Volume.02 – Issue.01 – January 2026
Author – Soumya Ranjan Nanda
Address – Keonjhar, Odisha
Contact – 9583701531
ତୁମକୁ ଆଙ୍କିଛି ମୋ ମନଭିତରେ
ପ୍ରେମର ରଙ୍ଗକୁ ଦେଇ,
ହୃଦୟରେ ବସ ସ୍ଵପ୍ନର ଆସନେ
ପ୍ରେମ ରଙ୍ଗରାଣୀ ହୋଇ ॥୧॥
ତୁମ ରୂପରାଶି ତୂଳୀ ଭାବେ ବସି
କେଉଁ ରଙ୍ଗ ଲଗେଇବି,
ସାତରଙ୍ଗ ପରା ଫିକା ପଡିଯିବ
ପ୍ରେମରଙ୍ଗ ବୋଳିଦେବି ॥୨॥
ତୁମ ତନୁମନ ପ୍ରସନ୍ନ ବଦନ
ଅପଲକ ରୂପରାଣୀ,
ଅଧର ମଧୁର ଭାଙ୍ଗି ପାରାବାର
ସ୍ଵପ୍ନ ମୋର ନେଲ ଟାଣି ॥୩॥
ତୁମ ନାଲି ଓଠ ମଧୁବୋଳା ହସ
ଲାଜକୁଳୀ ମୃଗନୟନା,
ଅପୂର୍ବ ସୁନ୍ଦରୀ ସ୍ଵର୍ଗ ଅପସରୀ
ହଜିଯାଏ ରଙ୍ଗ ଚେତନା ॥୪॥
ତୁମ ସରି ନୁହଁ ସାତରଙ୍ଗ ତୂଳୀ
ସାତରଙ୍ଗ ମାଖିଦେବି,
ସାତ ରଙ୍ଗରାଣୀ ଲାଜର ରାଗିଣୀ
ପ୍ରେମରଙ୍ଗେ ରଙ୍ଗେଇବି ॥୫॥
ତୁମପାଇଁ ଧରି ସ୍ଵପ୍ନରଙ୍ଗ ତୂଳୀ
ତୁମକୁ ରହିବି ଚାହିଁ,
ନିଶିଥ ରାତ୍ରେ ସ୍ଵପ୍ନ ରାଜପଥେ
ଦେଖଦେବୁ ଚାନ୍ଦମୁହିଁ ॥୬॥
