Categories
Journal Poetry

ଝରାପତ୍ର ମୁଁ

Open Access Journal 768x74

Volume.1 – Issue.11 – November 2025
Author – Swarnalata Pati
Address – Washington, USA

କିଶଳୟ ସାଜି ଧରାକୁ ଆସିଲି
ପଲ୍ଲବିଲା ତରୁ ଅଙ୍ଗ,
ଡାଳେ ଥାଇ ଦେଖେ ରବି ଶଶୀ ତାରା
ଜଳଦକୁ କଲି ସଙ୍ଗ ॥
ସପନ ଭରିଲା ଆଖିରେ ମୋହର
ଫଳପୁଷ୍ପର ସୁବାସ,
ନାନା ବିହଙ୍ଗମ କଲେ ଯେ କୂଜନ
କୋଳରେ ରଚିଲେ ବାସ ॥
ବହିଛି ସୁଦୟା ପଥିକକୁ ଛାୟା
ମୂଳେ ପ୍ରାଣୀଙ୍କ ଶୟନ,
ଗୁଣ୍ଡୁଚି ମର୍କଟ ବିହଙ୍ଗମ କୀଟ
କ୍ରୀଡାରେ ଉଲ୍ଲୂସେ ମନ ॥
ପ୍ରଶ୍ୱାସ ବାଣ୍ଟିଛି ଜୀବଙ୍କ ଜୀବନେ
ବୃକ୍ଷର ମୁଁ ରୋଷଶାଳା,
ପୂଜା ପାର୍ବଣରେ ଦେବତା ମଥାରେ
ପାକଶାଳାରେ ମୁଁ ଲୋଡ଼ା ॥
ନାନାରଙ୍ଗେ ନାନା ଆକାରରେ ସାଜେ
ମୋ ଦେହେ ନାନା ସୁବାସ,
ମୋ ପାଇଁକି ଧରା ସବୁଜ ସୁନ୍ଦର
ଦୁଃଖୀ ଜନେ ଦିଏ ବାସ ॥
ଜଳେ ସ୍ଥଳେ ମରୁ ପର୍ବତ ବୁକୁରେ
ନାନା ଭାବେ ମୁହିଁ ବଞ୍ଚେ,
ହଳାହଳ ପିଇ ପ୍ରଶ୍ୱାସ ଯୋଗାଏ
ଅମୃତ ଅନିଳ ସିଞ୍ଚେ ॥
ହାତ ଠାରି ଡାକେ ଘନ ଜଳଦକୁ
ବରଷି ଯାଏ ସେ ବାରି,
ଜୀବଜଗତର ସେବାରେ ଜୀବନ
ଦେବାରେ ଯାଏ ମୁଁ ଝରି ॥
ଔଷଧୀ ସାଜିଛି ଜୀବନୁ ହରିଛି
କେତେ ରୋଗ ଦୁଃଖ ଭୟ,
ଆହାର ହୋଇଛି ଜନପ୍ରାଣୀଙ୍କର
ସର୍ବ ମନ କରି ଜୟ ॥
ବାର୍ଦ୍ଧକ୍ୟ ଆସିଲେ ସନ୍ତାନ ପାଇଁକି
ମଣିଷ ହୁଏ ଅଲୋଡ଼ା,
କାର୍ଯ୍ୟ ସରିଗଲେ ବୃକ୍ଷଟି ସେପରି
ଦିଏଟି ପତର ଝଡା ॥
ଯେବେ ମୁଁ ଝରିବି ପାଉଁଶ ସାଜିବି
ହୋଇବି ସାର ଇନ୍ଧନ,
ଜୀବଜଗତର ସେବା ପାଇଁ ପୁଣି
ହେବ ମୋର ପୁନର୍ଜନ୍ମ,
ପୁଣି ନେବି ନବଜନ୍ମ ॥

End Line Of Article 768x5
Share with friends: