Categories
Journal Story

ଆତ୍ମିୟତାର ଆଂଶି (ଭାଗ‐୩)

Open Access Journal 768x74

Volume.IX – Issue.XI – November 2025
Author – Artatran Khurdia
Address – Bankia, B.M.Pur, Sonepur

ପ୍ରକୃତିର ମନୋରମ ଦୃଶ୍ୟ, ସୁନ୍ଦର, ସବୁଜିମା, ବଣ, ପାହାଡ ଘେରା ଓ ଚତୁଃପାର୍ଶ୍ୱରେ ନଦୀ, ନାଳ ତଥା ଜଳାଶୟ ପରିପୂର୍ଣ୍ଣ ଏକ ନିପଟ ମଫସଲ ଗାଁ ମଧୁପୁର । ସତରେ ଗାଁ’ର ନାଁ ଯେମିତି ଲୋକମାନେ ମଧ୍ୟ ସେପରି ସରଳ, ନିଷ୍କପଟ ଓ ମଧୁମୟ । ଚାଷ ସମୟରେ ଗ୍ରାମର ପ୍ରକୃତି, ପରିବେଶ ପୃଥିବୀରାଣୀକୁ ସବୁଜ ମଣ୍ତିତ କରିବା ସହିତ ନଭଶ୍ଚୁମ୍ଭୀ କାଶତଣ୍ତୀ ଫୁଲର ଶୁଭ୍ର ଓ ସ୍ୱଚ୍ଛତା ଯୌବନର ରୋମାଞ୍ଚକତା ସୃଷ୍ଟି କରେ ।

ଗ୍ରାମର ଜମିଦାର ବଦାନ୍ୟ ଏବଂ ପରୋପକାରୀ ଭାବେ ବେଶ ଜଣାଶୁଣା ଓ ଆଖପାଖ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ତିନି ପୁଅ ଓ ଦୁଇ ଝିଅକୁ ନେଇ ତାଙ୍କ ସଂସାର । କିନ୍ତୁ ବଡ ପୁଅ ମଧୁର ବିବାହ କରିବା ବୟସ ହୋଇ ଯାଇଥାଏ । ମଧୁପୁରକୁ ଲାଗି ଆଉ ଗୋଟିଏ ଗାଁ ଭାନୁପୁର ଏବଂ ସେହି ଗ୍ରାମରେ ବାପା, ମା ଛେଉଣ୍ତ ସାତ ଭାଇରେ ଗୋଟିଏ ସୁନାନାକୀ ଭଉଣୀ ଭାନୁ ର ସହାବସ୍ଥାନ ହୁଏ । ଭାନୁ ଦେଖିବାକୁ ଯେମିତି ସ୍ୱର୍ଗର ଅପସରୀଟିଏ ସେମିତି ସୁନ୍ଦରୀ, ବୁଦ୍ଧିମତୀ ଆଉ ଗୁଣୀ ଏବଂ ବ୍ୟବହାର, ଶାଳୀନତା, ସଂସ୍କାରର ଏକ ମୂର୍ତ୍ତିମନ୍ତ ପ୍ରତୀକଟିଏ । ଯୌବନର ଉଦ୍ଧାମତା ପ୍ରତ୍ୟେକ ବ୍ୟକ୍ତିକୁ ଉଦ୍ଧତ ହେବାକୁ ପ୍ରେରଣା ଯୋଗାଏ । ଫଳସ୍ୱରୂପ ମଧୁ ଓ ଭାନୁ ମଧ୍ୟ ଏ ଉଦ୍ଧାମତାର ଶିକାର ହୁଅନ୍ତି । କିଛି ଦିନ ଚୋରା ପୀରତି ଲୁଛା ଛପା ହେଲା ପରେ ପୁଷ୍ପର ବାସ୍ନା ଯେମିତି ଚଉଦିଗକୁ ମହକି ଉଠେ, ଠିକ ସେଭଳି ଏ ଦୁହିଁଙ୍କ ପ୍ରେମର ମହକ ଗ୍ରାମର କୋଣ ଅନୁକୋଣରେ ମହକିବାକୁ ଲାଗିଲା, କିନ୍ତୁ ଉଭୟ ଗୋଟିଏ ଜାତିର ଥିବାରୁ ସେତିକି ଚର୍ଚ୍ଚା ହୋଇନଥିଲା ।

ଭାନୁକୁ ବହୁ ପ୍ରସ୍ତାବ ଆସୁଥିଲେ ମଧ୍ୟ ତାଙ୍କ ଭାଇମାନେ ସରକାରୀ ଚାକିରିଆ ପାତ୍ର ଖୋଜୁଥିବା କାରଣରୁ ମଧୁର ପ୍ରସ୍ତାବ ସହ ଅନ୍ୟ ପ୍ରସ୍ତାବ ମଧ୍ୟ ଝୁଲି ରହିଲା, କିନ୍ତୁ ପରିଶେଷରେ ଉଭୟ ପରିବାରର ସହମତିରେ ମଧୁ ଓ ଭାନୁର ପ୍ରେମର ନୀଡଟି ସାମାଜିକ ସ୍ୱୀକୃତି ଲାଭକଲା । ଦେଖୁ ଦେଖୁ ବିବାହର ପ୍ରଥମ ବର୍ଷ ହସ ଖୁସିରେ ବିତିଗଲା । କିନ୍ତୁ ପାଖାପାଖି ଦେଢ ବର୍ଷ ପରେ ଭାନୁ ଜୀବନରେ କିଛି ପରିବର୍ତ୍ତନ ତଥା କେହି କଳାଯାଦୁର ତନ୍ତ୍ର ମନ୍ତ୍ର କରି ଜୀବନକୁ ବ୍ୟତିବ୍ୟସ୍ତ କରିଦେଲା । ଯେମିତି ହଠାତ୍ ଭାନୁ ଶରୀରରେ ଦେବୀ ଖେଳିବା, ଶାଢୀ କାନି ଓ ଶୟନ କକ୍ଷରେ ଶୂନ୍ୟରୁ ନିଆଁ ଲାଗିବା ଏମିତି ଅନେକ ଦୁର୍ଘଟଣା ପରିବାର ସମେତ ପାଖ ପଡୋଶୀଙ୍କ ମନରେ ମଧ୍ୟ ଆତଙ୍କ ସୃଷ୍ଟି କଲା । ଜଣେ ନବ ବିବାହିତା ସୁନ୍ଦରୀ ତରୁଣୀଙ୍କୁ ଏମିତି ତନ୍ତ୍ର ମନ୍ତ୍ର କରି କିଏ ହଇରାଣ କରୁଥିବା ଖବର ଗ୍ରାମରେ ପ୍ରଚାରିତ ହେବାରୁ ସମସ୍ତେ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେବା ସହ ଘଟଣାକୁ ନିନ୍ଦା କଲେ । ମଧୁଓ ଭାନୁର ଦାମ୍ପତ୍ୟ ଜୀବନକୁ ମଧ୍ୟ ଶାରୀରିକ, ମାନସିକ ଯନ୍ତ୍ରଣା ଗ୍ରାସ କଲା । ଗୁଣୀ ଗାରେଡି ସହ ବିଭିନ୍ନ ଶୈବାଳୟ, ମଠାଧୀଶ ଆଦି ସ୍ଥାନକୁ ପରିଭ୍ରମଣ କରି ଶେଷରେ ଚାରିବର୍ଷ ପରେ କଳା ଯାଦୁ ତନ୍ତ୍ରର ସମାଧାନ ହେଲା ।

ଭାନୁର ନିଜ ମାଇଁ ତାଙ୍କ ପୁଅ ପାଇଁ ଭାନୁକୁ ବୋହୁ କରିବାର ପ୍ରସ୍ତାବ ତାଙ୍କ ଭାଇମାନେ ଅଗ୍ରାହ୍ୟ କରିବାରୁ ତାଙ୍କ ମାଇଁ ଏଭଳି କାଣ୍ତ ଭିଆଇଥିବା ଜଣା ପଡିଲା । କିନ୍ତୁ ଭାନୁକୁ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ପାଞ୍ଚ ବର୍ଷ ସମୟ ଲାଗିଗଲା । ଠିକ୍ ସୁସ୍ଥ ହେବାର ଏକବର୍ଷ ପରେ ତାଙ୍କ ଶାଶୁଙ୍କର ପକ୍ଷାଘାତ ରୋଗ ହେବାରୁ ପୁଣି ପାରିବାରିକ ଅଶାନ୍ତି ସୃଷ୍ଟି ହେଲା । ମାନସିକ ଅଶାନ୍ତି କାରଣରୁ ତାଙ୍କ ଶାଶୁ ମାତୃତ୍ୱ ତଥା ସନ୍ତାନ ଜନ୍ମ ଅକ୍ଷମତାକୁ ନେଇ ଭାନୁକୁ ବହୁ କଟୁ ଭର୍ତ୍ସନା କଲେ । ମଧୁ ଆଉ ଭାନୁ ମା’ଙ୍କ ଅତ୍ୟାଚାର ସହି ନ ପାରି ନିକଟସ୍ଥ ସହରରେ ଯାଇ ଭଡାଘର ନେଇ ରହିବାକୁ ବାଧ୍ୟ ହେଲେ । ଏପଟେ ପକ୍ଷାଘାତ ରୋଗୀଣା ମା ଏବଂ ସେପଟେ ମା ଦ୍ୱାରା ନିର୍ଯ୍ୟାତିତ ଅର୍ଦ୍ଧାଙ୍ଗିନୀ ବିଚରା ମଧୁ କାହା ପକ୍ଷରେ ହେବ‐ ନିଜ ରକ୍ତ ମାଂସ ଦେଇ ଗଢିଥିବା ମା ପକ୍ଷ ନା ନିଜ ରକ୍ତ ସଂପର୍କକୁ ତୁଚ୍ଛ କରି ଆସିଥିବା ଭାନୁ ରୂପକ ଅର୍ଦ୍ଧାଙ୍ଗିନୀ ଅତ୍ମାର ପକ୍ଷ । ପଙ୍କ ବିନା ପଦ୍ମ ଫୁଟେନା, ହେଲେ ସୂର୍ଯ୍ୟ ଆଡକୁ ମୁହାଁଇ ଥିବା ପଦ୍ମକୁ ଯଦି ପଙ୍କ ବିରୋଧ କରେ ତେବେ କେତେ କାଳ ବଞ୍ଚିପାରେ ପଦ୍ମ । ନା ସେ ସୂର୍ଯ୍ୟର ଆଲୋକ ପାଇପାରେ ନା ସେ ପଙ୍କର ଅତ୍ୟାଚାର ସହିପାରେ । ଠିକ୍ ସେ ଭଳି ପୁରୁଷ ଏମିତି ଗୋଟିଏ ଚରିତ୍ର । ସେ ଯାହା ହେଉ କିଛି ସମ୍ପର୍କୀୟଙ୍କ ମଧ୍ୟସ୍ଥତାରେ ସମସ୍ୟାର ସମାଧାନ ହେଲା । ମଧୁ ଓ ଭାନୁ ଘରକୁ ଫେରି ଆସିଲେ ।

କିଛିଦିନ ପରେ ଭାନୁ ଗର୍ଭବତୀ ହେବାରୁ ଶାଶୁ ବୋହୁଙ୍କ ତିକ୍ତତାରେ ଅନ୍ତ ହେଲା । ପାଖରେ ମେଡିକାଲ୍ ନ ଥିବାରୁ ବଲାଙ୍ଗିର ମେଡିକାଲକୁ ଚେକ୍ ଅପ୍ ପାଇଁ ଯିବାକୁ ପଡେ । କିନ୍ତୁ ମଧୁ ଓ ଭାନୁ କେଉଁ ପ୍ରାଇଭେଟ କ୍ଳିନିକରେ ଭଲ ଚିକିତ୍ସା ହେଉଛି ଜାଣି ନଥିବାରୁ ପ୍ରଥମ ଥର ସରକାରୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ । ବିଧିର ବିଡମ୍ୱନା ନା ଆଉ କିଛି, ଠିକ୍ ସେହିଦିନ ଆଂଶି ମଧ୍ୟ ଶାରୀରିକ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ଯାଇଥିଲେ, ସଂଯୋଗବଶତଃ ଅପେକ୍ଷା କକ୍ଷରେ ଭାନୁ ଓ ଆଂଶି ପାଖାପାଖି ବସିଥିଲେ । ଆଂଶି ଆଭିଜାତ୍ୟସମ୍ପନ୍ନ, ଉଚ୍ଚଶିକ୍ଷିତା ହେଲେ ହେଁ ପୁଷ୍ପ ପରି କୋମଳ ହୃଦୟା ଓ ବନ୍ଧୁବତ୍ସଳା ତେଣୁ ଭାନୁ ସହିତ ମିଶିଯିବା ପାଇଁ ତାଙ୍କୁ ଗୋଟିଏ କ୍ଷଣ ବି ଲାଗିଲା ନାହିଁ । କଥାବାର୍ତ୍ତା ଢଙ୍ଗରେ ଆଂଶି ଭାନୁଙ୍କୁ ନାଁ ଗାଁ ପଚାରି ନାରୀ ସମସ୍ୟାଗତ ବିଷୟରେ ଖୋଲାଖୋଲି କଥାହେବା ସହ ଗର୍ଭଧାରଣ ସମୟରେ କଣ କରିବା ନ କରିବା ଉଚିତ ଆନାୟାସରେ ବୁଝାଇବା ସହ ଆତ୍ମିୟତା ଢଙ୍ଗରେ ତାଗିଦ ମଧ୍ୟ କଲେ । ଠିକ ଏତିକି ବେଳେ ଭାନୁଙ୍କ ନମ୍ୱର ଆସିଯିବାରୁ ସେ ଡାକ୍ତରଙ୍କୁ ଦେଖାଇବାକୁ ଗଲେ । ପରାମର୍ଶ ନେଇ ଫେରିଲା ବେଳେ ମେଡମ୍ ଆସୁଛୁ ବୋଲି କହିବାରୁ ଆତ୍ମିୟତାର ତାଗିଦ ଢଙ୍ଗରେ ନିଜ ଯତ୍ନ ନେବାକୁ ହସିକି ଅନୁରୋଧ କଲେ ଆଂଶି ।

ପରବର୍ତ୍ତୀ ଥର ଚେକଅପ ସମୟରେ ଆଂଶି ମେଡମଙ୍କ ପରାମର୍ଶାନୁସାରେ ଡା. ପୁଷ୍ପାଞ୍ଜଳି ମିଶ୍ରଙ୍କୁ ଦେଖାଇ ଫେରୁଥିବା ବେଳେ ସଂଯୋଗବଶତଃ ଆଂଶି ମେଡମଙ୍କ ସହ ତାଙ୍କଦେଖାସାକ୍ଷାତ ହେଲା । ଆତ୍ମିୟତାର ପ୍ରୀତି ଭରା ସ୍ୱରରେ ପୁଣି ଥରେ ତାଗିଦ୍ କରି ନିଜ ଯତ୍ନ ନେବାକୁ କହିବା ସହ ଭାନୁଙ୍କ ଗାଡି ନିକଟକୁ ଆସି ଛାଡି ଦେଇଗଲେ ଆଂଶି । ଏମିତି ଯେତେଥର ଭାନୁ ଚେକଅପ ପାଇଁ ମେଡିକାଲ ଯାଇଛନ୍ତି, କେଉଁଠି ନାଁ କେଉଁଠି ଉଭୟଙ୍କ ନିହାତି ଦେଖାସାକ୍ଷାତ ହୁଏ । ବୋଧhହୁଏ ଏହା ଳୀଳାମୟଙ୍କ ଅପୂର୍ବ ସଂଯୋଗ ।

ଏଇମିତି ଦେଖୁ ଦେଖୁ ଦଶ ମାସ ବିତିଗଲା । ଡାକ୍ତର ଦେଇଥିବା ସନ୍ତାନ ଜନ୍ମ ତିଥି ମଧ୍ୟ ଆସିଗଲା ଏବଂ ଭାନୁଙ୍କୁ ହସପିଟାଲକୁ ନିଆଗଲା । ଭାନୁ ଭାଉଜ ଆମ ଗାଁର ଏବଂ ମୁଁ ବଲାଙ୍ଗିରରେ ରହୁଥିବା କାରଣରୁ ସେ ମତେ ଫୋନ କରି ହସପିଟାଲକୁ ଆସିବାକୁ କହିଲେ । ରାତି ୧୨ ସମୟରେ ଭାନୁ ଭାଉଜଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତି ହେଲା । ପତି ପତ୍ନୀ ଓ ପରିବାରରେ ଖୁସିର ଲହରୀ ଖେଳିଗଲା । ମାତୃତ୍ୱର ନିନ୍ଦା କଳଙ୍କରୁ ମୁକ୍ତି ମିଳିଥିବାରୁ ସେ ଆନନ୍ଦିତ ହେବା ସହ ଝିଅଟିର ନାଁ ଆଂଶି ରଖିବା ବୋଲି କହିଲେ । ଆଂଶି ନାମକରଣ କରିବାର ତାତ୍ପର୍ଯ୍ୟ ପଚାରିବାରୁ ସେ କହିଲେ, ବଲାଙ୍ଗିର ମୁଁ ଯେତେଥର ଚେକଅପ ପାଇଁ ଆସିଛି ସଂଯୋଗବଶତଃ ଆଂଶି ବୋଲି ଜଣେ ଭଦ୍ର ମହିଳାଙ୍କ ସହ ସବୁଥର ଆମର ଭେଟ ହୋଇଛି । ଜଣେ ଅଜଣା ମହିଳା ହୋଇଥିଲେ ମଧ୍ୟ ତାଙ୍କ ଆନ୍ତରିକତା, ଆତ୍ମିୟତା ଓ ଉପଦେଶ ଆଜି ମତେ ସଫଳ ମାତୃତ୍ୱ ପ୍ରଦାନ କରିଥିବାରୁ ତାଙ୍କ ସ୍ମୃତି ସ୍ମରଣାର୍ଥେ ଝିଅଟିର ନାଁ ଆଂଶି ରଖିଥିବା କହିଲେ । ମୁଁ କହିଲି ଭାଉଜ ମୁଁ ଜାଣିଥିବା ଆଂଶି କଥା ତୁମେ କହୁନ ତ.. ତୁମ କଥା ତାଙ୍କ ଚରିତ୍ର ସହ ମେଳ ଖାଉଛି କହି ଫୋନରୁ ଆଂଶିଙ୍କ ଫଟୋ ଦେଖାଇଲି । ଭାଉଜ ଖୁସିରେ କହିଲେ, ହଁ ତ ଏଇ ସେ ଭଦ୍ର ମହିଳା ଏବଂ ତାଙ୍କୁ ଟିକିଏ ଫୋନ ଲଗାଇବାକୁ ଅନୁରୋଧ କଲେ । ମୁଁ ଆଂଶିଙ୍କୁ ଫୋନ ଲଗାଇ ଭିଡିଓ କଲ୍ କରିବାକୁ କହିଲି । ସେ ସଙ୍ଗେ ସଙ୍ଗେ ଭିଡିଓ କଲ୍ କଲେ ଓ ଭାନୁ ଭାଉଜଙ୍କୁ ଦେଖିବାରୁ, ଆରେ ଏମାନଙ୍କୁ ଆପଣ ଜାଣିଲେ କେମିତି ? ମୁଁ କହିଲି ଏମାନେ ଆମ ଗାଁର ମୋ ଭାଉଜ । ହଁ ଆଉ ଗୋଟିଏ ଖୁସି କଥା ହେଉଛି‐ ଆପଣଙ୍କ ଆତ୍ମିୟତା, ତାଗିଦ, ଉପଦେଶ ଓ ଆନ୍ତରିକତା ଦ୍ୱାରା ପ୍ରଭାବିତ ହୋଇ ଭାଉଜ ଝିଅଟିର ନାଁ ଆଂଶି ରଖିଛନ୍ତି । ଏହା ଶୁଣି ଆଂଶିଙ୍କର ଆଖି ଲୁହ ଛଳ ଛଳ ହୋଇଗଲା, କିନ୍ତୁ ହସି ଦେଇ କହିଲେ, ସତରେ ମୋ ବ୍ୟକ୍ତିତ୍ୱ ଭାନୁ ଭାଉଜଙ୍କୁ ଏତେ ପ୍ରଭାବିତ କଲା ଏବଂ ପାଠକଙ୍କ ହାତରେ ମୁଁ ସମର୍ପଣ କଲି “ଆତ୍ମିୟତାର ଆଂଶି” ତୃତୀୟ ଭାଗ ।

End Line Of Article 768x5
Share with friends: