Volume.1 – Issue.10 – October 2025
Author – Biranchinarayan Mishra
Address – 52-Satyasai Enclave, Lane No.15, Khandagiri, Bhubaneswar
Contact – 9439011063
ସାଧାରଣତଃ ମୃତ୍ୟୁର ନାମ ଶୁଣି ସମସ୍ତେ ଭୟଭୀତ ହୋଇଉଠନ୍ତି । କାରଣ ଜୀବନର ମୋହକୁ ଏତେ ଶୀଘ୍ର ଛାଡ଼ି ଦେବାପାଇଁ କେହି ବି ପ୍ରସ୍ତୁତ ନଥାନ୍ତି । ଏହି ଜୀବନର ମୋହ ଆମକୁ ରାଗ, ଦ୍ୱେଷ, ଅଭିମାନ, କ୍ରୋଧର ବଶବର୍ତ୍ତୀ କରିଦିଏ । ବାସ୍ତବତା ହେଉଛି, ଆମ ଜୀବନ ଚିରସ୍ଥାୟୀ ନୁହେଁ କିନ୍ତୁ ଏହାକୁ ଗ୍ରହଣ କରିବା ଏତେ ସହଜ ନୁହେଁ । ଅନ୍ୟପକ୍ଷରେ ମୃତ୍ୟୁରେ ସତ୍ୟତା ନିହିତ, କିନ୍ତୁ ଆମେ ଏହାକୁ ସ୍ୱୀକାର କରିନଥାଉ । ତେବେ ଜୀବନ ଆଉ ମୃତ୍ୟୁର ମଧ୍ୟବର୍ତ୍ତୀ ସ୍ଥିତିରେ ଉପନୀତ ହୋଇ ଆମେ ମୃତ୍ୟୁର ଆଗମନକୁ କେଉଁଭଳି ଭାବେ ଗ୍ରହଣ କରୁ, ଆସନ୍ତୁ ଜାଣିବା..।
ଗୋଟିଏ ଆଶ୍ରମରେ ଜଣେ ସନ୍ଥ ତାଙ୍କ ଶିଷ୍ୟମାନଙ୍କୁ ପ୍ରବଚନ ଦେଉଥିଲେ । ଠିକ୍ ଏହି ସମୟରେ ଏକ ଅଜଣା ଲୋକ ଆସି ସନ୍ଥଙ୍କୁ ଅନେକ ପ୍ରକାର ଅପଶବ୍ଦ କହି ତାତ୍ସଲ୍ୟ କଲେ । ହେଲେ ସନ୍ଥ ଏଥିରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିନଥିଲେ । କିଛି ସମୟ ଏହିଭଳି କହିବାପରେ ସେହି ଅଜଣା ବ୍ୟକ୍ତି ସେଠାରୁ ଚାଲି ଯାଇଥିଲେ । ଶିଷ୍ୟମାନେ କିନ୍ତୁ ସେହି ଲୋକର ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଲେ । ଗୁରୁଙ୍କ ଅପମାନକୁ ସେମାନେ ସହ୍ୟ କରିପାରିଲେ ନାହିଁ, ଏଥିପାଇଁ ଗୁରୁଙ୍କୁ ବିନତୀ କଲେକି, ଗୁରୁ ସେହି ଅଜଣା ଲୋକଙ୍କୁ ଦଣ୍ଡବିଧାନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅନ୍ତୁ । ହେଲେ ଗୁରୁ ଶିଷ୍ୟମାନଙ୍କୁ ଏତାଦୃଶ କାର୍ଯ୍ୟରୁ ନିବୃତ୍ତ ରହିବାପାଇଁ କହିଲେ । ଶିଷ୍ୟମାନେ ଏପରି କରିବାର କାରଣ ନପଚାରି ଗୁରୁଙ୍କ ଆଜ୍ଞାକୁ ପାଳନ କଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜନୈକ ଶିଷ୍ୟ ଏହାର କାରଣ ଜାଣିବାପାଇଁ ଏକାନ୍ତରେ ଗୁରୁଙ୍କ କକ୍ଷକୁ ଯାଇ ପ୍ରଣାମ କରି ନିଜର ଜିଜ୍ଞାସା ପ୍ରକଟ କରି କହିଲେ, ”ଗୁରୁ ଦେବ ! ଆପଣ କିଛି ନକରିବା ପରେ ବି ସେହି ଅଜଣା ବ୍ୟକ୍ତିଟି ଆପଣଙ୍କୁ ଏତେସବୁ ଅପଶବ୍ଦ କହି ଚାଲିଗଲେ, ହେଲେ ଆପଣ ନୀରବ ରହିଲେ ଆଉ ଆମମାନଙ୍କୁ ମଧ୍ୟ ତା’ର ବିରୋଧ କରିବାରୁ ନିବୃତ୍ତ କରିଦେଲେ, ଏପରି କାହିଁକି କଲେ ? ଏହା ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଯାଇଛି, ଏହି ସଂଶୟ ଦୂର ନହେବା ଯାଏଁ ମୋ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେବା ଅସମ୍ଭବ !” ଶିଷ୍ୟର କଥାକୁ ଗୁରୁ ନୀରବରେ ଶୁଣିବାପରେ କହିଲେ, ”ମୁଁ କିନ୍ତୁ ତୁମକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ କହିବାପାଇଁ ଚାହୁଁଛି, ଯାହା ତୁମ ଜୀବନ ସହିତ ଜଡ଼ିତ । ପ୍ରଥମେ ମୋ କଥା ଶୁଣିନିଅ”।
ଶିଷ୍ୟ ଆଶ୍ଚର୍ଯ୍ୟ ହୋଇଗଲେ, ତାଙ୍କ ଜୀବନର କଥା ପୁଣି ଗୁରୁତ୍ୱପୂର୍ଣ୍ଣ ! ଏହା କଣ ହୋଇପାରେ ବୋଲି ସେ ଭାବିବାକୁ ଲାଗିଲେ । ତାଙ୍କର ମୁଖମଣ୍ଡଳରେ ବିସ୍ମୟର ଭାବ ସ୍ପଷ୍ଟ ପ୍ରତିଭାତ ହେବାକୁ ଲାଗିଲା । ଏହା ଦେଖି ଗୁରୁ ବିଳମ୍ବ ନକରି କହିଲେ,”ମୁଁ ଜାଣିପାରିଛି ତୁମେ ଆଉ ମାତ୍ର ସାତଦିନ ବଞ୍ଚିବ । ସାତଦିନ ପରେ ତୁମର ମୃତ୍ୟୁ ହୋଇଯିବ । ତୁମର ଏହି ଜୀବନ ସମାପ୍ତ ହୋଇଯିବ” । ଏହା ଶୁଣି ଶିଷ୍ୟ ଆଚମ୍ଭିତ ହୋଇଗଲା, ଯେପରି ତା ପାଦତଳର ମାଟି ଖସିଯାଉଛି । ଯଦି ଅନ୍ୟକେହି ଏ କଥା କହିଥାନ୍ତେ ହୁଏତ ସେ ଏ କଥାକୁ ବିଶ୍ୱାସ କରିନଥାନ୍ତା, କିନ୍ତୁ ଏ କଥାତ ସାକ୍ଷାତ୍ ସନ୍ଥ ମହାଶୟ କହିଛନ୍ତି, ଯାହାଙ୍କୁ ସେ ସଦ୍-ଗୁରୁ ରୂପେ ବରଣ କରିଛି । ଯେଉଁ ଗୁରୁଙ୍କୁ ସେ ଅଟଳ ଶ୍ରଦ୍ଧା ଏବଂ ଭକ୍ତି କରୁଛି, ତାଙ୍କ ମୁଖ ନିଃସୃତ କଥା କଦାପି ମିଥ୍ୟା ନହୋଇପାରେ ! ବାସ୍ତବତା ହେଉଛି, ତାର ଜୀବନକାଳ ଆଉମାତ୍ର ସାତଦିନ ! ନିଜ ଜୀବନର ଅନ୍ତିମ ସାତ ଦିନକୁ ସେ ପୂର୍ଣ୍ଣରୂପେ ବଞ୍ଚିବାର ସଂକଳ୍ପ ନେବା ସହିତ ଗୁରୁଙ୍କ ଆଶୀର୍ବାଦ ନେଇ ଆଶ୍ରମ ଛାଡ଼ି ଚାଲିଗଲା । ମାର୍ଗରେ ଯିବା ସମୟରେ ସେ ଗୋଟିଏ କଥା ବିଚାର କରିବାକୁ ଲାଗିଲା କି, ଜୀବନର ଏହି ଅନ୍ତିମ ସାତ ଦିନକୁ ସେ କିପରି ଅତିବାହିତ କରିବା ଆବଶ୍ୟକ ଯାହାଦ୍ୱାରା, ସେ ପୂର୍ଣ୍ଣତା ପ୍ରାପ୍ତ କରିବାକୁ ସମର୍ଥ ହୋଇପାରିବ ।
ପର୍ଯ୍ୟାପ୍ତ ମାତ୍ରାରେ ଚିନ୍ତନ କରିବାପରେ, ଶେଷରେ ଶିଷ୍ୟଜଣକ ଏହି ସିଦ୍ଧାନ୍ତରେ ଉପନୀତ ହେଲା କି, ସେ ଗୁରୁ ପ୍ରଦତ୍ତ ଶିକ୍ଷାକୁ ପୂର୍ଣ୍ଣରୂପେ ପାଳନ କରିବ ଏବଂ ବିନମ୍ରତା, ପ୍ରେମ ତଥା ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ ନେଇ ଜୀବନ ଅତିବାହିତ କରିବ । ଏହିଭଳି ବିଚାର ମନକୁ ଆସିବାମାତ୍ରେ ତା’ର ସ୍ୱଭାବରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଲା । ସେ ସମସ୍ତଙ୍କୁ ଉତ୍ତମ ବ୍ୟବହାର କଲା, ସମସ୍ତଙ୍କ ସହିତ ପ୍ରେମପୂର୍ଣ୍ଣ ବାର୍ତ୍ତାଳାପ କଲା । କାହାରି ଉପରେ କ୍ରୋଧାନ୍ୱିତ ହେଲାନାହିଁ । ରାଗ-ଦ୍ୱେଷାଦି ଭାବରୁ ନିଜକୁ ନିବୃତ୍ତ କରିଦେଲା, କାହାରି ପ୍ରତି ପ୍ରତିକ୍ରିୟାଶୀଳ ହେଲାନାହିଁ ଆଉ ଅଧିକାଂଶ ସମୟ ଭଗବାନଙ୍କ ଧ୍ୟାନ ତଥା ସ୍ମରଣରେ ବ୍ୟତୀତ କରିବାକୁ ଆଗଭର ହୋଇଉଠିଲା । ସେ ପୂର୍ବକୃତ ସମସ୍ତ ପାପର ପ୍ରାୟଶ୍ଚିତ୍ତ କଲା, ଯେଉଁମାନଙ୍କ ସହିତ ପୂର୍ବରୁ ଜାଣତରେ ଅଥବା ଅଜାଣତରେ ତା’ର ମନମାଳିନ୍ୟ ହୋଇଥିଲା, ଯେଉଁମାନେ ତାକୁ ବହୁତ କଷ୍ଟ ଦେଇଥିଲେ, ସମସ୍ତଙ୍କ ପ୍ରତି ସେ ଉଦାର ଭାବ ପୋଷଣ କଲା । ନିଜର ଦିନଚର୍ଯ୍ୟାକୁ ସମାପ୍ତ କରିବା ପରେ ଅବଶେଷ ସମୟକୁ ସେ ଭଗବାନଙ୍କ ଧ୍ୟାନରେ ଅତିବାହିତ କରିବାକୁ ଲାଗିଲା । ଛଅ ଦିନ ଧରି ଏହିକାର୍ଯ୍ୟ କରିଚାଲିଲା । ସପ୍ତମ ଦିବସରେ, ନିଜର ମୃତ୍ୟୁ ପୂର୍ବରୁ ସେ ଗୁରୁଦେବଙ୍କ ଦର୍ଶନ କରିବାପାଇଁ, ତାଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ବ୍ୟାକୁଳ ହୋଇଉଠିଲା । ପରିଶେଷରେ ଶିଷ୍ୟ ଜଣକ ଗୁରୁଙ୍କୁ ଅନ୍ତିମ ପ୍ରଣାମ ଜଣାଇବାପାଇଁ ଆଶ୍ରମକୁ ଗଲା । ଗୁରୁଙ୍କ ଚରଣ ସ୍ପର୍ଶ କରିବା ସମୟରେ ତା ମୁଖମଣ୍ଡଳରେ ଆତ୍ମସନ୍ତୋଷର ଭାବ ସ୍ପଷ୍ଟ ଦୃଶ୍ୟ ହେଉଥିଲା । ସେ ଗୁରୁଦେବଙ୍କ ଚରଣ ସେବାରେ ଅନ୍ତିମ ସମୟକୁ ବିତାଇବାପାଇଁ ଚାହୁଁଛି କହି ତାଙ୍କର ଆଶୀର୍ବାଦ ଭିକ୍ଷା କଲା । ଗୁରୁଦେବ କହିଲେ, ”ମୋର ଆଶୀର୍ବାଦ ତ ସବୁବେଳେ ତୁମ ସହିତ ଅଛି । ତୁମେ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ଅତିବାହିତ କର ।”
ଗୁରୁଙ୍କ ମୁଖରୁ ଏଭଳି ଏକ ଆଶୀର୍ବାଦ ଶୁଣି ଶିଷ୍ୟ ପୁଣିଥରେ ଆଶ୍ଚର୍ଯ୍ୟ ହୋଇଗଲା, ଭାବିଲା, ଆଜିର ଏହି ଅନ୍ତିମ ଦିବସରେ ଗୁରୁ ତାକୁ ଏ କିଭଳି ଆଶୀର୍ବାଦ ଦେଲେ ! ଆଜି ତାର ମୃତ୍ୟୁ ହେବ, ତା ଜୀବନର ଶେଷ ଦିନ ଯାହା ଗୁରୁ ତାକୁ ପୂର୍ବରୁ ସୂଚାଇ ଦେଇଥିଲେ କିନ୍ତୁ ସେଦିନର କଥା ଆଉ ଆଜିର କଥା ଭିତରୁ ତା ଜୀବନ ପାଇଁ କେଉଁଟି ସତ୍ୟ ସିଦ୍ଧ ହେବ ?
ଗୁରୁ ଶିଷ୍ୟକୁ ଆଶୀର୍ବାଦ ପ୍ରଦାନ କରି ପଚାରିଲେ, ”କୁହ, ତୁମେ ଏହି ବିଗତ ସାତଦିନ କିପରି ଅତିବାହିତ କଲ ? ତୁମେ କଣ ପୂର୍ବପରି ଲୋକମାନଙ୍କ ଉପରେ କ୍ରୋଧ କରୁଥିଲ ? ବିଶେଷ କରି ଯିଏ ମୋତେ ଅପଶବ୍ଦ କହିଥିଲା, ତା ପ୍ରତି କଣ ତୁମ ମନରେ କ୍ରୋଧ ଆସିଥିଲା ?”
ଯୋଡ଼ହସ୍ତରେ ଶିଷ୍ୟ ଉତ୍ତର ଦେଲା, ”ନାଁ ଆଦୌ ନୁହେଁ, ଗୁରୁଦେବ । ମୋ ପାଖରେ ବଞ୍ଚିବା ପାଇଁ ଆଉମାତ୍ର ସାତ ଦିନ ଥିଲା । ମୁଁ କାହିଁକି କାହା ଉପରେ କ୍ରୋଧ କରି ଜୀବନର ବହୁମୂଲ୍ୟ ସମୟର ଅପଚୟ କରିଥାନ୍ତି ? ଏପରି କରିବା ପରିବର୍ତ୍ତେ ମୁଁ ହୃଦୟତଃ ଭଗବାନଙ୍କ ସ୍ମରଣ କରି, ଗୁରୁବାକ୍ୟକୁ ଜୀବନରେ ପ୍ରତିଫଳନ କରିବାପାଇଁ ପ୍ରୟାସ କରିଥିଲି । ଯାହାଫଳରେ ଅନ୍ୟମାନଙ୍କ ପ୍ରତି ଥିବା ବିଦ୍ୱେଷ ଭାବ ସମ୍ପୂର୍ଣ୍ଣରୂପେ ଦୂର ହୋଇଯାଇଥିଲା ।’
ଏଥର ଗୁରୁଦେବ ହସିହସି କହିଲେ, ”ଦେଖ, ଯେଉଁ ରହସ୍ୟକୁ ତୁମେ ଜାଣିବାପାଇଁ ଚାହୁଁଥିଲ, ସେହି ରହସ୍ୟକୁ ତୁମେ ଜାଣିବା ସହିତ ଅନୁଭବ ମଧ୍ୟ କରିନେଲ । ଯେତେବେଳେ ମୋତେ ଏହି ଜ୍ଞାନ ହୋଇସାରିଛି କି, ମୁଁ ଯେକୌଣସି ମୁହୂର୍ତ୍ତରେ ବି ମୃତ୍ୟୁ କୋଳକୁ ଚାଲିଯାଇପାରେ, ସେତେବେଳେ ମୁଁ ମୋର ମୂଲ୍ୟବାନ୍ ସମୟକୁ କାହାପ୍ରତି ଦୁର୍ଭାବନା ରଖି କାହିଁକି ବ୍ୟର୍ଥରେ ବିତାଇବି, କାହାପ୍ରତି କ୍ରୋଧ କରି ମୋର ସମୟ କାହିଁକି ନଷ୍ଟ କରିବି ? ବରଂ ଏହା ପରିବର୍ତ୍ତେ ମୁଁ ସମସ୍ତଙ୍କ ନିମନ୍ତେ ମୋର ହୃଦୟକୁ ଉନ୍ମୁକ୍ତ ରଖି ନିଜ ସମୟର ସଦୁପଯୋଗ କରିବାପାଇଁ ପ୍ରୟାସ କରିବି । ଏହା ସତ୍ୟ ନୁହେଁ କି !” ଗୁରୁଙ୍କର ସମ୍ପୂର୍ଣ୍ଣ ଯୋଜନାଟିକୁ ଏଥର ଶିଷ୍ୟ ଭଲ ଭାବରେ ବୁଝିପାରିଲେ ଆଉ ସେହିଦିନଠାରୁ ଶାନ୍ତିପୂର୍ଣ୍ଣ ପ୍ରେମମୟ ଜୀବନର ଗଭୀର ରହସ୍ୟକୁ ନିଜ ଗୁରୁଙ୍କଠାରୁ ଅବଗତ ହୋଇପାରିଲେ ।
ମିତ୍ରଗଣ, ପଶ୍ଚାତାପ, କ୍ରୋଧ, ରାଗ, ଈର୍ଷ୍ୟା, ହିଂସା, ବିଦ୍ୱେଷ ଆଦିରେ ଲିପ୍ତ ରହି ଜୀବନର ସମୟକୁ ବ୍ୟର୍ଥରେ ଯିବାକୁ ଦିଅନ୍ତୁ ନାହିଁ । କାରଣ କେଉଁ ମୁହୂର୍ତ୍ତରେ ମୃତ୍ୟୁ ଆମକୁ ଆଲିଙ୍ଗନ କରିବ ତାହା ଆମକୁ ଜଣାନାହିଁ । ଜୀବନ ବହୁତ ଛୋଟ, ଏହାକୁ ପ୍ରାପ୍ତ କରି ଆମକୁ ଅଗ୍ରସର ହେବା ଆବଶ୍ୟକ । ଜୀବନର ଉଦ୍ଦେଶ୍ୟ ହେଉଛି ଆନନ୍ଦ । ଜୀବନର ଏହି ସତ୍ୟତାକୁ ଯିଏ ଭଲ ଭାବେ ବୁଝିପାରନ୍ତି, ସେ ପ୍ରତ୍ୟେକ ପରିସ୍ଥିତିରେ ଶାନ୍ତ ରହିପାରନ୍ତି ଏହା ବାସ୍ତବରେ ବିବେକ ଅଟେ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଏଭଳି ବଞ୍ଚନ୍ତୁ, ଯେପରି ପର ମୁହୂର୍ତ୍ତଟି ଶେଷମୁହୂର୍ତ୍ତ !
ଶିକ୍ଷା:- “ଘୃଣାକୁ ଦୂର କରିଦିଅ, ଏ ବିଶ୍ୱରେ ଏକମାତ୍ର ପ୍ରେମ ହିଁ ପ୍ରତୀତ ହେବ ।”
