Categories
Journal Poetry

ପାଞ୍ଚଟି ଏକପଦୀ – ପ୍ରଥମ ଭାଗ

Volume.1 – Issue.1 – January 2025
Author – Ramesh Mangaraj
Address – Mahula, Angarapada, Khordha, Odisha
Contact – 8114609280

ଅନାବାଦୀ ମନ ମୋର ଅନ୍ଧକାର ଛାତି
ଅଜଗର ଗଣ୍ଡି ମୋର ହୁଅଇ କରତି ।
ଅବଶିଷ୍ଟ ଆୟୁଷରେ ଏବେତ ବଞ୍ଚିଛି
ଅପହଞ୍ଚ ମନ ମୋର ତୋ’ ପାଇଁ ଝୁରୁଛି ॥

ଅବଧୂତ ମନ ପଢେ ଗୀତା ଭାଗବତ
ଅବଚେତନ ମୋ ଚିତ୍ତ ରାଧାକୃଷ୍ନେ ରତ ।
ଅଜସ୍ର କାମନା ଏବେ ଏକାକାର ହୋଇ
ଅବନା ଅକ୍ଷର ଭଜେ ଅଣାକାର ପାଇଁ ॥

ଅୟସ କରିବା ପାଇଁ ବୟସ ବା କାହିଁ
ଅର୍ଦ୍ଦାଧ୍ୟ ମନଟା ମୋର ବୋଲ ମାନୁନାହିଁ ।
ଅବଶିଷ୍ଟ କେଇ ଘଣ୍ଟା ଏଇତ ଜୀବନ
ଅଠାକାଠି କାଣ୍ଡିଆ ଏ ସଂସାର ବନ୍ଧନ ॥

ଅବାଟରେ ଘୁରି ବୁଲେ ଅବାଡୁଆ ମନ
ଅମୃତ ପାଇବା ପାଇଁ ହୁଏ ଛନ୍ନ ଛନ୍ନ ।
ଅନ୍ତରରେ ଅଭିଳାଷ ଅଙ୍ଗେ ଅଙ୍ଗେ ପୀଡା
ଅଜବ ଭାବନା ନେଇ କରଇ ଆଖଡା ॥

ଅଠର ବୟସୀ ମନ ଚୁଲୁ ବୁଲୁ ହୁଏ
ଅଷ୍ଟାଦଶ ପୁରାଣରେ ଚିତ୍ତ ତା’ ନଥାଏ ।
ଅଷ୍ଟାଙ୍ଗ ଯୋଗ ସାଧନା କାହୁଁ ବା କରିବ
ଅଠରନଳାରେ ଦିନେ ନିଜେ ହଜିଯିବ ॥

Share with friends: