Volume.1 – Issue.12 – Deceember 2025
Author – Prafulla Chandra Mishra
Address – Mangalajodi, Khordha
Contact – 8249234143
ସୋରିଷ କ୍ଷେତରେ ସୁବର୍ଣ୍ଣ ଛାଉଣୀ
ପାଚିଲା କଣ୍ଟେଇ କୋଳି,
ଦିଶଇ କେଦାର ଆହାକି ସୁନ୍ଦର
ଧାନକେଣ୍ଡା ଖେଳେ ଦୋଳି,
ଜହ୍ନିଫୁଲ ଜହ୍ନ ରାତି,
ଲକ୍ଷ୍ମୀ ସାଆଁନ୍ତାଣୀ ଆସିବେ ଘରକୁ
ବୋହୁ ଆଙ୍କୁଅଛି ଝୋଟି ।।
ଆଖୁ କିଆରୀରେ ବସିଲାଣି ଶାଳ
ଘଣା କେଏଁ କଟକଟ,
ଗୋମୟ ଲିପୁଛି ନୂଆ କନିଆଁ ଲୋ
ଖସିଯାଉଛି ପଣତ,
ବହୁଛି ଉତ୍ତରା ବାଆ,
ତିଳେ ହେଁ ଖାତର ନାହିଁ ତ ତାହାର
ଆସିବେ ଘରକୁ ମାଆ ।।
କୃଷକ ମୁହଁରେ ହସର ଲହରୀ
ଫୁଟେ ଗେଣ୍ଡୁ ମକମଲି,
ବଧୂଲି ଓଠରେ ହସେ ଖଳାବାରି
ବକମାଳେ ନଈବାଲି,
କାଚକେନ୍ଦୁ “ଜଳ ରାଶି,
ଦେହ” ଦର୍ପଣରେ ନିଜ ଚିତ୍ର ଦେଖି
ମନେ ମନେ ହୁଏ ଖୁସି ।।
ଶୁକଳ ଧାନର ମେଣ୍ଟା ଗଢି ଦେଇ
ଧୋଇଲାଣି ଲକ୍ଷ୍ମୀ ପେଡି,
ଝିନପାଟ ଶାଢୀ ସାତ ସାଇତା ଲୋ
ପେଟରାରୁ ଆଣେ କାଢି,
ନୂଆ ଚାଉଳର କ୍ଷିରୀ,
ପିଠାରେ ପୁଜିବ ମାଆ ସାଆଁନ୍ତାଣୀ
ହୃଦୟ ଯାଉଛି ପୁରି ।।
ଭସା ବାଦଲର ଫରଚା ଦେହରେ
ଉକୁଟେ ବିବିଧ ଚିତ୍ର,
ମାଣବସା ଗୀତ ହୁଳହୁଳି ଶଦ୍ଦେ
ପରିବେଶ ମୁଖରିତ,
ସିନ୍ଧୁ ସୁତା ସାଆଁନ୍ତାଣୀ,
ମୋ ଘରର ରତ୍ନ ଖଟୁଲି ଆସନେ
ବସ ବିଷ୍ଣୁ ପାଟରାଣୀ ।।
ତବ ସ୍ଵାଗତିକା ସମ୍ଭାଷଣେ ଦେବୀ
ନୂଆ ପିଠୋଉର ଝୋଟି,
ଘର କାନ୍ଥବାଡେ ଚଟାଣ ଉପରେ
ପାଦ ପଦ୍ମ ଚିତ୍ର ଆଙ୍କି,
ପ୍ରତୀକ୍ଷାରେ ସୀମନ୍ତିନୀ,
କୁଳ ଭୁଆସୁଣୀ ଉତ୍କଣ୍ଠେ ଡାକଇ
କରତାରେ ସୌଭାଗିନୀ ।।
ଶ୍ରୀୟା ଚଣ୍ଡାଳୁଣୀ ଭାବ ନେଇ ତୋ’ରେ
କରୁଅଛି ଆବାହନ,
ବୈକୁଣ୍ଠ ଭୂବନ ତେଜି ହରିପ୍ରିୟା
କର ଧରାବତରଣ,
ହେମନ୍ତର ମଗୁଶିର,
ଭରଷା କରିଣ ଅଧମ ପ୍ରଫୁଲ୍ଲ
ସ୍ମରେ ତୋ ପଦ୍ମ ପୟର ।।
