Categories
Journal Poetry

ଚନ୍ଦନ ଚାପ

Open Access Journal 768x74

Volume.1 – Issue.6 – June 2025
Author – Prafulla Chandra Mishra
Address – Mangalajodi, Khordha, Odisha
Contact – 8249234143

ଚନ୍ଦନ ଯାତରା ମର୍ତ୍ତ୍ୟରେ ଆହା କେଡେ ସୁନ୍ଦର
ନନ୍ଦା ଭଦ୍ର ନାବେ ଖେଳଇ ଚାପ ମୂରଲୀଧର
ସଙ୍ଗେ ଘେନି ପଞ୍ଚ ପାଣ୍ଡବ ମଣି ବିମାନ ଚଢି
ଭୂଦେବୀ ଶ୍ରୀଦେବୀ ସହିତ ଚାପେ ବିଶ୍ଵ ବିହାରୀ ।।

ଗହଳି ଲାଗିଛି ବଡ ଦାଣ୍ଡରେ ତେଲିଙ୍ଗି ବାଜା
ମହୁରୀ କାହାଳୀ ଶବଦେ ବିଜେ ନୀଳାଦ୍ରି ରାଜା
ହରିବୋଲ ହୁଳହୁଳି ର ଶଦ୍ଦେ ମହୋଦଧି ର
ଗରଜନ ଶବ୍ଦ ଏମିତି ତୁଚ୍ଛ ଗୁରୁ ଗମ୍ଭିର ।।

ବାସି ଚନ୍ଦନର ମହକ ମଲ୍ଲୀ ଚମ୍ପା ଗଜରା
ତୁଳସୀ ଦୟଣା ଭୂଷିତେ ଭୂଷା ଆହାକି ତୋରା
ଆଲଟ ଚାମର ପଡୁଛି ନାଚ ଦେବ ଦାସୀର
ଜୟଦେବ ଗୀତ ଗୋବିନ୍ଦେ ନୃତ୍ୟ କି ମନୋହର ।।

ନରେନ୍ଦ୍ର ଜଳରେ ଶ୍ରୀ ଜଗନ୍ନାଥ କରନ୍ତି କେଳି
କୂଳ ଚଉପାଶେ ଭକତ ଗଣ ଅଛନ୍ତି ବେଢି
ଯକ୍ଷ, ରକ୍ଷ, ନାଗ, ଗନ୍ଧର୍ବ, ଦେବଲୋକର ଲୋକ
ସହ ଦରଶନ କରନ୍ତି ନର ବିଶ୍ଵ ପାବକ ।।

ସତେକି ଅପୂର୍ବ ଯାତରା ତୋର ନୀଳ ଶଇଳ
ପାପି ଉଦ୍ଧାରଣେ ତୋହର ଲୀଳା ଯାତରା ଛଳ
ତୋ ଲୀଳା ବିଳାସ ବର୍ଣ୍ଣନା ପାଇଁ ନାହିଁ ଶବଦ
ସବୁ ଶବଦର ଦୂରରେ ତୁତ ଜଗତ ନାଥ ।।

End Line Of Article 768x5
Share with friends: