Categories
Journal Poetry

ପଖିଆ

Open Access Journal 768x74

Volume.1 – Issue.11 – November 2025
Author – Dr. Nilamadhab Kar, MD, DPM, DNB, FRCPsych
Consultant Psychiatrist and College Tutor
Editor, Journal of Geriatric Care and Research
Address – Wolverhampton, United Kingdom

ତମକୁ ତିନ୍ତିବାକୁ ଇଚ୍ଛା
ବର୍ଷାରେ, ଲୁହରେ

ନିରୋଳାରେ ଟିକେ କାନ୍ଦି ପାରନି ବୋଲି
ବରଷାକୁ ଅନେଇ ଥାଅ ତମେ

ମୁହଁ ତୋଳି ଆକାଶକୁ
ବରଷା ବିନ୍ଦୁରେ, ଓଦା ମୁହଁରେ
ଲୁହକୁ ଲୁଚେଇ
କେମିତି ଯେ ହସ ତମେ ମିଛ ମିଛ

ତମକୁ ଘୋଡେଇବାକୁ,
ମୋତେ ପଖିଆଟେ ହେଇ
ଭିଜିବାକୁ ପଡ଼େ

ତମେ ଜାଣ, ମୁଁ ଜାଣେ
ତମ ଦୁଃଖ ନ ଜାଣିବାର ଅଭିନୟ
ଆମେ ଦି’ଜଣ କରନ୍ତି

କିଏ ତମ ଦୁଃଖ ବାଣ୍ଟି ନେଉ
ଦୁଃଖୀ ହେଉ ତମ ଦୁଃଖରେ
ତମକୁ ଭଲ ଲାଗେନା

ତମ ଦୁଃଖରେ ଭିଜୁଛ ବୋଲି
ଜାଣି ଅଜଣା ରହିବାରେ
ମୋତେ ଭଲ ଲାଗେନା

ଏଣିକି ମୁଁ ପଖିଆ ସଜାଡ଼ିଲେ
ତମେ ହସ,
ତମେ ଜାଣ, ମୁଁ ଜାଣେ
ଆଉ ଗୋଟେ ବରଷାର ଋତୁ
ଆସନ୍ନ ପ୍ରାୟ
କଳା ଘୁମର ଶାଢୀରେ

End Line Of Article 768x5
Share with friends: