Categories
Journal Story

ଲୋଭୀ କେଉଟ

Open Access Journal 768x74

Volume.IX – Issue.XI – November 2025
Author – Abhay Kunda
Asst. Teacher, Panchayat Govt. High School
Address – Padiabhanga, Talcher, Anugul
Contact – 9556989723

ବଣ ପାହାଡ ଘେରା ଗାଁ’ ଟିଏ । ଗାଁ’ରେ ବାସ କରୁଥିଲେ ଅନେକ କେଉଟ ପରିବାର । ସେହି ଗାଁ’ ଟି ନଦୀ କୂଳରେ ଥିଲା । ଗାଁ’ର କେଉଟମାନେ ପ୍ରତିଦିନ ନଦୀରୁ ମାଛ ଧରି ପାଖ ବଜାରରେ ବିକି ନିଜ ପରିବାର ଚଳାଉଥିଲେ । ସେମାନଙ୍କ ଭିତରେ ଥିଲା ଘନ ଅଜା । ଭାରି ଲୋଭୀ । ପ୍ରତିଦିନ ନଦୀରୁ ମାଛ ଧରେ ଓ ପାଖ ଛକରେ ବିକି ଘରର ଗୁଜୁରାଣ ମେଣ୍ଟାଏ । କେଉଁଦିନ ମେଞ୍ଚେ ରୋଜଗାର କରେ ତ ଆଉ କେଉଁଦିନ କେଞ୍ଚେ କରେ । କିନ୍ତୁ ସେ ସବୁବେଳେ ତା’ର ପଡୋଶୀମାନଙ୍କ ରୋଜଗାରରେ ନଜର ରଖେ । କିଏ ଯଦି ତା’ ଠାରୁ ଅଧିକ ରୋଜଗାର କରେ ତେବେ ସେ ସେଦିନ କିଛି ନ ଖାଇ ନ ପିଇ ଉପବାସ ରହେ । କିଏ ଯଦି ଖୁସିରେ ରହେ ତେବେ ତାକୁ ସେ ସେହି ପାରେନାହିଁ । ବୟସ ସିନା ଷାଠିଏ ଡେଇଁଲାଣି କିନ୍ତୁ ଲୋଭ ଜମା ବି କମିନାହିଁ ।

ଦିନେ ଘନ ଅଜା ସକାଳୁ ସକାଳୁ ମାଛ ଧରିବା ପାଇଁ ନଦୀକୁ ବାହାରିଗଲା । ସେଦିନ ପ୍ରବଳ ବର୍ଷା ହେବାରୁ ମାଛ ମାନେ ତାଙ୍କ ଘର ଭିତରୁ ବାହାରକୁ ବାହାରିଲେ ନାହିଁ । ଘନ ବ୍ୟସ୍ତ ବିବ୍ରତ ହୋଇ ତା’ର ଜାଲଟିକୁ ନଦୀକୁ ଫିଙ୍ଗିଲା ମାତ୍ରେ ଜାଲରେ ଗୋଟିଏ ବଡ ସୁନା ମାଛ ପଡ଼ିଲା । ମାଛଟିକୁ ବାହାରକୁ ଆଣି ତା’କୁ ଧରିବା ମାତ୍ରେ ମାଛଟି ଚିତ୍କାର କରି କହିଲା – ହେ କେଉଟ ଭାଇ ମତେ ଛାଡ଼ିଦେ । ମୋ ଜୀବନ ଦାନ ଦେଲେ ମୁଁ ତୋର ମନସ୍କାମନା ପୂରଣ କରିବି । ଘନ ଅଜା ଚିନ୍ତାକରି କହିଲା, ମୁଁ ତତେ ନେଇ ବଜାରରେ ବିକିଲେ ମତେ କିଛି ଅର୍ଥ ମିଳିବ ମୁଁ ଧନୀ ହେଇଯିବି ମାତ୍ର ତତେ ଛାଡ଼ିଦେଲେ ମତେ କଣ ମିଳିବ ଆଉ ମୁଁ ଯେଉଁ ଗରିବକୁ ସେହି ଗରିବ ହେଇ ରହିଯିବି । ସେହି ସୁନା ମାଛଟି କହିଲା, ହେ କେଉଟ ଭାଇ ମତେ ଛାଡ଼ିଦେ । ତୁ ମତେ ଯାହା ମାଗିବୁ ତତେ ସବୁ ଦେବି ମାତ୍ର ତୁ ମୋର ଜୀବନ ରକ୍ଷାକର ।

କେଉଟଟି ମାଛର ପ୍ରସ୍ତାବରେ ରାଜି ହେଲା । ପ୍ରଥମେ କେଉଟ ଭାଇ ଘର ଦ୍ଵାର ସୁନା ରୂପା ହୀରା ଲୀଳା ସବୁ କିଛି ନିଜ ପାଇଁ ମାଗିଦେଲା । ମାଛଟି ତା’ର ଶକ୍ତି ବଳରେ ସବୁ କିଛି କେଉଟକୁ ପ୍ରଦାନ କଲା । ମାତ୍ର ସର୍ତ୍ତ ଅନୁସାରେ କେଉଟଟି ମାଛକୁ ନ ଛାଡ଼ି ତାକୁ ବନ୍ଦୀ କରି ତା’ର ଘରେ ରଖିଲା ।

ଅଭାବର ସୀମା ନାହିଁ । ଲୋଭ ଏକ ବୈତରଣୀ ନଦୀ । ବଢିବା ତା’ର ଧର୍ମ । କେଉଟର ଯେତେବେଳେ ଯାହା ଇଚ୍ଛା ମାଗି ଚାଲିଲା । ମାଛ ଉପାୟ ଶୂନ୍ୟ ହୋଇ ଇଚ୍ଛା ପୂରଣ କରେ । ଶେଷରେ ମାଛ ଅତିଷ୍ଠ ହୋଇଗଲା ଓ ଲୋଭୀ କେଉଟକୁ ଉଚିତ୍ ଦଣ୍ଡ ଦେବାକୁ ସ୍ଥିର କଲା । ନଦୀ ମଝିରେ ଏକ ଟାପୁ ଥିଲା । ଲୋକେ ତାକୁ ସୁନା କୁଦ ବୋଲି କୁହନ୍ତି । ଅତୀତରେ ଲୋକେ ଟାପୁ ନିକଟ ନଦୀ ବାଲିରୁ ସୁନା ପାଉଥିଲେ । ସୁନା ମାଛ କେଉଟକୁ ସୁନା ଲୋଭରେ ବୁଡ଼େଇ ମାରିବା ଉପାୟ ପାଞ୍ଚିଲା ।

ସେଦିନ ଲୋଭୀ କେଉଟ ସୁନା ମାଛ ପାଖକୁ ଆସି କହିଲା ମୁଁ ଆଉ ଅଳ୍ପ ଅଳ୍ପ ଧନ ମାଗିବାକୁ ଚାହୁଁନି । ସୁନା ମାଛ କହିଲା, ତା ହେଲେ ଏକା ଥରକେ ଯାହା ମାଗିବାର ଅଛି ମାଗ୍ । କେଉଟ ବୁଢ଼ା କହିଲା, ତୋ ଭଳି ଆଉ ଗୋଟିଏ ସୁନା ମାଛ ମୋର ଦରକାର । ତୋ ସାଙ୍ଗସାଥୀଙ୍କୁ ଡାକ୍ । ମୁଁ ତାଙ୍କୁ ରଖିବି ଆଉ ତତେ ଛାଡ଼ିଦେବି । ମାଛ କେଉଟ ବୁଢାକୁ ସେହି ଟାପୁ ବିଷୟରେ ଜଣାଇଲା ଓ କହିଲା, ମତେ ସେ ଟାପୁ ପାଖକୁ ନେ । ମୁଁ ସେଠାରେ ଗୋଟିଏ ସ୍ଥାନ ଦେଖାଇ ଦେବି ତୁ ଆଉ ଗୋଟିଏ ସୁନା ମାଛ ଧରି ଆଣିବୁ । ସିଏ ମୋ ଠାରୁ ଅଧିକ ଦାନ ଦେବ ।

ଏହା ଶୁଣି ବୁଢ଼ା କେଉଟ ମାଛକୁ ନେଇ ସେଠାକୁ ଗଲା । ମାଛ ଏକ ପଥର ଗର୍ତ୍ତ ଦେଖାଇ କହିଲା ଏହା ଭିତରେ ଆମ ଘର । ତୁମେ ପାଣିରେ ବୁଡି ହାତ ପୁରାଇ ସେହି ମାଛକୁ ଧରି ଆଣ । ବୁଢ଼ା ଲୋଭରେ ଅନ୍ଧ ହୋଇ ପାଣିରେ ବୁଡି ଗାତରେ ହାତ ଗଳାଇ ଏକ ମାଛ ପରି ଜୀବକୁ ଧରି ଟାଣିଲା ମାତ୍ର ମାଛକୁ ଧରିଥିବାରୁ ସେ ଗର୍ତ୍ତରୁ ହାତ ବାହାରିଲା ନାହିଁ । ପାଣି ଭିତରେ ଶ୍ୱାସରୁଦ୍ଧ ହୋଇ କିଛି ସମୟ ମଧ୍ୟରେ ବୁଢା କେଉଟ ମୃତ୍ୟୁ ବରଣ କଲା । କଥାରେ ଅଛି ଅତି ଲୋଭରୁ ମୃତ୍ୟୁ ।

End Line Of Article 768x5
Share with friends: