Volume.02 – Issue.01 – January 2026
Author – Dr. Nilamadhab Kar
Address – Olverhampton, United Kingdom
ଧିରେ ଧିରେ ହୁଏତ
ବଞ୍ଚି ହେଇଯିବ ଜୀବନ
ପଛକୁ ଫେରି ଚାହିଁଲେ,
ଦୂରେଇ ଯାଇଥିବା କୂଳ ଆଉ ଦିଶୁନଥିବ
ମନର ଟିକିଏ ଫାଙ୍କ, ବଢି ବଢି
ଖାଇ, ନଈ, ଆଉ
ସମୁଦ୍ର ହେଇ ଯାଇଥିବ,
ବନ୍ଧ ବାନ୍ଧିବାର ସମୟ
ପାର ହେଇଯାଇଥିବ,
ଉପାୟ ନଥିବ, ଆଶା ବି ନ ଥିବ,
ସମୟ ଥାଉଥାଉ ନ ସମ୍ଭାଳିଲେ,
ସମ୍ପର୍କର ମୋତି ସବୁ ହଜିଯାଇଥିବ
ସତ ସତ ଲାଗୁଥିବା
ମିଛ ମିଛ ରାଗ ଓ ରୁଷାରେ
ଦିଶୁଥିବ ପୁରୁଣା କଥାସବୁ,
କେତେ ଅର୍ଥହୀନ…, ହାସ୍ୟାସ୍ପଦ,
କେତେ ସହଜରେ
ଏଡେଇ ଯିବା ଭଳି କଥାକୁ,
ଗଣ୍ଠି ପକେଇ, ତିଳକୁ ତାଳ କରି,
ଦୁରେଇ ଯିବା, କେତେ ଅଯଥାର୍ଥ
କହି ହେଉ ନ ଥିବ, ସହି ହେଉ ନ ଥିବ,
ଭିତରର ଯନ୍ତ୍ରଣା, କାଳେ କିଏ
ଚିହ୍ନି ପକେଇବ ବୋଲି,
ହସଟେ ପ୍ରସ୍ତୁତ ଥିବ ମୁଁହରେ
ଧିରେ ଧିରେ ଅଚିହ୍ନା ହେଇଯିବ ନିଜର ମଣିଷ
ମରିଯାଇଥିବା ଅତୀତର ଶବ
ଉଭେଇ ଯାଉ ନଥିବ,
ଜଳି ପୋଡ଼ି ପାଉଁଶ ନ ହେଇ
କୁହୁଳୁଥିବ, ଝୁଲୁଥିବ କାନ୍ଧରେ
ଆଉ ଟିକେ ବୁଝି ଯାଇଥିଲେ,
କିଛି ସମୟ ଶାନ୍ତ ରହି ଯାଇଥିଲେ,
ସହି ଯାଇଥିଲେ,
ଭୂଲି ଯାଇଥିଲେ ପଦେ ଦି ପଦ,
କ୍ଷମା କରି ଦେଇଥିଲେ, ବା ମାଗି ନେଇଥିଲେ,
କଣ ବଦଳି ଯାଇଥାନ୍ତା ରାସ୍ତା
ହୁଏତ ଅସହ୍ୟ ଥିଲା ସେ ଦିନ ସବୁ
ଅଲଗା ହେଇଯିବାରେ ଆଶ୍ୱସ୍ତି ଥିଲା ଅନେକ
ବାଟ ଭାଙ୍ଗିଯିବା ସହଜ ଲାଗିଥିଲା
ସେ ମୁହୂର୍ତ୍ତରେ,
ଆଶା ଥିଲା ଭୁଲି ହେଇଯିବ ଅତୀତ,
ରାତିର ଅନ୍ଧାର ପରି,
ରାସ୍ତାରେ ଆଉ କିଏ
ମିଳିବେ ସାଥିରେ ଚାଲିବା ପାଇଁ
ଏକାକୀତ୍ଵ ହଜିଯିବ,
ବିଶ୍ଵାସଟେ ଜାଗିଥିଲା
ହେଲାନି ସେମିତି କିଛି
ଅତୀତଟା ଏବେବି ଝୁଲୁଛି
ଅଧାପୋଡ଼ା ଅଶରୀରୀ ପରି ।
