Categories
Journal Poetry

ପଥରେ ଗଢା ଏ ସହରୀ ମନ

Volume.1 – Issue.10 – October 2025
Author – Dr. Sribatsch Meher
Address – Maneswar, Sambalpur, Odisha

ଏ ସହରୀ ମନ କରମ ଉଦ୍ୟମ
ବ୍ୟସ୍ତତା ପୂର୍ଣ୍ଣ ଜୀବନ,
ଗ୍ରାମ ଠୁ ଅଧିକ ପଥର କଣ୍ଟକ
ମାନବ କରେ ସହନ,
ପଥରରେ ଗଢା ଏ ସହରୀ ମନ
ଜିଜ୍ଞାସାରେ ପରିପୂର୍ଣ୍ଣ ।
ଅସୀମ ଇଚ୍ଛାର ତୃଷ୍ଣାର ସାଗର
ଉଡନ୍ତା ବିହଙ୍ଗ ପରି,
ଠିକଣା ବିହୀନ ଝାଡୁ ଥାଏ ଡେଣା
ଅସରନ୍ତି ସ୍ଵପ୍ନ ଭରି,
ଦୁଃଖ ଯନ୍ତ୍ରଣାକୁ କରନ୍ତି ଆପଣା
ଅଦମ୍ୟ ସାହସ ଧରି ।
ଦ୍ୱନ୍ଦ ପ୍ରତିଦ୍ଵନ୍ଦୀ ଜୟ ପରାଜୟ
ସୁଖ ଦୁଃଖର କାହାଣୀ,
ଗଢ଼ିଥାଏ ମନ ନିଷ୍ଠୁର ଜୀବନ
ଭଳ ମନ୍ଦକୁ ବଖାଣି,
ବୁଢିଆଣୀ ପରି ଜାଲ ବୁଣୁଥାଏ
ଫସି ଯାଏ କରି ଠାଣି ।
ଅଜ୍ଞାତ ଜ୍ଞାତରେ ହେଉଥାଏ ଟାଣି
ମୁଖରେ ଉଚ୍ଚାଟ ବାଣୀ,
ଡୁଃଖେ ନ ସହାୟେ ଫଟୋ ଟାଣୁ ଥାଏ
ଘଟଣାକୁ ସବୁ ଜାଣି,
ନିର୍ଦ୍ଦୟ ଭାବରେ ହୁଙ୍କାର କରିଣ
ବାଣୀ କହୁଥାଏ ଛାଣି ।
ପଥରରେ ଗଢା ଏ ସହରୀ ମନ
କଠୋର ତପସ୍ୟା କର୍ମ,
ପଥର ଯେସନ କରଇ ସହନ
ଯେତେ ଥାଏ ନିଜ ମର୍ମ,
ଲକ୍ଷ୍ୟର ସଫଳ ସାଧନା ନିମିତ୍ତ
କରେ ଦୃଢ଼ ପରିଶ୍ରମ ।
କେତେ ତରୁ ଲତା ଘାସର ଗାଲିଚା
ପଥର ନିକଟେ ସୃଷ୍ଟି,
ପଥର ଅନ୍ତ ରୁ ସଲିଳ ନିର୍ଗତେ
ନଥାଏ କାହାର ଦୃଷ୍ଟି,
ଅଭାବରେ ଭାବ ଯାର ମନୋଭାବ
ପ୍ରାଣ ଥାଏ ଅସନ୍ତୁଷ୍ଟି ।
ଆହା ରେ ଜୀବନ ଏ ସହରୀ ମନ
ପଥରରେ ଗଢା ଟାଣ,
ରାତି ଦିନ ଖଟି ଦେଉ ଥାଏ ବଟି
ଖଟାଇ ବିବେକ ଜ୍ଞାନ,
ଅଜ୍ଞାନରେ ଥାଇ ଜ୍ଞାନକୁ ସଞ୍ଚାରି
ବଢ଼ାଏ ଆପଣା ମାନ ।
ଦୃଢ଼ ମନ ପ୍ରାଣ କରେ ପ୍ରଦର୍ଶନ
କଠୋର ସ୍ଵଭାବ ରଖି,
ଅଯଥା କଥାରେ ମନ ପୁରାଏ ନା
ଦୁର୍ଘଟଣା ଆଖି ଦେଖି,
କାଳ ବେଳ ଯାଏ କର୍ମ କରିଥାଏ
ଆପଣା ସ୍ଵାର୍ଥକୁ ରଖି ।
ଆଗ ପଛ ଦେଖି ନିଜକୁ ପରଖି
ହାତେ ମାପି ଖଣ୍ଡେ ଚାଲେ,
କଳେବଳେ ମନ ବଦଳାଏ ସମ
ବିଷମରେ କଥା ଟାଳେ,
ଆନନ୍ଦ ବଜାରେ ଆହାର ବିହାରେ
ମଞ୍ଜୁଳାରେ ମନ ଢାଳେ ।

Share with friends: