୁ ଦୁଇମୁଠା ଦାନା ଯୋଗାଡ କରିବା ତାଙ୍କ ପକ୍ଷେ ବହୁତ କଷ୍ଟ ହେଉଛି । ଆଉ ମୋର ଅଧିକ ପାଠପଢାକୁ କିଏ ବା ଦେଖୁଛି ! ନିଜ ମନକୁ ବୁଝେଇ ନେଲି । ଆଜିଠାରୁ ମତେ ବାପାଙ୍କ ପରି ପାଞ୍ଜି ବ୍ୟାଗଟିକୁ କାନ୍ଧରେ ପକାଇ ଏଥର ରୋଜଗାର ଅନ୍ଵେଷଣରେ ଯିବାକୁ ପଡିବ । ମୋ ବୋଉ ଆରପଟ ଘରେ ରହି ଆମ ବାପ-ପୁଅଙ୍କ କଥା ସବୁ ଶୁଣୁଥିଲା । ହଠାତ ବାପାଙ୍କ ପାଖକୁ ଆସି କହିଲା, "କଣ ହେଲା... ମୋ ପୁଅଟି ଭଲ ପାଠ ପଢୁଛି, ଭବିଷ୍ୟତରେ ଚାକିରି କରି ରୋଜଗାର କଲେ ସିନା ଆମ ଦୁଃଖ ଯିବ । ଶୁଣ... ମୋ ପୁଅକୁ ମୁଁ ଅଧିକ ପାଠ ପଢେଇବି । ମୋର ଯାହା ସବୁ ସୁନା ଗହଣା ଓ ବାସନ କୁସନ ଅଛି ସେ ସବୁ ବିକ୍ରି କରିଦେବି... ଅସୁବିଧା କଣ ? ବୋଉ କଥାରେ ବାପା ରାଜି ହୋଇଗଲେ । - "ହଉ... ତମେ ଯଦି ତାକୁ ଅଧିକ ପାଠ ପଢେଇବାକୁ ଚାହୁଁଛ ତେବେ ଠିକ ଅଛି, ଆମ ପୁଅ ତାହେଲେ ଆଗକୁ ପାଠପଢୁ ।" ବାପା ବୋଉଙ୍କର ଏହି ନିଷ୍ପତ୍ତିରେ ମୁଁ ବି ଖୁସି ହୋଇଗଲି । ଅଷ୍ଟମ ଶ୍ରେଣୀରେ ନାଁ ଲେଖା ହୋଇଗଲା । ହାଇସ୍କୁଲରେ ପଢିବାକୁ ହେଲେ, ଭଲ ଡ୍ରେସ ଦରକାର, ଆଉ ଚପଲ ହଳେ ବି ଦରକାର । ବୋଉ ବାପାଙ୍କୁ କହିଲା ଶୁଣ, "ମୋର କଂସା ଥାଳି ଆଉ ପିତଳ ଗ୍ଲାସ, ଏ ଦୁଇଟି ବିକ୍ରି କରିଦିଅ... ଯାହା ପଇସା ହେବ, ସେଥିରେ ଆମ ଶିବ ପାଇଁ ସ୍କୁଲ ଡ୍ରେସ ଆଉ ଜୋତା କିଣି ଦେଲେ ସେ ପଢିବାକୁ ସ୍କୁଲ ଯିବ ।" ଆଉ ସେଇଆ ହିଁ ହେଲା । ଜିନିଷ ବିକା ହେଲା ଏବଂ ମୋ ପାଇଁ ସ୍କୁଲ ଡ୍ରେସ ଓ ଜୋତା କିଣା ହୋଇଗଲା । ହାଇସ୍କୁଲରେ ମୋର ଅଷ୍ଟମଶ୍ରେଣୀରୁ ପାଠପଢା ଆରମ୍ଭ... । ମନରେ ମୋର ଅନେକ ଅନେକ ଖୁସି । ହେଲେ ଗୋଟିଏ ହଳ ପ୍ୟାଣ୍ଟ ସାର୍ଟ । ପ୍ରତିଦିନ ସ୍କୁଲରୁ ଫେରି ତାକୁ ଯତ୍ନର ସହିତ ସାଇତିକି ରଖିଦିଏ ଆସନ୍ତାକାଲି ସ୍କୁଲ ପିନ୍ଧିକି ଯିବାପାଇଁ । ସମୟ କ୍ରମେ ଅଷ୍ଟମ ପାସ କରି ନବମ ହୋଇଗଲାଣି । ବେଞ୍ଚ ଉପରେ ବସି ବସି ସେ କଳା ପେଣ୍ଟର ପଛପଟ ଦୁଇଟି ଜାଗା ଚିରି ବି ଗଲାଣି । ଭାରି ଲାଜ ଲାଗୁଛି ଏ ଚିରା ପ୍ୟାଣ୍ଟଟିକୁ ପିନ୍ଧି ସ୍କୁଲକୁ ଯିବାକୁ । ହେଲେ ଆଉ କିଛି ବିକଳ୍ପ ନାହିଁ । କାରଣ ସେଇ ଖଣ୍ଡକ ପ୍ୟାଣ୍ଟ ହିଁ ମୋର ସମ୍ବଳ । ସ୍କୁଲରୁ ଫେରି ଗାମୁଛାଟେ ପିନ୍ଧି ବାପାଙ୍କୁ ଦେଇଦେଲି ଦରଜି ପାଖକୁ ଯାଇ ପ୍ୟାଣ୍ଟରେ ଦୁଇଟି ନଥା ପକେଇ ଆଣିବାକୁ । ନଚେତ କାଲି ଆଉ ସ୍କୁଲ ଯାଇପାରିବିନି । ମୋ କଥା ଶୁଣି ମୋର ସେହି କଳା ପ୍ୟାଣ୍ଟଟିକୁ ହାତରେ ଧରି ବାପା ଚାଲିଲେ ଆମ ଗାଁ ପାଖ ଚାନ୍ଦପୁର ବଜାରକୁ । ସେଠାରେ ଦରଜିକୁ ପ୍ୟାଣ୍ଟଟିକୁ ଦେଇ କହିଲେ... "ଭାଇ ମୋ ପୁଅର ଏଇ ଗୋଟିଏ ବୋଲି ପ୍ୟାଣ୍ଟ । ବେଞ୍ଚରେ ବସି ବସି ପ୍ୟାଣ୍ଟର ପଛ ପଟ ଦୁଇଟି ଜାଗା ଚିରି ଯାଇଛି । ଦୁଇଟି ନଥା ପକାଇ ଟିକେ ସିଲେଇ କରିଦିଅ ।" ଦରଜି ସେହି ପ୍ୟାଣ୍ଟ ପଛପଟେ ଦୁଇଟି ନଥା ପକାଇ ବାପାଙ୍କୁ ଫେରେଇଦେଲେ । ବାପାଙ୍କ ମନ ବି ବହୁତ ଖୁସି ଯେ, ଯାହାହେଉ ମୋ ପୁଅର ପ୍ୟାଣ୍ଟଟି ଦରଜି ସିଲେଇ କରିଦେଲେ । ଘରକୁ ଫେରି ବାପା ନଥା ପକେଇ ଆଣିଥିବା ପ୍ୟାଣ୍ଟଟିକୁ ମୋ ହାତକୁ ବଢେଇ ଦେଲେ । ଯାହାହେଉ କାଲି ସ୍କୁଲ ଯିବାପାଇଁ ଆଉକିଛି ଅସୁବିଧା ନାହିଁ । ସକାଳ ପାହି ସ୍କୁଲ ସମୟ ହେଲା । ପ୍ୟାଣ୍ଟ ସାର୍ଟ ପିନ୍ଧି ବହି ବସ୍ତାନୀ ଧରି ସ୍କୁଲ ବାହାରି ପଡିଲି । ସବୁଦିନ ବି ଏଇ ରାସ୍ତାରେ ଯାଏ ଏଇ ରାସ୍ତାରେ ଆସେ । ହେଲେ ଆଜି କିଛି ଅଲଗା ଅନୁଭବ ଆସୁଥାଏ ମନରେ । ମୁଁ ଯିବା ବାଟରେ ମୋତେ ଦେଖି ବାଟରେ ଠିଆ ହୋଇଥିବା କିଛି ଲୋକ ପରସ୍ପର ଭିତରେ କିଛି ଚୁପ ଚୁପ କଥା ହୋଇ ମୋ ଆଡକୁ ଅନେଇ ମୁରୁକି ମୁରୁକି ହସୁଛନ୍ତି । ଭାରି ଅଡୁଆ ଅଡୁଆ ଲାଗିଲା ସେ ମୁହୂର୍ତ୍ତ ଟି । ତଥାପି ମନକୁ ବୁଝେଇ ସ୍କୁଲମୁହାଁ ହେଲି... । ସ୍କୁଲ ହତା ଭିତରକୁ ପଶୁ ପଶୁ କାନରେ ପଡ଼ିଲା, ସାଙ୍ଗ ମାନଙ୍କର କିଛି ତାଛଲ୍ୟଭରା କଥା ଦୁଇପଦ... "ଆରେ ଦେଖରେ ଶିବ ପ୍ୟାଣ୍ଟକୁ ଟିକେ ଦେଖ ।" ସାଙ୍ଗ ମାନଙ୍କର ଏସବୁ କଥା ଶୁଣି, ଖୁବ ଲଜ୍ଜା ଅନୁଭବ ହେଉଥିଲା ନିଜକୁ । ତଥାପି ଏସବୁକୁ ଭ୍ରୂକ୍ଷେପ ନକରି ଶ୍ରେଣୀ ଗୃହକୁ ପ୍ରବେଶ କଲି । ଆଜିର ଏସବୁ ଘଟଣା ଗୁଡିକ ଟେଲିଭିଜନ ସିରିୟଲ ପରି ମୋ ଆଖି ଆଗରେ ନାଚି ଯାଉଥାଏ । ପାଠ ପଢିବାରେ ମନ ଲାଗୁନଥାଏ । ଅନେକ ମାନସିକ ଯନ୍ତ୍ରଣାକୁ ସ୍ଥଗିତ କରି ପାଠପଢାରେ ମନ ଦେଲି । ଛୁଟି ବେଲ ବାଜିଲା... ଅର୍ଥାତ ଏବେ ସମୟ ଚାରିଟା ହୋଇଗଲା । ଯେମିତି ଘଣ୍ଟି ବାଜିବା ଶବ୍ଦଟି କାନରେ ପଡ଼ିଲା, ବହି ବସ୍ତାନୀ ଧରି ଆମ୍ବ ତୋଟା ପଟେ ପଡି ସିଧା ବାରିପଟେ ଆସି ଘରେ ହାଜର । ସେତେବେଳକୁ ମୋ ବୋଉ କୂଅରୁ ପାଣି ଆଣୁଥିଲା । ମୋର ଅସ୍ତବ୍ୟସ୍ତ ଅବସ୍ଥା ସହ ଦେହରୁ ଝାଳ ବୋହି ଯାଉଥିବାର ଦେଖି, ତା ପଣତକାନିରେ ମୋ ଦେହର ଝାଳ ପୋଛୁ ପୋଛୁ କହିଲା... "କଣ ହେଲାରେ ଧନ ! ତତେ କଣ କିଏ କହିଲା କି ? ଏମିତି ଧଇଁ ସଇଁ ହୋଇ ସ୍କୁଲରୁ ଆସିଲୁ ଯେ...?? କଣ ହେଇଛି ମତେ କହିଲୁ ???" ଏସବୁ ପଚାରିବା ମୋ ବୋଉ ମୋ ଦେହରୁ ସବୁତକ ଝାଳ ପୋଛି ସାରିଲାଣି । ମୋ ବୋଉକୁ ମୁଁ କହିଚାଲିଲି... ଆଜି ଘରଠାରୁ ସ୍କୁଲ ପର୍ଯ୍ୟନ୍ତ ସମସ୍ତ ଘଟଣାବଳୀ । ମୋ କଥା ସବୁ ଶୁଣି ବୋଉ ଟିକେ ଭାବିକି ମୋତେ କହିଲା... "ଆ ମୋ କୋଳରେ ଶୁଆଇ ଦେଇ ତତେ ସବୁ ବୁଝେଇ ଦେବି... ।" ବୋଉର ଏସବୁ କଥା ମତେ ଟିକେ ଅଡ଼ୁଆ ଅଡୁଆ ଲାଗୁଥାଏ । କାରଣ ମୋ ବୋଉ ସେତେ ଶିକ୍ଷିତ ନୁହେଁ । ହେଲେ ମୁଁ ଘରେ ପାଠ ପଢିଲା ବେଳେ ସେ ସେମିତି ମୋ ପାଖରେ ବସିଥିବ । ଇଏ ହେଉଛି ମୋ ବୋଉ । ତା କୋଳରେ ମୋ ମୁଣ୍ଡକୁ ଆଉଜେଇ ନେଇ ଆଉଁସି ଆଉଁସି କହିଲା... "ଶୁଣୁ ତୁ ଆଜି ସ୍କୁଲକୁ ଗଲାବେଳେ ଯେଉଁ ଲୋକମାନେ ମୁରୁକି ମୁରୁକି ହସୁଥିଲେ ଆଉ ପରସ୍ପର ମଧ୍ୟରେ ଚୁପ ଚୁପ କଥା ହେଉଥିଲେ..., ତା'ର କାରଣ ହେଉଛି, ତୁ ପିନ୍ଧିଥିବା ପ୍ୟାଣ୍ଟ ।" - "ପ୍ୟାଣ୍ଟର ଦୋଷ କୋଉଠି ରହିଲା ଯେ..." ମୁଁ ପଚାରିଲି ବୋଉକୁ । ବୋଉ ପୁଣି କହିବା ଆରମ୍ଭ କରିଦେଲା... "ତୋର ସେହି କଳା ପ୍ୟାଣ୍ଟଟିରେ ଦରଜି ଧଳା କନାରେ ଦୁଇଟି ନଥା ପକେଇ ସିଲେଇ କରି ଦେଇଛନ୍ତି ତ... ତେଣୁ ତୁ ପିନ୍ଧିଥିବା ପ୍ୟାଣ୍ଟର ପଛପଟଟି ଦୂରକୁ ସ୍ୱୟଂ ଜଗନ୍ନାଥଙ୍କ ଚକାଆଖି ପରି ଦେଖାଯାଉଛି... । ଯେଉଁମାନେ ତୋ ପ୍ୟାଣ୍ଟକୁ ଦେଖି ଚୁପ ଚୁପ କଥା ହେଉଥିଲେ ଆଉ ମୁରୁକି ମୁରୁକି ହସୁଥିଲେ... ସେମାନେ ପରସ୍ପର କୁହାକୁହି ହେଉଥିଲେ କି, "ସତରେ ! ଶିବ ଟି କେଡେ ଭାଗ୍ୟବାନ ପିଲା !! ସ୍ୱୟଂ ଜଗନ୍ନାଥ ତା ସାଙ୍ଗରେ ଅଛନ୍ତି ।" ଏଇ ସବୁ ଭାବିକି ସେମାନେ ଖୁସିରେ ମୁରୁକି ମୁରୁକି ହସୁଥିଲେ... ଆଉ ସ୍କୁଲରେ ବି ତୋ ସାଙ୍ଗ ମାନେ ଠିକ ସେୟା ହିଁ ଭାବୁଥିଲେ... ବୁଝିଲୁ... ସେମାନେ ସମସ୍ତେ ତୋର ଶୁଭ ଚିନ୍ତକ ବୋଲି ତୁ ଭାବେ ।" ବୋଉ ମତେ ଏମିତି ବୁଝେଇ ଚାଲିଥିଲା ଯେ, ମୁଁ ତା କଥା କେବଳ ଆନନ୍ଦର ସହ ଶୁଣୁଥିଲି । ମନେ ମନେ ମୋ ବାପା ବୋଉଙ୍କ ସହ ମୋ ପ୍ୟାଣ୍ଟରେ ନଥା ପକେଇଥିବା ସେହି ଦରଜି ମଉସାଙ୍କୁ ବି ପ୍ରଣାମ କଲି । ଦରଜି ମଉସାଙ୍କୁ ମନେ ମନେ ବହୁତ ବହୁତ ଧନ୍ୟବାଦ ଦେଉଥିଲି । କାରଣ ମୁଁ ଭାବୁଥିଲି ତାଙ୍କରି ଆଶୀର୍ବାଦରେ ମୁଁ ଆଜି ଜଗନ୍ନାଥଙ୍କ ନିକଟତର ହୋଇ ପାରିଛି । ମଙ୍ଗଳାଯୋଡି, ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ : ୮୨୬୦୧୯୧୪୬୫

  • କାଳିଆ ମୁହଁରେ ଚକାନୟନ

    କି ଭାଗ୍ୟରେ ଆଜି କଲି ଦର୍ଶନ କାଳିଆ ମୁହଁରେ ଚକାନୟନ ॥୦॥ ଭାଇ ଭଉଣୀଙ୍କୁ ଧରି ସାଙ୍ଗରେ ବିଜେ କରିଅଛି ନୀଳକନ୍ଦରେ ଚଉଦ ବ୍ରହ୍ମାଣ୍ଡ କରତା ହୋଇ ସେ ଭକତ ହୃଦୟେ କରେ ଆସନ ॥୧॥ ନାହିଁ ପାଣିପାଦ ନାହିଁ ତା' କାନ ତଥାପି ଟାଣେ ସେ ଭକତ ମନ ଡୋରି ଦେଖ ତା'ର କେଡ଼େ ଟାଣ ସତେ ପାଖକୁ ନେଉଛି କରି ଉଚ୍ଛନ୍ନ ॥ ୨ ॥ ଚତୁର୍ଦ୍ଧା ମୂରତି ଏକ ସାଙ୍ଗରେ ସାନ ବଡ଼ ଭାବ ନାହିଁ ମନରେ ସଭିଙ୍କୁ ଏକାଠି କରିବା ପାଇଁକି କି ସୁନ୍ଦର ତା'ର ଏ ଆୟୋଜନ ॥୩॥ ନାହିଁ କେହି ଯା'ର ଆପଣା ପର ଯାହାକୁ ପାଏ ସେ କରେ ନିଜର ସବୁରି ଅନ୍ତର ଆବୋରି ବସିଛି ଛାଡ଼ି ଯିବାକୁ କି ହୋଇବ ମନ ॥୪॥

  • ଜିଅନ୍ତା ମରଣ ଏଇ

    ଜୀବନର ଚଲାପଥେ ଚାଲୁଥିଲେ କେବେ ଖରା କେବେ ଛାଇ, ଅମାନିଆ ଝଡ ଭାଙ୍ଗିଡିଏ ନୀଡ ସପନ ଉଜାଡି ଦେଇ ॥୦॥ ମରୁବାଲି ପରେ ଜୀବନର ସୁଖ ଗୋପନରେ ଯାଏ ଜଳି, ମନ ଗହନର କାମନା ବାସନା ନୀରବେ ଦିଅଇ ଢାଳି । ଛାତିତଳ କୋହ ଆଖି ଲୁହ ହୋଇ ଅଜାଣତେ ଯାଏ ବହି, ଜୀବନର ଚଲାପଥେ ଚାଲୁଥିଲେ କେବେ ଖରା କେବେ ଛାଇ ॥୧॥ ବୟସର ଏଇ ବଗିଚାରେ ହୁଏ ଫୁଲର ପାଖୁଡା ସଜା, ବେଳେ ବେଳେ ପୁଣି ସମୟ ଚଖାଏ କଣ୍ଟା ଫୁଟିବାର ମଜା । ଜିଇଁବାର ମାନେ ଜୀବନ ନୁହେଁ ତ ଜିଅନ୍ତା ମରଣ ଏଇ, ଜୀବନର ଚଲାପଥେ ଚାଲୁଥିଲେ କେବେ ଖରା କେବେ ଛାଇ ॥୨॥

  • ପାଣି

    ନୂଆ ନୂଆ ଭଡାଘର ନେଇ ରହୁଥିଲେ ଶଶାଙ୍କ ବାବୁ । ସ୍ୱଳ୍ପ ବେତନରେ ସଂପୂର୍ଣ୍ଣ ପରିବାରର ପାଞ୍ଚପ୍ରାଣୀ ନିର୍ଭରଶୀଳ । ତେଣୁ ମାସକର ବେତନରେ ପରିବାର ଚଳିବା କଷ୍ଟକର । ଧାର କରଜ କରି ବଡ କଷ୍ଟେ ମଷ୍ଟେ ଚଳନ୍ତି । ସହରରେ ଅହେତୁକ ଘରଭଡା ବୃଦ୍ଧି ତାଙ୍କ ସ୍ୱଳ୍ପ ବେତନ ପାଇଁ ବଡ କଷ୍ଟଦାୟକ ହେଇ ପଡିଛି । ତଥାପି ରହିବାକୁ ତ ହେବ । ବଢନ୍ତି ଗ୍ୟାସ ବିଲ ଟି ପଇଠ କରି ଗୋଟେ ଦୀର୍ଘଶ୍ଵାସ ମାରିଲେ ଶଶାଙ୍କ ବାବୁ । ପତ୍ନୀ ଙ୍କ ହାତରୁ ପଣି ଗ୍ଲାସଟିଏ ପିଉ ପିଉ ମନେ ପଡିଗଲା ଇଲେକଟ୍ରିକ ବିଲ ପଇଠ କରିବା କଥା । ତିନି ତିନିଟା ପଙ୍ଖାର ଇଉନିଟ ଖରଚ ମାସିକ ହଜାରେ ପାଖାପାଖି । ଡେଙ୍ଗୁର ପ୍ରପୀଡିତ ସ୍ଥାନ ଭିତରେ ତାଙ୍କ ରହଣି ଯେତେବେଳେ ମଶାର ପାଦୁର୍ଭାବ ଅଧିକ । ତେଣୁ ଅନବରତ ପଙ୍ଖା ନଚଳାଇଲେ ଚିକୁନିଗୁନିଆ ବା ଡେଙ୍ଗୁ ହେଇ ଯାଇପାରେ । ନିଜ କାର୍ଯ୍ୟାଳୟର ଘର ଖାଲି ଥିଲେ ହେଁ ଅଧିକାରୀଙ୍କ ଖାମ ଖିଆଲି ମନୋବୃତ୍ତି ଯୋଗୁଁ ଏମିତି କୋଟି କୋଟି ରାଜସ୍ୱ କ୍ଷତି ଘଟୁଛି । ଲୋକଙ୍କ ମୁଣ୍ଡପିଛା ଜାତୀୟ କରଜ ଭାର କେତେ ସାଧାରଣ ଲୋକଟି କଣ ଜାଣି ପାରୁଛି । ରୌଦ୍ର ସ୍ନାତା ଧରଣୀ ଉପରେ ବର୍ଷାର କଳା ବଉଦ ଦେଖି ଝିଅ ମିନୁ ଆସି କହିଲା- "ବାପା !!! ଆଜି ବର୍ଷା ହେବ ।" ବାପା ପଚାରିଲେ, "ତୁ ଆଜି ଏଯାଏଁ ସ୍କୁଲ ଯାଇନୁ ?" ମିନୁ କହିଲା- "ବାପା ଆଜି ପରା ସପ୍ଲାଇ ପାଣି ଆସିନି । ଆଉ ଯାହା ଟାଙ୍କିରେ ଥିଲା ପଡିଶା ଘର ଆଣ୍ଟି ସବୁ ସଞ୍ଚୟ କରି ରଖି ଦେଉଛନ୍ତି । ମୁଁ ଗାଧୋଇ ନାହିଁ ତ ସ୍କୁଲ ଯିବି କେମିତି ?" ଦୁଇଟି ପରିବାରର ଗୋଟିଏ ପାଣି ଟାଙ୍କି । ସେଥିରେ ଯଦି ପାଣିର ସୁବ୍ୟବସ୍ଥା ଉପରେ ପଡୋଶୀ ଘର ଏଭଳି ହଇରାଣ କରନ୍ତି ତେବେ ଜଳକ୍ଳିଷ୍ଟ ନିଶ୍ଚିତ ହେବ । ଯେତେ ବୁଝେଇଲେ ପଡୋଶୀ କହନ୍ତି- "ମୁଁ ଟଙ୍କା ଦେଉଛି ମୋର ଅସୁବିଧା କାହିଁକି ହେବ ? ଆପଣ ସେମିତି ଜଳ ସଞ୍ଚୟ କରି ରଖନ୍ତୁ ।" ଦୁଇ ହଜାର ଲିଟର ପାଣି ଟାଙ୍କି ଛାତରେ ଥାଉ ଥାଉ ଯଦି ପାଣି ଘରେ ଲୁଚେଇ ରଖିଦେଇ ପଡୋଶୀଙ୍କୁ ହଇରାଣ କରିବା ଇଚ୍ଛା ମୁଣ୍ଡରେ ଥାଏ, ତାକୁ କେମିତି କିଏ ବୁଝେଇବ ? ଏତେ ପାଣି କୁଆଡେ ଯାଉଛି କହିଲେ, କଥା କଥାକେ କହନ୍ତି- "ଆଜି ପରା ପାଣି ନଥିଲା ବୋଲି ଠାକୁର ପୂଜା କରି ପାରି ନାହିଁ ।" ଏକଥା ଯେ, ଡ଼ାହା ମିଛ, ଏ କଥା ବୁଝିବାରେ ଶଶାଙ୍କ ବାବୁଙ୍କୁ ଅଛପା ରହେ ନାହିଁ । ହଠାତ ଦିନେ ଶଶାଙ୍କ ବାବୁ ଶୁଣିଲେ, ପଡୋଶୀ ଘର ପବିତ୍ର ବାବୁଙ୍କ ସ୍ତ୍ରୀ ଓ ପୁଅ ସମସ୍ତେ ଡେଙ୍ଗୁ ଜରରେ ଆକ୍ରାନ୍ତ ହେଇଛନ୍ତି । ସଙ୍ଗେ ସଙ୍ଗେ ଶଶାଙ୍କ ବାବୁ ଅନଲାଇନରେ ସ୍ୱାସ୍ଥ୍ୟ ବିଭାଗକୁ ଜଣେଇଲେ । ସେମାନେ ଆସି ପ୍ରତିକାର ପଦକ୍ଷେପ ସ୍ୱରୂପ ଜମା ହୋଇ ଥିବା ସ୍ଵଚ୍ଛ ପାଣିରୁ ମଶାର ଉତ୍ପତ୍ତି ହୋଇଛି ଓ ଘରେ ବୁଲି ଦେଖୁ ଦେଖୁ ସେ ଲୁଚେଇ ରଖୁଥିବା ତିନି ଶହ ଲିଟର ପାଣିର ଏକ ବଡ ପ୍ଲାଷ୍ଟିକ ପାତ୍ର ଦେଖି କହିଲେ- "ଏଇ ଟାଙ୍କିରୁ ମଶା ବୃଦ୍ଧି ହୋଇ ତୁମ ପରିବାରକୁ ଡେଙ୍ଗୁ ଭଳି ମାରାତ୍ମକ ଜ୍ଵର ହୋଇଛି । ତାକୁ ପ୍ରଥମେ ବାହାରେ ଫିଙ୍ଗି ଦିଅ । ତୁମେ ବଞ୍ଚିବା ସହିତ ତୁମ ପଡୋଶୀ, ଯିଏ ଆମକୁ ପ୍ରଥମେ ତୁମ ବିଷୟରେ ଜଣେଇଲେ ତାଙ୍କୁ ବି ବଞ୍ଚିବାକୁ ଦିଅ । ମଶାରୀ ଓ ମଶା ପାଇଁ କେତେକ ଜିନିଷ ମିଳୁଛି । ତାକୁ କିଣି ଆଣି ନିରାପଦ ଜୀବନ ଯାପନ କର । ଘର ସଫା ରଖି ମଶାରୀ ଟାଣି ଶୋଇବା ଜାରି ରଖ ।" ଶଶାଙ୍କ ବାବୁ ଠାକୁରଙ୍କ ପାଖରେ ମନେ ମନେ ପ୍ରଣାମ କରି କହୁଥିଲେ, "ମୋ ପଡୋଶୀଙ୍କୁ ଭଲ କରିଦିଅ ଠାକୁରେ । ମୁଁ ସିନା ପାଣି ଅଭାବରୁ ପୂଜା କରିପାରେ ନାହିଁ । ମୋ ପଡୋଶୀ ତ ପାଣି ଲୁଚେଇ ରଖି ତୁମ ପୂଜା କରେ । ମୋ ଭାଗ ପାଣିରେ ସେ ଯଦି କରି ପାରିଲେ ମୋ ବିନତୀ ରକ୍ଷାକରି ତାଙ୍କୁ କ୍ଷମା ଦେଇ ଏ ବିପଦରୁ ରକ୍ଷା କର । ଶଶାଙ୍କ ବାବୁଙ୍କ ହାତରେ ଗୋଟିଏ ଡେଙ୍ଗୁ ନିର୍ଦ୍ଦେଶନାମା କାଗଜ ସ୍ୱାସ୍ଥ୍ୟ ବିଭାଗ ଧରେଇ ଦେଇ କହୁଥିଲେ- "ଆପଣ ସଚେତନ ରହିବେ.... ପ୍ଳିଜ ।" ନୀଳାଦ୍ରି ବିହାର, ଭୁବନେଶ୍ଵର ଦୂରଭାଷ - ୭୨୦୫୨୯୩୮୫୭

  • ତୁ, ମୁ ଓ ରାତି

    ତୁ ମୁଗ୍ଧ ବିଭୋର ସ୍ମୁତି, ମୁ ଛାତି ଥରା ଦୀର୍ଘଶ୍ୱାସ…. ତୁ ଚୋରା ଚଇତାଳି ରାତି, ମୁ ମହୁଲ ଫୁଲର ବାସ । ତୁ ଜୋଛନା ଢଳା ପାହାନ୍ତି, ମୁ ଝରା ପାଖୁଡ଼ାର ପ୍ରୀତି…. ମୋ କମ୍ପନ ଭରା ଫୁଲେ, ତୁ ରେଣୁ ଝଡ଼ା ପ୍ରଜାପତି । ତୁ ପାନ୍ଥଶାଳା ମୁ ରାତି, ତୁ ସାତ ସୁର ମୁ ଗୀତି…. ମୁ ରାତିର ରଜନୀଗନ୍ଧା, ତୁ କାକର ବୋଳା ପାହାନ୍ତି । ତୁ ଅମୃତ କଳସ ବିନ୍ଦୁ, ମୁ ଚିରକାଳ ଆକାଂକ୍ଷିତା…. ମୋ ତାତି ଭରା ଛାତି ତଳେ, ତୋ କାହାଣୀ ଚିର ସାଇତା । ମୀନାକ୍ଷି ପାଢୀ ଚିକିଟିପେଣ୍ଠ, ଗଞ୍ଜାମ

  • ସତେ ତୁ କିଏ

    ସତେ ତୁ’ କିଏ ପାହାନ୍ତାରେ ଆସୁ ସୁଖର ନିଦକୁ ନେଇ ମୋ’ ଆଖିରେ କେତେ ସ୍ଵପ୍ନ ଭରି ଦେଉ ନିଦରେ ଦେଉ ତୁ’ ଶୋଇ ।୦। କହଲୋ କିଏ ତୁ’ ନିଧୁମ୍ ଖରାରେ ସୁଖ ବିକୁ ଘର ଆଗେ ସୁଖର ବଣିକ କାହିଁ ତୁ’ ସାଜିଛୁ ଦୁଃଖ ସବୁ କାହା ଭାଗେ ଜୀବନ ପଥରେ ଚାଲୁଚାଲୁ କେବେ ସଂଜ ଆସୁଥାଏ ନଇଁ ସତେ ତୁ’ କିଏ ପାହାନ୍ତାରେ ଆସୁ ସୁଖର ନିଦକୁ ନେଇ ।୧। ମହା ମିଛ ମୋର ଗୋଲାପ ପରିକା ସାଇତିଛୁ ଡାଏରୀରେ କଣ୍ଟା ପରି ମୋର ରୁକ୍ଷ କଟାକ୍ଷ ଚାପିଛୁ ତୁ’ ହୃଦୟରେ କପଟ ନକରି କହ ମନଖୋଲି ପରିଚୟ ତୋର ଦେଇ ସତେ ତୁ’ କିଏ ପାହାନ୍ତାରେ ଆସୁ ସୁଖର ନିଦକୁ ନେଇ ।୨।

  • ଏ ମନ ବୁଝେନା

    କେହି ଏଠି କାହାରିକୁ ବୁଝେନା ବୋଲି ତ ଜୀବନଟା ଉଦାସ ଉଦାସ ଆଷାଢ଼ ଆକାଶ ପରି ଓଦା ଓଦା ଆସେ ଅଚାନକ ଝଡ଼ ଓ ବତାସ… ମିଛ ସ୍ନେହ, ମିଛ ପ୍ରେମ, ମିଛ ଅନୁରାଗ ନିଷ୍ଠୁର ନିଷାଦର ଏ ବିଷାଦ ଯୋଗ ମନରୁ ଦେଇଛି ତାକୁ କ୍ଷମା କରି ରଖିବିନି କେବେ ତା ଉପରେ ରାଗ… ଆଉ କାହା ପାଇଁ ସ୍ଵପ୍ନ ନାହିଁ ମୋ ମନରେ କି ବିସ୍ତୃତି ନାହିଁ ମୋ ସ୍ନେହରେ ଏବେ ବିନ୍ଦୁଟିଏ ପରି ଘୁରି ବୁଲିବିନି କାହାର ମିଛ ମାୟା ବଳୟରେ… ଏବେ ଥରି ଉଠୁଥିବା ଛାତିରେ ଅନିଶ୍ଚିତତା ର ଯନ୍ତ୍ରଣା ନାହିଁ ମନରେ ଅଦିନିଆ ଝଡ଼ର ଆକୁଳ ଆର୍ତ୍ତନାଦ ବି ନାହିଁ… ବାନ୍ଧି ଦେବିନି ଜବରଦସ୍ତ ମୋ ଇଚ୍ଛାର ସୁରକ୍ଷିତ ଧାରାକୁ ଆଉ କାହା ଇଛା ଭିତରେ ସମର୍ପି ଦେଇଛି ମୋ ସୁନେଲି ସ୍ୱପ୍ନର ନଉକା ଟି ପାଇଁ ନିର୍ଜନ,ନିସ୍ତବ୍ଧ କେଉଁ ଉପତ୍ୟକାରେ…

  • ମୋତେ ମୁରଲୀ କର

    ମୋତେ ମୁରଲୀ କର ହେ ମୁରଲୀପାଣି ବାଜୁଥିବି ଶୁଦ୍ଧସୁରେ ତୋ ମନ ଜାଣି ॥ ୦ ॥ ସେ ସୁର ଝଙ୍କାରେ ହଜିଯାଉ ପ୍ରାଣ ନାଚିଉଠୁ ଏଇ ମନ ବୃନ୍ଦାବନ, ପ୍ରେମ ସୁଧା-ଧାରା ଝରୁ ଏ ହୃଦୟେ ତୋ ପାଦ-କମଳ ଧୋଇବାପାଇଁ ମୋତେ ମୁରଲୀ କର ହେ ॥ ୧ ॥ ଅନ୍ତରର ଯେତେ କଳୁଷକାଳିମା ଅଧର ପରଶେ ଚାଲିଯିବ ସିନା, କୋମଳ ଅଙ୍ଗୁଳି ହରିନେବ ଦୁଃଖ ନିର୍ମଳ ହେବ ଏ ମରମ ବାଣୀ ମୋତେ ମୁରଲୀ କର ହେ ॥ ୨ ॥ ଗୁଣ ଗାଇ ହେଉ ମନ ମତୁଆଲା ରାଧା ଚିତ୍ତ ଯେଉଁ ସୁର ଚୋରି କଲା, ନୀରସ ପରାଣେ ସରସତା ଦେଇ ଜଗତ ନାଚୁ ତୋ ନାମକୁ ଶୁଣି ମୋତେ ମୁରଲୀ କର ହେ ॥ ୩ ॥ ଗୀତିକାର – ଶ୍ରୀ ରଙ୍ଗନାଥ ରଥ ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର -୧୮

  • ସୀମାହୀନ ତମ ମନ

    ସୀମାହୀନ ତମ ମନ ନୂଆ ଜୀବନର ପ୍ରଥମ ଜନ୍ମଦିନରେ ତମ ପାଇଁ ତମ ସ୍ବପ୍ନର ଘର ସଜଉଛି ମୁଁ ମୋ ହୃଦୟରେ | . ସେ ଘରର ଝରକାରୁ ଉଂକିମାରି ଦେଖୁଛି ମୁଁ ତମ ମନର ରଂଗରେ ରଂଗା ଆକାଶ ପରେ ଆକାଶ ଦିଗବଳୟ, ଓ ତା ଆରପଟ ବିଚିତ୍ର ଏ କୁହୁକ ଦୁନିଆ . ପରଦା ପଛରୁ ତମ ନିଶ୍ବାସରେ ଅନୁଭବ କରୁଛି ମୁଁ ତମ ନିବେଦନ, ତମ ଇଚ୍ଛା, ତମ ଉତ୍ସାହ – ଉଡିବାକୁ, ଉଡ଼େଇବାକୁ ମୋତେ ଲଂଘିବାକୁ ପୃଥିବୀର ମାୟା ମୋହ ଭାଂଗିବାକୁ ଯେତେକ ବନ୍ଧନ ଏଠି ଜୀବନର - . ଜିତିବାକୁ ସକଳ ବ୍ରହ୍ମାଣ୍ଡ ତମ ପାଇଁ ମୋ ପାଇଁ

  • ରାଞ୍ଚି

    ସଞ୍ଜ ହୋଇଯିବା ପୂର୍ବରୁ ମୁଁ ବରମୁଣ୍ଡା ଛାଡିଦେବାକୁ ଚାହୁଁଥିଲି । ଦିନ ଦ୍ଵିପହରେ ଏକାଥିଲେବି ମାଡି ପଡିଲା ଭଳି ଜାଗାଟା । ବହୁ ବସ ଓଭରବ୍ରିଜ ତଳେ ଗଦା ହୋଇଥିଲେ । କିଏ ବସଷ୍ଟାଣ୍ଡ ଆଡକୁ ମାଡିଯାଉଥିଲା ତ କିଏ ବାହାରିବ ବାହାରିବ ହୋଇ ହଟଚମଟ ଦେଖାଉଥିଲା । ବରମୁଣ୍ଡାରୁ ପୁରୀ ଆଡକୁ ଯାଇଥିବା ରାସ୍ତାରେ ଚାଲ ଚାଲ ହୋଇ ପୁରୀ ବସ ଠଉରେଇବାକୁ ଚାହୁଁଥିଲି । ସତ କହିବାକୁ ଗଲେ ବସଷ୍ଟାଣ୍ଡର ଗହଳି ଭିତରେ ସିଟ ଆବୋରି ବସିବା ଅପେକ୍ଷା ଏମିତି ନଜାଣିଲା ଭଳି ଉଠିବା ମୋ ଅଭ୍ୟାସ । କେତେବେଳେ ବାରିପଦା, କେତେବେଳେ ବାଲେଶ୍ଵର, କଟକ ଏପରିକି ଅନୁଗୁଳୁ, ଝାରସୁଗୁଡା ବସ ମତେ ଡେଇଁ ଦଉଡି ଯାଉଥିଲେ । କେହି କେହି ମୋ ପାଖରେ ଅଟକି କଟକ ନେବାକୁ ଆଗ୍ରହ ଦେଖାଉଥିଲେ । ସନ୍ଧ୍ୟାର ଅନ୍ଧାରିପତା ଭାରି ପଡୁଥିଲା ମତେ । ଦ୍ରୁତଗତିରେ ବାହାରି ଆସୁଥିବା ଗୋଟେ ବସକୁ ପୁରୀ ଯାଉଛି ଜାଣି ଚଢିଗଲି । ଫାଙ୍କା ଥିଲା ବସ । ଝରକା ପାଖ ସିଟ ଲୋଭରେ ଅଣ୍ଡାଳି ହେଉ ହେଉ ବସ ରସୁଲଗଡ ଡେଇଁ କଳ୍ପନା ପରିବର୍ତ୍ତେ କଟକ ଆଡକୁ ମୁହାଁଇଲା । ପ୍ରଥମେ ଭାବିଲି ଓଭରବ୍ରିଜ ଯୋଗୁଁ ବୋଧହୁଏ ସମସ୍ୟା ହେଉଛି ଜାଣିବାରେ । ନିଶ୍ଚିତ ହେଲି ଯେତେବେଳେ ପଳାଶୁଣି ଛକରେ ସହାସ୍ୟ ହିନ୍ଦୀକୁହା ପରିବାର ଉଠିଲେ । ଛାନିଆରେ କଣ୍ଡକଟରକୁ ପଚାରିଲି, ଇଆଡେ କୁଆଡେ ? ଅଧାଅଧି ବାଳ ଝଡି ଯାଇଥିବା ଡେଙ୍ଗା ସଳଖ ଲୋକ ଯିଏ ବ୍ୟାଗ ଖଣ୍ଡେ ବାହୁରେ ଜାକି ଲୋକ ମାନଙ୍କୁ ଥଇଥାନ କରୁଥିଲା ଓଲଟା ମତେ ପଚାରିଲା କାହାଁ ଯାଓଗେ ? ପୁରୀ॰॰ ମୋ ଥତମତ ଉତ୍ତର ପୁରା ଫୁସୁକି ଯାଇଥିବା ବେଲୁନ ଭଳି ଲଡପଡ । ୟେ ବସ ରାଞ୍ଚି ଯାଏଗି॰॰ ସେ ଘୋଷଣା କଲା । ସେତେବେଳକୁ ପାହାଳ ପାଖାପାଖି ବସ । ପ୍ଳିଜ ରୁକାଦିଜିଏ ବସ । ମୁଝୁକୋ ପୁରୀ ଯାନା ହେ । ମତେ ଭଲ ହିନ୍ଦୀ କହି ଆସେନି । କେଜାଣି କେତେ ଠିକ କେତେ ଭୁଲ ହେଲା । ଝରକା ପାଖ ସିଟରୁ ଦୌଡି ଆସିଥିଲି ମୁଁ ଗେଟ ପାଖକୁ । ବସକୁ ଅଟକେଇବା ପୂର୍ବରୁ ଡ୍ରାଇଭର ବାବୁ ବୁଝି ସାରିଥିଲେ ବୋଧହୁଏ । ତୁରନ୍ତ ବସ ଅଟକେଇ ମତେ ଚାହିଁ ସ୍ମିତ ହସିଲେ । ଏତେବଡ଼ ଦେହଧାରୀ ଲୋକ ସେ ପୁଣି ନୀଳ ରଙ୍ଗର ହାତକଟା ଗଞ୍ଜି ଖଣ୍ଡେ ପିନ୍ଧି ମତେ ଚାହିଁ ହସନ୍ତେ ତ କେମିତି ଗୋଟେ ଲାଗିଲା॰॰ । ତର ତର ହୋଇ ତଳକୁ ଓହ୍ଲଉଛିତ ସେ କହିଲେ॰॰ ଆପ ସହି ବସ ହିଁ ପକଡି ଥି । ଆପକୋ ଥୋଡା ଘୁମକେ ଆ ଯାନା ଚାହିଏ । ସାରା ବସରେ ସଶବ୍ଦ ହସର ରୋଳଟେ ପହଁରିଗଲା ଏ ମୁଣ୍ଡ ସେ ମୁଣ୍ଡ । ନିଜକୁ ପ୍ରବୋଧିଲି ଭଲହେଲା ଘର ପାଇଁ ହେଲେ କିଛି ଉନ୍ନତ୍ତ ମାନର ପାହାଳ ରସଗୋଲା କିଣି ନେଇ ହବ । ତୁଛାଟାରେ କୋଊ ଆସି ହେଇଥାନ୍ତା ପାହାଳ ! କଟକ ପୁରୀ ବସରେ କଳ୍ପନା ଛକ ଯାଏଁ ରୁନ୍ଧି ହୋଇ ଆସିଲାବେଳେ ହସର କାରଣ ଜାଣିବାକୁ ଚାହିଁ ଲଜ୍ଜିତ ହେଲି । ଆପଣମାନେ ବୁଝିଲେ ନା ମତେ ବୁଝେଇବାକୁ ପଡିବ । ମାନମୟୀ ରଥ, ଅଧ୍ୟକ୍ଷା ଗୌରୀଶଙ୍କର ପବ୍ଲିକ ସ୍କୁଲ, ବୌଦ୍ଧ

bottom of page