Volume.IX – Issue.XI – November 2025
Author – Saraswati Meher
Address – Sinapalli, Nuapad
ଗୋଟିଏ ନଗରରେ ଦୁଇ ଜଣ ଧନୀ ବୁଢ଼ାବୁଢ଼ୀ ରହୁଥିଲେ । ଧନ ସମ୍ପଦର ଅଭାବ ନଥିଲା, କିନ୍ତୁ ସନ୍ତାନ ସନ୍ତତି ନଥିଲେ ସେଥିପାଇଁ ଦମ୍ପତିଙ୍କ ମନ ଭରି ଦୁଃଖ ଥିଲା । ପୂଜା, ଦାନ, ଅତିଥି ସତ୍କାର କରି ଦିନ କାଟୁଥିଲେ । ସାଧୁ, ମହାତ୍ମାଙ୍କୁ ଦେଖିଲେ ଖୁସିରେ ଆତିଥ୍ୟ ଗ୍ରହଣ କରିବା ପାଇଁ ଅନୁରୋଧ କରୁଥିଲେ ।
ଏମିତି ଚାଲିଥାଏ କାର୍ତ୍ତିକ ମାସ ଆରମ୍ଭ ହେଲା । ଦୁଇ ଜଣ ଗଙ୍ଗାସ୍ନାନ କରିବା ପାଇଁ ମନ ସ୍ଥିର କଲେ । ସାତ କୋଶ ବାଟ ଅଛି ପୁଣି ପାଦରେ ଚାଲି ଚାଲି ଯିବାକୁ ପଡିବ । ଯାହା ବି ହଉ ସ୍ନାନ କରିବା.. ଏମିତି ଭାବି ସେ ଗଙ୍ଗା ସ୍ନାନ କରିବା ଆରମ୍ଭ କଲେ । ଗୋଟିଏ ଦିନ ସ୍ନାନରୁ ଫେରିବା ପରେ ବୁଢ଼ା ଟି ବିଶ୍ରାମ କଲା । ବୁଢ଼ୀ ଘର କାମ କରି ରୋଷେଇ କଲା । ସେ ମଧ୍ୟ ହାଲିଆ ହୋଇ ଯାଇଥିଲା ବାଟ ଚାଲିଚାଲି । କହିଲା ଆମର ଯଦି ଗୋଟିଏ ବୋହୂ ଥାଆନ୍ତା ସେ ସବୁ କାମ କରି ଦିଅନ୍ତା । ଗଙ୍ଗା ସ୍ନାନରୁ ଫେରି ଖାଇ ପିଇ ବିଶ୍ରାମ ନିଅନ୍ତି । ବୁଢ଼ା କହିଲା କଥା ତ ଠିକ୍ କହୁଛୁ । ମୁଁ ତୋ ପାଇଁ ବୋହୂ ନେଇ କି ଆସିବି । ତୁ କିଛି ଚାଉଳ ଆଉ ସୁନା ମୋହର ଦେଇ ପୁଟୁଳି ବାନ୍ଧି ଦେ । ବୁଢ଼ୀ ଖୁସିରେ ପୁଟୁଳି ବାନ୍ଧି ଧରେଇ ଦେଲା ।
ବୁଢ଼ା ଚାଲିଲା ବୋହୂ ଅନ୍ୱେଷଣରେ ଭାବିଲା ବୋହୂ କେମିତି ଆଣିବି ମୋର୍ ତୋ ପୁଅ ନାହାଁନ୍ତି । ସବୁ ସେ ପ୍ରଭୁଙ୍କ ଇଚ୍ଛା ବୋଲି ଚାଲିଥାଏ । କେତୋଟି ଗ୍ରାମ ପାରି ହେଲା ପରେ ଦେଖିଲା ଝିଅ ମାନେ ଖେଳୁଛନ୍ତି । ଗୋଟିଏ ଝିଅ କହିଲା, ମତେ ଆଉ ମୋ ଘର ଭଲ ଲାଗୁନି ମତେ ଗୋଟିଏ କୋଠାଘର ଦରକାର । ବୁଢ଼ା ଏ କଥା ଶୁଣି ଖୁସି ହୋଇଗଲା । ଇଏ ମୋ ବୋହୂ ହେବ ବୋଲି ସେ ଝିଅର ପଛେ ପଛେ ଗଲା । ଝିଅ କହିଲା ବାବା ତୁମ ମୋ ପଛେ ପଛେ କାହିଁକି ଆସୁଛ । ବୁଢ଼ା କହିଲା, ତୋ ମା କୁ ଯାଇ କହ ସେ ମତେ ଖାଇବାକୁ ଦେବେ କି ତୁମ ଘରେ । ଝିଅ ଯାଇ ମା କୁ କହିଲା । ମା କହିଲେ ହଉ ତୁ ସେ ବାବା ଅତିଥିଙ୍କୁ ଘରକୁ ନେଇଆ । ଝିଅଟି ଆସି କହିଲା ମୋ ମାଆ ତୁମ ଖାଇବା ବ୍ୟବସ୍ଥା କରିବେ । ଆମ ଘରକୁ ଯିବା । ବୁଢ଼ା କହିଲା କାର୍ତ୍ତିକ ମାସ ଚାଲିଛି ମୁଁ କାହାର ଦ୍ରବ୍ୟ ଖାଇବି ନାହିଁ । ମୋର ଏ ପୁଟୁଳି ନେଇ ସେଥିରୁ ଖିଚିଡି ବନେଇ ଦେବୁ । ଝିଅ ନେଇ କି ମାଆ କୁ ପୁଟୁଳି ଦେଲା । ମା ଖୋଲି ଦେଖିଲା ଚାଉଳ ଆଉ କିଛି ସୁନା ମୋହର ଅଛି । ଝିଅକୁ କହିଲା ଏ ବୁଢ଼ା ଲୋକଟି ଧନୀ ଅଟେ । ତୋ ଭାଗ୍ୟ ଖୋଲି ଗଲା ଲୋ ମା । ତା’ପରେ ଖାଇବା ସରିଲା ବୁଢ଼ା କହିଲା ତୁମ ଝିଅ କୁ ମୁଁ ବୋହୂ କରିବି ବୋଲି ଭାବୁଛି । ପରିବାରର ସମସ୍ତେ ସମ୍ମତି ଜଣାଇଲେ । ବୁଢ଼ା କହିଲା ମୋ ପୁଅ ବିଦେଶରେ ପାଠ ପଢୁଛି ଫେରିବାକୁ ବହୁତ୍ ବର୍ଷ ଲାଗିବ । ଆମର ବୟସ ହେଇ ଗଲାଣି, ଘର କାମ କରିବାକୁ ଆଉ ବଳ ନାହିଁ ତେଣୁ ତୁମେ ଯଦି ରୀତିନୀତିରେ ବିହାହ କରି ମତେ ମୋ ବୋହୂ କୁ ସାଥିରେ ଯିବାକୁ ଦେଲେ ଭଲ ହୁଅନ୍ତା । ଝିଅର ପରିବାର ରାଜି ହେଲେ ।
ବିବାହ ସରିଲା ପରେ ବୋହୂକୁ ନେଇ ବୁଢ଼ା ଘରକୁ ଫେରିଲା । ବୁଢ଼ୀ ବହୁତ୍ ଖୁସି ହୋଇଗଲା । ବୁଢ଼ୀ କହିଲା ମା ଲୋ ଆମେ କାଲି ଗଙ୍ଗା ସ୍ନାନ କରିବାକୁ ଯିବୁ ତୁ ଘର କାମ କରିବୁ । ବୋହୂ କହିଲା, ହଁ ମାଆ ତୁମେ ନିଶ୍ଚିନ୍ତରେ ଯାଅ । ସ୍ନାନ ପରେ ଘରକୁ ଫେରିଲେ ବୋହୂ ପାଦ ଛୁଇଁ ଆଶୀର୍ବାଦ ନେଲା । ଖାଇବାକୁ ଦେଲା ପାଦ ଘଷିଦେଲା । ବୁଢ଼ା ବୁଢ଼ୀ ବୋହୂ ଉପରେ ଭାରି ଖୁସି ।
ଏମିତି କିଛି ଦିନ ବିତିଗଲା । ଦିନେ ଗଙ୍ଗା ସ୍ନାନ କରିବାକୁ ବୁଢ଼ାବୁଢ଼ୀ ଯାଇଛନ୍ତି ଏହି ସମୟରେ ଜଣେ ପଡୋଶୀର ଯୁବତୀ ଜଣେ ବୁଢ଼ାର ବୋହୂକୁ ଦେଖିଲା, ପାଖକୁ ଆସି ପଚାରିଲା ତୁମେ କିଏ । ବୋହୂ କହିଲା, ମୁଁ ତାଙ୍କ ବୋହୂ । ପଡୋଶୀ କହିଲା ତାଙ୍କର ତ ପୁଅ ଝଅ ନାହିଁ ତତେ ବୋହୂ କଲେ କେମିତି । ବୋହୂକୁ ଭାରି କଷ୍ଟ ହେଲା । ଗଙ୍ଗା ସ୍ନାନରୁ ଫେରିଲେ, ପ୍ରଣାମ କଲା ନାହିଁ, ଅଲଣା ଡାଲି, ପୋଡ଼ା ରୁଟି ଖାଇବାକୁ ଦେଲା । ବୁଢ଼ା ବୁଢ଼ୀ ବୋହୂର କାର୍ଯ୍ୟକୁ ଦେଖି କଣ ହେଇଛି ବୋଲି ପଚାରିଲେ । ବୋହୂ କହିଲା, ତୁମେ ମୋ ସହିତ ଛଳନା କରିଛ, ମୋତେ ଧୋକା ଦେଇଛ, ତୁମର ପୁଅ ନାହିଁ । ବୁଢ଼ା କହିଲା ଅଛି ଲୋ, ସେ ପରା ପଢିବାକୁ ଯାଇଛି । ବୋହୂ ଟି ଚୁପ୍ ରହିଲା ।
ତା ପରଦିନ ପଡୋଶୀ ପୁଣି ଆସିଲା କହିଲା ବୁଢ଼ୀର ସାତଟି ଘର ଅଛି କେବେ ଖୋଲିନି । ତୁ ଚାବି ମାଗି କି ଦେଖିବୁ । ପରଦିନ ଗଙ୍ଗା ସ୍ନାନରୁ ଫେରିଲେ ପରେ ଖାଇବାକୁ ଦେଇ ଚାବି ମାଗିଲା ବୁଢ଼ୀ ଖୁସି ହୋଇ ଚାବି ଦେଇ କହିଲା, ଏବେ ତୁ ଏ ଘର ସମ୍ଭାଳିବୁ ଲୋ ମା । ବୁଢ଼ାବୁଢ଼ୀ ଗଙ୍ଗାସ୍ନାନକୁ ବାହାରିଲେ । ବୋହୂ ଯାଇ ଘର ଗୁଡ଼ିକୁ ଖୋଲିଲା ଦେଖିଲା ଧାନ, ଚାଉଳ, ମୁଗ, ବିରି ଭର୍ତ୍ତି ହେଇଛି, ଟଙ୍କା ପଇସା, ସୁନା, ରୂପା, ହୀରାରେ ଝଲସି ଉଠୁଛି ଘର । ବାକି ରହିଲା ସପ୍ତମ ଗୃହ, ତାଲା ଖୋଲି ଦେଖିଲା, ବାଉନ କୋଟି ଦେବା ଦେବୀଙ୍କ ଫଟୋ ଅଛି ଏବଂ ଗୋଟିଏ କିଶୋର ମାଳା ଧରି ଜପୁଛି । ପାଖକୁ ଯାଇ ପଚାରିଲା ତୁମେ କିଏ । ପୁଅଟି କହିଲା ମୋ ସ୍ତ୍ରୀ ହୋଇ ମତେ ପଚାରୁଛି । ଝିଅଟି ଭାରି ଖୁସି ହେଇ ଗଲା । ପଡୋଶୀ ମୋ ଘରେ କଳି ଲଗେଇବାକୁ ଆସିଥିଲା ବୋଲି ମନେ ମନେ ଭାବିଲା । ବୁଢ଼ାବୁଢ଼ୀ ଆସିଲେ ପୁଅ ପ୍ରଣାମ କଲା, ମୁଁ ଫେରି ଆସିଛି ମା ବାପା ବୋଲି କହିଲା । ବୁଢ଼ା ବୁଢ଼ୀ ଭାରି ଖୁସି, ଗାଁ ରେ ଚହଳ ପଡ଼ିଗଲା । ଲୋକେ କହିଲେ ବୁଢ଼ା ବୁଢ଼ୀର ତ ସନ୍ତାନ ନଥିଲେ ପୁଣି ଇଏ ଆସିଲା କୋଉଠୁ । ଏହା ଭାବି ସେମାନେ ପରୀକ୍ଷା କଲେ । ବୁଢ଼ାବୁଢ଼ୀ ସ୍ନାନରେ ଗଲା ପରେ ପୁଅକୁ ନଦୀ କୂଳକୁ ଡାକି ନେଲେ । ସମସ୍ତେ କହିଲେ ତୁ ଯଦି ବୁଢ଼ୀର ପୁଅ ହେଇଥିବୁ, ବୁଢ଼ୀ ର ସ୍ତନରୁ କ୍ଷୀର ଝରି ତୋ ପାଟିରେ ପଡ଼ିବ ସେଇୟା ହେଲା । ସମସ୍ତେ ସତ୍ୟ ବୋଲି ଭାବିଲେ, ଆଉ କିଏ କିଛି କହିଲେ ନାହିଁ । ବୁଢ଼ାବୁଢ଼ୀ ପୁଅ ବୋହୁଙ୍କ ସାଥିରେ ଖୁସିରେ ରହିଲେ ।
