Volume.1 – Issue.11 – November 2025
Author – Prafulla Chandra Mishra
Address – Mangalajodi, Tangi, Khordha
Contact – 8249234143
ମଉଳିଲା କାଶତଣ୍ଡି ଝରିଗଲା ଶେଫାଳୀ
ହସୁଥିଲା ଆକାଶ ରେ ଜହ୍ନ ଦୀପଜାଳି
ହେମନ୍ତ ସକାଳେ ଗୁଳ୍ମ ଲତା ମଖା ଶିଶିର
ପ୍ରତି ବିନ୍ଦୁ ସୂର୍ଯ୍ୟ ରଶ୍ମୀ ଦୃଶ୍ୟ ରମ୍ୟ ରୁଚିର
ପ୍ରକୃତି ନାଇଛି ସତେକି ମୁକୁତାର ମାଳି
ମଉଳିଲା କାଶତଣ୍ତି…..
କୁଝ୍ଟିକା ରଟରଟ ବାଟ ଘାଟ ଅଦୃଶ୍ୟ
ଶ୍ୟାମାକାଳୀ ଆବାହନ ଦୀପାବଳୀ ପରଶ
ରାଈ ଦାମୋଦର ବୃନ୍ଦାବତୀ ମୂଳେ ବାଲୁଙ୍କା
ହେମନ୍ତ ସକାଳ ଲାଗେ ଏକି ନୂଆ ଇଲାକା
ଫୁଟିଲାଣି ଗେଣ୍ଡୁ ଫୁଲ ହସେ ମକମଲୀ
ମଉଳିଲା କାଶତଣ୍ତି…..
କେଦାରୁ କୃଷକ ପକ୍ଵ ନବଶସ୍ୟ ସଂଗ୍ରହ
ଲକ୍ଷ୍ମୀ ସାଆନ୍ତାଣୀ ତାରେ ହୋଇଛନ୍ତି ସଦୟ
ପହିଲି ଶୀତୁଆ ବାଆ ହିମବନ୍ତ ପରସେ
ମାଣ ଝୋଟି ଚିତ୍ର ଆଙ୍କେ କୁଳବଧୂ ହରସେ
ସ୍ଵାଗତ ହେମନ୍ତ କାଳେ ସିନ୍ଧୁରାଜ ଦୁଲଣୀ
ମଉଳିଲା କାଶତଣ୍ତି….
ଫୁଟେ ନୀଳୋତ୍ପଳ ଜଳେ ସରସୀ ରେ ବିହଙ୍ଗେ
ବିହାର କରନ୍ତି ହର୍ଷେ ଖେଳି ଜଳ ତରଙ୍ଗେ
ହେମନ୍ତ ରଜନୀ,ରତି ପ୍ରୀୟବତୀ ବନ୍ଧନେ
ଲୁଚେ ଶୀତ ପ୍ରୀୟା କୋଳେ ରତି ରସେ ଵିଜନେ
ରାତି କରେ ରସମୟ ସୁଲକ୍ଷଣୀ ରମଣୀ
ମଉଳିଲା କାଶତଣ୍ତି……
ବକାଳି ମାଳିକା ଶୋଭା ଆକାଶର ବୁକୁରେ
ଚଗଲା ସେ ପ୍ରଜାପତି ମହୁମାଛି ସାଥିରେ
ମଧୁର ଗୁଞ୍ଜନ ରଚି ମଧୁ ଶୋଷି ଫୁଲରୁ
ଚିତ୍ର ଡେଣା ଝାଡି ଉଡେ ଛବି ଆଙ୍କେ ଅଦୂରୁ
ଏମନ୍ତ ହେମନ୍ତ ଋତୁ ସାତ ରଙ୍ଗ ବର୍ଣ୍ଣାଳି
ମଉଳିଲା କାଶତଣ୍ତି….
ହେମନ୍ତ ସକାଳେ ସୂର୍ଯ୍ୟ ରଶ୍ମି ଲାଗେ ଅମୃତ
ଗାଆଁ ଦାଣ୍ଡେ କୋଳାହଳ ଶୁଭେ ରାସ ସଙ୍ଗୀତ
କହଇ ପ୍ରଫୁଲ୍ଲ ଗୀତେ ନବ ଶସ୍ୟ ସମ୍ଭାର
କୃଷକ ଖଳାରେ ତାହା କରୁଥାଏ ଅମଳ
ଶରତ ଶେଷେ ହେମନ୍ତ ଦିଏ ରଙ୍ଗ ବଦଳି
ମଉଳିଲା କାଶତଣ୍ତି…
