Volume.IX – Issue.X – October 2025
Author – Hasyamayee Raj
Address – Orali, Hatadihi, Keonjhar
ନିଜ ବାହୁବଳରେ
ଧରାକୁ ସରା ମଣୁଥିବା ମଣିଷ
ସମୟ ଚକ୍ରରେ
ନିଜକୁ ଚିହ୍ନିବାର ଶକ୍ତି ହରେଇ ଵସେ
ଜୀବନର କେତେଵଡ ସତ୍ୟଟାଏ
ମୃତ୍ୟୁର ମାଣ ସଭିଙ୍କର ପୁରେ
ଏକଥା ବି ସେ କହିହୁଏ
ତଥାପି,
ଅହଂକାରର ମୁକାର ଭିତରେ
ଜଳିବାକୁ ଜାଳିବାକୁ ଭଲପାଏ
ବାରମ୍ବାର ଗୋଡ ଖସାଏ
ମରଣର ଚରଣରେ
ଶରଣ ପଶେ
ଅତୀତ, ବର୍ତ୍ତମାନ, ଭବିଷ୍ୟତ
ଜଳଜଳ ଦିଶେ ।।
ସମୟ କେତେ ବଳବାନ୍
ତଥାପି ତାକୁ
ଅକ୍ତିଆର କରିବାର ଧୃଷ୍ଟତାରେ
ପାଗଳ ହୁଏ ସେ
ଏଠି ହସ ଆଉ ଲୁହ
ଦୁଃଖ ଆଉ ସୁଖ
ସବୁ ଆପେକ୍ଷିକ ଜାଣି ବି
ମାୟାର ମହା କୁହେଳିକା ଭିତରେ
ନିଜକୁ ହଜାଏ, ସଜାଏ, ଭିଜାଏ
ଇଏ ହିଁ ଜୀବନର
ବଡ଼ ବିଡମ୍ବନା
ବୁଝେ ପୁଣି ବୁଝେନା ।।
