Volume.1 – Issue.11 – November 2025
Author – Swarna Ratha Mohapatra
Address – Bijaya Garden, Jamsedpur
ସାପ ମରିଲାନି କି ବାଡି ଭାଙ୍ଗିଲାନି
ଏବେ ସାପ ଆଉ ବାଡ଼ିକୁ ଡରୁନି
ସ୍ଵାଭିମାନର ବାଡି ଏଣିକି ନିଜକୁ
ଅଧିକ ଶକ୍ତ ଏଵଂ ଦମ୍ଭିଲା ବନୋଉଛି
ଭାଙ୍ଗିଯିବ ପଛେ ନଇଁବ ନାହିଁ
ଶକ୍ତ ଲୁହା କିମ୍ବା ଟାଣ ପଥର ହେଲେ
କିଏ ଭାଙ୍ଗି ଭିନ୍ନ ଆକୃତି ଦେଇପାରେ
ସେପାଇଁ ସେ ବାଡି ବନିବାକୁ ପସନ୍ଦ କଲା
ସ୍ୱାଭିମାନର ଯୁଦ୍ଧ ଅନ୍ତହୀନ
ସେ ଯୁଦ୍ଧର ବିରାମ ନାହିଁ ।
ଆଭିଜାତ୍ୟର ଆକାଶ
ମାଟିଠୁ ଦୁରେଇ ଦୁରେଇ ଚାଲିଛି
ସତ୍ତା, ପ୍ରତିଷ୍ଠା, ଶକ୍ତିର ତୃଷ୍ନା
ଶୋଷି ନେଇଛି ମଧୁର ଝରଣା
ମାଟିର ତୃଣ ସକାଳେ କାକରରେ ଭିଜେ
ଦିନରେ ରୌଦ୍ର ତାପରେ ସିଝେ
ସଂଜରେ ରାତିକୁ ସପନ ସମର୍ପି
ସ୍ଵାଭିମାନର ଭାତ ଲୁଣ ଖାଇ
ଶୋଇଯାଏ ଦଳିତ ଶ୍ରମିକ ପରି ନିର୍ବିକାରେ
ସ୍ୱାଭିମାନର ଯୌବନ
ଜହ୍ନ ରାତି ଆଙ୍କେନି କି
କାହାକୁ ବିମୋହିତ କରେନି ।
ସେ ତା ରିତୀ ନୀତି ସ୍ୱଭାବର ପ୍ରତିବିମ୍ବ
ନିଜେ ଆଙ୍କେ ନିଜ ଆଇନାରେ
କାହାକୁ ଦେଖେଇବାକୁ ଚାହେଁନା
ତା ଭିତରର ଲୁପ୍ତ ମଣିଷକୁ, ପ୍ରତିବିମ୍ବକୁ
ନିଜ ଶକ୍ତି ସାମର୍ଥ୍ୟର ଫସଲ କାଟି ଖାଏ
କାକୁସ୍ଥ ପ୍ରାର୍ଥନା ହେଇ ଠିଆ ହୁଅନି କାହା ଆଗେ
ଛଳନାର ଦାଣ୍ଡରୁ ଖଚ ମିଛ ସାଉଁଟି
ନିଜ ଦୁନିଆଁକୁ ସଜେଇ ଧଜେଇବାର କଳା
ତା ଅଭିନୟ ମଞ୍ଚରେ ମଞ୍ଚସ୍ଥ ହୁଏନା
ଆତ୍ମ ବିଜ୍ଞପ୍ତିର ଢୋଲ ବଜେଇ ଆସେନି ବୋଲି
ସେ ଆଜି ବଣମଲ୍ଲୀ
ସମ୍ପର୍କ ସହରର କୋଳାହଳଠୁ ଦୂରରେ
ତାର ନୀରବ ବସାଟିଏ
ସେଇ ତାର ଧନ ମାନ ଜୀବନ ।
