Volume.1 – Issue.10 – October 2025
Author – Hemant Kumar Barai
Address – Rushuda, Baragarh, Odisha
Phone No. – 8917518774
ମାଆ ଗୋ ମମତା ପୂର୍ଣ୍ଣ ହୃଦୟର
ଅତଳ ମମତା ମୂର୍ତ୍ତି
ସଂବେଦନାର ତୁ ଉଦାର ମତି ଗୋ
ପ୍ରାଣର ଅତୁଳ ତୃପ୍ତି ॥
ତୁ ହିଁ ମୋର ସ୍ମୃତି ତୁ ହିଁ ମୋର ମତି
ତୁ ହିଁ ମୋର ସ୍ମୃତି ସ୍ତମ୍ଭ
ତୁ ହିଁ ମୋର ଧୈର୍ଯ୍ୟ ଅବା ଜ୍ଞାନ ମୋର
ତୁ ହିଁ ମୋ ଯଶର ଦମ୍ଭ ॥
ନ କରିବ କ୍ରୋଧ ମୋର ପ୍ରତି ମାତା
ନ କରିବ କେବେ ରୋଷ
ପୁତ୍ର ମୁଁ ତୁମ୍ଭର କ୍ଷମଣୀୟ ସଦା
ନ ଧରିବ ମୋର ଦୋଷ ॥
ତୁ ହିଁ ମୋ ଲେଖନୀ ଶକ୍ତିର ବନ୍ଧନୀ
ପ୍ରାଣର ମୋ ରକ୍ତ ବିନ୍ଦୁ
ତବ ସ୍ନେହାଶୀଷେ ପ୍ରାଣ ନଦୀ ମୋର
ପୂରାଇବ ଧୈର୍ଯ୍ୟ ସିନ୍ଧୁ ॥
ସେ ସିନ୍ଧୁ ରତନେ ଗଢିଦେବି ମାତ
ତବ ପଣ ଅଳଙ୍କାର
ପିନ୍ଧାଇବି ମାତ ଯେଉଁ ଭାବେ ଯାହା
ନ କରିବ ହତାଦର ॥
ଧନ୍ୟ ତୁମେ ମାତ ଧନ୍ୟ ତୁମ୍ଭ ଜ୍ଞାତ
ଜାଣିଲ ମୋ ମନକଥା
ବ୍ୟାକୁଳିତ ଥିଲି କେମନ୍ତେ ହରିବି
ବ୍ୟାକୁଳ ଜଗତ ବ୍ୟଥା ॥
ବନବାସ ମାତ୍ର ଛଳ ଗୋ ଜନନୀ
ପିତାଙ୍କ ପଣ ମାଧ୍ୟମ
ମୋର ଇଚ୍ଛା ମତେ ଘଟିବ ସବୁ ଗୋ
ଜଗତକୁ ଦେବି ଶର୍ମ ॥
ଯଥା କାଳେ ଯଥା କର୍ମ କରିବାକୁ
ପ୍ରେରିତ କରିବା ମନେ
ଦ୍ୱିତୀୟ ବରର ମହିମା ଏହା ଗୋ
ଲାଗିବ ଭୁବ କଲ୍ୟାଣେ ॥
ଆଉ କିସ ଅବା ମାଗିବି ତୁମ୍ଭଙ୍କୁ
ଅଭିଧା ଦେଇଛ ମୋତେ
ଅମ୍ଳାନ ହେବାକୁ ଇଚ୍ଛା ଅଛି ମୋର
ଯଦି ପାର ଦେବ ସେତେ ॥
ଅମାନ୍ୟ ଅପୂଜ୍ୟ ଅଯୋଗ୍ୟ ଅସୁର
ନ ବୁଝି କରିବେ ରୋଷ
ମାନ୍ୟ ପୂଜ୍ୟ ଯୋଗ୍ୟ ସୁମତି ପଣ୍ଡିତ
ସୁମନେ ଗାଇବେ ଯଶ ॥
ଢାଳି ଦେବ ମାତ ଏ ପୁତ୍ର ମସ୍ତକେ
ସ୍ନେହ ସୁଧା ଦିବ୍ୟ ଧାରା
ମୋ ଜୀବନ ପଛେ ନର୍କେ ପଡିଥିବ
ତୁମ୍ଭଙ୍କୁ ପୂଜିବ ଧରା ॥
ଅବଶେଷେ ମାତ କରୁଛି ଶପଥ
କହୁଛି କଥା ଏ ସତ
ଅକିଞ୍ଚନ ପୁତ୍ରକୁ କଲେ ହତାଦର
ମରଣ ବରିବି ସତ ॥
ମୋ ନବ ଜନମେ ଦେଇଛ ଯା’ମାତ
ନ ହେବ ବିସ୍ମର ମୋର
ପୂତ ଶୁଭାଶୀଷ ଲଭିବାର ଆଶେ
ବନ୍ଦୁଛି ଚରଣ ତୋର ॥
