Categories
Journal Poetry

ଆସ ବାମଦେବ ବାମା

Open Access Journal 768x74

Volume.1 – Issue.10 – October 2025
Author – Prafulla Chandra Mishra
Address – Mangalajodi, Khordha, Odisha
Contact – 8249234143

ଶରତ ମରତ ଭୁଇଁରେ ଆଗତ ସ୍ଵାଗତ ମଙ୍ଗଳ ସଙ୍ଗୀତ
ପାର୍ବଣ ଲଗନେ ସରବେ ମଗନେ ଗାଉଛନ୍ତି ହୋଇ ମୋହିତ
ସବୁଜ ‌ବରଣା ଧରଣୀ
ଦିଶଇ ସୁନ୍ଦର ରମ୍ୟ ମନୋହର ଆସିବେ ତ ଦେବୀ ଭବାନୀ ।।

ପ୍ରଭାତୀ ଆକାଶେ ନବୀନ ତରୁଣ ଅରୁଣ ଶୀତଳ ପରଶ
ଶୁଭ୍ର ଜ୍ୟୋତି କର ହରସେ ପରସେ ପ୍ରକୃତି ବିନୋଦ ବିଳାସ
କାଶତଣ୍ତି ଶୁକ୍ଳ ଚାମର
ଅନୀଳ ଚଞ୍ଚଳ ଦୋଳାରେ ଦୋଳିତ ଆସିଛି ଶରତ ସକାଳ ।।

ଶୁଭ୍ରାଂଶୁ ଶରତେ ରଜତ ଜୋଛନା ବିଛାଇ ଶିଶିର ମୁକୁତା
ଯିବା ପରେ ରବି ରଶ୍ମୀ ପରଶରେ ମଣିମୟ ହାର ମଣ୍ଡିତା
କାଶ୍ୟପୀ ମଞ୍ଜୁଳ ବେଦୀରେ
ହୈମବତୀ ସତୀ ମଣ୍ଡିବେ ଧରିତ୍ରୀ ସାଜାଇଛି ଚିତ୍ର ଶୃଙ୍ଗାରେ ।।

ଗଙ୍ଗଶିଉଳିର କୋମଳ ଗାଲିଚା ବିଛାଇ ଚାହିଁଛି ଅଵନୀ
ହୈମବତୀ ସତୀ ଅପର୍ଣ୍ଣା ଆସନ୍ତି ସୌରଭ ପୁରିତ ମେଦିନୀ
ଅନୀତି ଦୁର୍ନୀତି ଅସୁର
ସଂହାର କରିବାପାଇଁ ମହାଦେବୀ ହେଇ ହୋଇଲେଣି ବାହାର ।।

ବିବିଧ ବାଜଣା ତୁରୀ ମହୁରୀର ଅମୀୟ ସ୍ଵରରେ ଧରଣୀ
ହର୍ଷୋତ୍ଫୁଲ୍ଲ ଉଲ୍ଲାସରେ ବିମୋହିତ ଆସୁଛନ୍ତି ବୋଲି ଭବାନୀ
ବରଦ ହସ୍ତକୁ ପ୍ରସାରି
ଆସ ମହାଦେବୀ ଦୁଃଖ ଦୈନ୍ୟ ରୂପି ବିକଟ ରାକ୍ଷସ ସଂହାରି ।।

ଘୋର ସିଂହ ପୃଷ୍ଠେ ବସି ମହାମାୟା ଆସ ଦେବୀ ଭଗବତୀ
ବିଚିତ୍ର ତୋରଣ ରତ୍ନ ସିଂହାସନ ରଖିଛି ସାଇତି ପ୍ରକୃତି
ବାମଦେବ ବାମା ଜନନୀ
ଶାନ୍ତି, ମୈତ୍ରୀ, ପ୍ରିତୀ ଅମୃତ ପରସି ପୂଣ୍ୟମୟ କରି ଧରଣୀ ।।

End Line Of Article 768x5
Share with friends: