Volume.1 – Issue.11 – November 2025
Author – Dr. Sribatsch Meher
Address – Maneswar, Sambalpur
ବିଲ୍ୱ ତରୁ ପତ୍ର ଶାଶ୍ଵତ ପବିତ୍ର
ଶିବଙ୍କ ପୂତ ପୀୟୂଷ,
ସେଇ ପଲ୍ଲବରେ ପୂଜା କଲେ ଭକ୍ତ
ଲଭେ ପ୍ରଭୁଙ୍କ ଆଶିଷ ।
ଵିଲ୍ଵ ତରୁ ମୂଳେ ଧୂପ ଦୀପ ଫଳ
ଫୁଲେ କରନ୍ତି ଅର୍ଚ୍ଚନା,
ବରଣ କରିଣ ନିଅନ୍ତି ପବିତ୍ରେ
ମାତାଙ୍କୁ କରି ବନ୍ଦନା ।
କଳସ ଉପରେ ବେଲ ପତ୍ର ରଖି
ପୁଜନ୍ତି ସେଠି ଶଙ୍କର,
ଶଙ୍କର ପାର୍ବତୀଙ୍କୁ କରିଣ ସ୍ତୁତି
ଶରଧା ରଖି ଅନ୍ତର ।
ନବରାତ୍ରୀ ନବ ରୂପ କାତ୍ୟାୟନୀ
ଷଷ୍ଠ ଦିବସରେ ସତୀ,
ଆବିର୍ଭୁତ ହୋନ୍ତି ଶିବଙ୍କ ଆଶିଷେ
ହୃଦେ ରଖି ତପ ଶକ୍ତି ।
ନବ ରୂପ ନବ ଶକ୍ତି ନବ ରାତ୍ରୀ
ନବ ସୃଷ୍ଟି ଅଭିବ୍ୟକ୍ତି,
ନବ ନିର୍ମାଣର ହୁଅନ୍ତି ପୂଜିତ
ଦେବୀ ମାତୃ ଶ୍ରେଷ୍ଠ ଶକ୍ତି ।
ବେଲ ପଲ୍ଲବ ଟି ଗୁଣରେ ମହାନ
ଯାହାର ଅମୋଘ ଶକ୍ତି,
ଆନନ୍ଦ ହୁଅନ୍ତି ଶିବ ଓ ପାର୍ବତୀ
ଥିଲେ ଶ୍ରଦ୍ଧା ନିଷ୍ଠା ଭକ୍ତି ।
ତାଙ୍କର ପୂଜାରେ ବେଲ ପତରର
ଥାଏ ଅସୀମ ମହିମା,
ମହିମାର ଗାନ ଯେତେ କଲେ ସୁଦ୍ଧା
କି ଦେଇ ହେବ ଉପମା ?
