Categories
Journal Poetry

ତୁମ ଅପେକ୍ଷାର ଅଳି

Volume.1 – Issue.10 – October 2025
Author – Anjali Meher
Address – Agalapur, Bolangir, Odisha

ତୁମେ ମୋର ଅତୀତର କାନଭାସ୍
ମୁଁ ରଙ୍ଗହୀନ ତୂଳୀ,
ତୁମେ ମୋ ଜୀବନର କାଳବୈଶାଖୀ
ମୁଁ ନିଦାଘର ଧୂଳି ॥

ତୁମେ ମୋର ବସନ୍ତର ମଳୟ ବାଆ
ମୁଁ ତୁମ ଗ୍ରୀଷମର ଝାଞ୍ଜି,
ତୁମେ ମୋ ଜୀବନ ଅଦିନ ମୌସୁମୀ
ମୁଁ ପ୍ରୀତି ଅଙ୍କୁରିତ ମଞ୍ଜି ॥

ତୁମେ ମୋ ଜୀବନର ଶ୍ରାବଣ ଧାରା
ମୁଁ ନିଶାମୁଖ ଦୀପିକା,
ତୁମେ ମୋ ମନ୍ଦିରର ଘଣ୍ଟ ଶଙ୍ଖଧ୍ୱନି
ମୁଁ ତୁମ ଆଲୋକ ବର୍ତ୍ତିକା ॥

ତୁମେ ମୋ ଶରତର ନିର୍ମଳ ଆକାଶ
ମୁଁ ମେଘ ମହ୍ଲାରର ଧାରା,
ତୁମେ ମୋ ଚିରସ୍ରୋତା ତଟିନୀଟିଏ
ମୁଁ ପ୍ରଦୋଷର ମିଞ୍ଜି ତାରା ॥

ତୁମେ ମୋର ଜଳଧି ଜୁଆର ଢେଉ
ମୁଁ ତୁମ କୁସୁମ ଅଞ୍ଜଳି,
ତୁମେ ମୋ ପ୍ରଭାତର ଫଗୁଣ ଅବିର
ମୁଁ ତୁମ ଅପେକ୍ଷାର ଅଳି ॥

Share with friends: