Volume.1 – Issue.10 – October 2025
Author – Sujit Kumar Mishra
Address – Janardanpur Sasan, Keonjhar, Odisha
Contact – 7683867742
ଏଇ ଶରତରେ ତମେ ମନ ପଡ
ସରସୀର କଇଁ ପରି,
ସେପାଇଁ ସେ ସ୍ମୃତି ଅତୀତ ହେଲେବି
ପ୍ରଣୟର ସ୍ଵର୍ଗପୁରୀ ।
ଅପାଶୋରା ନୁହେଁ ଅପସରୀ ତମେ
ଏ ଜୀବନ ଚଲାପଥେ,
ନହେଲେ କାହିଁକି ନିସ୍ଵ ଛାତିକୁ ମୋ
ଭିଜାଅ ଶ୍ରାବଣ ସ୍ରୋତେ ?
ମୁଁ ତୁମ ଅନ୍ତରେ ମଧୁର ବର୍ଷାରେ
ପରିଚିତ ଏକ ନାମ,
ଏଇ ଅନୁଭବ ପାଇଁ ତ ତେଣୁ ମୁଁ
ତୁମ ପାଶେ ‘ପ୍ରିୟତମ’ ।
ମାନ ଅଭିମାନ ତମେ ଯେବେ କର
ମାନମୟୀ ରାଧା ମୋର,
ମୋତେ ଲାଗେ ସେବେ ମଉସୁମୀ ଆସେ
ଗୀତ ଗାଇ ନିରନ୍ତର ।
ତୁମ ଆଗମନେ ତପତ ଝାଞ୍ଜିରେ ମୁଁ
ତୋଳେ ଯେବେ ସ୍ଵପ୍ନରାତି,
ତୁମେ ସେବେ ଲାଗ ବିରହୀ ରାଧା ମୁଁ
ବଂଶୀଧାରୀ ଚୋରାପ୍ରୀତି ।
