Volume.1 – Issue.11 – November 2025
Author – Binay Kumar Mishra
Address – Mallipur, Niala, Khordha
Contact – 9439433337
କାହାକୁ କହିବି
ତୁମ ମୋ ସମ୍ପର୍କ
ଏତେ ନିବିଡ଼ତା କଥା,
ଲେଡିଗୁଡି ଗଲା
କହୁଣିକି ବୋହି
ଚାଟିବାକୁ ଲାଗେ ବ୍ୟଥା ।
ତୁମେ କହୁଥିଲ
ମୁଁ ଶୁଣୁଥିଲି
ମୁଁ କହେ ତୁମେ ଶୁଣ,
ସଂସାରଟା ସାରା
ଡିବି ଡିବି ବାଜେ
ଆମ ଦୁହିଁଙ୍କର ଗୁଣ ।
ଭିତର କଥାଟା
କିଏ ବା ବୁଝିବ
ଭଲ ମନ୍ଦ ଅଛି କେତେ,
ଉପରୁ ଦେଖିକି
ନିନ୍ଦା ଅପବାଦ
ଦେଉଥାନ୍ତି ଯିଏ ଯେତେ ।
ବାହାରକୁ ଯାହା
ଦିଶୁଛି ସେକଥା
ହେଉଥାନ୍ତି କୁହାକୁହି,
ସତଟା ନ ଜାଣି
ଡିଣ୍ଡିମ ପିଟନ୍ତି
ମିଛ ଚାଦର ଘୋଡେଇ ।
