Categories
Journal Poetry

ଭିକ୍ଷୁକ ବାପା

Volume.1 – Issue.10 – October 2025
Author – Pratima Patra
Address – Baragarh, Odisha
Contact – 9937453098

ଘରର ମୁରବୀ ଧନରେ ଅଭାବୀ
ମନ ତାଙ୍କ ସତ୍ ଭାବି,
ବିବାହ ବେଳରୁ ଯୌବନ କାଳରୁ
ଚାଲିଛନ୍ତି ହୋଇ ରବି ।

ରକ୍ତ କରି ପାଣି ଟଙ୍କା ଆଣେ ଗଣି
ଭରନ୍ତି କୁଟୁମ୍ବ ଖଣି,
କହି ନାହିଁ କେହି କା’କୁ ଦେଇ ନାହିଁ
ସେହି ମନୋବାଞ୍ଛା ମୁଣି ।

ମହତ ଉଦ୍ଦେଶ୍ୟ ମୁଖେ ରଖି ହାସ୍ୟ
ହୋଇ ପ୍ରଭୁ ପାଦେ ଦାସ,
ଦୁଃଖୀ ରଙ୍କି ଜନ ଇଚ୍ଛା ଦ୍ରବ୍ୟ ମାନ
ପାଇ ହେଲେ ତାଙ୍କ ବଶ ।

କନ୍ୟା ବିଭା ବେଳେ ଧରି ତାକୁ କୋଳେ
ହାତେ ରଖି ଶଙ୍ଖଜଳ,
ଅରପଣ କରି ହସ୍ତ ଦୁଇ ଯୋଡି
ବୋଲେ ଏ ମୋ’ ଗଳାମାଳ ।

ଯତନେ ରଖିବ କଷଣ ନଦେବ
ଦଶ ଦୋଷ ଭୁଲି ଯିବ,
ମାଗୁଛି ଏତିକି ମଥା ପାଦେ ପୋତି
ଶିଶୁ ଭାବି ବୁଝାଇବ ।

ସମୁଦି ମୋହର ପିତା ହେଲ ତା’ର
ତୁମ୍ଭ ହାତେ ଦେଲି ଟେକି,
କୋମଳ ବୟସୀ ନଜାଣଇ ବେଶି
ସ୍ନେହାଶିଷ ଦେଇ ରଖି ।

ନଣନ୍ଦ ଦିଅର ଭ୍ରାତା ଭଗ୍ନୀ ତା’ର
ହୋଇ ରହିଥିବ ସଙ୍ଗେ,
ସୁଖେ ଦୁଃଖେ ଥାଇ ବାଣ୍ଟି ନେବ ଦୁଇ
ଭୁଲ୍ ନବୁଝିବ କେବେ ।

ଏତିକି ଯାଚନା ନକରିବ ମନା
କନ୍ୟାଦାନ କରି ଦେଲି,
ଦୁହିତା ମୋହର ଦୁଇ କୁଳ ତା’ର
ରଖିବ ନିରତେ ଭାଳି ।

ଦେଖିଲି ବେଦୀରେ ଭିକ୍ଷୁକ ହୋଇଲେ
ଦେଇ ସବୁକିଛି ବାପା
ପାପ କଲେ କେଉଁ ଜନ୍ମ କରି ମତେ
ହାତ ପତାଇଲେ ପିତା ?

ଆଧୁନିକ ପଥେ ଅଗ୍ରସର ଯେତେ
ସମାଜ ହେଲେ କି ହେବ,
ସମାନ୍ତର ଭାବ ରହିଲା ଅଭାବ
ବଦଳେ ନାହିଁ ମାନବ ।

ଯୋଡି ଦୁଇ ହସ୍ତ କହେ ଶ୍ରେଷ୍ଠ ପୁଂଷ
ଶୁଣ ଥରେ ମୋର କଥା,
ଛୋଟ ବଡ ଭାବ ନକର ଉଦ୍ଭବ
କା’ମନେ ଆସିବ ବ୍ୟଥା ।

ଭାବ ଥରୁଟିଏ ପୁତ୍ର କନ୍ୟା ଦୁହେଁ
ଆମରି ଅଂଶରୁ ଜାତ,
ପ୍ରଭେଦ କରିଣ ସଦ୍ଭାବ ମାରିଣ
ହେଉଛୁ କୁସଂସ୍କାରିତ ।

ଯଉତୁକ ପ୍ରଥା ଦୂର କରି ଦେବା
ତେବେ ହେବ ସୁସମାଜ,
ପରବର୍ତ୍ତୀ ପିଢି ସୁଶିକ୍ଷାରେ ବଢି
ବଢାଇବେ ଦେଶ ଶୌର୍ଯ୍ୟ ।

Share with friends: