Categories
Journal Poetry

ନିର୍ମଳ ଶରତ

Volume.IX – Issue.X – October 2025
Author – Akulananda Prusty
Address – Mahalapada, Kakhadi, Cuttack
Contact – 9437864562

ଶ୍ରାବଣ ଧୋଇଲା ପରେ
ଶରତ ଆସିଛି ଧରାକୁ ଓହ୍ଲାଇ
ଭୋଦୁଅ ଖରା ଛାଇରେ ।
ନଦୀ ନାଳ ଜଳ ହେଲାଣି ନିର୍ମଳ
ଖଣ୍ଡ ଖଣ୍ଡ ମେଘ ଆକାଶେ ଭାସେ
ସବିତା ସମ୍ମୁଖେ ରଙ୍ଗର ପସରା
ଇନ୍ଦ୍ରଧନୁ ଶୋଭା ଆକାଶେ ଦିଶେ ।

ସବୁଜ କ୍ଷେତ…
ସବୁଜ ପତ୍ରରେ ବନ ଶୋଭିତ
ନଦୀ ପଠା ସବୁ ଧବଳ ଦିଶୁଛି
କାଶତଣ୍ଡି ଫୁଲ ହରୁଚି ଚିତ୍ତ ।
କଦମ୍ବ ଫୁଟିଚି ତରୁ ଶାଖାରେ
ଜହ୍ନିଫୁଲ ଫୁଟେ ଲତା କୁଞ୍ଜରେ ।

ହଜାରି ଫୁଲ…
ପ୍ରକୃତି ରାଣୀର ଗଭା ମଞ୍ଜୁଳ
ବର୍ଷା ବିଧୌତ ନିର୍ମଳ କାନ୍ତି ।
ଜଳାଶୟ ସାରା ଶତଦଳ ଫୁଟି
ରଞ୍ଜନୀୟ ଦିଶେ ସାରା ପ୍ରକୃତି ।
ପାର୍ବଣ ଆସିଛି ଶରତ କାଳେ
କୃଷ୍ଣ ଜନ୍ମିଥିଲେ ମହୀ ମଣ୍ଡଳେ

ଗଣେଶ ପୂଜା…
ପରଦିନ ଲୋକେ ନବାନ୍ନ ଖାଆନ୍ତି
ଖୁସିରେ ବିଭୋର ରାଜା ଠୁ ପ୍ରଜା ।
ପଶ୍ଚିମ ଓଡ଼ିଶା ଗଣ ପରବ
ସମସ୍ତେ ଆସନ୍ତି ନବାନ୍ନ ଖାଆନ୍ତି
ପ୍ରକାଶ କରନ୍ତି ଆପଣା ଭାବ ।
ଭାଦ୍ରବ ମାସରେ ଖୁଦୁରୁକୁଣୀ
ଭାଇର ମଙ୍ଗଳ ମନାସି ପୁଜନ୍ତି

ସବୁ ଭଉଣୀ…
ଆଶ୍ୱିନ ମାସରେ ଆସନ୍ତି ମା
ଗାଁ ରୁ ସହର ଉତ୍ସବ ମୁଖର
ଦୁର୍ଗତି ନାଶିବେ ଦୁର୍ଗା ମା ।
ନାରୀ କି ସୁରକ୍ଷା ଦିଅ ଗୋ ମା
ନର ମାନେ କେତେ ନରକାସୁର
ବୁଝନ୍ତିନି କିଏ ଭଉଣୀ ମା ।
କୁମାର ପୂର୍ଣ୍ଣିମା କୁମାରୀ ବ୍ରତ
ଚାନ୍ଦ ପୂଜା କରି କୁମାରୀ ଗାଆନ୍ତି
କୁଆଁର ପୁନେଇଁ ଗୀତ ।
ଶରତ ନିର୍ମଳ ଆମେ ଆବିଳ
ପ୍ରକୃତି ସହିତ ଖେଳୁଛୁ ଖେଳ
ପରିବେଶ ଆମେ ଦୂଷିତ କରୁଛୁ
ଆବର୍ଜନାମୟ ନଦୀ ଓ ନାଳ ।

ଭୁଲୁଚୁ ବାଟ…
ଆପଣା ପାଦରେ ଆପଣା ହାତରେ
ମଣିଷ ମାରୁଚି କୁରାଢି ଚୋଟ ।

Share with friends: