Categories
Journal Poetry

କାଲି ଯାଇଥିଲି ଦଶରା ବୁଲି

Volume.1 – Issue.12 – Deceember 2025
Author – Swarnalata Pati
Address – Washington, USA

ଦେବୀ ଦେଖିଗଲି ଆମେରିକାରେ
ରୁଣ୍ଡ ହୋଇଥିଲେ ଲୋକ ହଜାରେ
ଭାରତୀୟମାନେ ମିଳି,
ବାଜୁଥିଲା ବାଜା ମଣ୍ଡପଟି ସଜା
ଶୁଭୁଥିଲା କରତାଳି ॥

ସୁବର୍ଣ୍ଣ ମଣ୍ଡପେ ସୁବର୍ଣ୍ଣବର୍ଣ୍ଣା
ମାତାଙ୍କୁ କି ଅବା ଦେବି ଉପମା
ଉଜ୍ଜ୍ୱଳମୟ ସେ କାନ୍ତି,
ଲକ୍ଷ୍ମୀ ସରସ୍ଵତୀ ଗଣେଶ ଶାର୍ଦ୍ଦୁଳ
ପାରୁଶରେ ବିରାଜନ୍ତି ॥

ଅଙ୍ଗ ବଙ୍ଗ ମରାଠା ଗୁଜୁରାଟ
ଆର୍ଯ୍ୟ ଦ୍ରାବିଡ଼ ଯେ ଏକାଠି ଭେଟ
ଶରତ ଉତ୍ସବ ଏଠି,
ଧରାବତରଣ ଆଦିମାତାଙ୍କର
ପୂଜନ୍ତି ମା ଆଦିଶକ୍ତି ॥

ନରନାରୀଙ୍କର ଅପୂର୍ବ ବେଶ
କୁର୍ତା ପାଇଜାମା ସର୍ବ ପୁରୁଷ
ନାରୀଏ ଅପୂର୍ବ ଶୋଭା,
ଦିବ୍ୟ ଅଳଙ୍କାର ବସନ ଭୂଷଣ
ପୁଷ୍ପରେ ସଜାଇ ଗଭା ॥

ନାରୀଙ୍କ ହାତରେ ପୂଜାର ଥାଳି
ଫୁଲ ଫଳ ପାନ ସିନ୍ଦୂର ଗୋଳି
ଥାଳିରେ ଏଲଇଡ଼ି ଦୀପ,
ଡଲାର ପକାନ୍ତି ମୁଣ୍ଡିଆ ମାରନ୍ତି
ଗାଉଥାନ୍ତି କେତେ ସ୍ତବ ॥

ଖେଳ ଆରମ୍ଭିଲେ ସିନ୍ଦୂର ଘେନି
ନୃତ୍ୟଗୀତେ କମ୍ପାଇଲେ ମେଦିନୀ
ନବରାତ୍ରୀକୁ ପାଳନ୍ତି,
ଲେହେଙ୍ଗା ପିନ୍ଧନ୍ତି ଦାଣ୍ଡିଆ ନାଚନ୍ତି
ଅପୂର୍ବ ଭାରତ ରୀତି ॥

ସ୍ୱାଦିଷ୍ଟ ପ୍ରସାଦ ଅନ୍ନବ୍ୟଞ୍ଜନ
ମାଛ ମାଂସ ନିରାମିଷ ଭୋଜନ
ଲମ୍ବିଥାଏ ତିନିଧାଡି,
ବୟୋଜ୍ୟେଷ୍ଠ ନିରାମିଷ ଓ ଆମିଷ
ସ୍ଵେଛାସେବୀ ଦ୍ୟନ୍ତି ବାଢି ॥

ଭାବୁଥିଲି ଆମ ଦେଶର କଥା
ଏମାନେ ବି ଆମ ଦେଶ ଜନତା
କେଡେ ଶୃଙ୍ଖଳିତ ଏଠି,
ହଜାରେ ଲୋକଙ୍କୁ ଖାଇବା ପରଷି
କରୁଥାନ୍ତେ କେତେ ପାଟି ॥

କେଡେ ବିରାଟ ସେ କକ୍ଷ ଆକୃତି
ତନ୍ମଧ୍ୟରେ ସଜା ବିପଣି ପନ୍ତି
ନାନା ଦ୍ରବ୍ୟରେ ଶୋଭନ,
ବସ୍ତ୍ର ଅଳଙ୍କାର ସୌଖିନ ସାମଗ୍ରୀ
ଭାରତୀୟ ହସ୍ତକର୍ମ ॥

ଭାରତର ପରମ୍ପରା ସଂସ୍କୃତି
ପାଶ୍ଚାତ୍ୟେ ବିସ୍ତାରେ ବଳାନ୍ତି ମତି
ଧନ୍ୟ ଦେବୀ ମହାମାୟା,
ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ
ବିସ୍ତାରି ଅଛନ୍ତି କାୟା ॥

କାଲି ଯାଇଥିଲି ବୁଲି ଦଶରା
ମନେ ନେଇଥିଲି ଖୁସି ଅସରା
ଶରତେ ହସୁଛି ଧରା,
ଜଳେ ବା ଅନଳେ ପ୍ରମାଦେ ପ୍ରବାସେ
ମାତା ସାହା ହେବେ ପରା ॥

Share with friends: