Volume.1 – Issue.12 – Deceember 2025
Author – Sujit Kumar Mishra
Address – Janardanpur, Keonjhar
Contact – 7683867742
ଜହ୍ନ କିରଣରେ ଯେବେ ଦେଖେ ତୁମ
କାର୍ତ୍ତିକର ଅଭିସାର,
ମୋତେ ଲାଗେ ଜାଣ ଅମଳିନ ଆମ
ମୋହର ବରଷା ଧାର ।
ମୋହର ମଧୁର ପରଶେ ସାଜିଛେ
ଆମେ ତ କାର୍ତ୍ତିକ ମାସ,
ନହେଲେ ଥିଲେ ତ ନିଜଠୁ ଦୂରେଇ
ନିର୍ଜନରେ ନିଆଁଧାସ ।
ତୁମ ଛାତି ତଳ କୋହର କାର୍ତ୍ତିକ
ଛୁଇଁଛି ତମସା ଚିରି,
ମୁଁ ତେଣୁ ଆଲୋକ ପଥର ପଥିକ
ତୁମେ ରାଗ ଆଶାବରୀ ।
ଜଳାଇଛେ ଆମେ ପ୍ରେମ ମାଟି ଦୀପ
ନାଶି ଘନ ଅନ୍ଧକାର,
ବୋଧେ ସେଥିପାଇଁ ଏ କାର୍ତ୍ତିକ ଆମ
ବେଶ ବେଶୀ ଆପଣାର ।
କାର୍ତ୍ତିକ ପାଇଁ ତ କାହାଣୀ ଆମର
ଅନାହତ ଅନୁରାଗ,
ବିରହ ତାତିରେ ତୁମେ ତେଣୁ ବର୍ଷା
ମୁଁ ବିଦଗ୍ଧ ସାତରଙ୍ଗ ।
ଏଇ କାର୍ତ୍ତିକରେ ମନ୍ଦିର ମୁଁ ଯାଇ
ମାଗିଲି ତୁମରି ହାତ,
ଦୀପର ଦରଦୀପଣରୁ ଜାଣିଲି
ତୁମ ତପ କେତେ ସତ ।
ସ୍ମୃତିର ମୁଠାଏ ପବିତ୍ର ଧୂଳି ଏ
କାର୍ତ୍ତିକର ଉପହାର,
ବାରମାସୀ ଏଠି ଆକାଶରେ ତେଣୁ
ତୁମେ ପ୍ରଣୟର ସ୍ଵର ।
