Categories
Journal Poetry

ଲକ୍ଷ୍ମୀ ଉପାସନା

Volume.1 – Issue.1 – January 2025
Author – Prafulla Chandra Mishra
Address – Mangalajodi, Tangi, Khurda
Contact – 8249234143

ମାର୍ଗଶିର ପରଶରେ ଧାତ୍ରୀ ସୌଭାଗିନୀ
ଦୃଶ୍ୟମାନ କିବା ସ୍ଵଂୟ ବିଷ୍ଣୁ ପାଟରାଣୀ ଯେ;,
ଶସ୍ୟ ଶ୍ୟାମଳା ଶାଳିରେ ସୁବର୍ଣ୍ଣ ଛାଉଣି
ବିଜୟ କରିଛନ୍ତି କି ମାତା ମହାଲକ୍ଷ୍ମୀ, ମାର୍ଗଶିର ପରଶରେ… ।।

ବାରି ବଗିଚା ସୁନ୍ଦର କେଶବ ପ୍ରସୂନ
ସୁବର୍ଣ୍ଣ ବର୍ଣ୍ଣ ମଧୁର ସୌରଭ ରଞ୍ଜନ ଯେ;
ସେ କେଶେବ ଗଜରାରେ ଲକ୍ଷ୍ମୀ ଠାକୁରାଣୀ
ବିଜୟ କରିବେ ମାର୍ଗଶିର ଆସିଲାଣି, ମାର୍ଗଶିର ପରଶରେ …।।

କଣ୍ଟେଇ କୋଳି ବୁଦାରେ କଳାକଳା କୋଳି
ଶିଶିର ବିନ୍ଦୁ ସ୍ପର୍ଶରେ ମୁକୁତା ର ମାଳି ଯେ;
ସମାନ ସେ ଚିତ୍ର ଶିଳ୍ପୀ ପ୍ରକୃତି ମୋହିନୀ
ରୂପରେ ସଜାଇ ଦିଏ ଯେହ୍ନେ ସୌଦାମିନୀ, ମାର୍ଗଶିର ପରଶରେ …।।

ପବିତ୍ର ମନରେ କୁଳବଧୂ ସୋହାଗିନୀ
ଘରଦ୍ଵାର ସଜାଇଛି ଚିତ୍ର ରେଖା ଟାଣି ଯେ;
ପାଦ ପଦ୍ମ ଝୋଟି ଶୁଭ୍ର ଚିତ୍ରିତ ଛାଉଣୀ
ଆସିବେ ତ ମାର୍ଗଶିରେ ମାଆ ଠାକୁରାଣୀ, ମାର୍ଗଶିର ପରଶରେ …।।

ଶୁଭ ଶଂଖ ହୁଳହୁଳି ଶବଦେ ପ୍ରଭାତ
ପୁର ପଲ୍ଲୀ କୋଳାହଳ ମଧୁର ସଂଗୀତ ଯେ;
ଲକ୍ଷ୍ମୀ ପୁରାଣ ସୁନ୍ଦର ଲଳିତ ରାଗିଣୀ
ମାର୍ଗଶିର ପରିବେଶ ପବିତ୍ର ହେଲାଣି, ମାର୍ଗଶିର ପରଶରେ…।।

ଧାନ କଳେଇ ଶଗଡ ମାଳେ ପଲ୍ଲୀ ପଥ
ସଞ୍ଜେ ଫେରଇ ଘରକୁ କେଁ କଟ ଶବଦ ଯେ;
ଶୀତ ର କାଲୁଆ ବାଆ ଦେହ ଥରିଲାଣି
ଶୂନ୍ୟରୁ କାକର ଟିପି ଟିପି ଖସିଲାଣି, ମାର୍ଗଶିର ପରଶରେ …।।

ଦାସ କେରଣ୍ଡା ଫୁଲ ର ଗେରୁଆ ରଙ୍ଗରେ
କାକର ବିନ୍ଦୁ ମୁକୁତା ଭ୍ରମ ସୃଷ୍ଟି କରେ ଯେ;
ଆସୁଛନ୍ତି ବୈକୁଣ୍ଠରୁ ସ୍ଵୟଂ ଠାକୁରାଣୀ
ମାଗି ଘେନ ଆଶୀର୍ବାଦ ହେବ ସୌଭାଗିନୀ, ମାର୍ଗଶିର ପରଶରେ…।।

ବଳରାମ ଦାସ ଲକ୍ଷ୍ମୀ ପୁରାଣେ ବର୍ଣ୍ଣିଲେ
ଆଦୃତ ହୋଇଛି ଯାହା ପ୍ରତି ଘରେଘରେ ଯେ;
ମାର୍ଗଶିର ଗୁରୁବାର ବାଇ ଠାକୁରାଣୀ
ଜଗନ୍ନାଥ ଦୁଇଭାଇ ଦୁସ୍ତର କାହାଣୀ, ମାର୍ଗଶିର ପରଶରେ …।।

ମନୁ ପରାଶର କଥା ଯୁଗ ସତ୍ୟମୁଗ
ଏହି ଯେ ରହସ୍ୟ ମନ୍ଵୋନ୍ତର ଶେଷ ଭାଗ ଯେ;
କରିଥିଲା ଆରାଧନା ଶ୍ରୀୟା ଚଣ୍ଡାଳୁଣୀ
ତା ଘରେ ପ୍ରବେଶି ଥିଲେ ବ୍ରହ୍ମାଣ୍ଡ ର ରାଣୀ, ମାର୍ଗଶିର ପରଶରେ…।।

ଅସ୍ପୃଶ୍ୟ ହୋଇଲେ ଦେବୀ ମନ୍ଦିରକୁ ମନା
ଚଣ୍ଡାଳର ଘରେ ପଶୁଛ ବରୁଣ ଙ୍କ ଜେମା ଯେ;
ବଡ ଭାଇଙ୍କ ଆଦେଶ ଯାଅ ଠାକୁରାଣୀ
ତୁମ ଠାରେ ଆଉ ଆମ କିଛି କାର୍ଯ୍ୟ ନାହିଁ, ମାର୍ଗଶିର ପରଶରେ …।।

ତହୁଁ ବିପତ୍ତି ଭୋଗିଲେ ବ୍ରହ୍ମାଣ୍ଡର ନାଥ
ଲକ୍ଷ୍ମୀ ଛଡା ହୋଇ ବୁଲି ମାଗିଥିଲେ ଭିକ ଯେ;
ନମିଳିଲା ବାଟଘାଟ ଶେଷକୁ ଘରଣୀ
ପାଖରେ ଶରଣାପନ୍ନ ଅମୀୟ କାହାଣୀ, ମାର୍ଗଶିର ପରଶରେ …।।

ପ୍ରସନ୍ନ ହୋଇଲେ ଧନ ଜନ ଗୋପ ଲକ୍ଷ୍ମୀ
ଭୋଗକରେ ବୋଲି ଲେଖି ଦେଇ ଯାଇଛନ୍ତି ଯେ;
ସେହି ବିଶ୍ଵାସରେ ସତ୍ୟ ଧର୍ମ ପଥ “ମାନି
ଜନେ” ଭୋଗ କରିହ୍ଵନ୍ତି ଗୁଣୀ,ଜ୍ଞାନୀ,ଧନୀ, ମାର୍ଗଶିର ପରଶରେ …।।

ମାସ ମଧ୍ୟେ ମାର୍ଗଶିର ନିଜେ ବାସୁଦେବ
କ୍ଷୀରାବ୍ଧି ତନୟା ରମା ହୃଦୟ ବାନ୍ଧବ ଯେ;
ଆଚଣ୍ଡାଳ ବ୍ରାହ୍ମଣ ପ୍ରବେଶ (ପାଇଁ) ଠାକୁରାଣୀ
ଭେଦ ଭାବ ନରହୁ ହେ ବ୍ରହ୍ମାଣ୍ଡ ଗୋସାଇଁ, ମାର୍ଗଶିର ପରଶରେ…।।

ଏହି ବାର୍ତ୍ତା ବାଣ୍ଟଇ ହେମନ୍ତେ ମାର୍ଗଶିରେ
ମହାଲକ୍ଷ୍ମୀ ଆରାଧନା କେଶବ ଫୁଲରେ ଯେ;
ଐଶ୍ଵରୀୟ ଉପାସନା ଅପୂର୍ବ କାହାଣୀ
ପ୍ରଫୁଲ୍ଲ ଆକୂତି ଘେନ ଶ୍ରୀମନ୍ଦିର ରାଣୀ, ମାର୍ଗଶିର ପରଶରେ…।।

Share with friends: