Categories
Journal Poetry

ନାରୀ ମନର ଭୟ

Volume.1 – Issue.10 – October 2025
Author – Arun Dakua
Address – Utkal University, Vani Vihar, Bhubaneswar

ଜନ୍ମର ପ୍ରାରମ୍ଭରୁ ମୃତ୍ୟୁର ଶେଷ ପର୍ଯ୍ୟନ୍ତ
ନାରୀର ମନରେ ଥାଏ ଅନେକ ଭୟ,
କିନ୍ତୁ ସବୁ ଭୟ ମଧ୍ୟରୁ ବେଶୀ ଭୟଙ୍କର
ନାରୀପ୍ରତି ପୁରୁଷର ଲୋଲୁପ ଲୟ l

ପ୍ରତି ମୁହୂର୍ତ୍ତ ରେ ନାରୀଟିଏ
ଡରିଉଠେ.. ଥରିଉଠେ..
ଭୟକରେ..
ଜୀବଜନ୍ତୁ ଟି ଏ କୁ
ନିଛାଟିଆ ରାସ୍ତାକୁ
ଅନ୍ଧକାର ଜାଗାକୁ
ଅଜଣା ମଣିଷକୁ
ବର୍ଷାର ବିଜୁଳିକୁ
ଏବଂ ପୁରୁଷର କ୍ଷୁଧାକୁ l

ଶୟନେ ହେଉ କିମ୍ବା ଜାଗ୍ରତେ ହେଉ
ନାରୀ ମନରେ ଭରି ରହିଥାଏ ଅନେକ ଭୟ
ପିଲାବେଳେ ବାପା – ଦାଦାଙ୍କୁ ଭୟ
ବଡହେଲେ ବଡ଼ ଭାଇକୁ ଭୟ
ବାହାହେଲେ ଶାଶୁଘରକୁ ଭୟ
ପତି ଦେବତାଙ୍କ ଉକ୍ତିକୁ ଭୟ
ବୋହୂ ଟି ଏ ହୋଇ ପ୍ରଥମେ
ଖାଦ୍ୟ ରାନ୍ଧିବାରେ ଭୟ
ପବନ ସୁଅରେ ଦେହରୁ
ଓଢଣୀ ଉଡିଯିବାର ଭୟ
ପୁଣି ଦେଢ଼ସୁର ଆଗେ
ଓଢଣା ଖସିଯିବାର ଭୟ l

ପ୍ରତି ପାଦେ ପାଦେ ଏମିତି ଭୟକରି ମଧ୍ୟ
ନାରୀ ଆଜି ସ୍ୱୟଂସିଦ୍ଧା l
ଜନନୀ – ଭଗିନୀ – ସହଧର୍ମିଣୀ ରୂପେ
ସଂସାରରେ ଉଦ୍ଭାସିତା
ଭୂମିରୁ ଭୂମା ଯାଏଁ
ପଣତ ତା ପରିବ୍ୟାପ୍ତା,
ଗୃହବିଜ୍ଞାନ ରୁ ଗ୍ରହବିଜ୍ଞାନ ଯାଏଁ
ସବୁଥିରେ ଜଗତ୍ ଜିତା l

ଜଗତ କିନ୍ତୁ ନାରୀକୁ
ଅବଳା କୁହେ ଦୁର୍ବଳା କୁହେ
ମାତ୍ର ବାସ୍ତବରେ ନାରୀ
ଅବଳା ନୁହେଁ କି ଦୁର୍ବଳା ନୁହେଁ l
ସେ ଜଗତରେ ବଞ୍ଚିବା ପାଇଁ କରେ ଅନେକ କଷ୍ଟ
ତେଣୁ ତ ନାରୀର ଭୂମିକା ଜଗତ ମଧ୍ୟରେ ଶ୍ରେଷ୍ଠ l

Share with friends: