Volume.1 – Issue.11 – November 2025
Author – Sujit Kumar Mishra
Address – Janardanpur Sasan, Keonjhar
Contact – 7683867742
ଅଭିମାନୀ ଓଠେ ତୁମେ ବାରମାସୀ
ଅସୀମ ପ୍ରଣୟୀ ହସ,
ଯାହାର ଛୁଆଁରେ ଯାତନା ମୋ ପାଇଁ
ଯାନିଯାତ୍ରା ମଧୁମାସ ।
ତୁମେ କଳଙ୍କିତ ତୁମ ଲୁହ ପାଇଁ
ମୋତେ ଆପଣେଇ ନେଇ,
ସୁନ୍ଦରୀ ପ୍ରେମିକା ବୋଲି ଏ ଜୀବନେ
ପାପ ତୁମ ପୁଣ୍ୟ ନଈ ।
ନିଦାଘରେ ତୁମେ ମଧୁର ମଳୟ
ନିଦରେ ମୋହିନୀ ସ୍ଵପ୍ନ,
ଏତେ ଭାବ ପାଇଁ ଅନ୍ତର ମୋହର
ତୁମ ପାଇଁ ତପୋମଗ୍ନ ।
ନୀରବତା ତୁମ ପ୍ରଣୟ ରାତିର
ନିରୁତା ଆଳାପ ଝର,
ନହେଲେ କାହିଁକି ସେ ପାଦଶବ୍ଦ ମୋ
ନୂପୁର ଛନ୍ଦର ସ୍ଵର ।
ବାନ୍ଧବୀ ହୁଅ କି ବଧୂ ନିରୁପମା
ଭାବ ତୁମ ମଧୁଝରା,
ତୁମେ ଯେବେ ତେଣୁ ଆଖପାଖେ ମୋର
ଭିଜୁଥାଏ ବର୍ଷସାରା ।
ତୁମେ ବଦଳିନ ଋତୁ ପରି କେବେ
ତୁମ ଭାବ ବାରମାସୀ,
ମୋ ଲୁହରେ ଯେଣୁ ତୁମେ ଭିଜ ନିତି
ଶ୍ରାବଣଠୁ ବେଶୀ ବେଶୀ ।
ଅଲିଭା ପ୍ରୀତିର ତୁମେ ତଟିନୀ ମୁଁ
ଅଶାନ୍ତ ସାଗର ସିନ୍ଧୁ,
ବୋଧେ ସେଥିପାଇଁ ପ୍ରତୀକ୍ଷାରେ ତୁମ
ଭାବ ମୋର ଲୁହ ବିନ୍ଦୁ ।
