କ୍ଷୁଦ୍ରଗଳ୍ପ – ଛୁଆଁ – ସିପ୍ରା ନମ୍ରତା

ସୁଲୁସୁଲିଆ ପବନ ର ଛୁଆଁ ରେ ଆଖି ପତା ଖୋଲିବାକୁ ଚେଷ୍ଟା କଲା ମାଧବୀ । ଓଃ ମୁଣ୍ଡ ଟା କଣ ହୋଇଯାଉଛି !!! ଚତୁଃପାଶ୍ୱର୍ରେ ଘନ ଲଟା ବୁଦା…. କେହି କୁଆଡେ ଦେଖାଯାଉ ନାହାନ୍ତି । ଦେହ ହାତ ଅବଶ ହୋଇଯାଉଛି । କିଛି ବୁଝିବା ପୂର୍ବରୁ ଚେତନା ହରାଇଲା ସେ । କେଇଘଣ୍ଟା ପରେ ମାଧବୀ ନିଜକୁ ଆବିଷ୍କାର କଲା ଏକ ଡାକ୍ତରଖାନା ରେ ।ନିଜର ଲୋକ ବୋଲି କେହି ନ ଥିଲେ ତା’ପାଖରେ । ସେ କିଛି ବୁଝିପାରୁ ନ ଥିଲା । ଡାକ୍ତରଖାନାରେ ଅନେକ ଦିନ ରହିବା ପରେ ଦିନେ ତାକୁ ଡିସଚାର୍ଜ ମିଳିଗଲା ।କିନ୍ତୁ ସେ ଯିବ କୁଆଡେ ? ଅନୁସନ୍ଧାନରୁ ଜାଣିବାକୁ ପାଇଛି, ସେ ବୁଦା ମଧ୍ୟ ରେ ପଡିଥିଲା, କେହି ଜଣେ ସହୃଦୟ ବ୍ୟକ୍ତି ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଦେଇଥିଲେ ।

ଅନେକ ଦିନ ରହିଲା ସେ ଏଠି । ମାନେ କେତେ ଦିନ ?? ମନେ ମନେ ଘାଣ୍ଟି ହେଉଥିଲା ସେ । ରିପୋର୍ଟ କୁ ଦେଖିଲା ନିରିଖେଇ, ୟା ଭିତରେ ଚାରିମାସ ରୁ ଉର୍ଦ୍ଧ୍ବ ବିତିସାରିଲାଣି ।ଏତେ ଦିନ ?? ପୁଣି ତାକୁ କେହି କିଛି କହୁନାହାନ୍ତି କାହିଁକି ? ଡାକ୍ତର କିମ୍ବା ନର୍ସ କେହି ବି ?? ସମସ୍ତେ ବ୍ୟସ୍ତ ନିଜ ନିଜ କାମରେ । ଏମିତି କଣ ହୋଇଥିଲା ଯେ, ମସ୍ତିଷ୍କ ରେ ଯେତେଜୋର ଦେଇ ଚିନ୍ତା କରୁଥିଲା ସେତେ ବିଫଳ ହେଉଥିଲା ସେ । କାହାକୁ ଚିନ୍ହିବା ପରି ଲାଗୁ ନ ଥିଲା । ଇଛା ହେଉଥିଲା ଭୋ ଭୋ ହୋଇ ରଡି କରି କାନ୍ଦିବାକୁ । ହୁଏତ ସବୁ ଏକତ୍ରିତ ହେଲେ କେହି ପରିଚିତ ଲୋକ ମିଳିପାରନ୍ତା । ଚିନ୍ତାରେ ଛାତି ରୁନ୍ଧି ହୋଇଯାଉଥିଲା ବେଳେ ଜଣେ ମଧ୍ୟବୟସ୍କ ଭଦ୍ର ବ୍ୟକ୍ତି ଆସି ତା’ ସମ୍ମୁଖରେ ଠିଆ ହେଲେ ଏବଂ ନିଜର ପରିଚୟ ଦେଇ, ସେ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର ଡକ୍ଟର ସତ୍ୟାନନ୍ଦ । ସେ ତାକୁ ନେଇଗଲେ ଗୋଟେ ମହିଳା ଆଶ୍ରମ ରେ ରହିବାର ସୁବ୍ୟବସ୍ଥା କରିଦେଲେ । ସ୍ମୃତି ଶକ୍ତି ହରାଇଥିବା ମାଧବୀ ର ନୂତନ ନାଁ ହେଲା ନିର୍ମଳା । ସେ ଆଶ୍ରମରେ ମହିଳା ମାନଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ହେଉଥିଲା । ଚାଷ କାମ, ବିଭିନ୍ନ ଫୁଲ ଫଳ ଉତ୍ପନ୍ନ କାର୍ଯ୍ୟରେ ତଥା ଆହୁରି ଅନେକ କାମରେ ନିଜକୁ ନିୟୋଜିତ କରି ରହିଲା ମାଧବୀ ।

ସତ୍ୟାନନ୍ଦ ବାବୁ ପ୍ରାୟ ଆସନ୍ତି ନିର୍ମଳାର ଭଲମନ୍ଦ ବୁଝିଦେଇ ଯାଆନ୍ତି । ନିର୍ମଳା ଆଶ୍ରମକୁ ଆସିବା ପରେ ଢେର ବଦଳି ଯାଇଛି । ଚିତ୍ର ଆଙ୍କିବା ଓ କପଡା ଉପରେ ସୁନ୍ଦର ଚିତ୍ର କରିବାରେ ସେ ସିଦ୍ଧହସ୍ତା ଥିଲା ଯାହା ଫଳରେ ନିର୍ଜୀବ ବସ୍ତୁକୁ ବି ସଜୀବ କରିଦେଉଥିଲା । ଆଶ୍ରମରେ ସମସ୍ତେ ତାକୁ ସେଥିପାଇଁ ଭଲ ପାଉଥିଲେ ଓ ପ୍ରଶଂସା କରୁଥିଲେ । ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତୀଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଆଶ୍ରମକୁ ନିମନ୍ତ୍ରଣ ଆସିବାରୁ ନିର୍ମଳା କୁ ସେଥିରେ ଭାଗ ନେବାର ସୁଯୋଗ ମିଳିଲା । ନିଜ ପ୍ରତିଭା ର ସଦୁପଯୋଗ କରି ବିଜୟମଣ୍ଡିତା ହେଲା ସେ ଏବଂ ଏଥିପାଇଁ ବିଭିନ୍ନ ଖବର କାଗଜର ଶିରୋନାମା ମଣ୍ଡନ କରିଥିଲା ତା’ଚିତ୍ର । ସେଇ ଖବରକୁ ଆଧାର କରି ଜଣେ ସୌମ୍ୟଦର୍ଶନ ଯୁବକ ଆସିଲେ ଆଶ୍ରମକୁ ।

ନିର୍ମଳା ବିଷୟ ରେ ଅନେକ ପ୍ରଶ୍ନ ଉଙ୍କିମାରୁଥିଲା ଯୁବକଙ୍କ ମନରେ । ସେଗୁଡିକୁ ଦୂର କରିବା ନିମନ୍ତେ ସେ ଆଶ୍ରମ ର ପରିଚାଳିକା ଙ୍କ ସହାୟତା ଲୋଡିଲେ । ଯୁବକଙ୍କ ଠାରୁ ପରିଚାଳିକା ନିର୍ମଳା ର ପୂର୍ବ ର ଫୋଟୋ ଓ କଥା କାହାଣୀ ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ଆଉ ତିଳେ ମାତ୍ର ସନ୍ଦେହ ନ ଥିଲା ଯେ ନିର୍ମଳା ହିଁ ମାଧବୀ ।କିନ୍ତୁ ନିର୍ମଳା ସହିତ ସାକ୍ଷାତକାର ହେଲା ପରେ ମଧ୍ୟ ସେ ଯୁବକ ଙ୍କୁ ଚିନ୍ହି ପାରି ନ ଥିଲା ସ୍ମୃତି ଶକ୍ତି ର ଲୋପ ଯୋଗୁଁ । ତେଣୁ ଡକ୍ଟର ସତ୍ୟାନନ୍ଦ ଓ ଆଶ୍ରମ ପରିଚାଳିକାଙ୍କ ସହାୟତାରେ ନିର୍ମଳା ର ଚିକିତ୍ସା ର ସୁ ବନ୍ଦୋବସ୍ତ କରିବା ପାଇଁ ସେ ନିବେଦନ କରିଥିଲେ ଏବଂ ସେହି ଆଶ୍ରମ ରେ ହିଁ ହେଉ ବୋଲି ତାଙ୍କର ମତ ଥିଲା ।ଯୁବକଙ୍କ ଅଦମ୍ୟସାହସ, ଧୈର୍ଯ୍ୟ, ଉତ୍ସାହ, ନିଷ୍ଠା ଓ ସାହାଚର୍ଯ୍ୟ ଯୋଗୁଁ ନିର୍ମଳା ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା ଓ ସ୍ମୃତ୍ତି ରୁ ଗୋଟିଏ ଗୋଟିଏ ମନେ ପଡ଼ିବାକୁ ଆରମ୍ଭ କଲା । ଆଉ ସେ ଦିନ ବି ଫେରି ଆସିଲା ଯେଉଁ ଦିନ ନିର୍ମଳା ଭିତରେ ଲୁଚି ରହିଥିବା ମାଧବୀ ର ଅସ୍ତିତ୍ବ ସମ୍ପୂର୍ଣ୍ଣ ଭାବରେ ଫେରିଆସିଲା । ଅତୀତ ର ଘଟଣାବଳୀ, ବାପା ମାଆ ଙ୍କ କଥା ମନେ ପକେଇ କୋହ ଆସିବା ସହ ଲୁହ ଝରିଯାଉଥିଲା ଆଖିରୁ । ଏତେ ବର୍ଷ ସେ ଯେ କିପରି ସେମାନଙ୍କ ବିଚ୍ଛେଦ ରେ କଟାଇଛି….. ଆଉ ଏବେ ଆଶ୍ରମ ରୁ ବିଦାୟ ନେବାର ବେଳା ଆସିଯାଇଥିଲା ।

କବାଟ ରେ ଠକ ଠକ ଶବ୍ଦ ଶୁଣି ଦ୍ୱାର ଖୋଲି ନିଜ ସମ୍ମୁଖ ରେ ମାଧବୀ କୁ ଦେଖି ହତବମ୍ବ ହୋଇ ଯାଇଥିଲେ ସୁଧାକର ବାବୁ । ଷାଠିଏ ବର୍ଷ ବୟସ ପାଖାପାଖି ହେଲାଣି ତାଙ୍କୁ । ସେ ନିଜ ଚକ୍ଷୁ ଉପରେ ବିଶ୍ୱାସ କରିପାରୁ ନ ଥିଲେ । ଲୁହର ଧାର ତାଙ୍କ ଦୁଇ ଆଖି ରୁ ତଳକୁ ଓଲ୍ହାଇ ଗାଲ କୁ ଓଦା କରିଦେଲା । ବା…ପା… କହି ମାଧବୀ ସୁଧାକର ବାବୁ ଙ୍କୁ ଜାବୁଡି ଧରିଥିଲା । ନିଜର ଏକମାତ୍ର ଅଲୀଅଳି କନ୍ୟା କୁ ଫେରି ପାଇବାର ଏହି ଅପୂର୍ବ ମୁହୂର୍ତ୍ତ କୁ ଭୁଲିପାରିବେ ନାହିଁ, ଯାହା ପାଇଁ ମାଆ ଶାନ୍ତିଲତା ଶଯ୍ୟାଶାୟୀ ହୋଇ ଯାଇଛନ୍ତି, ସେ ନିଜେ ଚାକିରୀ ରେ ଅନେକ ଦିନ ଅନୁପସ୍ଥିତ ରହିଛନ୍ତି । ବାରମ୍ବାର ଥାନା କଚେରୀ ଦ୍ୱାରସ୍ଥ ହୋଇ ଶେଷରେ ନିରୁପାୟ ହୋଇ ନିୟତି ଉପରେ ଛାଡିଦେଇ ନିରୁପାୟ ହୋଇ ରହିଛନ୍ତି । ଏତେ ଦିନ ପରେ ଝିଅ କୁ ପାଇ ତାଙ୍କୁ ସ୍ବପ୍ନ ପରି ଲାଗୁଥିଲା । ଗଭୀର ଆବେଗ ରେ ମାଆ ପାଖ କୁ ଯାଇ ମନ ଭରି କାନ୍ଦିଲା ମାଧବୀ । ତାକୁ ଘରକୁ ଫେରାଇ ଆଣିଥିବା ବ୍ୟକ୍ତି ଡକ୍ଟର ମାନସାଗର ବୋଲି ପରିଚୟ ପାଇବା ପରେ ଆନନ୍ଦ ରେ ଭିଡି ଧରି କାନ୍ଦିପକାନ୍ତି ସୁଧାକର ବାବୁ । ମାଧବୀ ଫେରିଲାଣି, ଏବେ ସବୁ ଠିକ୍ ହୋଇଯିବ ବୋଲି ସେ ନିଜକୁ ଶାନ୍ତ୍ବନା ଦେଉଥିଲେ ଯେପରି ।

ମାନସାଗର ଶାନ୍ତିଲତା ଙ୍କୁ ଆରୋଗ୍ୟ କରିବାର ଯଥାସମ୍ଭବ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇ ଚାଲିଯାନ୍ତି । ମାଧବୀ ର ମନେ ପଡେ କଲେଜ ରେ ପଢିବା କଥା…, ମାନସାଗର ଥିଲେ ବିଜ୍ଞାନ ର ଛାତ୍ର ଓ ସେ ଥିଲା କଳା ର ଛାତ୍ରୀ । ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ ସଫଳତା ପାଇବା ପରେ ସେ ଅନ୍ୟତ୍ର ଚାଲିଯାନ୍ତି କିନ୍ତୁ ଯିବା ପୂର୍ବରୁ ଶୁଣେଇ ଯାଇଥିଲେ ଅନେକ କଥା ଯାହା ଶୁଣି ମାଧବୀ ର ଶରୀର ରେ ଶିହରଣ ଖେଳି ଯାଇଥିଲା । ଅପେକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲା ମାଧବୀ । ଘରେ ଯେତେବେଳେ ମାଧବୀ କୁ ସ୍ନାତକୋତ୍ତର ପଢ଼ାଇବା ପାଇଁ ସିଦ୍ଧାନ୍ତ ନେଲେ ସେ ସହର କୁ ଗଲା । ସେତେବେଳେ ହଠାତ ଦିନେ ବିଶ୍ୱବିଦ୍ୟାଳୟ ର ଲାଇବ୍ରେରୀ ରେ ମାନସାଗର ଙ୍କୁ ଦେଖି ସେ ରୋମାଂଚିତ ହୋଇଉଠେ । ପୂର୍ବ ସ୍ମୃତ୍ତି ପୁଣି ମନ ଝରକା ରେ ଦେଖାଯାଏ । କେମିତି କଲେଜ ରେ ଏମିତି ହଠାତ କିଛି ବାତରା ପିଲାଙ୍କ ଧକ୍କାରେ ମାନସାଗର ସହିତ ଧକ୍କା ଲାଗି ଗୁରୁତର ଆକ୍ରୋଶ ରେ ଜଳିଉଠୁଥିବା ବେଳେ ମାନସାଗର ପ୍ରତି ଅହେତୁକ ଦୁର୍ବଳତା ବଢିଯାଇଥିଲା, ଯାହା ଶେଷରେ ପ୍ରେମ ରେ ରୂପାନ୍ତରିତ ହୋଇଥିଲା ,ଆଉ ଡାକ୍ତରୀ ପଢିବାକୁ ଯିବା ପୂର୍ବରୁ ସେଇକଥା ଜଣାଇଦେଇଥିଲେ ମାନସାଗର ।ଏତେ ଦିନ ଏକାଠି ପଢିବା ସମୟ ରେ କେବେ କିଛି କହି ନ ଥିବା ପିଲା ଡାକ୍ତରୀ ପଢିବାକୁ ଯିବାବେଳେ ହୃଦୟର ଗଭୀରତମ ପ୍ରଦେଶ ରୁ ମାଧବୀ କୁ ଭଲପାଆନ୍ତି ଆଉ ଶେଷ ପର୍ଯ୍ୟନ୍ତ ପାଉଥିବେ କହି ତାକୁ ଚମକାଇ ଦେଇଥିଲେ । ଆଉ ଆଜି ଲାଇବ୍ରେରୀ ରେ ସମ୍ନାସାମ୍ନିହୋଇଗଲା ପରେ ସେ କେମିତି ନିଜ ଭିତରେ ଜଡତା ଅନୁଭବ କଲାବେଳେ ମାନସାଗର କେମିତି ପ୍ରଗଳଭ ପାଲଟି ଯାଇଥିଲେ ସେ ଲକ୍ଷ୍ୟ କରୁଥିଲା । ଲାଇବ୍ରେରୀ ରୁ ବାହାରି କଫିସପ ରେ ବସି ବସି ଅନେକ ସମୟ ଏକାଠି କଥାବାର୍ତ୍ତ ହୋଇଥିଲେ ଦୁହେଁ ।ମାନସାଗର ଜଣାଇ ଦେଇଥିଲେ ସେ କେବେ ବି ମାଧବୀ କୁ ଭୁଲି ନାହାନ୍ତି ,ଅବଶ୍ୟ ପାଠ ପଢା ବ୍ୟସ୍ତତା ଭିତରେ କେବେ ଫେରିବାକୁ ସମୟ ପାଇ ନାହାନ୍ତି ।

ବର୍ତ୍ତମାନ ମାନସାଗର ଜଣେ ପ୍ରତିଷ୍ଠିତ ଡାକ୍ତର । ସେଦିନ ର କଥା ସବୁ ମନେପକାଉ ପକାଉ ମାଧବୀ ର ଆଖି ଓଦା ହୋଇଆସିଲା । ନିଜ ଉପରେ ଘୃଣା ଆସିଲା ଅତୀତ କଥା ମନେ ପକାଇ । ହୁଏତ ସେହି ଅଘଟଣ ଘଟି ନ ଥିଲେ ସେ ମାନସାଗର ଙ୍କ ହାତ ଧରି ଅନେକ ବାଟ ଚାଲି ଥାନ୍ତା । କିନ୍ତୁ ଏବେ ସେ ଅସ୍ପୃଶ୍ୟ ,ଅପବିତ୍ର ।କେମିତି ସେ ମାନସାଗର ଙ୍କୁ ଅନ୍ଧାର ରେ ରଖି ଧୋକା ଦେଇପାରିବ ? କଣ କରିବ….. ଭାବି ଭାବି ଚିନ୍ତା ରେ ଆଖି ମୁଦିହୋଇଗଲା ବେଳେ ମାନସାଗର କୁ ନେଇ ସୁନ୍ଦର ସ୍ୱପ୍ନ ରେ ମୋହାଛନ୍ନ ହୋଇଗଲା ।

ବହୁତ ଚେଷ୍ଟା କରିବା ପରେ ମାନସାଗର ମାଧବୀ ର ସହର କୁ ବଦଳି ହୋଇ ଆସିଲେ । ମାଧବୀ ର ମାଆ ଙ୍କ ର ଚିକିତ୍ସା ଦାୟିତ୍ବ ତାଙ୍କ ଉପରେ ଥିଲା ।ତେଣୁ ପ୍ରାୟତଃ ମାଧବୀ ର ତାଙ୍କ ସହ ଦେଖା ହେଉଥାଏ । ମାନସାଗର ମନଧ୍ୟାନ ଦେଇ ଚିକିତ୍ସା କରୁଥିଲେ ।ଦିନେ ମାଧବୀ ସ୍ଥାନ ରେ ସୁଧାକର ବାବୁ ହସ୍ପିଟାଲ ଆସିଥିଲେ । ମାଧବୀ କଥା ପଚାରିବା ପରେ ସୁଧାକର ବାବୁ କହିଲେ “ସେ ଘରେ ଅଛି ।” ସେ କଥା ଜାଣିବା ପରେ ମାନସାଗର ରାତିରେ ଡ୍ୟୁଟି ଅଛି କହି, ମାଧବୀ ପାଖରେ ଯାଇ ପହଞ୍ଚିଗଲେ ତାଙ୍କୁ ଏକା ନିଜ ଘରେ ଦେଖି ଆଶ୍ଚର୍ଯ୍ୟ ହେଲା ମାଧବୀ । ମାନସାଗର ଏଣୁ ତେଣୁ ଅନେକ କଥା ହେବା ପରେ ମାଧବୀ ର ନୀରବତା କୁ ଦେଖି ପଚାରିଲେ…” ତୁମେ ଏମିତି କେମିତି ନୀରବ ରହିପାରୁଛ ? ମାଧବୀ କିଛି କହି ନ ଥିଲା କିନ୍ତୁ ତା’ଆଖିରୁ ଅବାରିତ ଲୁହ ର ଧାରା ବୋହିବାକୁ ଲାଗିଲା । ମାନସାଗର କିଛି ବୁଝିପାରିଲେ ନାହିଁ । ମାଧବୀ କୁ କୋଳେଇ ନେବାକୁ ଇଛା ହେଉଥିଲା ,ତା’ର ମୁହଁ ରେ ଅଜସ୍ର ଚୁମ୍ବନ ର ବର୍ଷା କରିଦେବା ପାଇଁ କିନ୍ତୁ ପାରୁ ନ ଥିଲେ । ନିଜ ବାହୁ ଦୁଇଟିକୁ ପ୍ରସାରିତ କରି କୋଳେଇନେବା ଉଦେଶ୍ୟ ରେ କହିଲେ, “ପ୍ଲିଜ ମଧୁ ଅନୁମତି ଟିକେ ଦିଅ….!!

ମାଧବୀ ପ୍ରସ୍ତର ମୂର୍ତ୍ତି ଭଳି ଚାହିଁ ରହିଥିଲା । ଅସୀମ ବ୍ୟଥା ରେ ତା’ର ହୃଦୟ ବିଦାରି ଯାଉଥିଲା । ତା’ର ପରମ ଇପ୍ସିତ ପୁରୁଷ ସମ୍ମୁଖ ରେ ବାହୁ ପ୍ରସାରି ଠିଆ ହୋଇଛନ୍ତି ଅଥଚ ସେ ନିଜେ ସେହି ବହୁବନ୍ଧନ କୁ ଯାଇ ପାରୁନି । ମାନସାଗର ର ଅନୁରୋଧ ରେ ଶେଷ ରେ ଗଭୀର ଅନ୍ତର୍ଦ୍ୱନ୍ଦ ରେ ଭାଙ୍ଗି ପଡି ଚିତ୍କାର କରି ଉଠିଲା ,”କାହିଁକି…. କାହିଁକି ମୋତେ ଭଲ କରୁଥିଲ ?? ମୁଁ ତ ସବୁ ଭୁଲିଯାଇ ଭଲ ରେ ଥିଲି । “ମାନସାଗର କିଛି ବୁଝିପାରିଲେନି, “କେମିତି ତୁମକୁ ଛାଡିପାରିଥାନ୍ତି ?? ତୁମ ଜୀବନ ଟା ନର୍କ ମୟ ହୋଇଯାଇଥିଲା । ମୁଁ ସବୁ ଜାଣି ସୁଦ୍ଧା କେମିତି ନୀରବ ରହିଥାନ୍ତି ? “ମାନସାଗର ମାଧବୀ ର ଉତ୍ତର କୁ ଅପେକ୍ଷା ନ କରି ତାକୁ ନିଜ ବାହୁ ବନ୍ଧନରେ ବାନ୍ଧି ରଖିଲେ । ତା’ ଆଖି ରୁ ଝରି ଆସୁଥିବା ଲୁହ କୁ ପୋଛିବାର ବୃଥା ପ୍ରୟାସ କରୁ କରୁ କହୁଥିଲେ — “ମାଧବୀ ତୁମେ ଥରେ ମୋ କଥା ଭାବି ଦେଖ । ଏ ହୃଦୟ ରେ କେବଳ ତୁମେ ମଧୁ… କେବଳ ତୁମେ ହିଁ ଅଛ । ଆଉ ତୁମେ ମଧ୍ୟ ମୋତେ ସେତିକି ଭଲ ପାଅ ।ଆମ ଜୀବନ କୁ ଆମେ କଣ ପରିପୂର୍ଣ୍ଣତା ଦେଇପାରିବା ନାହିଁ ।ଆଉ ତୁମ ପାଇଁ ମୁଁ ଯେଉଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛି ତାହା କଣ ଅସମ୍ପୂର୍ଣ୍ଣ ରହିଯିବ ?? ତୁମ କଥା ଚିନ୍ତା କରି କରି ହିଁ ତ ମୁଁ ଏତେ ଦୂର ଆସିଛି । ମୁଁ କେବଳ ତୁମକୁ ହିଁ ଭଲ ପାଇଛି…… କାୟ ମନୋବାକ୍ୟ ରେ, ଭୋଗବିଳାସ, ବ୍ୟସନ କିଛି ବି ଚାହେଁନା । ତୁମକୁ ହରାଇବା ପରେ ଅନେକ କଷ୍ଟ ଭୋଗିଛି । ଏବେ କିନ୍ତୁ ଆଉ ସେ କଷ୍ଟ ସହ୍ୟ ହେବ ନାହିଁ । ତୁମେ କେବଳ ମୋର ବୋଲି କହିଦିଅ “। ମାନସାଗର ର କଥା ସବୁ ମାଧବୀ ର କାନ ରେ ପଶି ବାହାରି ଯାଉଥିଲା ସେ ନୀରବ ରେ କେବଳ ଅତୀତ ର କିଛି ଘଟଣା କୁ ମନେ ପକାଉ ଥିଲା……..।

ମାଆ ପଛରୁ ଡାକ ଦେବା ସତ୍ତ୍ୱେ ତରବର ହୋଇ ସେ ଘରୁ ବାହାରି ଆସିଥିଲା କଲେଜ ରେ ପଢ଼ୁଥିବା ବାନ୍ଧବୀ ନିରାଗୀ ର ବିବାହୋତ୍ସବ ରେ ସାମିଲ ହେବା ପାଇଁ ।ନିରାଗୀ କହିଥିଲା ତା’ଗାଁ ପାଖ ଆସିଲେ ଗୋଟେ ବୁଢା ବରଗଛ ପାଖ ରେ ବସ ରହିବ ସେଠାରେ ଓଲ୍ହାଇ ପଡିବ ସେ ଆଉ ଯେ କେହି ଜଣେ ଆସି ତାକୁ ନେଇଯିବ ।ସେଇ ବସ ଷ୍ଟପେଜ ରୁ ଆଉ ଅଳ୍ପ ବାଟ ମାତ୍ର ତାଙ୍କ ଘର ।ଘରେ ବାପା ମାଆ ଙ୍କୁ କହି ଦେଇ ଆସିଥିଲା ,ଫେରିବା ରେ ବିଳମ୍ବ ହେବ ।ପିଲାଦିନ ର ସାଙ୍ଗ ବୋଲି ତା’ବିବାହ ରେ ଯୋଗ ଦେବାକୁ ଚାହୁଁଥିଲା ସେ । ବର ଗଛ ନିକଟ ରେ ସେ ଓଲ୍ହାଇ ଅପେକ୍ଷା କରିଥିଲା କେହି ଜଣେ ଆସି ନେଇଯିବ ନିରାଗୀ ଘର କୁ ।ସେଇ ସମୟରେ ଅପେକ୍ଷାକୃତ ଯୁବକ ଦେଖା ଯାଉଥିବା ଜଣେ ବ୍ୟକ୍ତି ବାଇକ ରେ ଆସି ପହଁଚିଲା ଆଉ ମାଧବୀ ପାଖରେ ଗାଡି ଅଟକାଇବା ପରେ ନିରାଗୀ ଘର ଲୋକ ହୋଇଥିବ ଭାବି ସେ ଗାଡି ରେ ବସି ଯାଇଥିଲା । କିଛିବାଟ ଆଗେଇବା ପରେ ଭୁଲ ରାସ୍ତା ରେ ଯାଉଥିବାର ଜାଣି ସେ ପ୍ରତିରୋଧ କରିବାରୁ ସେ ବ୍ୟକ୍ତି ଗାଡି ଅଟକାଇ ମାଧବୀ କୁ ଧକ୍କା ଦେଇ ଅର୍ଥ ଦାବୀ କରିଥିଲା ।ହିନ୍ଦୀ ଭାଷା ରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଅଶାଳୀନ ବ୍ୟବହାର କରିବାକୁ ଉଦ୍ୟତ ହେଲା ବେଳକୁ ମାଧବୀ ଆତ୍ମ ରକ୍ଷା ପାଇଁ ପ୍ରାଣ ବିକଳ ରେ ଧାଇଁ ଚାଲିଥିବା ବେଳେ ସେଇ ବ୍ୟକ୍ତି ସହିତ ଆଉ କିଛି ବ୍ୟକ୍ତି ମଧ୍ୟ ମିଶି ଦଉଡି ଆସୁଥିଲେ । ଏହି ସମୟରେ ମାଧବୀ ର ମଥା ପଛରେ ଏକ ଶକ୍ତ ଜିନିଷ ଜୋର ରେ ଆସି ବାଜିଥିଲା ଆଉ ସେଇଠି ହିଁ ସେ ଟଳି ପଡିଥିଲା ।ତା’ଚେତା ହରାଇବା ପୂର୍ବରୁ ସେଇ ଘନ ଲଟା ବୁଦା ଭିତରେ ଚାରି ପାଞ୍ଚ ଜଣ ଙ୍କ ଛାଇ ସେ ଦେଖିବାକୁ ପାଇଥିଲା ଏବଂ ବୁଝିପାରୁ ନ ଥିଲା ସେମାନେ କାହିଁକି ତାକୁ ହତ୍ୟା କରିବାକୁ ଚାହୁଁ ଥିଲେ । ଏସବୁ କଥା ଶୁଣିବା ପରେ ମାନସାଗର କହିଲେ, “ସେମାନେ ତୁମ ର ପରିଚୟ ପାଇ ନ ଥିଲେ ବୋଲି ଏ ସବୁ ହୋଇଗଲା । ସେଇ ବ୍ୟକ୍ତି ମାନେ ଗୋଟିଏ ନିଶା କାରବାର କରୁଥିବା ଗ୍ୟାଙ୍ଗ ଥିଲା । ସେହି ଗ୍ୟାଙ୍ଗ କୁ ଜଣେ ମହିଳା ଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ସେ ମହିଳା ଙ୍କୁ ଏସବୁ ଯୋଜନା ସମ୍ବନ୍ଧ ରେ କେମିତି ଖବର ଜଣାପଡିଯାଇଥିବାରୁ ସେ ସେଇ ବସ ଭିତରେ ରହିଯାଇଥିଲା। ତା’ ସ୍ଥାନରେ ତୁମକୁ ଦେଖି ସେମାନେ ସେଇ ମହିଳା ବୋଲି ଧରି ନେଲେ ।”

—“ଓଃ …କିନ୍ତୁ ତୁମେ ଏତେ ସବୁ କଥା କେମିତି ଜାଣିଲ ” ? ମାଧବୀ ସନ୍ଦିହାନ ହୋଇ ପ୍ରଶ୍ନ କଲା । ମାନସାଗର ବୁଝେଇ ଦେଇଥିଲେ ଏସବୁ କଥା ଡକ୍ଟର ସତ୍ୟାନନ୍ଦ ତାଙ୍କୁ ଜଣାଇଥିଲେ । ସେ ଆର୍ମି ରୁ ଅବସର ନେବା ପରେ ଗୋଇନ୍ଦା ବିଭାଗ ର ଏକ ପଦସ୍ଥ ଅଧୀକାରୀ । ଏହି ଅଞ୍ଚଳ ରେ ଚୋରା ରେ ନିଶା ଦ୍ରବ୍ୟ କାରବାର ହେଉଥିବା କଥା ସେ ଜାଣିଥିଲେ ।ଯେଉଁ ଦିନ ତୁମ ଉପରେ ଆକ୍ରମଣ ହେଲା ସେହି ଦିନ ସେହି ବସ ରେ ନିଶା ଦ୍ରବ୍ୟ ନେଇ ସେଇ ମହିଳା ଆସୁଥିଲେ ।ସେ ଯାହା ହେଉ ସତ୍ୟାନନ୍ଦ ବାବୁ ଙ୍କ ଯୋଗୁଁ ସେହି କାରବାର ରାକେଟ ର ପର୍ଦ୍ଦା ଫାଶ ହୋଇଛି ।ଦୋଷୀ ମାନେ ଧରା ପଡିଛନ୍ତି । “ମାଧବୀ କୁ ଲାଗୁଥିଲା ତା’ମୁଣ୍ଡ ରେ ଥିବା ଏକ ବହୁତ ବଡ ବୋଝ ଦୁରେଇ ଯାଇଛି । ସେ ଆଶ୍ଚର୍ଯ୍ୟ ହୋଇ ମାନସାଗର ଙ୍କୁ ଦେଖୁଥିଲା, ଆଉ ସେ କହୁଥିଲେ “”ଛାଡ ସେ ପୁରୁଣା କଥା …ତୁମେ ତ କୌଣସି ଅପରାଧ କରି ନାହଁ, କାହିଁକି ଅପରାଧ ବୋଧ ରେ ନିଜକୁ ଶାସ୍ତି ଦେଉଛ ?? ମାଧବୀ ମାନସାଗର ଙ୍କୁ ଜାବୁଡି ଧରି ତାଙ୍କ ପ୍ରଶସ୍ତ ଛାତିରେ ମୁଣ୍ଡ ଗୁଞ୍ଜି ଆଶ୍ୱସ୍ତି ଅନୁଭବ କରୁଥିଲା ବେଳେ ମାନସାଗର ମାଧବୀ ସହ ଅଚେତନ ଅବସ୍ଥା ରେ ଘଟିଥିବା ପାଶବିକତା କୁ ନିଜ ଭିତରେ ସମାଧି ଦେଇ ଦେଲେ । ପବିତ୍ର ପ୍ରେମ ରେ ମାଧବୀ ସହିତ ଘଟିଥିବା ସବୁ ପାପ ଧୋଇ ହୋଇ ଯାଉଥିଲା ଏବଂ ପ୍ରେମ ର ପୁଣ୍ୟତୋୟା ର ଛୁଆଁ ରେ ଏକ ମଧୁର ମିଳନ ର ହସ ଝଲସି ଉଠୁଥିଲା ଦୁହିଁଙ୍କ ମୁହଁରେ……।


ତୁଳସୀଚୌରା, ବାରିପଦା, ମୟୂରଭଞ୍ଜ
ଦୂରଭାଷ : ୮୨୪୯୮୫୦୧୬୮

ମନ୍ତବ୍ୟ ରଖନ୍ତୁ: