Categories
Journal Poetry

ତିନି ମାଙ୍କଡ

Open Access Journal 768x74

Volume.1 – Issue.11 – November 2025
Author – Akulananda Prusty
Address – Mahalapada, Kakhadi, Cuttack
Contact – 9437864562

ଖରାପ ଦୃଶ୍ୟଟି ଆଖିରେ ପଡିଲେ
ମନ ରହିଯାଏ ଲାଖି
ଯେତେ ଦେଖୁଥିଲେ ସେତେ ଇଚ୍ଛା ହୁଏ
ଫେରାଇ ହୁଏନି ଆଖି ॥

ଖରାପ ଶବ୍ଦଟି କାନରେ ପଡିଲେ
ଟାଣି ହୋଇଯାଏ ମନ
ଯେତେ ଚେଷ୍ଟା କଲେ ପାସୋରି ହୁଏନି
ସତୀ ମତି ହୁଏ ଭ୍ରମ ॥

କୁ-ବଚନ ପଦେ ତୁଣ୍ଡରୁ ଖସିଲେ
ଜଳ ଉଠିଥାଏ ଜଳି
ବିନା ଆଘାତରେ ଲହୁ ଲୁହ ଝରେ
ମଣିଷ ପଡନ୍ତି ବଳି ॥

ଯାହା ଦେଖୁ ଶୁଣୁ ମନେ ମନେ ଗୁଣୁ
କରୁ ତାହା ଉଚ୍ଚାରଣ
ମନ୍ଦ ଦେଖି ଶୁଣି ମନ୍ଦର ପ୍ରଭାବେ
ମନ୍ଦ ହୁଏ ଆଚରଣ ॥

ଖରାପ ଦେଖନି ଖରାପ ଶୁଣନି
କୁହନି ଖରାପ କଥା
ଦର୍ଶନ ଶ୍ରବଣ ବାକ୍ୟ ଉଚ୍ଚାରଣ
ରଖ ସଦା ସଂଯମତା ॥

ସାଧୁ ହେବା ପାଇଁ ସାଧୁ ସଙ୍ଗ କର
ପିଅ ସାଧୁ ସୁଧା ରସ
ଆଉ ଯାହା ସବୁ ଅମୃତ ଭାବୁଛ
ସବୁ ମିଛ ସବୁ ବିଷ ॥

ଏହା ତ ଗାନ୍ଧୀ ଦର୍ଶନ
ତିନି ମାଙ୍କଡଙ୍କ ଛବି ବଖାଣୁଛି
ସାଧୁ ହୁଅ ସାବଧାନ ।

End Line Of Article 768x5
Share with friends: