Volume.IX – Issue.XI – November 2025
Author – Bidyut Lata Sahoo
Address – Kalyan Nagar, Budharaja, Sambalpur
ତୁମ ରାମରାଜ୍ୟେ
ଅନୀତି ଅନ୍ୟାୟ କୂଳ ଲଘୁଁଛି
ଅନ୍ଧାରୀ ଶାସନ ଏଠି ଚାଲିଛି
ପଡ ପଦବୀର ମୋହରେ ଅନ୍ଧ
କାହା କଥା ଏଠି କିଏ ଶୁଣୁଛି
କେଉଁ ରାଇଜରେ ଅଛ ହେ ବାପୁ
ତୁମକଥା ଭାରି ମନେ ପଡୁଛି…
କୁଟି ଖାଅ ଆଉ କାଟି ପିନ୍ଧ
ପାଶୋରି ଯିବାରେ ନାହିଁ ଦ୍ଵନ୍ଦ
ତଳ ଠୁ ଉପର ଲୁଟି ଖାଉଛନ୍ତି
ଖୋଳ ହେଲେ ଦେଶ ନାହଁ ଖେଦ
କେଉଁ ରାଇଜରେ ଅଛ ହେ ବାପୁ
ଥରେ ହେଲେ ଆସି ଦେଖିଯିବ…
ନିଶା ମୁକ୍ତ ହେଉ ରାଜ୍ୟ ମୋର
ମଦ ଦୋକାନ ତ ମାଳ ମାଳ
ସରକାରଙ୍କର ରାଜସ୍ଵ ବଢିବ
ଉଡ଼ିଯାଉ ପଛେ ଚୁଲି ଚାଳ
ତୁମ କଥା ସବୁ ବଦଳି ଗଲାଣି
ଦେଖି ଲାଗେ ଭାରି କଲବଲ…
ଅହିଂସାର ମନ୍ତ୍ର ଦେଇଥିଲ
ବିଦେଶୀ ମାନଙ୍କୁ ତଡି ଥିଲ
ହିଂସାର ତାଣ୍ଡବ ଛୁଟିଛି ରାଇଜେ
ଶୋଷଣ, କଷଣ ଭରପୁର
ଦିନ ଦ୍ଵିପହରେ ଚୋରି ରାହାଜାନୀ
ଆଇନି କୁ ମାରେ ଆଖିଠାର
ସରଗ ପୂରରୁ ଦେଖିବ କି ବାପୁ
କେମିତି ଚାଲିଛି ଏ ସଂସାର…
ନିଜ ହାତେ ସର୍ବେ ଚଉଦ ପାଆ
କାହାକଥା କିଏ ମାନିବ କିଆଁ
ସରକାର ଅଛି ଶାସନ ନାହିଁ
ଘର ଅଛି ସୁଖ ଶାନ୍ତି ତ ନାହିଁ
ସମ୍ପ୍ରଦାୟ ଭାବ ବଢ଼ି ଚାଲିଛି
ସ୍ନେହ ଶ୍ରଦ୍ଧା ପ୍ରେମ ହଜି ଯାଉଛି
ସ୍ୱାର୍ଥ ପାଇଁ ଏଠି ନିତି ହରିଲୁଟ
ତୁମ ରାମ ରାଜ୍ୟ ସ୍ଵପ୍ନ ହୋଇଛି
କେଉଁ ରାଇଜରେ ଅଛ ହେ ବାପୁ
ତୁମ କଥା ଭାରି ମନେ ପଡୁଛି… ॥
