Volume.IX – Issue.X – October 2025
Author – Abhay Kunda
Asst. Teacher, Panchayat Govt. High School
Address – Padiabhanga, Talcher, Anugul
Contact – 9556989723
“ବୃତ୍ତି ଏ ମୋ ପୋଷେ କୁଟୁମ୍ବ
ବସାଇ ନ ଦେବି ପାଦ ନ ଧୋଇ ନାବ ।”
ଏହା ଭଗବାନ ରାମ, ଲକ୍ଷଣ ଓ ସୀତାଙ୍କ ଗଙ୍ଗା ନଦୀ ପାର ହେବା କଥା, ରାମାୟଣ ବର୍ଣ୍ଣିତ । ନଦୀ ପାର ହେବା ପାଇଁ ଡଙ୍ଗା ଏକ ମାତ୍ର ଭରସା ଥିଲା । ସେଥିପାଇଁ ନଦୀମାନଙ୍କରେ ଡଙ୍ଗା ଘାଟ ଥାଏ । ସେଠାରେ ଡଙ୍ଗା ବନ୍ଧା ହୁଏ । କୈବର୍ତ୍ତ ଜାତିର ଲୋକେ ଡଙ୍ଗା ବାହନ୍ତି । ତାଙ୍କୁ ନାଉରୀ କୁହନ୍ତି । କଟକ ସହର, ହଜାରେ ବର୍ଷର ପ୍ରାଚୀନ ସହର । ସହରକୁ ମହାନଦୀ, କାଠଯୋଡି, ବିରୂପା ତିନି ଦିଗରୁ ଘେରି ରହିଛି । ଏକାଧିକ ଡଙ୍ଗା ଘାଟ ଥିଲା । ସେଠାରେ ଲୋକେ ପଇସା ଦେଇ ଡଙ୍ଗାରେ ନଦୀ ପାର ହେଉଥିଲେ । କଟକର ଉତ୍ତର ଦିଗରେ ବିଡାନାସୀ ଚହଟା ଘାଟ । ବେଶ୍ ପୁରୁଣା ଓ ପ୍ରସିଦ୍ଧ ମଧ୍ୟ । ପୁରୁଣା କଟକ ସମ୍ବଲପୁର ରାସ୍ତା ବିପରୀତ ଦିଗରେ ନୁଆପାଟଣାରେ ଶେଷ । ସ୍ଵାଧୀନତା ପୂର୍ବ ଓ ପର ପ୍ରାୟ ୧୯୬୦ ମସିହା ପର୍ଯ୍ୟନ୍ତ ସେହି ଘାଟରେ ଛୋଟ ଚାରି ଚକିଆ ଗାଡ଼ି, ଘୋଡ଼ା, ମଣିଷ ପାରି ହୋଇ କଟକ ଯାଉଥିଲେ । ୧୯୬୦ ମସିହା ପରେ କେବଳ ଲୋକ, ସାଇକେଲ, ବାଇକ୍ ସହ ପାରି ହେଉଥିଲେ । ସେଠା ଘାଟବାଲା ନାଉରୀ ମାନଙ୍କର ଭାରି ଖାତିର ଥିଲା । ନାଉରୀ ମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ନାଉରୀ ଥିଲେ ନବ । ସେ ସମସ୍ତଙ୍କର ପ୍ରିୟ ମଉସା ଥିଲେ । ଡଙ୍ଗା ବାହିଲା ବେଳେ ମଉସା କଣ୍ଠରୁ ଭାସି ଆସେ ରାମାୟଣର ମଧୁର ସଙ୍ଗୀତ –
“ବଢାଇ ଦେଲେ ପୟର
ଭାବଗ୍ରାହୀ ରଘୁବୀର ।”
ଡଙ୍ଗାରେ ବସିଥିବା ବୟସ୍କ କେତେଜଣ ପାଳି ଧରୁଥିଲେ । ଏକ ପ୍ରକାର ସଙ୍ଗୀତ ଆସର ଜମୁଥିଲା । ବେଳେବେଳେ ଭାଙ୍ଗ ଗଞ୍ଜାଇର ବ୍ୟବହାର ମଧ୍ୟ ହେଉଥିଲା ପରସ୍ପର ମଧ୍ୟରେ । ନବ ମଉସା ଦେଶ ସ୍ଵାଧୀନ ହେବା ବେଳକୁ ବିବାହ କରି ସାରିଥିଲେ । ଦେଖିବାକୁ ପାଞ୍ଚ ହାତିଆ ମରଦ । ବଳିଷ୍ଠ ଶରୀର । ପ୍ରଜାପତିଆ ନିଶ ଭୟଙ୍କର ଚେହେରା ମାତ୍ର ସ୍ଵଭାବ ସାଧୁ ପ୍ରକୃତିର ।
ବାପା ଅଜା ଡଙ୍ଗା ଚଳାଇ ମାଛ ମାରି ବିକି ଚଳୁଥିଲେ । ନବ ମଧ୍ୟ ଘାଟ ଡଙ୍ଗା ଚଲାଏ । ଦୀର୍ଘ ଦିନ ଯାଏଁ ନବ ବାପା ହୋଇପାରିଲା ନାହିଁ । ସ୍ତ୍ରୀ କେତେ ଓଷା ବ୍ରତ ମାନସିକ କଲା ହେଲେ କପାଳରେ ନାହିଁ ମା ଡାକ ଶୁଣିବାକୁ । ମନସ୍ତାପରେ ଦିନ ଗଡୁଥାଏ । ବୟସ ପଚାଶ ଟପି ଯାଇଥାଏ । ଏ ଅଞ୍ଚଳରେ କଲେରା ବ୍ୟାପିଲା । ନଦୀ ପାଣି ଦୂଷିତ ହେତୁ ମଡକ ପଡ଼ିଲା । ଆଉ ନବ ମଉସା ବିପତ୍ନିକ ହେଲେ । ଘର ଛାଡ଼ି ଡଙ୍ଗା ଘାଟ କୁଡ଼ିଆରେ ରହିଲେ । ଡଙ୍ଗା ଚଳାଇ ପେଟ ପୋଷିଲେ । ଶୁଣା ହେଲା କଟକ ଆହୁରି ବଡ ହେବ । ନଦୀ ପଠା ପୋତା ହେବ । ବଡ ରିଂ ବନ୍ଧ ପଡ଼ିବ । କେତେ କଣ ବିକାଶ ହେବ । ନବ ମଉସା ଖୁସି ହେଲେ । ଦିନେ ମାଇକ୍ ବାଜିଲା, ପ୍ରଚାର ହେଲା । ମନ୍ତ୍ରୀ ଆସି ଶୁଭ ଦେଲେ କାମ ଦ୍ରୁତ ବେଗରେ ଚାଲିଲା । ମର୍କତ କେଶରୀଙ୍କ ପଥର ବନ୍ଧ ଠୁ ଏ ବନ୍ଧ ବଳିଗଲା । ତଣ୍ଡିବଣ, ଗୋଚର, ବାଲି ବନ୍ଧ ପୋତା ହେଲା କୋଠାବାଡି ଆକାଶ ଛୁଇଁଲା । ଗାଡିମଟର ଦୋକାନ ବଜାର ବସିଲା, ଅନ୍ଧାର ହଜିଗଲା, ଦିନରାତି ସମାନ ।
ନବ ମଉସା ସଜଳ ଆଖିରେ ନଦୀଘାଟରୁ ଦେଖି ଖୁସି ହୁଏ । କଟକର ଏ ବର୍ଦ୍ଧିତ ଅଞ୍ଚଳକୁ ସି.ଡ଼ି.ଏ. କୁହାଗଲା । ଡଙ୍ଗା ଘାଟରେ ଭିଡ ବଢିଲା । କେତେଦିନ ଖୁସିରେ କଟିଗଲା । ପୁଣି ଶୁଣା ହେଲା କଟକ, ଚୌଦ୍ଵାର, ଭୁବନେଶ୍ୱର ମିଶି ଗୋଟିଏ ହେବ । ପୁଣି ଭିଡ଼ ବଢିବ । ବେପାର ବଢିବ । ମଉସାଙ୍କ ବୟସ ସତୁରୀ ଟପିଲା । ଯୁବକମାନେ ଡଙ୍ଗା ବାହିଲେ, ଆଉ ମଉସା ମାହାସୁଲ ଆଦାୟ କାମ କଲେ, ରୋଷେଇ କାମ କଲେ ଓ ବନିସି ପକାଇ ମାଛ ମାରିଲେ । ରାତି ହେଲେ ଦୁଇ ଚାରିଜଣଙ୍କ ସହ ମିଶି ଗଞ୍ଜାଇ ଦି ଦମ୍ ଟାଣି ମନବୋଧ ଚଉତିଶା ଦି ପଦ ଗାଇ ନିଦ୍ରାଯାଏ । କିଛିଦିନ ପରେ ପୁଣି ପ୍ରଚାର ହେଲା ମହାନଦୀ ଚହଟା ଘାଟ ନିକଟରେ ଏକ ସେତୁ ହେବ । ଗାଡ଼ି ସଂଖ୍ୟା ବହୁତ୍ ବଢ଼ି ଗଲାଣି । ସେ ଶୁଭଦିନ ଆସିଗଲା । ମୁଖ୍ୟମନ୍ତ୍ରୀ ହେଲିକାପ୍ଟରରେ ଆସି ସେତୁ ଶୁଭ ଦେଲେ । କାମ ଦ୍ରୁତ ଗତିରେ ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି ଚାଲିଲା । ନିର୍ବାଚନ ଛଅ ମାସ ପୂର୍ବଠୁ କାମ ସରିଲା, ବିଶାଳ ସଭା ହେଲା । ମୁଖ୍ୟମନ୍ତ୍ରୀ ସେତୁ ଉଦ୍ଘାଟନ କଲେ । ମାଟି ପାଣି ପବନ ପ୍ରକମ୍ପିତ ହେଲା । ଗାଡ଼ି ଧାଡ଼ି ଲମ୍ବିଲା ପୁରା ସି.ଡି.ଏ. ରୁ ନୂଆପାଟଣା ଯାଏ । ଆଲୋକ ଜଳିଲା, ଦୋକାନ ବସିଲା, ଜନଗହଳି ବଢିଲା, ହେଲେ ଘାଟରେ କାଉ ଉଡ଼ିଲେ । ଡଙ୍ଗା ଆଉ ଫିଟିଲାନି । ଯୁବକ ନାଉରୀ ସବୁ ମୂଲ ମଜୁରୀ କଲେ, ମାଛ ଶୁଖୁଆ ବିକି ପେଟ ପୋଷିଲେ ।
ନବ ମଉସା ଭୋକ ଉପାସରେ ଦିନ କାଟିଲା । ଦୁର୍ବଳ ଶରୀରରେ ସେତୁ ମୁଣ୍ଡରେ ବସି ଭିକ ମାଗିଲା । ଜଣେ କୁଜି ନେତା ଦୟା କଲେ । ମଉସାଙ୍କର ବାର୍ଦ୍ଧକ୍ୟ ଭତ୍ତା କରାଇଦେଲେ । ସେହି ଅର୍ଥରେ ମଉସା ଘାଟ କୁଡ଼ିଆରେ ପଡ଼ି ରହିଲେ । ରାସ୍ତାରେ ଲୋକ ହାଉ ଯାଉ ହେଲେ ମଉସାଙ୍କୁ କେହି ଆଡ ଆଖିରେ ଚାହାଁନ୍ତିନି । ହଠାତ୍ ଦିନେ ଦେଖାଗଲା ଘାଟ କୁଡ଼ିଆ ଫାଙ୍କା ପଡ଼ିଛି । କେତେଜଣ ନବ ମଉସାଙ୍କୁ ଖୋଜିଲେ । ମାତ୍ର ତାଙ୍କର ପତ୍ତା ନାହିଁ । ସକାଳ ଯାଇ ସଞ୍ଜ ହେଲା କୁଆଡେ ଗଲେ ମଉସା । କେହି ଜଣେ ଖବର ଦେଲା ମଉସାଙ୍କ ବଙ୍କୁଲି ବାଡ଼ି, ଗାମୁଛା, ଚପଲ ନଦୀ କୂଳ ପାହାଚରେ ଥୁଆ ହୋଇଛି ସେ କିନ୍ତୁ ନାହାନ୍ତି । ଅନେକ ଖୋଜାଖୋଜି କଲେ ମିଳିଲାନି ଖୋଜ୍ ଖବର । ଶେଷରେ ସ୍ଥାନୀୟ ଥାନାରେ ଏକ ମିଶିଙ୍ଗ କେସ୍ ରୁଜ୍ଜୁ ହେଲା ନବ ମଉସା ନିଖୋଜ ।
