Volume.1 – Issue.10 – October 2025
Author – Dr. Anupama Biswal
Address – Mudipada, Sambalpur
Contact – 7978568322
ମଫସଲ ଗାଁଟିଏ । ଗାଁରେ ବେଶୀ ଲୋକ ରହନ୍ତି ନାହିଁ । କାରଣ ପାଠ ପଢ଼ିବାର ସେମିତି ଭଲ ବ୍ୟବସ୍ଥା ନଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗାଁରେ, ତା ପରେ ନାଳ ଡେଇଁ ପାଖ ଗାଁ କୁ ଯିବାକୁ ପଡେ । ପିଲାଙ୍କ ପାଇଁ ବଡ଼ ଅସୁବିଧା । ବର୍ଷା ଦିନରେ ବେଶୀ ଅସୁବିଧା ହୁଏ । ସୁମି ସେ ଗାଁରେ ବାପା ମାଆଙ୍କ ସହିତ ରହେ । ଭାରି ଶାନ୍ତ ଓ ସରଳ ଝିଅଟିଏ । ଖାଲି ସେତିକି ନୁହେଁ, ପାଠ ମଧ୍ୟ ଭଲ ପଢେ । ଏଣୁ ସମସ୍ତେ ତାକୁ ଭଲ ପାଆନ୍ତି । ପାଖ ଗାଁରେ ସପ୍ତମ ଶ୍ରେଣୀରେ ପଢୁଥାଏ । ପ୍ରତିଦିନ ଠିକ୍ ସମୟରେ ବିଦ୍ୟାଳୟକୁ ପହଁଚିଯାଏ । ଆଗେ ଚାଲି ଚାଲି ଯାଉଥିଲା, ସାଇକେଲ ଚଳାଇ ପାରୁ ନଥିଲା ବୋଲି । ଏଣିକି ସାଇକେଲରେ ଯାଉଛି, ସେଥିପାଇଁ ଭାରି ଖୁସି । ତା’ର ସମୟ ବଂଚି ଯାଉଛି ।
ଦିନେ ଘଡଘଡି ସହ ବର୍ଷା ହେଉଥିଲା । ମା କହିଲେ, ଯଦି ବର୍ଷା ଛାଡିବ ନାହିଁ ଘରୁ ଯିବୁ ନାହିଁ । ସୁମି ହଁ କଲା । କିନ୍ତୁ ଠିକ୍ ସମୟରେ ବର୍ଷା ଛାଡ଼ିଗଲା ଓ ସୁମି ପଢିବାକୁ ଗଲା । କିଛି ବାଟ ଯିବାପରେ ଦେଖିଲା, ବୁଢ଼ାଲୋକ ଜଣେ ବାଟରେ ପଡି ଯାଇଛନ୍ତି ଆଉ କାଦୁଅ ସରସର ହୋଇଛନ୍ତି । ସୁମି ସଙ୍ଗେ ସଙ୍ଗେ ସେଇଠି ଅଟକି ତାଙ୍କ ପାଖକୁ ଯାଇ ହାତଟି ଧରି ଉଠାଇଲା । ପିଇବା ପାଣି ଯେତିକି ଧରିଥିଲା ସେଥିରେ ତାଙ୍କ ହାତ ଗୋଡ଼ ଧୋଇଦେଲା । ବୁଢା ଲୋକଟି ଏଭଳି ବ୍ୟବହାର ଦେଖି ଖୁସି ହୋଇଗଲେ । ତାକୁ ଆଶୀର୍ବାଦ କଲେ । ସୁମିର ଏପଟେ ଡେରି ହୋଇଗଲା । ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ପ୍ରାର୍ଥନା ସରି ଯାଇଥିଲା । ସବୁପିଲା ତାକୁ ଦେଖି ହସିଲେ । ଶ୍ରେଣୀ ଶିକ୍ଷକ ପାଖକୁ ଡାକି ବିଳମ୍ବର କାରଣ ପଚାରିଲେ । ସୁମି ମଧ୍ୟ ସବୁ ସତ କଥା କହିଦେଲା ।
ପରଦିନ ପ୍ରାର୍ଥନା ସଭାରେ ଠିକ୍ ସମୟରେ ସୁମି ଉପସ୍ଥିତ ଥିଲା । ପ୍ରାର୍ଥନା ସରିବା ପରେ ପ୍ରଧାନ ଶିକ୍ଷକ କହିଲେ, ପିଲାମାନେ ଆଜି ଆମେ ଏଠାରେ ଜଣକୁ ପୁରସ୍କାର ଦେବା । ସବୁପିଲା ମୁହଁ ଦେଖାଦେଖି ହେଲେ । କିଏ କାହିଁକି ପୁରସ୍କାର ପାଇବ ? ପୁଣି ପୁରସ୍କାର କିଏ ଦେଵ ? ଏହି ସମୟରେ ଜଣେ ଭଦ୍ର ବ୍ୟକ୍ତି ସେଠାରେ ଆସି ଠିଆହେଲେ । ହାତରେ ସୁନ୍ଦର ଉପହାରଟିଏ ଧରିଥିଲେ । ପ୍ରଧାନ ଶିକ୍ଷକ କହିଲେ, ପିଲାମାନେ ଆଜି ଯିଏ ପୁରସ୍କାର ପାଇବାକୁ ଯାଉଛି ସିଏ ହେଉଛି ସୁମି । ଗତକାଲି ଗୋଟିଏ ଭଲ କାମ କରିଥିବାରୁ ଏହି ପୁରସ୍କାର ତାକୁ ଦିଆଯାଉଛି । ମୋ ପାଖରେ ଥିବା ଏହି ଭଦ୍ର ଵ୍ୟକ୍ତି ସୁମିକୁ ପୁରସ୍କୃତ କରିବେ । ପିଲାମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, ସେ ତ ଗତକାଲି ଡେରିରେ ଆସିଥିଲା ! ଏଣୁ କେମିତି ପୁରସ୍କାର ପାଇବ ?
ଭଦ୍ରବ୍ୟକ୍ତି ସୁମି ଯାହା ତାଙ୍କ ପାଇଁ କରିଥିଲା ସବୁକଥା କହିଲେ । ପାଖକୁ ସୁମିକୁ ଡାକି ତା ମୁହଁରୁ ଆଉଥରେ ଗତକାଲିର ଘଟଣା କହିବା ପାଇଁ କହିଲେ । ସୁମି ସବୁକଥା କହିଲା ପରେ ପିଲାମାନେ ତାଳି ମାରିଲେ । ଏଥର ସମସ୍ତଙ୍କ ଉପସ୍ଥିତିରେ ଭଦ୍ରବ୍ୟକ୍ତି ସୁମିକୁ ଉପହାର ଦେଲେ ଓ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ସୁମିର ଭଲକାମ ପାଇଁ ମାନପତ୍ର ଦେଲେ । ସମସ୍ତେ ପୁଣି ଥରେ ତାଳି ଦେଇ ସୁମିକୁ ଆହୁରି ଖୁସି କରିଦେଲେ । ପିଲାମାନେ ସୁମିର ଆଉ ଗୋଟିଏ ଭଲ ଗୁଣ ଜାଣିବାକୁ ପାଇଲେ ।
