Categories
Journal Poetry

ତୋ ମୁହଁର କଳାଜାଇ

Open Access Journal 768x74

Volume.IX – Issue.XI – November 2025
Author – Surya Panigrahi
Address – Maruti Nagar, Gobinda Tola, Sambalpur
Contact – 9178260248

ତୋ ମୁହଁର କଳାଜାଇ,
ରାତ୍ରିର ତାରା ପରି ଚମକେ,
ମୋ ହୃଦୟକୁ ଚୋରେଇ ନେଇ,
ମତେ ପାଗଳ କରିଦିଏ ।

ନୀଳ ଆକାଶରେ ଯେମିତି ଚନ୍ଦ୍ରରେ କଳଙ୍କ,
ତୋ ହସ ଭିତରେ ସେଇ କଳାଜାଇ,
ମୋତେ ଦେଇଛି ଅନନ୍ତ ପ୍ରେମର ସଂକଳ୍ପ ।

ତୋ ଓଠର ହସ, ଆଖିର ମାୟା,
ତୋର ଗାଲର ସେଇ କଳା ଚିହ୍ନ,
ପ୍ରତିଟି ଦର୍ଶନରେ
ମୋ ହୃଦୟକୁ କରିଦିଏ ବାଟବଣା,
କଣ ଯେ ରହସ୍ୟ ତା’ରି ଭିତରେ,
କେଉଁ ଜାଦୁଗର ସାଜିଛି ସେ ବିନ୍ଦୁ,
ତୋ ସୌନ୍ଦର୍ଯ୍ୟର ତରଙ୍ଗିନୀ,
ମୋ ସ୍ୱପ୍ନର ଏକମାତ୍ର ବନ୍ଧୁ ।

ପ୍ରେମର ନଈରେ ଭାସୁଛି ମୁଁ,
ତୋ କଳାଜାଇର ଆକର୍ଷଣରେ,
ସମୟ ଥମିଯାଏ ତାରି ବାଟରେ,
ଦୁନିଆଁ ବି ଭୁଲିଯାଏ ଗୋଟିଏ ଝଲକରେ,
ଯଦି ପାରୁଥାନ୍ତି ମୁଁ,
ସେଥିରେ ଲେଖି ଦିଅନ୍ତି ମୋ କାହାଣୀ,
ତୋ ମୁହଁର କଳାଜାଇ,
ମୋ ଜୀବନର ଅନନ୍ତ ଗାଥାନୀ ।

ଏଇ ପାଗଳାମିରେ ହଜିଯାଏ ମୁଁ,
ତୋର ଅତି ସମୀପରେ ରହି,
ସେଇ କଳାଜାଇର ଛାୟାରେ
ମୋ ପ୍ରେମ ସଦା ଜାଗ୍ରତ ହୁଏ,
ତୁ ମୋ ମନର ସୁନ୍ଦରୀ,
ସେଇ କଳା ଚିହ୍ନ ମୋର ଭାଗ୍ୟର ଚାବି କାଠି,
ପ୍ରତିଟି କ୍ଷଣରେ କୁହେ,
ତୁ ମୋର, ମୁଁ ତୋର ସାଥୀ ।

ତୋ ମୁହଁର କଳାଜାଇ,
ରାତ୍ରିର ତାରା ପରି ଚମକେ,
ମୋ ହୃଦୟକୁ ଚୋରେଇ ନେଇ,
ମତେ ପାଗଳ କରିଦିଏ,
ତୋ ମୁହଁର କଳାଜାଇ,
ତୋ ମୁହଁର ସେଇ କଳାଜାଇ ।

End Line Of Article 768x5
Share with friends: