Categories
Journal Poetry

ଗଡ଼ିଆ

Volume.1 – Issue.10 – October 2025
Author – Dr. Nilamadhab Kar, MD, DPM, DNB, FRCPsych
Consultant Psychiatrist and College Tutor
Editor, Journal of Geriatric Care and Research
Address – Wolverhampton, United Kingdom

ଗଡ଼ିଆରେ ଉବୁଟୁବୁ
ମାଛ, କଙ୍କଡ଼ା, ଗେଣ୍ଡା, ସାପ, ବେଙ୍ଗ ସହ
ଗୋଳିଆ ପାଣିରେ
କାଦୁଅ, ପଙ୍କ ନେସି ହେଇ ଦେହସାରା ।

ତା’ ଭିତରେ ବାକବିତଣ୍ଡା, ଗଣ୍ଡଗୋଳ
ପାଟିମୁଣ୍ଡ, ଫଟାଫଟି, ରଗାରଗି
ଜୀବନ ସେମିତି ବୋଲି
ଧରିନେବା ହିଁ ଭୁଲ ।

ବଦଳେଇ ହେବ ସେ ଜୀବନ
ସେ ସୁଯୋଗ, ଉପାୟ ଅଛି
ଜାଣିଥିଲେ ହେଲା
ଚାହିଁଲେ ହେଲା ।

ଗୋଡ଼ ହାତ ଧୋଇ
ସଫା ସୁତୁରା
ନିରୋଳାରେ, ଆଶ୍ଵସ୍ତରେ
ନିଶ୍ୱାସ ନେବାକୁ ଇଚ୍ଛା ?

ଗଡ଼ିଆ ଧାରରେ ବସି
ଥିରି ଥିରି ପବନରେ
ଚହଲୁଥିବା ପାଣିରେ
କଇଁର ଛବି ଦେଖିବାକୁ ଇଚ୍ଛା ?

ସମ୍ଭବ, ସବୁ ସମ୍ଭବ
ନିଜ ନିଷ୍ପତ୍ତି ଭିତ୍ତିରେ, ଇଚ୍ଛାଧୀନ
ଜୀଇଁ ହେବ ନିଜ ଜୀବନ
ବାହାରି ଆସିହେବ ଗଡ଼ିଆରୁ ।

ଖାପ ଖୁଏଇ ହେବ, ପରିସ୍ଥିତିରେ,
ବୁଝିହେବ, ବଦଳେଇ ହେବ ନିଜକୁ,
ଘୁଞ୍ଚେଇ ହେବନି ସମୟ କି ଚିତ୍ରପଟ
ନିଜ ଇଚ୍ଛାମତେ ବଦଳେଇ ହେବନି ଅନ୍ୟକୁ ।

ଫେରିବା ନିଶ୍ଚିତ ଜାଣି,
ଦି ଦିନର ଯାତ୍ରୀ ପାଇଁ
ଏ ସୃଷ୍ଟିକୁ ଆବୋରିବା,
ଏ ଗଡ଼ିଆରେ ଘାଣ୍ଟି ହେବା ନିରର୍ଥକ ।

ନିରପେକ୍ଷ ଉଦାସୀନତାରେ
ଅତିଥି ପରି, ଦେଖଣାହାରୀର ଭାବନେଇ
ନିରୁତା, ନିଛକ ସତ୍ୟକୁ ଜାବୋଡ଼ି
ଅସଂଲଗ୍ନ ରହିହେବ ।

ଆବହମାନ, ପରିବର୍ତ୍ତନଶୀଳ
ଏ କୋଳାହଳ, ଏ ରୀତିନୀତି
ଭିତରେ ବି ନୀରବ ରହିହେବ
ଉପଭୋଗ କରିହେବ ନାଟକ ।

Share with friends: