Volume.1 – Issue.10 – October 2025
Author – Puja Sahoo,
Odia Department, Ramadevi Women’s College, Bhubaneswar
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର
ଏଠି ସବୁ ଶ୍ରେଣୀର ମଣିଷଙ୍କ ଭିଡ
ପାର୍ଥକ୍ୟ ଖାଲି ଜାତି, ଧର୍ମ, ସମ୍ପ୍ରଦାୟର
ବଦଳେ ମଣିଷ ଜୀବନର ମୋଡ଼ ।
ସକାଳର ସୂର୍ଯ୍ୟୋଦୟ କୁହୁଡି ସହ
କଅଁଳ ଖରା ସହ ଗରମର ତାତି
ବଢିଚାଲେ ପୁଣି ଗାଡିମଟର ଖିଅ
ଦଳଦଳ ମହୁମାଛି ପରି ମଣିଷ ଯାଆନ୍ତି ମାତି ।
ଗାଁ’ର ସେ ସକାଳ ଚହଳ ଠାରୁ ଭିନ୍ନ
ସ୍ଵାସ୍ଥ୍ୟ ଚାଲି, ନିଦଭଙ୍ଗା ଚା
ଆଉ କଥାର ରଙ୍ଗ ପରିବର୍ତ୍ତନ
ଜୀବନ ଗଲେ ମଧ କେହି କହିବେନି ଆହାଃ ।
ଯାନ ଗୁଡ଼ିକର ପ୍ରତିଦ୍ଵନ୍ଦିତା ମୂଳକ
ବିକଟାଳ ଭରା କେଁ କେଁ ରାବରେ
ରୂପାୟିତ ହୁଏ ମଣିଷର
ଅସ୍ତ ବ୍ୟସ୍ତ ଜୀବନଚର୍ଯ୍ୟା
ପୁଣି ନିସ୍ତବ୍ଧ ଅନ୍ଧାରେ ଦିନ ସରେ
ବ୍ୟସ୍ତତାରୁ ଅବସର ନେଇ ଆପଣାଏ ଶର୍ଯ୍ୟା ।
କିଏ ଆସେ ଚାକିରୀ ଆଶାରେ
ପୁଣି କିଏ ପଢ଼ିବା ନିଶାରେ
ଆଉ କିଏ ଦିନମଜୁରିଆ ଭାବରେ
କବି, ନେତା, ବଡ଼ବଡ଼ିଆ ରହନ୍ତି ଏଠାରେ ।
ମନ୍ଦିର ମାଳିନୀ ସହର ଭୁବନେଶ୍ୱର
ସମ୍ପର୍କ ଏଠି ଅଢେଇ ଦିନର
ସମ୍ମାନ ଏଠି ଖାଲି ମର୍ଯ୍ୟାଦା ଓ ଟଙ୍କାର
ପଇସା ନଥିଲେ ଅଧିକାର ନାହିଁ ବଞ୍ଚିବାର
ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ।
