ଦିଅ କି ନଦିଅ ଚିଠି ତମେ ମୋତେ
ଛୁଅଁ କି ନଛୁଅଁ ଓଠ,
ସବୁ କବିତାକୁ ତମ ଶବଦରେ
ମଣିବି ମୁଁ ପ୍ରୀତି ତୁଠ ।
ପ୍ରିୟଜନଙ୍କ ମିଠା କଥା ଓ ସ୍ମୃତି କବିଙ୍କ ମନକୁ ଭିଜାଇ ଦେଉଛି, ଅନୁଭବରେ ଶ୍ରାବଣର ରାତିର ବର୍ଷା ଝରୁଛି । ସେହି ସ୍ମୃତି ଶୁଖିଲା ଓଠରେ ହସ ଆଣିଦିଏ ଓ ମନରେ କେବଳ ମିଳନର ଆଶା ସୃଷ୍ଟିକରେ । ଝରକା ପାଖରେ ଯେବେ ଜହ୍ନ ଆସି ହାତ ଠାରି ଡାକୁଥାଏ, କବି ବିଭୋର ହୁଅନ୍ତି ପ୍ରେମର ମଧୁର ସଙ୍ଗୀତରେ । ସମଗ୍ର କବିତାଟିରେ ପ୍ରେମର ଗଭୀରତା ଓ ଆକାଂକ୍ଷିତ ହୃଦୟର ଅଭିବ୍ୟକ୍ତି ସ୍ପଷ୍ଟ ପ୍ରତୀୟମାନ ।